ଅପରାହ୍ନରେ ତାଣ୍ଡବ ରଚିଲା କାଳବୈଶାଖୀ

କୋରାପୁଟ,୨୯।୪(ସ୍ବ.ପ୍ର.): କୋରାପୁଟ ସହର ଓ ଆଖପାଖ ଅଞ୍ଚଳରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଶତାଧିକ ଗଛ ଭାଙ୍ଗିବା ସହ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ ଟାଓ୍ବାର ଭାଙ୍ଗିବା ସହ ତାର ଛିଣ୍ଡି ସରବରାହ ବ୍ୟାହତ ହୋଇଛି। କେବଳ ସେତିକି ନୁହେଁ ୫୦ରୁ ଅଧିକ ଘରର ଆଜବେଷ୍ଟସ ଛପର ଓ ରାସ୍ତାକଡ଼ର ବିଜ୍ଞାପନ ହୋର୍ଡିଂ ମଧ୍ୟ ଉଡ଼ାଇନେଇଛି।

ଅପରାହ୍ନ ୨ଟା ୧୦ରୁ ୩ଟା ଭିତରେ ୬୦ରୁ ୧୦୦ କିମି ବେଗରେ ପବନ ବହିବା ସହ ପ୍ରବଳ କୁଆପଥର ସହ ବର୍ଷା ହୋଇଥିଲା। ୫୦ ମିନିଟରେ ୩୫.୨ ମିମି ବର୍ଷା ରେକର୍ଡ଼ ହୋଇଥିବା ଜିଲା ଜରୁରୀ ବିଭାଗ ସୂଚନା ଦେଇଛି। ଫଳରେ କୋରାପୁଟ-ଜୟପୁର ଓ କୋରାପୁଟ-ସୁନାବେଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ଶତାଧିକ ଗଛ ଭାଙ୍ଗି ପଡ଼ିଥିଲା। ଗଛ ଡାଳ ପଡ଼ି ବହୁ କାର୍‌ ଓ ଟ୍ରକ୍‌ର କାଚ ଭାଙ୍ଗିଛି। କେତେକ ସ୍ଥାନରେ ପୁରୁଣା ଗଛ ଉପୁଡ଼ିଯାଇ ରାସ୍ତା ଅବରୋଧ ହୋଇଛି ା ସହରର ବାଟମଙ୍ଗଳା ମନ୍ଦିର, ମା’ ମଙ୍ଗଳା ଲଜ୍‌, ମୃତ୍ତିକା ସଂରକ୍ଷଣ କଲୋନି, ଡିଆଇଜି କାର୍ଯ୍ୟାଳୟ, ଆରଡି ଅଫିସ, ସ୍ବତନ୍ତ୍ର ସର୍କିଟ ହାଉସ ଭଳି ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତାରେ ପଡ଼ିଛି। ସେହିପରି କୋରାପୁଟ ଜେଇଏଲସି କମ୍ପ୍ଲେକ୍ସ ଛକଠାରେ ଗଛର ବିରାଟ ଡାଳ ଭାଙ୍ଗିଯାଇ ଫଳ ଦୋକାନ ଉପରେ ପଡ଼ିଥିଲା। ଏଥିରେ ଦୋକାନ ଭାଙ୍ଗିଯିବା ସହ ବେପାରୀ ଜଣକ ସାମାନ୍ୟ ଆହତ ହୋଇଥିଲେ। କୋରାପୁଟ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିସ୍ଥାପିତ କଲୋନୀରେ ଏକ ବଡ଼ ଗଛ ପଡ଼ି ଘର ଭାଙ୍ଗିଯାଇଥିଲା। ଘରେ ଥିବା ପ୍ରଦୀପ ଖରା ଓ ତାଙ୍କ ଝିଅ ପେମି ଖରାଙ୍କ ମୁଣ୍ଡ ଫାଟି ଗୁରୁତର ଅବସ୍ଥାରେ ସେମାନଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଜିଲାପାଳ କେ. ସୁଦଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଦେଇଛି ଜିଲା ଜରୁରୀ ବିଭାଗ। କୋରାପୁଟ ମ୍ୟୁନିସପାଲଟି ଜିମନାଜିୟମର ଟିଣ, ଭବାନି ନଗରରେ ଗଛଡାଳ ଭାଙ୍ଗିବା ସହ କିଛି ସ୍ଥାନରେ ଘରୁ ଟିଣ ଉଡ଼ିଯାଇଛି। ସେହିପରି କାଳବୈଶାଖୀ ପରେ ବର୍ଷା, ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ଯୋଗୁ ସହରର ମ୍ୟୁନିସପାଲିଟି କାର୍ଯ୍ୟାଳୟ, ରେଲୱେ ଓଭରବ୍ରିଜ, ଭବାନି ନଗର ସମ୍ମୁଖସ୍ଥ ୨୬ ନମ୍ବର ରାସ୍ତାରେ ପାଣି ଭରି ରହିଛି। କୋରାପୁଟ ବ୍ଲକ ଛପରଠାରେ ଥିବା ୩୩ କେଭିର ଏକ ବିଦ୍ୟୁତ ଟାୱାର କାଳବୈଶାଖୀ ଯୋଗୁ ନଇଁପଡ଼ିଛି। ୩ଟି ୧୧ କେଭି ଟାଓ୍ବାର, ୭ଟି ଏଲଟି ପୋଲ୍‌, ୧୦ରୁ ଅଧିକ ବିଦ୍ୟୁତ ଚାମ୍ବର ନଷ୍ଟ ହୋଇଛି। ଖବରପାଇ ଓଏମ୍‌ପିସ୍ଥିତ ଓଡ୍ରାଫ ଓ ସାଉଥ୍‌କୋ ପକ୍ଷରୁ ବିଭିନ୍ନ ରାସ୍ତା ଉପରେ ପଡ଼ିଥିବା ଗଛ କଟାଯାଉଥିବାବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ତାର ସଜାଡ଼ିବାରେ ଲାଗିଛନ୍ତି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହେବ ବୋଲି ସାଉଥ୍‌କୋ କହିଛି। କାଳବୈଶାଖୀ ଓ ପବନ ବେଳେ ୧୦ରୁ ଅଧିକ ବାଇକ ଓ ସ୍କୁଟି ଚାଳକ ଖସିପଡ଼ି ଆହତ ହୋଇଛନ୍ତି। କୋରାପୁଟ-ଜୟପୁର ରାସ୍ତାର ବାଟ ମଙ୍ଗଳା ମନ୍ଦିର ଛକରେ ଯାଉଥିବା ବେଳେ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ଦୁଇ ଯୁବତୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ବିରୋଧ ପରେ ପଛଘୁଞ୍ଚା: ନିଜ ସୀମାରେ ବୁଥ୍ କରି ଓଡ଼ିଶା ଭୋଟରଙ୍କୁ ହାତେଇଲା ଆନ୍ଧ୍ର, ୪୮% ମତଦାନ

ପଟ୍ଟାଙ୍ଗି,୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପୁଣି ଥରେ ଛକାପଞ୍ଜା ଦେଖାଦେଇଛି।…

ରାୟଗଡ଼ାରେ ଭାଜପାର ଶକ୍ତି ପ୍ରଦର୍ଶନ, ବିଜେଡି-କଂଗ୍ରେସ ଛାଡ଼ି ଦଳରେ ମିଶିଲେ ବହୁ କର୍ମୀ!

କଲ୍ୟାଣସିଂହପୁର,୫।୧୧(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ମଣ୍ଡଳ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?