ସେମାନେ ପଣ୍ଡିତ ପୁଅ

ଛନ୍ଦା ମିଶ୍ର

ଅ।ମେ କହୁ ଆଇନ ଓ ସମ୍ବିଧାନ ଆଖିରେ ସମସ୍ତେ ସମାନ, କିନ୍ତୁ ପ୍ରକୃତରେ ଆମ ଦେଶରେ ଗରିବଙ୍କ ପାଇଁ ଯେଉଁ ନିୟମ, ଧନୀଙ୍କ ପାଇଁ ସେ ନିୟମଟି ସମ୍ପୂର୍ଣ୍ଣ ବିପରୀତ। ଏଠି ଲଙ୍କା ଓ କାକୁଡି ଚୋରଙ୍କ ବିଚାର ହୋଇ ନ ପାରି ସେମାନେ ବର୍ଷ ବର୍ଷ ଧରି ଜେଲରେ ଶଢନ୍ତି, କିନ୍ତୁ କୋଟି କୋଟି ଟଙ୍କା ଚଳୁ କରି ଦେଇଥିବା ମାନନୀୟଙ୍କ ପାଇଁ ରାତି ଅଧରେ କଚେରି ବସେ। ଏଠି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ପଣ୍ଡିତ, ତାଙ୍କ ପଣ୍ଡିତିଆ ମଗଜକୁ ଖେଳାଇ ଏପରି ଇନ୍ଦ୍ରଜାଲ ରଚିଦେବେ ଯେ, ମନେହେବ ପଣ୍ଡିତ ପୁଅ ମାଙ୍କଡ଼ ମାରିନାହିଁ। କିନ୍ତୁ ମୂର୍ଖଟିଏ ଯଦି ଅଜାଣତରେ ମାଛିଟିକୁ ଆଘାତ କଲା ତେବେ, ସେହି ପଣ୍ଡିତ ଏହାକୁ ସାଂଘାତିକ ଅପରାଧର ଆଖ୍ୟା ଦେଇ ମୂର୍ଖଟିକୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଅଣ୍ଟା ଭିଡ଼େ।
ଏହା ଏମିତି ଏକ ଦେଶ, ଯେଉଁଠି ଅର୍ଥ ଦେଇ ଆପଣ ନିଜ ନାମରେ ହୋଇଥିବା ସଙ୍ଗିନ୍‌ ଅଭିଯୋଗକୁ ଲିଭାଇ ଦେଇପାରିବେ ଓ ନିର୍ଦ୍ଦୋଷକୁ ଅପରାଧୀର ଆଖ୍ୟା ଦେଇ ଆଜୀବନ କାରାଗାର ମଧ୍ୟକୁ ନିକ୍ଷେପ କରିପାରିବେ। ସମୟ ଏପରି ହେଲାଣି ଯେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶଙ୍କ ନାମରେ ଯୌନଶୋଷଣର ଅଭିଯୋଗ ଆସୁଛି। ଅବଶ୍ୟ ଆମଦେଶରେ କୌଣସି ଘଟଣାକୁ ଭିନ୍ନମୋଡ଼ ଦେବା ପାଇଁ ଦନ୍ତହୀନ ତଦନ୍ତଗୁଡିକର ଆଶ୍ରା ନିଆଯାଏ। ତେବେ ଗୋଟିଏ ଘଟଣାରୁ ଆମ ଦେଶରେ ‘ଅର୍ଥ ଦ୍ୱାରା ସବୁକିଛି ସମ୍ଭବ’ ଉକ୍ତିଟି ସତ୍ୟ ପ୍ରମାଣିତ ହୁଏ। କିଛିଦିନ ତଳେ ଜଣେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ହେଲା। କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ବାଢିଥିବା କଣ୍ଟ୍ରାକ୍ଟର ଜଣକ ଚଢାଉ ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ଉପସ୍ଥିତିରେ କର୍ମଚାରୀଙ୍କ ଗାଲରେ ଚଟକଣା କଷିଦେଇ ଯାଉଥିଲେ। ତେବେ ଅଫିସଟିକୁ ତନ୍ନ ତନ୍ନ କରି ଯାଞ୍ଚ କଲାପରେ କିଛି ନ ପାଇ ଭିଜିଲାନ୍ସ ଅଧିକାରୀ ଅଳ୍ପ ସମୟ ପାଇଁ ବାହାରକୁ ଯାଇ ଫେରିଲା ପରେ ଥାକରୁ ଟଙ୍କା କାଢିବାର ଦେଖାଯାଇଥିଲା। ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଜେଲକୁ ପଠାଗଲା। ପରଦିନ ସରକାରୀ କର୍ମଚାରୀ ଜଣଙ୍କୁ ଲାଞ୍ଚୁଆ ଆଖ୍ୟା ଦେଇ ଭିଜିଲାନ୍ସ ବିଭାଗର ସଫଳତା ଗାନ କଲେ ଖବରକାଗଜମାନେ। ଜେଲରେ କିଛିଦିନ ରହି ଅଭିଯୁକ୍ତ ଜଣକ ଫେରିଲା ପରେ ଉକ୍ତ କୋଠରିରେ ଲଗାଯାଇଥିବା ସିସିଟିଭିରୁ ପ୍ରକୃତ ସତ୍ୟ ପଦାକୁ ଆସିଲା। ଏବେ ଭିଜିଲାନ୍ସ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ। ମାତ୍ର ଉକ୍ତ କର୍ମଚାରୀଙ୍କର ଯେଉଁ ମାନହାନି ହେଲା ତା’ର ଭରଣା କରିବ କିଏ?
ରାଜନୀତିଆମାନେ ହେଉଛନ୍ତି ଆଇନର ଗେହ୍ଲାପୁଅ। ଏମାନଙ୍କୁ ସାତଖୁଣ ମାଫ୍‌। ଯଦିବା ଲୋକଲଜ୍ଜା ଭୟରେ ଆଇନର ରକ୍ଷକମାନେ ଏମାନଙ୍କୁ ଧରିବାକୁ ଯାଆନ୍ତି, ତତ୍‌କ୍ଷଣାତ୍‌ ଏମାନଙ୍କ ହୃଦୟ ଯନ୍ତ୍ରଣାରେ ଜର୍ଜରିତ ହୋଇଉଠେ। ଚିକିତ୍ସକମାନେ ପ୍ରସ୍ତୁତ ହୋଇ ରହିଥାନ୍ତି। ଏହି ଗେହ୍ଲାପୁଅମାନଙ୍କୁ ଆଉ ଜେଲ୍‌ର ମାଟି ମାଡିବାକୁ ପଡେନି। ଚିକିତ୍ସାଳୟରୁ ଏମାନେ ଜାମିନ ପାଇ ଘରକୁ ଫେରନ୍ତି। ସବୁ ନୀତିନିୟମରୁ ଊର୍ଦ୍ଧ୍ୱରେ ଥିବା ଏହି ରାଜନୀତିଆମାନେ ମଳିମୁଣ୍ଡିଆଙ୍କୁ ଆଇନର ଶତାଧିକ ଫାନ୍ଦରେ ବାନ୍ଧିପକାନ୍ତି। ଏଠି ଜଣେ ସାଧାରଣ ସରକାରୀ କର୍ମଚାରୀ ଅଜାଣତରେ କାର୍ଯ୍ୟରେ ସାମାନ୍ୟ ଅବହେଳା କରିଦେଲେ ଚାକିରି ହରାଉଥିଲା ବେଳେ ସଂଖ୍ୟାଧିକ ଅପରାଧର ଅଭିଯୁକ୍ତମାନେ ନିଜେ ସରକାର ସାଜି ଆମପାଇଁ ଆଇନ ତିଆରି କରନ୍ତି।
ଦେଶର ଆଇନ-ପ୍ରଣେତାମାନଙ୍କ ଉର୍ବର ମସ୍ତିଷ୍କକୁ ଯେତେ ତାରିଫ କଲେ ବି କମ୍‌ ହେବ। ଏଠି ବିବାହ ପାଇଁ ସର୍ବନିମ୍ନ ବୟସ ଏକୋଇଶ ବର୍ଷ ଧାର୍ଯ୍ୟ କରାଯାଇଥିଲା ବେଳେ, ଦେଶର ନେତା ବାଛିବାକୁ ଦୁଇବର୍ଷ ପୂର୍ବରୁ ଯୁବକଟିଏ ଯୋଗ୍ୟ ହୋଇଯାଏ। ଯେଉଁଠି ଜଣେ ସରକାରୀ କର୍ମଚାରୀର ଷାଠିଏ ବର୍ଷ ପରେ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାରୁ ତା’ର ଅବସର ନେବା ବାଧ୍ୟତାମୂଳକ, ସେଇଠି ଦେଶ ଚଳାଇବାକୁ ନବେ ବର୍ଷର ଅଜାଟି ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡ଼େ। ସାଧାରଣ କିରାଣି ଚାକିରି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିଲା ବେଳେ, ଶ୍ରୀଅକ୍ଷର ବିବର୍ଜିତଟିଏ ଶିକ୍ଷାମନ୍ତ୍ରୀ ସାଜିବାରେ କୌଣସି ପ୍ରତିବନ୍ଧକ ନ ଥାଏ।
ତେବେ ଏସବୁ ଅବ୍ୟବସ୍ଥା ପାଇଁ ଦାୟୀ କିଏ? ସବୁରି ମୂଳରେ ଆମେ, ସବଜାନ୍‌ତା-ଜନତା। ଆମ ଭିତରୁ ଅନେକେ ଟଙ୍କା ବା ମଦ ବିନିମୟରେ ଭୋଟ ଦିଅନ୍ତି। ନିଜ ପକେଟ ଖାଲିକରି ଟଙ୍କା ବାଣ୍ଟିଥିବା ପ୍ରାର୍ଥୀ ଜଣକ ଜିତିଗଲା ପରେ ନିଜ ପେଟ, ପକେଟ ଓ ପେଟିକୁ ଭର୍ତ୍ତି କରିବା ପାଇଁ ଅଣ୍ଟା ଭିଡ଼େ।
ଯେଉଁମାନଙ୍କ ଦସ୍ତଖତରେ ଗୁଡାଏ ସମସ୍ୟାର ସମାଧାନ ହୋଇପାରନ୍ତା, ସେଇସବୁ ବଡ଼ ବଡ଼ ସରକାରୀ ବାବୁମାନେ ନିଜ ପାଇଁ ପୁରସ୍କାର ଓ ପ୍ରମୋଶନ ସାଉଁଟିବାରେ ଏପରି ବ୍ୟସ୍ତ ଥାଆନ୍ତି ଯେ, ନୀତି-ନୈତିକତାର କଥା ତାଙ୍କର ମନେପଡେ ଚାକିରିରୁ ଅବସର ନେବା ପରେ। ସରକାରଙ୍କର ମରମ ବ୍ୟଥା ଏହି ବାବୁମାନେ ଆକଳନ କରିଥାଆନ୍ତି ବୋଲି ସରକାର ଏମାନଙ୍କୁ କୌଣସି କାର୍ଯ୍ୟ ନ ଥାଇ ସମସ୍ତ ସୁବିଧା ସୁଯୋଗ ମିଳୁଥିବା ପଦବୀରେ ଥଇଥାନ କରି ସନ୍ତୁଷ୍ଟ କରାଇ ଦିଅନ୍ତି।
ବାକି ରହିଲେ ବୁଦ୍ଧିଜୀବୀମାନେ, ଯେଉଁମାନଙ୍କ ସମ୍ଭ୍ରାନ୍ତ ନୀରବତା ଦେଖି ଆକଳନ କରି ହୁଏନାହିଁ ଯେ, ସେମାନେ କୌଣସି ସରକାରୀ ସୁବିଧା ପାଇବା ଲୋଭରେ ଚୁପ୍‌ ରହିଛନ୍ତି ନା ଏ ବ୍ୟବସ୍ଥା ପ୍ରତି ବୀତସ୍ପୃହ ଅଛନ୍ତି। ଆମ ଭଳି ସ୍ବଳ୍ପବୁଦ୍ଧିଙ୍କ ମସ୍ତିଷ୍କରେ କୌଣସି ଉପାୟ ନ ଦିଶିବାରୁ, ‘ନିଜ କଥା ନିଜେ ସମ୍ଭାଳ’ ନୀତିରେ ଦିନ କାଟିବାକୁ ଆମେ ବାଧ୍ୟ। ହାତେ ମାପି ଚାଖଣ୍ଡେ ଚାଲିବା ହିଁ ବୁଦ୍ଧିମାନର କାର୍ଯ୍ୟ।
୩ ଆର/୬ ବିଜେବି ନଗର,
ମୋ-୯୪୩୭୪୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri