ସୁମାତା ଓ କୁମାତାଙ୍କ କଥା

ଜଣେ ସନ୍ଥ ଏକଦା କହିଥିଲେ, ”ଈଶ୍ୱରଙ୍କ ସନ୍ଧାନରେ ମୋ ଜୀବନକାଳର ସମଗ୍ର ସାଧନା ବିନିଯୋଗ କରି ତଥାପି ଅପ୍ରାପ୍ତିର ହତାଶା ମଧ୍ୟରେ ବଞ୍ଚୁଥିବା ବେଳେ ଅଚାନକ ମୋ ଆଖି ପଡ଼ିଲା ମୋତେ ଜନ୍ମ ଦେଇଥିବା ମାଆଙ୍କ ଉପରେ। ଗଭୀର ଅନ୍ତର୍ଦୃଷ୍ଟି ନେଇ ତାକୁ ନିରେଖିଲା ପରେ ଆଉ କେବେ ଈଶ୍ୱରଙ୍କୁ ଖୋଜିବା ଆବଶ୍ୟକ ପଡ଼ିନାହିଁ।“ ପ୍ରକୃତରେ ବାଘ ଦେଖି ନ ଥିବା ଲୋକକୁ ବିଲେଇ ଦେଖାଇ ବୁଝାଇବା ଭଳି ଈଶ୍ୱରଙ୍କୁ ଅନୁଭବୀ ପାରୁ ନ ଥିବା ଲୋକକୁ ମାଆର ମାତୃତ୍ୱ ଦେଖାଇ ଈଶ୍ୱରତ୍ୱକୁ ଚିହ୍ନାଇ ଦେବା ଅତି ସହଜ। କୌଣସି ପ୍ରାପ୍ତିର ଆଶା ନ ରଖି କେବଳ ଦେବାରେ ଯିଏ ଆନନ୍ଦ ପାଆନ୍ତି ଓ ସକଳ ଅବଜ୍ଞା ଅବହେଳାକୁ ମନରେ ନ ଘେନି ଯିଏ ସନ୍ତାନର ମଙ୍ଗଳ କାମନା କରନ୍ତି, ସିଏ ହୋଇପାରନ୍ତି ମାଆ ଅବା ଈଶ୍ୱର। ଅଦୃଷ୍ଟ ଈଶ୍ୱରଙ୍କ ପରି ପ୍ରେମ ଓ କରୁଣାର ଦୃଶ୍ୟମାନ ବିଗ୍ରହ ହେଉଛି ମାଆ। ମାଆ ଓ ଈଶ୍ୱର ମୁଦ୍ରାର ଦୁଇଟି ପାର୍ଶ୍ୱ ପରି।
ରାବଣ ନିଧନ ପରେ ଲଙ୍କାରୁ ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ରାଜ ସିଂହାସନରେ ପୁନରାଭିଷିକ୍ତ ହେଲା ପରେ ରାଜମାତା କୌଶଲ୍ୟାଙ୍କ ଏକ ବିଚିତ୍ର ପ୍ରଶ୍ନର ସାମ୍ନା କରି ବିଚଳିତ ହୋଇପଡ଼ିଥିତ୍ଲେ ରାଜା ରାମ। ଅତ୍ୟନ୍ତ ନିଭୃତରେ କୌଶଲ୍ୟା ଦିନେ ତାଙ୍କୁ ପଚାରିବସିଲେ- ”ତୁମେ କିଏ ରାମ? ତୁମ ପ୍ରକୃତ ପରିଚୟ କ’ଣ?“ ନିଜ ମାଆଙ୍କଠୁଁ ଏମିତି ଏକ ପ୍ରଶ୍ନ ଯେକୌଣସି ପୁଅକୁ ନିର୍ବାକ୍‌ କରିଦେବା ପାଇଁ ଯଥେଷ୍ଟ। ମତିଭ୍ରମରେ ତ ଆଉ ଆକ୍ରାନ୍ତ ହୋଇନାହାନ୍ତି ମୋ ଜନ୍ମଦାତ୍ରୀ ଜନନୀ! ରାମ କିଛି କ୍ଷଣ ପରେ ଉତ୍ତରଦେଲେ- ”ମାଆ! ମୁଁ ତୁମର ପୁଅ। ଦଶରଥ ସୁତ କୌଶଲ୍ୟାନନ୍ଦନ ରାମ। ବାସ୍‌, ତାହା ବାହାରେ ଯଦି ଅନ୍ୟ କିଛି ପରିଚୟ ଥାଏ, ତେବେ ତାହା ଅତି ଗୌଣ।“
କୌଶଲ୍ୟାଙ୍କୁ ସନ୍ତୁଷ୍ଟ କଲା ନାହିଁ ରାମଙ୍କର ଏହି ସରଳ କଥନ। ସେ କହିଲେ, ”ମୋ ବ୍ୟତୀତ ଅବଶିଷ୍ଟ ସଂସାର ତୁମକୁ ବିଷ୍ଣୁଙ୍କ ଅବତାର ବୋଲି କହୁଛି। ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ଡାକୁଛି। ମୁଁ ଅଯୋଧ୍ୟା ଛାଡ଼ି କାଲି ବାନପ୍ରସ୍ଥରେ ବାହାରିବି। ଯିବା ପୂର୍ବରୁ ଏତିକି ଜାଣିବାକୁ ଚାହୁଁଛି ଯେ ମୋ ଗର୍ଭରୁ କିଏ ଜନ୍ମ ନେଇଛନ୍ତି! ଜଣେ ସାଧାରଣ ରାଜପୁତ୍ର ନା ସ୍ବୟଂ ସୃଷ୍ଟିକର୍ତ୍ତା ଭଗବାନ! ତୁମେ ଯଦି ସ୍ବୟଂ ଭଗବାନ, ତେବେ ଏକ ଦିବ୍ୟ ପୁଲକରେ ଶିହରିତ ହେବ ମୋ ମାତୃତ୍ୱ। ଧନ୍ୟ ହେବ ମୋର ମାଆପଣ, ଏଥିପାଇଁ ଯେ ସଂସାରରେ ଏତେ ମାଆ ଥାଉ ଥାଉ ଈଶ୍ୱର ମୋ ଗର୍ଭକୁ ବାଛି ମୋତେ କୃପା କରିଛନ୍ତି। ଯଦି ତାହା ବି ନୁହେଁ, ତୁମେ ଜଣେ ସାଧାରଣ ସନ୍ତାନ; ତଥାପି ଗର୍ବ କରିବି ଏହି କାରଣରୁ ମୋ ପୁଅ ଏମିତି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଯେ ସାରା ସଂସାର ତାଙ୍କୁ ସାଧାରଣ ପୁରୁଷ ନ କହି କହୁଛି ମର୍ଯ୍ୟାଦା ପୁରୁଷୋତ୍ତମ। ଉଭୟ ