ଅଜବ ମେଣ୍ଟ

ଆକାର ପଟେଲ
କଂଗ୍ରେସ ଓ ଜାତୀୟତାବାଦୀ କଂଗ୍ରେସ ଦଳ (ଏନ୍‌ସିପି)କୁ ସାଙ୍ଗରେ ନେଇ ଶିବସେନା ଯଦି ସରକାର ଗଢ଼େ ତେବେ ମହାରାଷ୍ଟ୍ରରେ ଏହା ସମ୍ପୂର୍ଣ୍ଣ ଏକ ଅଜବ ମେଣ୍ଟ ସରକାର ହେବ। ଏତେ ଅଜବ ଯେ, ନିର୍ବାଚନ ପୂର୍ବରୁ ତାହା କେବେ ଆଶା କରାଯାଇ ନ ଥିଲା କି ଚିନ୍ତା ବି କରାଯାଇ ନ ଥିଲା। ତିନି ଦଶନ୍ଧି ହେଲା ଠାକ୍‌ରେ ପରିବାର ଭାରତୀୟ ଜନତା ପାର୍ଟି (ଭାଜପା) ସହ ମେଣ୍ଟ କରି ରହିଆସୁଥିଲେ। ପ୍ରତିଥର ଆସନ ବୁଝାମଣାକୁ ନେଇ ଶିବସେନା ଅସନ୍ତୋଷ ଓ କ୍ରୋଧ ପ୍ରକାଶ କରେ। ପ୍ରତିଥର ଶିବସେନା ଯେତିକି ପାଇବା କଥା ତା’ଠୁ ଅଧିକ ଆସନ ଦାବିକରେ। ପୁଣି ପ୍ରତିଥର ଭାଜପା ଧୈର୍ଯ୍ୟର ସହ ଏହାର ସମାଧାନ କରେ କାରଣ ଏହା ଜାଣିଥିଲା ଯେ ଦିନେ ନା ଦିନେ ଦଳ ସମଗ୍ର ମହାରାଷ୍ଟ୍ରକୁ କବ୍‌ଜା କରିନେବ ଏବଂ ନେଲା ମଧ୍ୟ। ଶିବସେନା ସହ ମେଣ୍ଟ ରାଜନୀତିର ଲମ୍ବା ଖେଳ ଖେଳିବାରେ ଭାଜପା ଅସୀମ ଧୈର୍ଯ୍ୟ ଓ ଶୃଙ୍ଖଳା ରକ୍ଷା କରିଆସିଛି। ସେନା ସବୁବେଳେ ବହିର୍ମୁଖୀ ଓ ଆତ୍ମସଂଯମହୀନ। ଏହା କୌଣସି ବିଷୟରେ ସର୍ବସାଧାରଣରେ ଘନ ଘନ ନିଜର ମତ ବଦଳାଇପାରେ, ଯାହା କଂଗ୍ରେସ ଓ ଏନ୍‌ସିପି ପରେ ଅନୁଭବ କରିବେ। ସେନାର ଖବରକାଗଜ ‘ସାମ୍‌ନା’ର ପ୍ରଥମ ପୃଷ୍ଠାରେ ଶିବସେନା ମୁଖ୍ୟଙ୍କ ସାକ୍ଷାତ୍‌କାର ନିୟମିତ ପ୍ରକାଶ ପାଏ। ଏହା ମାଧ୍ୟମରେ ଦଳର ସମ୍ବିଧାନ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରେ। ସ୍ଥାନୀୟ ଖବରକାଗଜ ଓ ଚାନେଲଗୁଡ଼ିକ ତାହାକୁ ନେଇ ଖବର କରନ୍ତି। ଏସବୁ ମରାଠୀ ଭାଷାରେ ହୋଇଥିବାରୁ ଦେଶର ଅନ୍ୟ ଅଞ୍ଚଳର ଲୋକମାନେ ସେନା କେତେ ଅସ୍ଥିର ତାହା ଜାଣିବା କଷ୍ଟକର। ତଥାପି ତାହା ଜାଣିବାକୁ ବେଶିଦିନ ଲାଗିବ ନାହିଁ। ଆଦର୍ଶଗତ ଦୃଷ୍ଟିରୁ ସେନାକୁ ଭାଜପାର ଅଂଶୀଦାର ବୋଲି ମନେକରାଯାଏ, କିନ୍ତୁ ପ୍ରକୃତରେ ଏହାର କୌଣସି ମୂଳ ହିନ୍ଦୁତ୍ୱ ଆଦର୍ଶ ନାହିଁ। ଏହା ବି ଦରକାର ପଡ଼ିଲେ ଯାହାକୁ ଭଲ ପାଉଥିଲା ତାକୁ ଘୃଣା କରିପାରେ। ଏହା ନିଜକୁ ଗଢ଼ିବା ପାଇଁ ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଓ ମୁସଲମାନଙ୍କଠାରୁ ବି ରକ୍ତ ଶୋଷିଛି। ଏହା ସତ ଯେ ୧୯୯୨-୯୩ରେ ଶିବସେନାର ନେତାମାନେ ବାବ୍ରୀ ମସ୍‌ଜିଦ ଭଙ୍ଗା ଏବଂ ପରେ ପରେ ମୁମ୍ବାଇର ମୁସଲମାନ ବିରୋଧୀ ଦଙ୍ଗାରେ ଅଂଶ ଗ୍ରହଣ କରିଥିଲେ। ଏଥିପାଇଁ ମଧୁକର ସର୍ପୋଟଦାରଙ୍କ ସମେତ ସେନା ନେତାମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
କିନ୍ତୁ ଏହା ମଧ୍ୟ ସତ ଯେ, ମୁମ୍ବାଇରେ ସେନା ଚାହୁଁଛି ସେହି ଉତ୍ତର ଭାରତୀୟ ହିନ୍ଦୁମାନଙ୍କୁ ହଇରାଣ ହରକତ କରିବା ପାଇଁ ଯେଉଁମାନେ ଅଯୋଧ୍ୟାର ବାବ୍ରୀ ମସ୍‌ଜିଦ ଭଙ୍ଗା କାର୍ଯ୍ୟରେ ତାଙ୍କ ସହ ଅଂଶଗ୍ରହଣ କରିଥିଲେ। ସେନା ମୁସଲମାନଙ୍କ ପ୍ରତି ସମାନ ପ୍ରକାର ବିଦ୍ୱେଷ ଓ ଘୃଣାଭାବ ପ୍ରକାଶ କରେ ଏବଂ ଅନ୍ୟମାନଙ୍କ ପ୍ରତି ବି ଏହା ଅତି ସହଜରେ ସେପରି ଭାବ ପ୍ରକାଶ କରିପାରିବ। ଗାନ୍ଧୀ ପରିବାର ଠାକ୍‌ରେମାନଙ୍କ ଗାଳି ଏବଂ ଅତୀତକୁ କେମିତି ଭୁଲିପାରିବ? ଶତ୍ରୁତା ଓ ମିତ୍ରତା ଏବଂ ଧାର୍ମିକ ଓ ଧର୍ମନିରପେକ୍ଷ ଉଭୟ ଭାବକୁ ନେଇ ସେମାନେ କେମିତି ଚାଲିପାରିବେ? ମନମୋହନ ସିଂ, ଶଶୀ ଥରୁର ଓ ଚିଦାମ୍ବରମ୍‌ଙ୍କ ପରି ଲୋକ କେମିତି ସେନା ସହ ମେଣ୍ଟକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବେ? ଅନ୍ୟପକ୍ଷରେ ସେନାର କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ନ ଥିବାରୁ ଏହାର କୌଣସି ଯଥାର୍ଥ ଇସ୍ତାହାର ବା ରଣନୀତିକ ଦିଶା ବି ନାହିଁ। ଅର୍ଥନୀତି କେମିତି ଚାଲିବ, ରାଜ୍ୟ କେମିତି ଚାଲିବ, ମାନବ ସମ୍ବଳ ବିକାଶ ସୂଚକାଙ୍କ କେମିତି ବଢ଼ିବ, ବୈଦେଶିକ ନୀତି କିପରି ହେବ ଏସବୁ ବିଷୟରେ ସେନାର କୌଣସି ଚିନ୍ତାଧାରା ନାହିଁ। ଏହା କେବଳ ରାଗି ପାଟି କରିବା ଶିଖିଛି।
