ଆମ ଗ୍ୟାରେଣ୍ଟି

ଡ. ଦ୍ୱିତୀ ଚନ୍ଦ୍ର ସାହୁ

ଜିନିଷର ଗ୍ୟାରେଣ୍ଟି ନାହିଁ ତ ଗ୍ରାହକ ମୁହଁ ଫେରାଇବ। ଉପତ୍ାଦର ଗୁଣବତ୍ତାକୁ ନେଇ ଗ୍ରାହକ ମନରେ ସଂଶୟ ସୃଷ୍ଟି ହେବା ସ୍ବାଭାବିକ। ସେଥିପାଇଁ କମ୍ପାନୀମାନେ ନିଜ ଦ୍ରବ୍ୟର ଗ୍ୟାରେଣ୍ଟି ଓ ଓ୍ବାରେଣ୍ଟି ଉପରେ ଜୋର ଦେଇ କୁହନ୍ତି। ସେଇ ଦିଗରେ କମ୍ପାନୀମାନେ ବିଜ୍ଞାପନ ଜରିଆରେ ପ୍ରଚାର ଓ ପ୍ରସାର କରନ୍ତି। କିଣିଲାବେଳେ ଦ୍ରବ୍ୟ ସହ ଗ୍ୟାରେଣ୍ଟି କାର୍ଡ ମଧ୍ୟ ଦିଅନ୍ତି। କିନ୍ତୁ ସଚରାଚର ଦୁନିଆରେ ମଣିଷର ଗ୍ୟାରେଣ୍ଟି କିଛି ନାହିଁ। ଅନେକ ଲୋକଙ୍କ କହିବା କଥା ହେଲା ଆଜିର ମଣିଷ କାଲିକୁ ନାହିଁ। ସେ ଗ୍ୟାରେଣ୍ଟିିରୁ କ’ଣ ମିଳିବ। ଏମିତିରେ ମଣିଷ ନିଜ ପ୍ରତିଜ୍ଞାକୁ ଭଙ୍ଗ କରି ଦେଇପାରେ ସହଜରେ। କାରଣ ଦୁନିଆରେ ମଣିଷ ସବୁଠୁ ଅବିଶ୍ୱାସୀ ପ୍ରାଣୀ। ତଥାପି ମଣିଷ ଗ୍ୟାରେଣ୍ଟି ପଛରେ ପାଗଳ। ପହିଲେ ଗ୍ୟାରେଣ୍ଟି ଖୋଜେ, ତା’ପରେ ଟଙ୍କାଟିଏ ଖର୍ଚ୍ଚ କରିବାକୁ ଇଚ୍ଛା କରେ। ବିନିଯୋଗର ପ୍ରତିବଦଳରେ ଫେରସ୍ତରେ କ’ଣ ସବୁ ମିଳିବାର ସମ୍ଭାବନା ରହିଛି ତାକୁ ଟିକିନିଖି ପରଖିଥାଏ। ସେହି ଅନୁସାରେ ମଣିଷ ନିଜର ସୁବିଧା ମୁତାବକ ବିନିଯୋଗ, ବିନିମୟ ଓ ବିତରଣ କରେ। ଏମିତିରେ ଚଳିତ ନିର୍ବାଚନର ସବୁଠାରୁ ବଡ଼ ସ୍ଲୋଗାନ ହେଉଛି ଦଳର ଗ୍ୟାରେଣ୍ଟି। ଗୋଟିଏ ଜାତୀୟ ଦଳ ଲୋକଙ୍କ ମିଜାଜକୁ ପଢ଼ି ଇସ୍ତାହାରକୁ ଗ୍ୟାରେଣ୍ଟିିରେ ରୂପାନ୍ତରିତ କଲା। ଭାଷଣ ଓ ପ୍ରଚାର ପ୍ରସାରରେ ଏଇ ଗ୍ୟାରେଣ୍ଟିିକୁ ଏମିତି ବ୍ୟବହାର କଲା ଯେ ତାହା ସ୍ଲୋଗାନ ହୋଇଗଲା। ଏହାର ପ୍ରଭାବ ଦେଖି ଅନ୍ୟ ଜାତୀୟ ଦଳ ଓ ଆଞ୍ଚଳିକ ଦଳ ମଧ୍ୟ ଭୋଟରଙ୍କୁ ଗ୍ୟାରେଣ୍ଟି ଦେବାକୁ ପଛେଇଲେନି। ସେମାନେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଗ୍ୟାରେଣ୍ଟି ପରେ ଗ୍ୟାରେଣ୍ଟି ଦେଲେ। ଦଳ ଓ ନେତାମାନଙ୍କ ଗ୍ୟାରେଣ୍ଟି କମ୍ପାନୀର ଗ୍ୟାରେଣ୍ଟି ଭଳି ଆସ୍ଥାବାନ ହୋଇପାରିବ ନା ମଣିଷର ପ୍ରତିଶ୍ରୁତି ଭଳି ପାଣି ଫୋଟକା ପରି ମିଳେଇଯିବ ତାହା ଆଗାମୀ ସମୟ କହିବ। ଏହି ସମୟ ମଧ୍ୟରେ ଆଉ କିଛି ଗ୍ୟାରେଣ୍ଟି ହୃଦୟକୁ ଛୁଇଁଲା ଭଳି ଲାଗିଲା। ତଳେ ଉଲ୍ଲେଖିତ ନିଆରା ଗ୍ୟାରେଣ୍ଟିି ହୁଏତ ଆପଣଙ୍କୁ ବି ଛୁଇଁପାରିବ।
କଥା କ’ଣ କି? ଏଥର ନିର୍ବାଚନ ଦାୟିତ୍ୱରେ ଜିଲାର ଏକ ଦୁର୍ଗମ ଅଞ୍ଚଳକୁ ଯିବାକୁ ପଡ଼ିଥିଲା। ନଁା ତା’ର ରଘୁବାରୀ। ଏକଦା ଅତି ମାଓବାଦୀପ୍ରବଣ ଇଲାକା ଭାବେ ପରିଚିତି ଥିଲା। ଭୟ ଓ ଆତଙ୍କର ଇଲାକା ଥିଲା। ଦୁଇଟି ପୋଲିଂ ଦଳକୁ ଗୋଟେ ଛୋଟ ମିନି ବସ୍‌ ମିଳିଥିଲା। ରାୟଗଡ଼ାରୁ ୧୦୦ କିଲୋମିଟର ଗଲା ପରେ ମୁଖ୍ୟ ରାସ୍ତା ଛାଡୁ ଛାଡୁ ଗାଡ଼ି ଦୋଳି ଖେଳିଲା ଭଳି ଚାଲିଲା। କିଛି ସମୟ ପରେ ସାପ ମୋଡ଼ି ହେଲା ଭଳି ରାସ୍ତା। ଦି ପଟ ପାହାଡ଼ ଓ ଜଙ୍ଗଲ। ରାସ୍ତା ନାଆକୁ ମାତ୍ର। ପିଚୁ ସବୁ ଖାଇଯାଇଛି। ରାସ୍ତା ସାରା ଖାଲଖମା। ଗଁ ଗଁ କରି ଘାଟି ଚଢ଼ି ତଳକୁ ଖସିଲା ପରେ ଦିଶିଲା ଏକ ଉପତ୍ୟକା ଭଳି ଅଞ୍ଚଳ। ଚାରିପଟେ ପାହାଡ଼ ଘେରି ରହିଛି। ତାରି ଭିତରେ କିଛି ଗାଁ। ପାହାଡ଼ ଶୀର୍ଷରେ ଅନ୍ୟ ପଟକୁ ଓହ୍ଲାଇ ଆମକୁ ଆଉ ଟିକେ ଭିତରକୁ ଯିବାକୁ ପଡ଼ିଲା। ସାଥିରେ ଥିଲେ ସ୍ଥାନୀୟ ଶିକ୍ଷକ ତଥା ବିଏଲ୍‌ଓ ପବିତ୍ରବାବୁ। ବୁଥ୍‌ ଭାବେ ନିର୍ଦ୍ଧାରିତ ବିଦ୍ୟାଳୟ କୋଠରି ଭିତରେ ଭୋଟ ମେଶିନ ଇତ୍ୟାଦି ଭରି କରିଦେଲା ପରେ ଆଶ୍ୱସ୍ତି ମିଳିଲା। ତା’ପରେ କେନ୍ଦ୍ରର ମୌଳିକ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା। ପ୍ରବଳ ଗରମ ହେତୁ ବିଦ୍ୟାଳୟ ଛାତ ତଳେ ରହିବା ସମ୍ଭବ ନ ଥିଲା। ବିଦ୍ୟାଳୟ ପଛପଟେ ବିରାଟ ଆମ୍ବତୋଟା। ସେଠାକୁ ଯିବାକୁ ଉଚିତ ମଣିଲୁ। ଗଛରେ ହଳଦିଆ ରଙ୍ଗର ଦେଶୀ ଆମ୍ବ ସବୁ ଝୁଲୁଛି। ପାଚିଲା ଆମ୍ବର ବାସ୍ନା ଓ ଝୁଲୁଥିବା ଆମ୍ବର ସଂଖ୍ୟାକୁ ଦେଖି ପାଟିର ଲାଳସାକୁ ରୋକି ହେଲାନି। ଆମେ ଇଚ୍ଛା କରିବାରୁ ସେମାନେ ଉଦାର ହୃଦୟରେ କହିଲେ – ‘କିଛି ନାଇଁ ଆଜ୍ଞା! ଖାଅ।’ ତାପରେ ଝାମ୍ପି ପଡ଼ିଲୁ। ବୁଲି ବୁଲି ଖାଇଲୁ ଆମ୍ବ। ତାରି ଭିତରେ ମୁଁ ପଚାରିଲି -‘ଏତେ ବଡ଼ ତୋଟା କାହାର।’ ଜଣେ ସ୍ତ୍ରୀ ଲୋକ କହିଲା – ‘ଏଇଟା ଆମର ଆଜ୍ଞା!’ ମୁଁ ଚକିତ ହୋଇ ପଚାରିଲି – ‘ହେଲେ ଏତେ ଜଣ ନେଉଛନ୍ତି ଯେ!’ ସ୍ତ୍ରୀ ଲୋକଟି ହସିଲା ଓ କହିଲା – ‘ଆମର ସେମିତି କିଛି ନାଇ ଆଜ୍ଞା। ଆମର ତୋଟା ହେଲେ ମିଶା କିସ ହୋଇଗଲା। ଗଛର ଫଳ ଏ ଗାଁ ଲୋକଙ୍କର! ଯିଏ ଯେତେବେଳେ ଆସିଲା ଝଡ଼ିବା ଫଳକୁ ନେଇପାରିବ। କିନ୍ତୁ ଗଛ ଚଢ଼ିପାରିବେନି କି ତୋଳିପାରିବେନି କେହି।‘ ସୁନ୍ଦର ନିୟମ। ଅବିଶ୍ୱସନୀୟ ଗଣତନ୍ତ୍ର। ଚକିତ ହେଲି। ଗାଁ ଚାରିପଟେ ଏମିତି ବହୁତ ଆମ୍ବ ତୋଟା ପ୍ରକୃତିର ଦାନ। ସେଥିରୁ ମିଳୁଥିବା ଆମ୍ବକୁ ନେଇ ଆମ୍ବଶଢ଼ା ଓ ଚମ୍ପେଇତ କରି ବିକିବେ ସେମାନେ। ଏତିକିବେଳେ ଗାଁର ଜଣେ ପୁରୁଷ ଲୋକ ପହଞ୍ଚିଲା। ମୁଁ ସେଇ ସ୍ତ୍ରୀ ଲୋକଟିକୁ ପୁଣି ପଚାରିଲି – ‘ଏଠି ଲୋକେ ଚଳୁଛନ୍ତି କିପରି?’ ଏଥର ପାଖରେ ଥିବା ପୁରୁଷ ଲୋକଟି ଉପରେ ପଡ଼ି କହିଲା- ‘ଚାଷବାସ ଆଜ୍ଞା! ଆମେ ସମସ୍ତେ ଏଠି ମିଳିମିଶି ଚାଷବାସରେ ସାହାଯ୍ୟ କରି ଖନ୍ଦ ପଚଉଛୁ। ୟା ଜମିରେ ସିଏ ତା’ ଜମିରେ ଆଉ କିଏ ଏମିତି ମିଳିମିଶି ସାରିଦେଉଛୁ ଚାଷବାସ କାମ। ଚାଷ ସରିଗଲେ କିଛି କାମ ନାହିଁ। ଏ ଶୁଖିଲା ଅଞ୍ଚଳରେ ଆଉ କିସ ମିଳିବ! ସମସ୍ତେ ଦେଶକୁ ପଳଉଛନ୍ତି ଦାଦନ ଖଟିବାକୁ।’ ଏତକ ଶୁଣି ଟିକେ ନୀରବ ରହିଗଲି। ରାଜନୀତି ପଶି ଆସିଲେ ପୁଣି ଝମେଲା। ସେଠାରୁ ଆସିବାକୁ ଉଚିତ ଭାବିଲି। ତୋଟା ଛାଡିଲାବେଳେ ସେ ଲୋକଟି କହିଲା – ‘ଗୁଟେ କଥା ଗ୍ୟାରେଣ୍ଟି ଆଜ୍ଞା! ଆମ ଗାଁକୁ ଯିଏ ଆଇବ ସିଏ କେବେ ଜାଟିରେ ପଡ଼ିବନି। ତାର କିଛି ହେବନି। ଖାଲି ହାତରେ ମିଶା ସେ ଯିବନି। ଆଉ ଭୋଟ ରାଜନୀତିରେ ଯିଏ ଯାହାକୁ ପାରିଲା ତାକୁ ଭୋଟ ଦେବ। ସିଟାରେ କିଛି ବାଧା ନାହିଁ। ଆମ ଗାଁ ଲୋକ ଭିତରେ ଟିକେ ମିଶା ମନ ଫଟାଫଟି ନାହିଁ। ସମସ୍ତେ ଏକ। ଇଟା ମାତ୍ର ଗ୍ୟାରେଣ୍ଟି କଥା ଆଜ୍ଞା।’
ରାଜନୀତିକୁ ନେଇ ଅନେକ ଗାଁ ଭାଗ ଭାଗ ହୋଇ ମାର୍‌ପିଟ ହେଉଛନ୍ତି। କିନ୍ତୁ ଏଇ ଗାଁ ଲୋକଙ୍କ ଭିତରେ ଏଇ ଅପୂର୍ବ ଭାଇଚାରା ଓ ଆନ୍ତରିକତା ମୁଗ୍ଧ କଲା। ନିଜ ଭିତରେ ବିସ୍ମିତ ହେଉଥିଲି। ସେଦିନ ତୋଟାରୁ ତୁରନ୍ତ ଫେରିଗଲୁ ଏବଂ ଯଥାରୀତି ନିର୍ବାଚନ ସାରି ଫେରିବା ସମୟରେ କିଛି ସ୍ତ୍ରୀ ଲୋକ ଜରି ଭର୍ତ୍ତି ଆମ୍ବ ପ୍ୟାକେଟ ଧରି ବସ୍‌ ନିକଟରେ ଅପେକ୍ଷା କରିଥିଲେ। ପ୍ରତିବଦଳରେ ଆମେ ପଇସା ଯାଚିବାରୁ ରୋକ୍‌ଠୋକ୍‌ ମନା କଲେ। ତଥାକଥିତ ସଭ୍ୟଲୋକଠାରୁ ବହୁ ଦୂରରେ ରହିଥିବା ଏଇ ଗାଁ ଲୋକଙ୍କ ପ୍ରତିଟି ଗ୍ୟାରେଣ୍ଟି ଅଭିଭୂତ କଲା।
୬୬- ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri