ହାତୀ:ଶତ୍ରୁ ନୁହେଁ ମିତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ

ଖବରକାଗଜରେ ପ୍ରକାଶିତ ତଥ୍ୟ ଅନୁସାରେ ସାତକୋଶିଆ ଅଭୟାରଣ୍ୟରୁ ଉଦ୍ଧାର ହୋଇଛି ୨ଟି ହାତୀର ଗଳିତ ମୃତଦେହ। ଶିକାରୀମାନେ ବିଛେଇଥିବା ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଦୁଇ ହାତୀଙ୍କର ମୃତ୍ୟୁ ଘଟିଛି ବୋଲି ବନବିଭାଗର ପ୍ରାଥମିକ ତଦନ୍ତରୁ ପ୍ରକାଶ। ବନ ବିଭାଗର ସମସ୍ତ ପଦକ୍ଷେପ ସତ୍ତ୍ୱେ ପ୍ରତି ସପ୍ତାହରେ ସାମ୍ନାକୁ ଆସୁଛି ହାତୀ ମୃତ୍ୟୁ ଖବର। କେତେବେଳେ ଶିକାରୀ ଗୁଳି କିମ୍ବା ତୀର ମାରି ହାତୀର ଜୀବନ ନେଉଛି ତ ଅନ୍ୟ କେଉଁଠି ହାତୀର ଜୀବନ ଯାଉଛି ବିଦ୍ୟୁତ୍‌ ଆଘାତ କିମ୍ବା ରେଳଗାଡ଼ି ଧକ୍କାରେ। ଏହି ପରିପ୍ରେକ୍ଷୀରେ ସବୁଠାରୁ ବିମର୍ଶକର ଓ ବେଦନାଦାୟକ ଘଟଣା ହେଉଛି ହାତୀ-ମଣିଷ ଲଢ଼େଇ। ଗଲା କେତେବର୍ଷ ଧରି ଚାଲିଥିବା ଏହି ଲଢ଼େଇରେ କେଉଁଠି ହାତୀ ମଣିଷକୁ କଚାଡ଼ି ମାରୁଛି ତ ଅନ୍ୟ କେଉଁଠି ମଣିଷ ହାତରେ ମରି ଶୋଉଛି ହାତୀ।
ହାତୀ ଜଙ୍ଗଲର ଏକ ପରାକ୍ରମଶାଳୀ ପ୍ରାଣୀ ହେଲେ ମଧ୍ୟ ଖୁବ୍‌ ଶାନ୍ତିପ୍ରିୟ। ଏକଦା ସେ ମଣିଷର ବଶତା ସ୍ବୀକାର କରିଥିଲା ଏବଂ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଭାବପ୍ରବଣତାର ଏକ ବନ୍ଧନ। ହାତୀ ଓ ମଣିଷ ମଧ୍ୟରେ ଗଢ଼ି ଉଠିଥିବା ନିବିଡ଼ ବନ୍ଧୁତାକୁ ଆଧାର କରି ଦେଶରେ ବହୁ ଚଳଚ୍ଚିତ୍ର ନିର୍ମାଣ ହୋଇଛି, ଯାହାର ଏକ ଦୃଷ୍ଟାନ୍ତ ହେଉଛି ହିନ୍ଦୀ ଚଳଚ୍ଚିତ୍ର ‘ହାତୀ ମେରା ସାଥୀ’।
ବହୁ ପ୍ରାଚୀନ କାଳରୁ ଆମ ଐତିହ୍ୟ, ପରମ୍ପରା ଓ ଆଧ୍ୟାତ୍ମିକ ଭାବନା ସହ ହାତୀ ଓତପ୍ରୋତ ଭାବେ ଜଡ଼ିତ। ପୌରାଣିକ ମତରେ ସାଗର ମନ୍ଥନରୁ ମିଳିଥିବା ନବରତ୍ନ ମଧ୍ୟରେ ଐରାବତ ହସ୍ତୀ ଅନ୍ୟତମ, ଯାହାକୁ ନିଜର ବାହନ ଭାବେ ଗ୍ରହଣ କରିଥିଲେ ଦେବରାଜ ଇନ୍ଦ୍ର। ହାତୀ ମା’ ଲକ୍ଷ୍ମୀଙ୍କର ବାହନ ହୋଇଥିବାରୁ ମା’ଙ୍କୁ କୁହାଯାଏ ଗଜଲକ୍ଷ୍ମୀ। ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦୁଇଟି ହସ୍ତୀ ଦଣ୍ଡାୟମାନ ଥିବାରୁ ତାକୁ କୁହାଯାଉଛି ହସ୍ତୀଦ୍ୱାର। ମାଘ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାରଣ କରନ୍ତି ଗଜ ଉଦ୍ଧାରଣ ବେଶ। ହସ୍ତୀମୁଖ ଧାରଣ କରିଥିବାରୁ ବିଦ୍ୟାଦାତା ଗଣେଶଙ୍କର ଅନ୍ୟନାମ ଗଜାନନ। ହାତୀ ଥିଲା ବୌଦ୍ଧଧର୍ମର ପ୍ରତୀକ। ସେଥିପାଇଁ ବୌଦ୍ଧ କୀର୍ତ୍ତିରେ ଖୋଦିତ ହୋଇ ରହିିଛି ହାତୀମାନଙ୍କ ଚିତ୍ର।
ଆଗେ ଉତ୍କଳର ଘନବନାନୀ ଥିଲା ଲକ୍ଷାଧିକ ହାତୀଙ୍କ ଆବାସସ୍ଥଳୀ। ସେଥିପାଇଁ ଉତ୍କଳ ସମ୍ରାଟଙ୍କ ସୈନ୍ୟବାହିନୀରେ ସହସ୍ରାଧିକ ଗଜାରୋହୀ ସୈନିକ ଥିଲେ ଏବଂ ହାତୀ ଥିଲା ରାଜାଙ୍କ ସାମରିକ ସାମର୍ଥ୍ୟର ସୂଚକ। ବୋଧହୁଏ ସେହି କାରଣରୁ ସେତେବେଳେ (ଦ୍ୱାଦଶ ଶତାବ୍ଦୀ) ଗଜପତି ଉପାଧିରେ ଭୂଷିତ ହୋଇଥିଲେ କଳିଙ୍ଗ ସାମ୍ରାଜ୍ୟର ଅଧିପତି। କେବଳ ଯୁଦ୍ଧବେଳେ ନୁହେଁ, ମହାପ୍ରଭୁଙ୍କ ସେବାପୂଜାରେ ନିୟୋଜିତ ହେଉଥିଲେ ହାତୀ। ଏଥିସହିତ ଭାରବାହୀ ପଶୁ ଭାବରେ ମନ୍ଦିର, ପ୍ରାସାଦ ଓ ରେଳଧାରଣା ଆଦି ନିର୍ମାଣ କାର୍ଯ୍ୟରେ ହାତୀର ବିଶେଷ ଯୋଗଦାନ ଥିଲା, ଯାହା ଓଡ଼ିଶା ଇତିହାସରେ ଏକ ସ୍ବତନ୍ତ୍ର ଅଧ୍ୟାୟ।
ଏହି ପରିପ୍ରେକ୍ଷୀରେ ସ୍ବତଃ ପ୍ରଶ୍ନ ଉଠେ ଯିଏ ଥିଲା ମଣିଷର ଯୁଗଯୁଗର ମିତ୍ର ଓ ଯାହାର ପାଦ ପଡ଼ିଲେ ଓ ମଳ ପଡ଼ିଲେ ସୁନାର ଫସଲ ଫଳେ ବୋଲି ଲୋକଙ୍କ ମନରେ ବିଶ୍ୱାସ ବସା ବାନ୍ଧିଥିଲା, ତା’ସହିତ ଏ ଶତ୍ରୁତା ଭାବ କାହିଁକି? ପୋଷାହାତୀ ତା’ର ମାହୁନ୍ତ ସହିତ ଗାଁକୁ ଆସିଲେ ଦିନେ ଯେଉଁ ଲୋକେ ଶ୍ରଦ୍ଧା ଓ ଭକ୍ତିରେ ତାକୁ ଫଳ, ମୂଳ ଓ ଶସ୍ୟ ଆଦି ଖାଇବାକୁ ଦେଉଥିଲେ, ସେହି ହାତୀ ପ୍ରତି ମଣିଷ ଆଜି ଏତେ ନିର୍ଦ୍ଦୟ ହେଲା କେମିତି? ସ୍ଥଳଚର ପ୍ରାଣୀ ମଧ୍ୟରେ ଏବେ ପୃଥିବୀର ବୃହତ୍ତମ ପ୍ରାଣୀ ହେଉଛି ହାତୀ, ଯା’ର ଓନଜ ୩୦ ଟନ୍‌ରୁ ଅଧିକ। ଉଚ୍ଚତା ପାଖାପାଖି ଆଠ ଫୁଟ। ଦୈନିକ ଆବଶ୍ୟକ ହେଉଥିବା ଖାଦ୍ୟର ପରିମାଣ ଅନୂ୍ୟନ ୩ କୁଇଣ୍ଟାଲ। ପିଇବା ପାଇଁ ୧୦୦ ଲିଟର ପାଣି। ସ୍ନାନ ପାଇଁ ଆବଶ୍ୟକ ବଡ଼ ଜଳାଶୟ। ଖାଦ୍ୟ ତାଲିକାରେ ଦୂବରୁ ଦ୍ରୁମଯାଏ ଶହେରୁ ଅଧିକ ପ୍ରଜାତିର ବୃକ୍ଷ ଥିଲେ ମଧ୍ୟ ବର, ପିପ୍ପଳୀ, ବିଭିନ୍ନ ପ୍ରକାର କୋଳିଗଛ ଏବଂ ସିଆଳି ପତ୍ର ଓ ଲଟା ତା’ର ପ୍ରିୟ ଖାଦ୍ୟ। ଗୋଷ୍ଠୀବଦ୍ଧ ଭାବେ ଜୀବନ ଧାରଣ କରୁଥିବାରୁ ସେମାନଙ୍କ ପାଇଁ ଦରକାର ହୁଏ ଏକ ଅନୁକୂଳ ଓ ଧାରଣକ୍ଷମ ବିସ୍ତୃତ ବନମଣ୍ଡଳ।
ଆଗେ ଗାଁ ମୁଣ୍ଡଯାଏ ଲମ୍ବିଥିଲା ଜଙ୍ଗଲ। ଘଞ୍ଚ ଜଙ୍ଗଲ ଭିତରେ ନିର୍ବିଘ୍ନରେ ବିଚରଣ କରୁଥିଲେ ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁ। ଶିଳ୍ପାୟନ, ସହରୀକରଣ, ଖଣି ଖନନ ଓ ବନାଗ୍ନି ବିଭୀଷିକା ଆଦି ନାନାଦି କାରଣରୁ ସଙ୍କୁଚିତ ହେବାକୁ ଲାଗିଲା ଜଙ୍ଗଲର କ୍ଷେତ୍ରଫଳ। ହାତୀ ପାଇଁ ଆଉ ଉପଲବ୍ଧ ହେଲାନାହିଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ।
ସାଧାରଣତଃ ଜଙ୍ଗଲ ଧ୍ୱଂସ ପାଇଲେ ପାହାଡ଼ ମୁଣ୍ଡିଆରୁ ସବୁଜିମା କମିଗଲେ ଶୁଖିଯାଏ ପାହାଡ଼ ଉପତ୍ୟକା ଦେଇ ବହି ଯାଇଥିବା ଝରଣାର ଜଳ। ଖାଦ୍ୟ, ଜଳ ଓ ବାସସ୍ଥାନ ଅଭାବରୁ ଡହଳବିକଳ ହୁଅନ୍ତି ବନ୍ୟଜନ୍ତୁ। ଏହି କାରଣରୁ ହାତୀ ପାଇଁ ଉପୁଜିଲା ବିସ୍ଥାପନ ସମସ୍ୟା।
ହାତୀ ସ୍ବଭାବତଃ ପରିବ୍ରାଜକ ଶ୍ରେଣୀର ଏକ ଯାଯାବର ଜାତୀୟ ପ୍ରାଣୀ। ମାଇଲ ମାଇଲ ବାଟ ଅତିକ୍ରମ କରି ଖାଦ୍ୟ, ପାନୀୟ ଓ ପ୍ରଜନନ ପାଇଁ ଏମାନେ ଏ ଜଙ୍ଗଲରୁ ସେ ଜଙ୍ଗଲ ଘୂରି ବୁଲନ୍ତି ଦଳବଦ୍ଧ ହୋଇ। କେବଳ ନିର୍ଦ୍ଦିଷ୍ଟ ଜିଲା କିମ୍ବା ରାଜ୍ୟ ଭିତରେ ନୁହେଁ, ଏମାନେ ଗୋଟିଏ ରାଜ୍ୟର ସୀମା ଡେଇଁ ଅନ୍ୟ ଏକ ରାଜ୍ୟର ଜଙ୍ଗଲ ଭିତରେ ଅନୁପ୍ରବେଶ କରନ୍ତି ବର୍ଷରେ ଏକ ନିର୍ଦ୍ଦିଷ୍ଟ ଋତୁରେ। ଏଇ ଯେମିତି ପ୍ରାୟତଃ ପ୍ରତିବର୍ଷ ଝାଡ଼ଖଣ୍ଡ ରାଜ୍ୟର ଶତାଧିକ ହାତୀ ପଶ୍ଚିମବଙ୍ଗ ଦେଇ ଓଡ଼ିଶାର ଶିମିଳିପାଳ ଓ ବାଲେଶ୍ୱରର ନୀଳଗିରିକୁ ଆସନ୍ତି ଏବଂ ଓଡ଼ିଶାର ସମ୍ବଲପୁର ଓ ଗଜପତି ଜିଲାର ହାତୀମାନେ ପ୍ରବେଶ କରନ୍ତି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ।
ଆମ ଦେଶର ଆଇନ କହୁଛି- ହାତୀ କୌଣସି ରାଜ୍ୟର ନୁହେଁ, ଦେଶର ସମ୍ପତ୍ତି ଓ ଗୌରବ। ତେଣୁ ସେମାନଙ୍କ ଅନୁପ୍ରବେଶକୁ ରୋକିବା ପାଇଁ କୌଣସି ରାଜ୍ୟ ତା’ ସୀମାରେ ବାଡ଼, ପାଚେରି ଓ ଖାଇ (ଟ୍ରପି) ଆଦି ନିର୍ମାଣ କରିବା ବେଆଇନ। ହାତୀମାନଙ୍କର ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାତାୟାତ କିଛି ନୂଆ କଥା ନୁହେଁ, ଏହା ଜାରି ରହିଛି କାହିଁ କେତେ ଦଶନ୍ଧି ପୂର୍ବରୁ। ଆଗେ କିନ୍ତୁ ସେମାନଙ୍କ ଚଲାପଥ ନିର୍ଦ୍ଦିଷ୍ଟ ଥିଲା ଏବଂ ସେମାନେ ସେହି ଚଲାପଥରେ ଶହ ଶହ ମାଇଲ ଅତିକ୍ରମ କଲେ ବି କେବେ ମୁହଁାଉନଥିଲେ ଜନପଦ ଆଡ଼କୁ। ପରବର୍ତ୍ତୀ ସମୟରେ ରାସ୍ତାଘାଟ, ରେଳପଥ, ନଦୀବନ୍ଧ ଓ ନୂଆ ନୂଆ ସହର ଗଢ଼ିଉଠିବା ଫଳରେ ଖଣ୍ଡବିଖଣ୍ଡିତ ହୋଇଗଲା ସେମାନଙ୍କ ଚଲାପଥ। ଜଙ୍ଗଲ କ୍ଷୟ ତାଙ୍କ ପାଇଁ ଯେତିକି ସମସ୍ୟା ସୃଷ୍ଟି କଲା, ତା’ ଠାରୁ ଅଧିକ ସମସ୍ୟା ସୃଷ୍ଟିକଲା ରାସ୍ତା ଅବରୋଧ। ବିକଳ୍ପ ବାଟ ଅନୁସନ୍ଧାନ କରିବାକୁ ଯାଇ ଅନେକ ସମୟରେ ସେମାନେ ବାଟବଣା ହୋଇ ମୁହେଁଇଲେ ଜନପଦ ଆଡ଼େ। ଫସଲ କିଆରିରେ ପଶି ଯେତିକି ଖାଇଲେ, ପାଦରେ ଦଳିମକଚି ନଷ୍ଟ କଲେ ତା’ଠାରୁ ବେଶି। ଲୋକେ ଘଉଡ଼ାଇବା ଫଳରେ ସେମାନେ ପ୍ରତିକ୍ରିୟାଶୀଳ ହୋଇ ଏବେ ଗାଁ ଭିତରକୁ ପଶି ଘରଦ୍ୱାର ଭାଙ୍ଗୁଛନ୍ତି ଏବଂ ସାମ୍ନାରେ ପଡ଼ିଲେ ମଣିଷକୁ ବି କଚାଡ଼ି ମାରୁଛନ୍ତି ଅତି ନିର୍ମମ ଭାବରେ। କେଉଁଠି ହାତୀ ଆକ୍ରମଣର ଶିକାର ହୋଇ ମଣିଷର ଜୀବନ ଯାଉଛି ତ ଆଉ କେଉଁଠି ଉଜୁଡ଼ି ଯାଉଛି ତା’ର ଫସଲ। ଏଥିରେ ଅତିଷ୍ଠ ହୋଇ ପାଲଟା ଆକ୍ରମଣ କରୁଛି ମଣିଷ। ୱାଇଲ୍ଡ ଲାଇଫ୍‌ ସୋସାଇଟି ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟରୁ ଜଣାଯାଏ ହାତୀ-ମଣିଷ ଲଢ଼େଇ ଯୋଗୁ ଗୋଟିଏ ବର୍ଷ ମଧ୍ୟରେ (ମାର୍ଚ୍ଚ ୨୦୨୧ ରୁ ୨୦୨୨) ୧୧୪ଟି ହାତୀ ମରିଥିବା ବେଳେ ପ୍ରାଣ ହରାଇଛନ୍ତି ୯୭ ଲୋକ। ୨୦୧୪ ରୁ ୨୦୨୨ ସୁଦ୍ଧା ଏହି ସଂଘର୍ଷରେ ମୃତ୍ୟୁବରଣ କରିଛନ୍ତି ୬୧୪ଟି ହାତୀ ଏବଂ ୬୩୦ଲୋକ। ମୃତ୍ୟୁ ସଂଖ୍ୟା ଯେଉଁ ପକ୍ଷର ଅଧିକ ହେଉନା କାହିଁକି ଏହି ସଂଘର୍ଷ ମୂଳରେ ରହିଛି ମଣିଷର ସ୍ବାର୍ଥପରତା। କାରଣ ହାତୀ ଜୀବନ ବଞ୍ଚିବାର ମୌଳିକ ଆବଶ୍ୟକତା ପୂରଣ ପାଇଁ ସଂଗ୍ରାମ କରୁଥିବା ବେଳେ ମଣିଷ ଚାହୁଛି ଭୋଗର ସୀମା ସମ୍ପ୍ରସାରଣ । ତେଣୁ ସମସ୍ୟା ସମାଧାନର ସୂତ୍ର ହାତୀ ପାଖରେ ନାହିଁ, ଅଛି ମଣିଷ ପାଖରେ। ଜଙ୍ଗଲ ସଂରକ୍ଷଣ, ହାତୀ ଚଲାପଥ ଗୁଡ଼ିକର ପୁନରୁଦ୍ଧାର, ରାସ୍ତା ପାଖରେ ଚାରା ରୋପଣ, ଜଳାଶୟ ଖନନ, ରାଜପଥ, ରେଳରାସ୍ତା ଓ କେନାଲ ଅତିକ୍ରମ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ସ୍ଥାନୀୟ ପରିବେଶରେ ଆହାର ଉପଯୋଗୀ ଚାରା ରୋପଣ, ହାତୀ ଶିକାର ଉପରେ ସମ୍ପୂର୍ଣ୍ଣ କଟକଣା ଓ ଜନ ସଚେତନତା ସୃଷ୍ଟି କରିବା ଇତ୍ୟାଦି ହାତୀ-ମଣିଷ ସଂଘର୍ଷ ଏଡ଼େଇବାର ସୂତ୍ର। ସେଥିପ୍ରତି ଅବହେଳା ପ୍ରଦର୍ଶନ କଲେ ହାତୀ ଭଳି ଏକ ବିଶାଳ ଜୀବର ବିଲୟ ଘଟିବ, ଯାହା ଜୈବ ବିବିଧତା ପ୍ରତି ଏକ ବିରାଟ ଆହ୍ବାନ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ- ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri