ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୧୫-୧୧(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ନିଷ୍କର୍ଷ ବାହାରିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ବିଧାନସଭାରେ ଏ କଥା କହିଛନ୍ତି। କଂଗ୍ରେସ ପକ୍ଷରୁ ଅଣାଯାଇଥିବା ମୁଲତବୀ ଆଲୋଚନାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତରୀ ଦଳ ମତାମତ ଦେଇଛନ୍ତି ଯେ ସ୍ମିତାରାଣୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଛି। ୨୦୧୯ ଅକ୍ଟୋବର ୧୬ ତାରିଖରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରାଙ୍କ ଗେଷ୍ଟ ହାଉସ୍‌ରେ ସ୍ମିତାରାଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ବାପାଙ୍କ ଏତଲା ଉପରେ ଏକ ଅପମୃତ୍ୟୁ ମାମଲା ଧର୍ମଶାଳା ଥାନାରେ ରୁଜୁକରି ତଦନ୍ତ କରାଯାଇଛି। ତଦନ୍ତ ସମୟରେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚନାମା କରାଯାଇଛି। ବ୍ୟବଚ୍ଛେଦ ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଚିତ୍ର ଉତ୍ତୋଳନ କରାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଧର୍ମଶାଳା ଥାନାରେ ଆଇପିସି ଦଫା ୩୦୬ରେ ଏକ ମାମଲା (ନଂ.୧୮୧/୨୦୧୯) ରୁଜୁ କରାଯାଇ ତଦନ୍ତ କରାଯାଇଛି। ତଦନ୍ତ ପରେ ରୂପେଶ ଭଦ୍ରାଙ୍କୁ ଅକ୍ଟୋବର ୧୯ ତାରିଖରେ ଦଫା ୩୦୬(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜେଲରେ ଅଛନ୍ତି, ଅନୁସନ୍ଧାନ ଚାଲୁ ରହିଛି। ସରକାର ଦୋଷୀଙ୍କୁ କେବେ ଛାଡ଼ିନାହାନ୍ତି। ନାରୀମାନଙ୍କ ସୁରକ୍ଷା ପ୍ରତି ସରକାର ସବୁବେଳେ ସମ୍ବେଦନଶୀଳ। ସରକାରଙ୍କୁ ଏହି ମାମଲାରେ ସମାଲୋଚନା କରିବା ଆଦୌ ଠିକ୍‌ ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲିଯାଇଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିିବିଆଇ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ କରିବାକୁ ଦାବି କରିଛୁ। ମାତ୍ର ମନ୍ତ୍ରୀ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳର ସମସ୍ତ ବିଧାୟକ ବିଧାନସଭା ବାହାରକୁ ଚାଲିଯାଇଥିଲେ।
ବୁଧବାର ଗୃହକାର୍ଯ୍ୟ ଅଚଳ ହେବା ପରେ ବାଚସ୍ପତି କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ସ୍ମିତାରାଣୀ ମୃତ୍ୟୁ ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଶୂନ୍ୟକାଳ ପରେ ମଧ୍ୟାହ୍ନ ୧୨ଟା ୩୯ ମିନିଟ୍‌ରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ତେବେ ଏହାକୁ ଭାଜପା ସଦସ୍ୟମାନେ ଗ୍ରହଣ ନ କରି ସିବିଆଇ ଦାବିକରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ହୋହଲ୍ଲା ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ଆଲୋଚନା ଆରମ୍ଭ କରିଥିଲେ। କଂଗ୍ରେସ ସଦସ୍ୟ ନରସିଂହ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ, ରାଜ୍ୟରେ ବଢୁଥିବା ନାବାଳିକା ଓ ମହିଳା ବଳାତ୍କାର ଘଟଣାକୁ ନେଇ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଥିଲେ। ସେ କହିଥିଲେ ଯେ, ଏଭଳି ସମ୍ବେଦନଶୀଳ ଆଲୋଚନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହିବା ଅତ୍ୟନ୍ତ ପରିତାପର ବିଷୟ। ସରକାର ଏହା ଉପରେ ଆଲୋଚନା ନ ହେଉ ବୋଲି ଚାହୁଁଥିଲେ। ଏହି ଆଲୋଚନା ଯେପରି ଭଣ୍ଡୁର ହେବ ସେନେଇ ବିଜେଡି ଓ ଭାଜପା ମଧ୍ୟରେ ମହା ସଲାସୁତରା ଚାଲିଛି। ପ୍ରତ୍ୟେକ ଦିନ ରାଜ୍ୟରେ ନାରୀ ଓ ନାବାଳିକା ବଳାତ୍କାର ବଢ଼ିଚାଲିଛି। ୨୦୧୯ ଜାନୁୟାରୀ ୧ ତାରିଖରୁ ଜୁନ୍‌ ୩୦ ମଧ୍ୟରେ ୧୦୦୫ ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ସୁପ୍ରିମକୋର୍ଟଙ୍କ ରିପୋର୍ଟରେ କୁହାଯାଇଛି। ୨୦୧୭ରେ ମହିଳା ନିର୍ଯାତନା ମାମଲା ୯୪.୭% ହୋଇଥିବାବେଳେ ସେଥିରୁ ମାତ୍ର ୭.୪% ମାମଲାର ଶୁଣାଣି ହୋଇଛି। ଗତ ୨ବର୍ଷରେ ରାଜ୍ୟରେ ବିଭିନ୍ନ ଅପରାଧରେ ୨୪ଲକ୍ଷ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ମାତ୍ର ୧୭,୦୦୦ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ କଂଗ୍ରେସ ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। ଭାଜପାର ଦାବି ସହ ଆମେ ସହମତ। ମାତ୍ର ସେମାନେ ଏହା ଉପରେ ଆଲୋଚନା ନ କରି ହଟ୍ଟଗୋଳ କରିବା ଅର୍ଥ ସରକାରଙ୍କୁ ପରୋକ୍ଷରେ ସହାୟତା ସହ ସମାନ ବୋଲି ନରସିଂହ କହିଛନ୍ତି। ଜଣେ ସରକାରୀ କର୍ମଚାରୀ ସେ ଗେଷ୍ଟ ହାଉସ୍‌କୁ କାହିଁକି ଯାଇଥିଲେ, ତାଙ୍କୁ କିଏ ନେଇଥିଲେ, ଏ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର। ଏହି ଘଟଣାର ସିବିଆଇ କିମ୍ବା ଏସ୍‌ଆଇଟି ଦ୍ୱାରା ତଦନ୍ତ କରାଗଲେ ସ୍ମିତାରାଣୀଙ୍କ ଆମତ୍ା ଶାନ୍ତି ପାଇବ ବୋଲି ନରସିଂହ କହିଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ମଦ ଯୋଗୁ ଏଭଳି ଅଭାବନୀୟ କାଣ୍ଡ ରାଜ୍ୟରେ ଘଟୁଛି ବୋଲି କହିଥିଲେ। ନିଯୁକ୍ତି ନ ପାଇ ଯୁବକମାନେ ମଦ ପିଇ ହତ୍ୟା ଓ ବଳାକତ୍ାର ଭଳି ଘଟଣାରେ ଲିପ୍ତ ରହୁଛନ୍ତି। ମଦ ଦୋକାନ ବନ୍ଦ ହେବା ଦରକାର ବୋଲି ସେ କହିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ତାରା ବାହିନୀପତି, ଅମଧିରାଜ ପାଣିଗ୍ରାହୀ ପ୍ରମୁଖ ସରକାରଙ୍କୁ ସମାଲୋଚନା କରିବା ସହ ସିବିଆଇ କିମ୍ବା ଏସ୍‌ଆଇଟି ଦ୍ୱାରା ଘଟଣାର ତଦନ୍ତ କରିବାକୁ ଦାବି କରିଥଲେ। ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅଶ୍ୱିନୀ ପାତ୍ର ପ୍ରମୁଖ ନାରୀମାନଙ୍କ ସୁରକ୍ଷା ନେଇ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମା’କୁ ସମ୍ମାନ ଓ ନାରୀ ସୁରକ୍ଷା ଯୋଗୁ ଗତ ୨୦ ବର୍ଷ ଧରି ଲୋକମାନେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଚାଲିଛନ୍ତି। ଭାଜପା ଓ କଂଗ୍ରେସ ନିଜର ରାଜନୈତିକ ଫାଇଦା ପାଇଁ ଏଭଳି ନାଟକବାଜି କରୁଥିବା ଶାସକ ଦଳ ସଦସ୍ୟ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri