Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ଫାଇନାଲ

ବର୍ମିଂହାମ୍‌,୧୨।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ୧୦୭ଟି ବଲ୍‌ ବାକିରଖି ୮ ଉଇକେଟରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଅତି ସହଜରେ ହରାଇ ଫାଇନାଲକୁ ଉଠିଛି। ଏଥିସହିତ ଇଂଲଣ୍ଡ ଅଷ୍ଟ୍ରେଲିଆଠାରୁ ଲିଗ୍‌ ପର୍ଯ୍ୟାୟ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଟାଇଟଲ ପାଇଁ ଇଂଲଣ୍ଡ ରବିବାର ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗତଥରର ରନର୍ସଅପ୍‌ ନ୍ୟୁଜିଲାଣ୍ଡକୁ ଭେଟିବ। ବୁଧବାର ନ୍ୟୁଜିଲାଣ୍ଡ ୧୮ ରନରେ ଭାରତକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଏଥିସହିତ ଇଂଲଣ୍ଡ ଚତୁର୍ଥଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ଇଂଲଣ୍ଡ ୧୯୭୯, ୧୯୮୭ ଓ ୧୯୯୨ ଫାଇନାଲ ଟିକେଟ ହାସଲ କରିଥିଲେ ମଧ୍ୟ ବିଶ୍ୱକପ୍‌ ଟ୍ରଫି ଜିତିବାରେ ବିଫଳ ହୋଇଥିଲା। ଅନ୍ୟପଟେ ୫ଥର ଟାଇଟଲ ହାସଲ କରିଥିବା ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଇତିହାସରେ ପ୍ରଥମଥର ପାଇଁ ସେମିଫାଇନାଲରେ ପରାସ୍ତ ହୋଇଛି। ୧୯୯୨ ପରେ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‌ ଫାଇନାଲକୁ ଉଠିଛି।
ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହା ବୁମେରାଂ ସାବ୍ୟସ୍ତ ହୋଇଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୪୯ ଓଭରରେ ମାତ୍ର ୨୨୩ ରନ କରି ଅଲଆଉଟ୍‌ ହୋଇଥିଲା। ଜବାବରେ ଇଂଲଣ୍ଡ ୩୨.୧ ଓଭରରେ ୨ ଉଇକେଟ ହରାଇ ୨୨୬ ରନ କରି ବିଜୟୀ ହୋଇଛି। ୮ ଓଭରରେ ୨୦ ରନ ବ୍ୟୟ କରି ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରିଥିବା ଇଂଲଣ୍ଡ ଦ୍ରୁତ ବୋଲର କ୍ରିସ୍‌ ଓ୍ବକ୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୨୪ ରନ ଆଭରେଜ ଟାର୍ଗେଟର ପିଛା କରି ଇଂଲଣ୍ଡ ଆରମ୍ଭରୁ ଧୂଆଁଧାର ପ୍ରଦର୍ଶନ କରିଥିଲା। ଦୁଇ ଓପନର ଜନ୍ନି ବେୟାରଷ୍ଟୋ ଓ ଜାସନ ରୟ ପ୍ରଥମ ଉଇକେଟରେ ୧୦୪ଟି ବଲ୍‌ର ସମ୍ମୁଖୀନ ହୋଇ ୧୨୪ ରନ କରି ବିଜୟର ମୂଳଦୁଆ ପକାଇଥିଲେ। ତେବେ ବେୟାରଷ୍ଟୋ ୪୩ ବଲ୍‌ରୁ ୫ ଚୌକା ସହ ୩୪ ରନ କରିଥିବା ମିଚେଲ ଷ୍ଟାର୍କ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିବା ସହ ବ୍ରେକ୍‌ ଥ୍ରୁ ଦେଇଥିଲେ। ରିଭ୍ୟୁ ନେଇଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା ଓ ଥାର୍ଡ ଅମ୍ପାୟର ତାଙ୍କୁ ଆଉଟ୍‌ ଘୋଷିତ କରିଥିଲେ। ଏହାପରେ ରୟ ୬୫ ବଲରୁ ୯ ଚୌକା ଓ ୫ ଛକା ସହ ୮୫ ରନ କରିଥିବା ବେଳେ ପ୍ୟାଟ୍‌ କୁମିନ୍ସଙ୍କ ଲେଗ୍‌ଷ୍ଟମ୍ପ ଉପରେ ବାଉନ୍ସରକୁ ପୁଲ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ବଲ ତାଙ୍କ ବ୍ୟାଟ୍‌ରେ ବାଜିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲେ ମଧ୍ୟ ଅମ୍ପାୟର ଆଉଟ୍‌ ଘୋଷିତ କରିଥିଲେ। ଇଂଲଣ୍ଡ ତା’ର ରିଭ୍ୟୁ ହରାଇଥିବା ବେଳେ ରୟଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ପରେ ନିରାଶ ହୋଇ ସେ ଡ୍ରେସିଂରୁମ୍‌ରେ ବ୍ୟାଟିଂ ଗ୍ଲୋଭ୍ସ ଫୋପାଡିବାର ଲକ୍ଷ୍ୟ କରାଯାଇଥିଲା। ତୃତୀୟ ଉଇକେଟରେ ଅଧିନାୟକ ଇଅନ ମୋର୍ଗାନ ଓ ଜୋ ରୁଟ୍‌ ୭୫ ବଲରୁ ଅପରାଜିତ ୭୯ ରନ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ମୋର୍ଗାନ ୩୯ ବଲରୁ ୮ ଚୌକା ସହ ୪୫ ଓ ରୁଟ୍‌ ୪୬ ବଲରୁ ୮ ଚୌକା ସହ ୪୯ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଷ୍ଟାର୍କ ଓ କୁମିନ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ମାତ୍ର ୧୪ ରନରେ ଟପ୍‌ ଅର୍ଡରର ମୂଲ୍ୟବାନ ୩ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଥାସମ୍ଭବ ପ୍ରୟାସ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଶେଷପର୍ଯ୍ୟନ୍ତ ଏହି ବିପର୍ଯ୍ୟୟର ପ୍ରଭାବରୁ ମୁକୁଳିପାରି ନ ଥିଲା। ଫଳରେ ଦଳ ମାତ୍ର ୨୨୩ ରନରେ ସୀମିତ ରହିଥିଲା। ଦଳର ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ଘରୋଇ ବୋଲରଙ୍କ ମାପଚୁପ ବୋଲିଂର ସମ୍ମୁଖୀନ ହୋଇ ନ ପାରି ଅଷ୍ଟ୍ରେଲିଆ ତାରକା ବ୍ୟାଟ୍ସମ୍ୟାନମାନେ ବିଫଳ ପ୍ରଦର୍ଶନ କରିଥିଲେ। ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେଙ୍କୁ ବାଦ୍‌ ଦେଲେ ବାକି ସମସ୍ତେ ବିଫଳ ହୋଇଥିଲେ। ଇନ୍‌ଫର୍ମ ଓପନର ତଥା ଅଧିନାୟକ ଆରୋନ ଫିଞ୍ଚ୍‌ ଖାତା ଖୋଲିବା ପୂର୍ବରୁ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ବଲ୍‌କୁ ଖେଳିବାକୁ ଯାଇ ଲାଇନ୍‌ କ୍ରସ୍‌ କରି ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଫଳରେ ବଲ୍‌ ତାଙ୍କ ଆଗ ପ୍ୟାଡ୍‌ରେ ବାଜିଥିଲା। ରିଭ୍ୟୁ ନେଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ସେମିରେ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଅନୁରୂପ ଢଙ୍ଗରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଟୁର୍ନାମେଣ୍ଟରେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଆସିଥିବା ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ସେ ୧୧ ବଲରୁ ୨ ଚୌକା ସହ ମାତ୍ର ୯ ରନ କରିଥିବାବେଳେ କ୍ରିସ୍‌ ଓ୍ବକ୍ସଙ୍କ ଏକ ବାଉନ୍ସରକୁ ମାରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ଫଳରେ ସେକେଣ୍ଡ ସ୍ଲିପ୍‌ରେ ଜନ୍ନି ବେୟାରଷ୍ଟୋ ତାଙ୍କ କ୍ୟାଚ୍‌ ନେଇଥିଲେ। ସେହିପରି ପିଟର ହ୍ୟାଣ୍ଡ୍ସକମ୍ବ ୪ ରନ କରିଥିବା ବେଳେ ଓ୍ବକ୍ସଙ୍କ ଏକ ଷ୍ଟମ୍ପ ଉପର ବଲକୁ ହାଲକା ଭାବେ ଡ୍ରାଇଭ କରିବାକୁ ଚେଷ୍ଟା କରିଥିଲେ। ତେବେ ବ୍ୟାଟ୍‌ ଓ ପ୍ୟାଡ୍‌ ମଝିରେ ବଲ୍‌ ଯାଇ ଷ୍ଟମ୍ପରେ ବାଜିଥିଲା ଓ ସେ ବୋଲ୍ଡ ହୋଇଥିଲେ। ଏହାପରେ ଚତୁର୍ଥ ଉଇକେଟ ଯୋଡିରେ ସ୍ମିଥ୍‌ ଓ କାରେ ୧୨୭ ବଲରୁ ୧୦୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ୭୦ ବଲରୁ ୪ ଚୌକା ସହ ୪୬ ରନ କରିଥିବା ବେଳେ ସ୍ପିନର ଆଡିଲ ରସିଦ୍‌ଙ୍କ ବଲ୍‌ରେ ଡିପ୍‌ ମିଡ୍‌ଉଇକେଟରେ ବଦଳ ଖେଳାଳି ଜେମ୍ସ ଭିନ୍ସଙ୍କୁ କ୍ୟାଚ୍‌ ଦେଇଥିଲେ। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ଖାତା ଖୋଲିବା ପୂର୍ବରୁ ଏଲ୍‌ବିଡବ୍ଲ୍ୟୁ ହୋଇ ରସିଦଙ୍କ ଶିକାର ହୋଇଥିଲେ। ଏହାପରେ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୨୩ ବଲରୁ ୨ ଚୌକା ଓ ୧ ଛକା ସହ ୨୨ ରନ କରିଥିବା ବେଳେ ଆର୍ଚରଙ୍କ ବଲ୍‌ରେ ଶର୍ଟ କଭରରେ ଇଅନ ମୋର୍ଗାନଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ସେହିପରି ପ୍ୟାଟ୍‌ କୁମିନ୍ସ ୬ ରନ କରି ରସିଦଙ୍କ ବଲରେ ଫାଷ୍ଟ ସ୍ଲ୍‌ିପ୍‌ରେ ଜୋ ରୁଟଙ୍କୁ କ୍ୟାଚ୍‌ ଦେଇଥିଲେ। ଏହାପରେ ସ୍ମିଥ୍‌ଙ୍କ ପାଳି ପଡିଥିଲା। ସ୍ମିଥ୍‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ୧୧୯ ବଲ୍‌ ଖେଳି ୬ ଚୌକା ସହ ୮୫ ରନ କରିଥିବା ବେଳେ ଉଇକେଟକିପର ଜୋଶ ବଟଲରଙ୍କ ଡାଇରେକ୍ଟ ଥ୍ରୋ’ରେ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ ହୋଇଥିଲେ। ଲେଗ ବାଇ ନେବାକୁ ଯାଇ ନନ୍‌ ଷ୍ଟ୍ରାଇକର ଏଣ୍ଡରେ ସେ ରନ୍‌ଆଉଟ ହୋଇଥିଲେ। ଏହାପରେ ମିଚେଲ ଷ୍ଟାର୍କ ୩୬ ବଲରୁ ୧ ଚୌକା ଓ ୧ ଛକା ସହାୟତାରେ ୨୯ ରନ କରିଥିବାବେଳେ ଓ୍ବକ୍ସଙ୍କ ବଲ୍‌ରେ ଉଇକେଟ ପଛରେ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ଶେଷରେ ଜାସନ ବେହରନଡୋର୍ଫ ୧ ରନ କରି ମାର୍କ ଉଡ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ଓ ଏଥିସହିତ ଅଷ୍ଟ୍ରେଲିଆ ଇନିଂସର ପରିସମାପ୍ତି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଗ୍ରାମରୁ ବିପୁଳ ପରିମାଣର ବାଣ ଜବତ : ଜଣେ ଅଭିଯୁକ୍ତ ଗିରଫ             

ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ଜଣେ ବ୍ୟକ୍ତିଙ୍କ ରାସନ୍ ଦୋକାନରେ ଚଢ଼ାଉ କରି ବେଆଇନ ଭାବେ…

ଇନଷ୍ଟାଗ୍ରାମ୍ ରେ ନାବାଳିକା ଙ୍କ ଆପତ୍ତିଜନକ ନଗ୍ନ ଫଟୋ: ଭିଡ଼ିଓ ଭାଇରାଲ ଅଭିଯୋଗ, ଅଭିଯୁକ୍ତ ଜେଲ ଗଲେ   

ଦିଗପହଣ୍ଡି,୬|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ନାବାଳିକା ଙ୍କ ଆପତ୍ତିଜନକ ଫଟୋ ଭିଡ଼ିଓ ଇନଷ୍ଟାଗ୍ରାମ୍ ଜରିଆରେ ହାସଲ କରିବା ପରେ ଟଙ୍କା ପାଇଁ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କା ହଡ଼ପ ମାମଲା: କ୍ୟାସିୟର ଶଶିକାନ୍ତ ରଣା ନିଲମ୍ବିତ, ଭିଜିଲାନ୍ସ ତଦନ୍ତ ସହ…

ଡେରାବିଶ,୬।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ବହୁଚର୍ଚ୍ଚିତ ସରକାରୀ ଅର୍ଥ ହଡ଼ପ ମାମଲାରେ କ୍ୟାସିୟର ଶଶିକାନ୍ତ ରଣାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।…

ଆମ୍ବ ବୁରେଇରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୋଲିସ୍

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ୍ ଶୁକ୍ରବାର ସ୍ଥାନୀୟ ଚୋରଗ୍ରିଣ୍ଡୋଲା ଗାଁ ଶେଷରେ ଆମ୍ବବୁରେଇଠାରେ ଚଢ଼ାଉ କରି ୫୨ କେଜି ୨୦୦ ଗ୍ରାମ ଗଞ୍ଜେଇ…

୧.୧୫ ଲକ୍ଷ ଲାଞ୍ଚ ମାଗି ଫସିଗଲେ ବଲାଙ୍ଗିର ସରକାରୀ ITI ପ୍ରିନ୍ସିପାଲ୍: ରେଡ୍‌ହାଣ୍ଡେଡ୍ ଧରାପଡ଼ିଲେ, ୩ ସ୍ଥାନରେ ଭିଜିଲାନ୍ସର…

ବଲାଙ୍ଗୀର,୬।୧୧(ସୁନିଲ କୁମାର ମହାନ୍ତି): ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ସରକାରୀ ଆଇଟିଆଇ (ITI) ପ୍ରିନ୍ସିପାଲ୍ ସୁରେଶ କୁମାର…

ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ: ଭକ୍ତ ଦାସ,ଗିଡିପାବାଲି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି

ଭଞ୍ଜନଗର, ୬/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାରେ ଭୟାବହ ବନ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଲୋକେ ଏବେ ବି ନାନା ଦୁର୍ଦ୍ଦଶାର ସମ୍ମୁଖୀନ…

ଭିସି ମାଧ୍ୟମରେ ୭ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ: ପାଟଣା ବ୍ଲକ୍‌ର ୪ ଓ ସାହାରପଡ଼ା ବ୍ଲକ୍‌ର ୩ ବିଦ୍ୟାଳୟ ସାମିଲ

ପାଟଣା, ୬/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସଠାରେ ଭିଡିଓ କନ୍‌ଫରେନ୍ସିଂ…

୪ ଜେଲ୍‌ର ଜେଲରଙ୍କୁ ବଦଳି କଲେ ରାଜ୍ୟ ସରକାର: କଟକ ସର୍କଲ ଜେଲକୁ ଗଲେ ଲଲାଟେନ୍ଦୁ, ପୁରୀ ବଦଳି ହେଲେ…

ଭୁବନେଶ୍ୱର,୬।୧୧: ରାଜ୍ୟ ପ୍ରଶାସନିକ ସେବାରେ ଅଦଳବଦଳ ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ କାରାଗାର ଓ ସଂଶୋଧନାତ୍ମକ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ୪ ଜଣ ଜେଲରଙ୍କର ବଦଳି କରାଯାଇଛି। ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?