କଂଗ୍ରେସ ଓ ଏନ୍‌ସିପି ପାଇଁ ଏପରି ନିର୍ବାଚନୀ ଫଳାଫଳ ଅପ୍ରତ୍ୟାଶିତ ଥିଲା। ସେମାନେ ପାଖାପାଖି ସମାନ ଭୋଟ ପାଇଛନ୍ତି, ଯାହା ଭାଜପାଠାରୁ ମାତ୍ର ପ୍ରାୟ ୮ ପ୍ରତିଶତ କମ୍‌। କଂଗ୍ରେସର ଭୋଟ ସାମାନ୍ୟ ହ୍ରାସ ପାଇଥିବା ବେଳେ ସେମାନେ ପୁଣି ନିଜକୁ ସଜାଡ଼ିବା ଓ ଦୃଢ଼ କରିବାର ସୁଯୋଗ ଏବେ ବି ରହିଛି। କିନ୍ତୁ ସେନା ସହ ମେଣ୍ଟ କରିବା ଦ୍ୱାରା ସେମାନେ ସେହି ସୁଯୋଗ ହରାଇବେ। ଉଭୟ କଂଗ୍ରେସ ଓ ଏନ୍‌ସିପି ପାଇଁ ସେନା ସହ ମେଣ୍ଟ ଚୁମ୍ବକ ପରି ପରସ୍ପରକୁ ଆକର୍ଷଣ କଲା ପରି ନୁହେଁ, ଅର୍ଥାତ୍‌ ସ୍ବାଭାବିକ ନୁହେଁ। କର୍ମୀ ଓ ଭୋଟର ସ୍ତରରେ ସ୍ପଷ୍ଟ ବିକର୍ଷଣ ଦେଖିବାକୁ ମିଳିବ। ଭାଜପାର ଆଧିପତ୍ୟ ଓ ଶକ୍ତି ଅବଦମିତ ରହିଥିବା ବେଳେ ସେମାନେ ନିଜର ପ୍ରାସଙ୍ଗିକତା ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ। ଭାଜପା-ସେନା ମେଣ୍ଟର ବିଫଳତାକୁ ଦର୍ଶାଇ କଂଗ୍ରେସ ଆଉ ଏକ ନିର୍ବାଚନ ଦାବି କରିପାରିଥାନ୍ତା। କିନ୍ତୁ ସେମାନେ ଏବେ ଦିଶାହରା ହୋଇଯାଇଥିବା ପରି ମନେହେଉଛି। ସେନା, କଂଗ୍ରେସ ଓ ଏନ୍‌ସିପି ସମସ୍ତେ ମୋଦି-ନେତୃତ୍ୱାଧୀନ ଭାଜପା ଆଗରେ କ୍ରମଶଃ ଅପ୍ରାସଙ୍ଗିକ ଓ କୋଣଠେସା ହୋଇପଡ଼ିବାର ଆଶଙ୍କା ଦେଖାଦେଇଛି। ଏପରି ଆଶଙ୍କା ମଧ୍ୟ ଯୁକ୍ତିଯୁକ୍ତ। ଭାଜପା ଯେପରି ଭାବେ ନିର୍ବାଚନ ଜିଣି ରାଜ୍ୟ ପରେ ରାଜ୍ୟ ଓ କ୍ଷମତା ଦଖଲ କରିଚାଲିଛି, ତାହା ଭୟ ସୃଷ୍ଟି କରିବା ସ୍ବାଭାବିକ। ତେଣୁ କଂଗ୍ରେସ ପରି ବିରୋଧୀ ଦଳଗୁଡ଼ିକ ଏହାକୁ ଦୃଷ୍ଟିରେ ରଖି ସୁଚିନ୍ତିତ ପଦକ୍ଷେପ ନେବା ଉଚିତ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri