ଅଧିକ ଶୋଷିତ ହେବେ କୃଷକ

ଡ. ସନ୍ତୋଷ କୁମାର ମହାପାତ୍ର

ନିକଟରେ ମୋସୁମୀ ଅଧିବେଶନରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ତିନୋଟି ବିବାଦୀୟ ଫାର୍ମ ବା କୃଷି ବିଲ୍‌ ୨୭ ସେପ୍ଟେମ୍ବର ୨୦୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭକରିବା ପରେ ଆଇନରେ ପରିଣତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସଭାରେ ବିରୋଧୀ ଦଳ ବିଲ୍‌କୁ ସ୍ଥାୟୀ କମିଟିକୁ ତର୍ଜମା ପାଇଁ ପଠାଇବା ଲାଗି କହିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରି ନ ଥିଲେ। ଏଣୁ ବିରୋଧୀ ଦଳ ଏବଂ କୃଷକ ସଂଗଠନ ଏହି ବିଲ୍‌ରେ ଦସ୍ତଖତ ନ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କରିଥିଲେ। କିନ୍ତୁ ରାଷ୍ଟ୍ରପତି ବିରୋଧୀ ଦଳ ଆବେଦନକୁ ଗୁରୁତ୍ୱ ଦେଇ ନ ଥିଲେ। କୃଷି ହେଉଛି ରାଜ୍ୟ ସରକାରଙ୍କ ବିଷୟ ବସ୍ତୁ। ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନ ନେଇ କୃଷି ଆଇନରେ କୌଣସି ପରିବର୍ତ୍ତନ ଆଣିବା ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଓ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ।
ତିନୋଟି କୃଷି ବିଲ୍‌ ମଧ୍ୟରୁ ପ୍ରଥମଟି ହେଲା ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ ଆଣ୍ଡ କମର୍ସ(ପ୍ରମୋଶନ ଆଣ୍ଡ ଫେସିଲିଟେଶନ) ବିଲ୍‌ ୨୦୨୦ ବା କୃଷି ଉତ୍ପାଦନର ବ୍ୟବସାୟ ଓ ବାଣିଜ୍ୟ(ପ୍ରୋତ୍ସାହନ ଓ ସୁଗମୀକରଣ) ବିଧେୟକ ୨୦୨୦। ଏହି ବିଲ୍‌ ଅନୁସାରେ କୃଷକମାନେ କୌଣସି ଟିକସ କିମ୍ବା ଶୁଳ୍କ ରାଜ୍ୟ ସରକାରଙ୍କୁ ନ ଦେଇ ବିଜ୍ଞପ୍ତି ପ୍ରାପ୍ତ କୃଷି ଉତ୍ପାଦ ବିପଣନ କମିଟି (ଏପିଏମ୍‌ସି ) ମଣ୍ଡି ବାହାରେ ସେମାନଙ୍କ ଅମଳ ଶସ୍ୟ ବିକ୍ରୟ କରିପାରିବେ। ଦ୍ୱିତୀୟଟି ହେଲା ଦି ଫାର୍ମର୍ସ (ଏମ୍ପାଓ୍ବାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ ବିଲ୍‌ ୨୦୨୦ ବା କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟଧାର୍ଯ୍ୟ ଲାଗି ରାଜିନାମା ଓ କୃଷିସେବା ବିଧେୟକ ୨୦୨୦। ଏହା ଚୁକ୍ତିଭିତ୍ତିକ ଚାଷ ଏବଂ ପ୍ରତ୍ୟକ୍ଷ ମାର୍କେଟିଂକୁ କାର୍ଯ୍ୟକାରୀ କରିବା ପାଇଁ ଉଦିଷ୍ଟ। ତୃତୀୟଟି ହେଲା ଏସେନ୍ସିଆଲ କମୋଡିଟିଜ୍‌ ଆକ୍ଟ ଆମେଣ୍ଡମେଣ୍ଟ ବା ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ ବିଧେୟକ ୨୦୨୦। ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ସଂଶୋଧନ ଦ୍ୱାରା ଅର୍ଥାତ ଅସାଧାରଣ ପରିସ୍ଥିତି ଯଥା ଯୁଦ୍ଧ ବା ଦୁର୍ଭିକ୍ଷ କିମ୍ବା ଅତ୍ୟନ୍ତ ଦରବୃଦ୍ଧି ଭଳି ସ୍ଥିତି ନ ଉପୁଜିଲେ, ଅନ୍ୟ ସମୟରେ ଶସ୍ୟ, ଡାଲି, ଖାଇବା ତେଲ ଏବଂ ପିଆଜ ସମେତ ଅନେକ ପ୍ରମୁଖ ଖାଦ୍ୟ ସାମଗ୍ରୀର ସଂରକ୍ଷଣ ବା ମହଜୁଦ ଏବଂ ବିକ୍ରୟ ଉପରେ ଥିବା କୌଣସି ନିୟନ୍ତ୍ରଣ ରହିବ ନାହିଁ। ସଂକ୍ଷେପରେ କହିଲେ, ବିଲ୍‌ଗୁଡିକର ପ୍ରମୁଖ ଲକ୍ଷ୍ୟ ହେଲା ସାରା ଦେଶରେ ପ୍ରଚଳିତ କୃଷିଜାତ ଦ୍ରବ୍ୟର ବଜାର, ବିକ୍ରୟ ପଦ୍ଧତି ଏବଂ ଗଚ୍ଛିତ ରଖିବାରେ ପରିବର୍ତ୍ତନ ଆଣିବା। କିନ୍ତୁ ସେହି ପରିବର୍ତ୍ତନ କୃଷକଙ୍କ ହିତରେ ନା ନୁହେଁ ତା’ ବିରାଟ ପ୍ରଶ୍ନସୃଷ୍ଟି କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂସ୍କାରକୁ ଭାରତୀୟ କୃଷି ପାଇଁ ଏକ ଐତିହାସିକ ପଦକ୍ଷେପ, ସୁବର୍ଣ୍ଣ ଅଧ୍ୟାୟ ବୋଲି କହିଥିବାବେଳେ ବିରୋଧୀ ଦଳ ଏହାକୁ କୃଷକ ବିରୋଧୀ ବୋଲି କହି ‘ମୃତ୍ୟୁ ୱାରେଣ୍ଟ’ ସହିତ ତୁଳନା କରିଛନ୍ତି। ବାସ୍ତବରେ କୃଷକମାନେ ଅଧିକ ଶୋଷିତ ଏବଂ ଅସୁରକ୍ଷିତ ମଣିବେ। ସରକାରଙ୍କ ଯୁକ୍ତି ହେଉଛି ଯେ ଏହି ନୂତନ ନିୟମ କୃଷକମାନଙ୍କୁ ଅଧିକ ପସନ୍ଦ ପ୍ରଦାନ କରିବ। ଆଉ ସ୍ଥାନୀୟ ମଣ୍ଡି ଭିତରେ ସୀମିତ ନ ରହି କୃଷକ ତା’ର ଉତ୍ପାଦକୁ ରାଜ୍ୟ ମଧ୍ୟରେ ଓ ରାଜ୍ୟ ବାହାରେ ଯେ କୌଣସି ସ୍ଥାନରେ, ଯେ କୌଣସି ବ୍ୟକ୍ତିକୁ ଚାହିଁବେ ବିକ୍ରି କରିପାରିବ। ପ୍ରତିଯୋଗିତା ଯୋଗୁ ତାଙ୍କ ଦ୍ରବ୍ୟର ଉନ୍ନତ ମୂଲ୍ୟ ପ୍ରାପ୍ତ ହେବେ। ସେମାନେ ନିଜ ଇଚ୍ଛା ଅନୁଯାୟୀ ଅଧିକ ମୂଲ୍ୟ ପାଇପାରିବେ। କେବଳ ଫଳ ଓ ପନିପରିବା, ଖାଦ୍ୟଶସ୍ୟ ନୁହେଁ ବରଂ ଯାହା ଉତ୍ପାଦନ କରୁଛନ୍ତି, ତାହା ବିକ୍ରି କରିପାରିବେ। ବାସ୍ତବରେ, ସରକାରଙ୍କ ଯୁକ୍ତି ସମ୍ପୂର୍ଣ୍ଣ ଭୁଲ୍‌। ଅଧିକାଂଶ ବର୍ତ୍ତମାନ ମଧ୍ୟ ସରକାରୀ ମଣ୍ଡି ବାହାରେ ବିକ୍ରି କରୁଛନ୍ତି, କିନ୍ତୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି )ଠାରୁ କମରେ ବିକ୍ରି କରିଥାନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି )ସ୍ଥିର କରୁଥିବା କୃଷି ପରିବ୍ୟୟ ଏବଂ ମୂଲ୍ୟ ଆୟୋଗ (ସିଏସିପି) ଏହାର ୨୦୧୮-୧୯ ମୂଲ୍ୟ ନୀତି ରିପୋର୍ଟରେ କୃଷକମାନେ ସେମାନଙ୍କର ଉତ୍ପାଦକୁ ବଜାର ମୂଲ୍ୟରେ ବିକ୍ରି କରିଛନ୍ତି, କିନ୍ତୁ ତାହା ଏମ୍‌ଏସ୍‌ପିଠାରୁ ବହୁତ କମ୍‌ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ କରିଛି। ବିହାର ସରକାର କୃଷି ଉତ୍ପାଦନ ବିପଣନ କମିଟି (ଏପିଏମ୍‌ ସି)କୁ ବାତିଲ କରିଛନ୍ତି। କିନ୍ତୁ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଠାରୁ କମ୍‌ ମୂଲ୍ୟ ପାଉଛନ୍ତି। ତେବେ ବର୍ତ୍ତମାନ, ଏପିଏମ୍‌ସି ଉଚ୍ଛେଦ ପରେ କିପରି କୃଷକମାନେ ତାଙ୍କ ଦ୍ରବ୍ୟର ଭଲ ମୂଲ୍ୟ ପାଇବେ ?
ଏଠାରେ ସ୍ବତଃ ପ୍ରଶ୍ନ ଉଠେ, ସରକାରଙ୍କ ନିୟମ ବଳବତ୍ତର ଥିଲାବେଳେ ଯଦି ୯୪ ପ୍ରତିଶତ କୃଷକ ସର୍ବନିମ୍ନ ସହାୟକ ମୂଲ୍ୟରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାକୁ ସକ୍ଷମ ନୁହନ୍ତି, କୃଷି ଉତ୍ପାଦ ବିପଣନ କମିଟି (ଏପିଏମ୍‌ସି) ରଦ୍ଦ ହେବାଯୋଗୁ କୃଷକମାନେ କିପରି ବ୍ୟବସାୟୀ, କର୍ପୋରେଟରଙ୍କଠାରୁ ଭଲ ମୂଲ୍ୟ ପାଇବେ। ଆଉ ଏକ ପ୍ରଶ୍ନ ହେଲା, ଯେତେବେଳେ ଅଧିକାଂଶ କୃଷକ ନିକଟସ୍ଥ ମଣ୍ଡିରେ ତାଙ୍କ ଉତ୍ପାଦକୁ ବିକ୍ରୟ କରିବାରେ ଅସମର୍ଥ, ସେମାନେ କିପରି ଦୂରସ୍ଥାନରେ ଯାଇ ବିକ୍ରି କରିପାରିବେ। କେତେଜଣ କୃଷକଙ୍କର ଏପରି କ୍ଷମତା ଅଛି? ପୁନଶ୍ଚ ଦୂର ସ୍ଥାନରେ ବିକ୍ରି କରିବାକୁ ହେଲେ ଅଧିକ ଜମି ଓ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିବାର କ୍ଷମତା ରହିବା ଆବଶ୍ୟକ। କିନ୍ତୁ ଦଶମ କୃଷି ଜନଗଣନା ୨୦୧୫-୧୬ ଅନୁଯାୟୀ ମୋଟ ଚାଷୀଙ୍କ ମଧ୍ୟରୁ ୮୬.୨ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯାହାଙ୍କର ଜମି ପରିମାଣ ଦୁଇ ହେକ୍ଟରରୁ କମ୍‌ । ଉତ୍ପାଦିତ ମୋଟ ଫସଲର ମାତ୍ର ୪୭.୩ପ୍ରତିଶତର ଅଧିକାରୀ। ଏହାର ଅର୍ଥ ୮୬.୨ପ୍ରତିଶତ କୃଷକଙ୍କର ଦୂର ସ୍ଥାନରେ ବିକ୍ରି କରିବାର କ୍ଷମତା ନାହିଁ। ଏଣୁ ଏହି ନିୟମରେ ଅଧିକାଂଶ କୃଷକଙ୍କର କିଛି ଲାଭ ହେବନାହିଁ।
ସରକାର କହୁଛନ୍ତି ଯେ, ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରହିବ, କିନ୍ତୁ କାହିଁକି ବିଲ୍‌ରେ ତାହା ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଏହାର ଅର୍ଥ, କିଛି ବର୍ଷ ଅତିବାହିତ ହେଲା ପରେ ଆନ୍ଦୋଳନ ମାନ୍ଦା ପରେ ସରକାର ଏହାକୁ ଉଠାଇଦେବେ। ମୁଣ୍ଡ ବିନ୍ଧିଲେ, ମୁଣ୍ଡ କଟାଯାଏ ନାହଁି ବରଂ ତା’ର ପ୍ରତିକାର କରାଯାଏ। କୃଷି ଉତ୍ପାଦ ବିପଣନ କମିଟି (ଏପିଏମସି )ବ୍ୟବସ୍ଥାରେ ଯେଉଁ ତ୍ରୁଟି ରହିଛି ତା’ର ସମାଧାନ ଆବଶ୍ୟକ, କିନ୍ତୁ ତାହାର ଉଚ୍ଛେଦ ନୁହେଁ। ଅତ୍ୟନ୍ତ କ୍ରୂର ସତ୍ୟ ହେଉଛି ଯେ,ସରକାର କୃଷକଙ୍କୁ ବଜାରର ଅନିଶ୍ଚିତତା, ଦେଶୀ ବିଦେଶୀ ବ୍ୟବସାୟୀ, କମ୍ପାନୀଙ୍କ ଦୟା ଉପରେ ଛାଡି ଦେଉଛନ୍ତି। ନୂତନ କୃଷି ବଜାର ନୀତିଯୋଗୁ ଅମ୍ବାନୀ ଏବଂ ଆଦାନୀ ଭଳି ବଡ କମ୍ପାନୀ ବେଶି ଲାଭବାନ ହେବେ। ସେମାନେ ଚୁକ୍ତିଭିତ୍ତିକ କୃଷି ବ୍ୟବସ୍ଥାରେ ପ୍ରବେଶ କରିବେ। ଆମର ଆବଶ୍ୟକତା ଅନୁଯାୟୀ ଖାଦ୍ୟଶସ୍ୟ, ଫୁଲ ଏବଂ ଅନ୍ୟାନ୍ୟ ଫସଲ ଉତ୍ପାଦନକୁ ଗୁରୁତ୍ୱ ନ ଦେଇ ଯେଉଁ ଫସଲ ଉତ୍ପାଦନ କଲେ ତାଙ୍କର ଲାଭ ଅଧିକ ହେବ, ବେଶି ରପ୍ତାନି କରିପାରିବେ, ତାହା ହିଁ ଉତ୍ପାଦନ କରିବାକୁ ଚାଷୀକୁ ନିର୍ଦ୍ଦେଶ ଦେବେ। କୃଷକ ଚୁକ୍ତି ଅନୁସାରେ ତାହା ହିଁ ଉତ୍ପାଦନ କରିବାକୁ ବାଧ୍ୟ ହେବ। ଯେହେତୁ କମାନୀମାନେ କୃଷକଙ୍କୁ ଅଗ୍ରିମ ଅର୍ଥ, ବିହନ, କୃଷି ଉପାଦାନ ଦେଇଥାନ୍ତି, ସେମାନେ କୃଷକଙ୍କୁ କମ ମୂଲ୍ୟରେ ଉତ୍ପାଦିତ ଶସ୍ୟ ମଧ୍ୟ ବିକ୍ରି କରିବାକୁ ବାଧ୍ୟ କରିବେ। ବାସ୍ତବରେ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ କୃଷକମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଯେଉଁ ଖାଦ୍ୟଶସ୍ୟ କ୍ରୟ କରୁଥିଲେ ଏବଂ ସବ୍‌ସିଡି ଦେଇ ଯେଉଁ ସ୍ବଳ୍ପ ମୂଲ୍ୟରେ ଗରିବ ଶ୍ରେଣୀର ଲୋକଙ୍କୁ ଯୋଗାଉଥିଲେ ତାହାର ବିଲୋପ କରାଯିବାର ଆଶଙ୍କା ରହିଛି।
ଏହି ନୂଆ ବ୍ୟବସ୍ଥାରେ ମଧ୍ୟ ସରକାରୀ ମଣ୍ଡି ବଦଳରେ ଘରୋଇ ମଣ୍ଡି ଏବଂ ନୂଆ ମଧ୍ୟସ୍ଥ ସୃଷ୍ଟି ହେବେ। ନୂଆ ପ୍ରକାର ମଧ୍ୟସ୍ଥ ସରକାରଙ୍କ ନିୟନ୍ତ୍ରଣ ଅଭାବରୁ କୃଷକମାନଙ୍କୁ ବେଶି ଶୋଷଣ କରିବେ। ରାଜ୍ୟ ସରକାରଙ୍କ ରାଜସ୍ବ ହାନି ଘଟିବ। ଯେଉଁ ବଡ଼ବଡ କୃଷକ ଅଛନ୍ତି, ସେମାନେ ନିଜ ରାଜ୍ୟର ବିକାଶ ପାଇଁ ଟିକସ ଦେବାର କ୍ଷମତା ଥିଲେ ମଧ୍ୟ ଟିକସ ଦେବାରୁ ବଞ୍ଚିତ ହେବେ। ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ସଂଶୋଧନ ଗୁପ୍ତମହଜୁଦକାରୀ ଓ କଳାବଜାରକାରୀଙ୍କୁ ବେଶି ସହାୟକ ହେବ। ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ, କାରଣ ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ କରିବାରେ ରାଜ୍ୟମାନଙ୍କର ଯେଉଁ କ୍ଷମତା ଥିଲା ତାହା ରାଜ୍ୟମାନେ ହରାଇବେ । ଦିଲ୍ଲୀସ୍ଥିତ ଷ୍ଟଡି ଅଫ୍‌ ଡେଭଲପମେଣ୍ଟ ସୋସାଇଟି ନାମକ ଏକ ପ୍ରମୁଖ ସାମାଜିକ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଏକ ସର୍ବେକ୍ଷଣ (୨୦୧୮) ଅନୁଯାୟୀ, ସରକାରୀ ଯୋଜନା ଏବଂ ନୀତିର ଲାଭ ବେଶି ବଡ ଚାଷୀଙ୍କ ପାଖକୁ ଯାଉଛି, ପ୍ରାୟ ୭୬ପ୍ରତିଶତ କୃଷକ ଜୀବିକାର କୌଣସି ବିକଳ୍ପ ପାଇଲେ କୃଷି କାର୍ଯ୍ୟ ଛାଡିବାକୁ ପ୍ରସ୍ତୁତ ବୋଲି ଏକ ସର୍ଭେରୁ ଜଣାପଡିଛି। ବାସ୍ତବରେ କେବଳ ଅଭାବୀ ବିକ୍ରି ନୁହେଁ, କୃଷକମାନଙ୍କର ଅନେକ ସମସ୍ୟା ରହିଛି। ସେଗୁଡିକ ହେଲା- କୃଷି ଉପାଦାନର ବା ଇନପୁଟର ଅହେତୁକ ମୂଲ୍ୟବୃଦ୍ଧି, ଅଭାବୀବିକ୍ରି, ପ୍ରାକୃତିକ ବିପର୍ଯ୍ୟୟ, ଖାଦ୍ୟଶସ୍ୟ ଗଚ୍ଛିତ ରଖିବା ପାଇଁ ସରଣକ୍ଷ ସୁବିଧାର ଅଭାବ, ସ୍ବାସ୍ଥ୍ୟ ଓ ଶିକ୍ଷାର ବ୍ୟାପକ ଘରୋଇକରଣ ଯୋଗୁ ବ୍ୟୟ ବୃଦ୍ଧି ଘଟିବା ଓ ତାକୁ ଭରଣା ପାଇଁ ଜମିବାଡ଼ି ସମ୍ପତ୍ତି ବିକ୍ରି କରିବା, ଅଧିକ ଋଣ କରିବା ଏବଂ ଋଣ ଶୁଝି ନ ପାରିବା; ଆନୁଷ୍ଠାନିକ ଋଣ ପାଇବାରୁ ବଞ୍ଚିତ ହୋଇ ଚଢା ସୁଧରେ ଋଣ କରିବା। ଏସବୁ ସମସ୍ୟାର ସମାଧାନ ଜରୁରୀ। କିପରି ସବୁ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିପାରିବେ ତାହାର ବ୍ୟବସ୍ଥା କରିବା ଉଚିତ।
ମୋ:୯୪୩୭୨୦୮୭୬୨
Email: skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ସମସ୍ୟା

ଡ. ବାସନ୍ତୀ ମହାନ୍ତି ଏକଥା ସତ ଯେ ଏବେ ରୋଗ ଓ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ତଦନୁସାରେ ଅଧିକ ଡାକ୍ତର ଓ ଡାକ୍ତରଖାନାର...

ଜଳ ସୁରକ୍ଷା ଓ ଆଧୁନିକ ଅର୍ଥ ବ୍ୟବସ୍ଥା

ଗ୍ୟୁଲିଓ ବୋକାଲେଟି ୟୁରୋପର ବିସ୍ତୀର୍ଣ୍ଣ ଅଞ୍ଚଳ ବନ୍ୟା ଏବଂ ପଶ୍ଚିମ ଆମେରିକା ସମ୍ପୂର୍ଣ୍ଣ ନିଅଁା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପରିବର୍ତ୍ତିତ...

ପଞ୍ଚ ଶକ୍ତିର ଆଧାର: ଇଦ୍‌

ଡ. ସତ୍ୟନାରାୟଣ ମିଶ୍ର ମୁସଲମାନ ଧର୍ମର ବ୍ୟକ୍ତିମାନେ ପଞ୍ଚ ଶକ୍ତିର ଆଧାରରେ ସମର୍ପିତ ହୋଇଥାନ୍ତି; ଯାହା ଇସ୍‌ଲାମ ଓ ମହମ୍ମଦଙ୍କ ଦ୍ୱାରା ଶୃଙ୍ଖଳାର ପରିଧି ମଧ୍ୟରେ...

ଶାସନର ଜାଲ, ଜାଲର ଶାସନ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ଟୁଇଟରରେ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଗୋଟେ ସୂଚନା ଯେ ସମାଧାନର ବାଟକୁ ଏତେ ଶୀଘ୍ର...

ମୃତ୍ୟୁପଥରେ ନଦୀ

ବିଚିତ୍ର ବିଶ୍ୱାଳ ଖରାଦିନେ ଟୋପାଏ ପାଣି ପାଇଁ ବ୍ୟସ୍ତ ହେଉଥିବା ଆମ ଦେଶ ବର୍ଷାର ଆରମ୍ଭରେ ପାଣିର ବହୁଳତାରେ ଚିତ୍କାର କରୁଥିବାର ଆମେ ଦେଖୁଛେ। ଖରାଦିନେ...

ଅତ୍ୟଧିକ କ୍ଷମତା ହିଁ ବିପଦ

ଆପରାଧିକ ନ୍ୟାୟ ପ୍ରକ୍ରିୟା ବା ବ୍ୟବସ୍ଥା ଅଭିଯୁକ୍ତଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ପ୍ରସ୍ତୁତ କରାଯାଇଛି। କିନ୍ତୁ ଆମ ଦେଶରେ ଏହାକୁ ସେଭଳି ଦେଖାଯାଉ ନାହିଁ...

ଭୂତଳ ଜଳ ହ୍ରାସ ବିପଦ

ଡ. ପ୍ରମୋଦ କୁମାର ପଣ୍ଡା ମାର୍ଚ୍ଚ ୨୨କୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଏ। ଏ ବର୍ଷ ବିଶ୍ୱ ଜଳ ଦିବସର ବାର୍ତ୍ତା...

ଏଇ ଭାରତରେ

ମନୋଜ ପଟେଲ ପେସାରେ ଜଣେ କୃଷକ। ମଧ୍ୟପ୍ରଦେଶର ଦେବାସରେ ରହନ୍ତି। କୃଷି ସହ ଜଡ଼ିତ ରହି ମଧ୍ୟ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୧୫୦ରୁ ଊର୍ଦ୍ଧ୍ୱ...

Advertisement
Archives

Model This Week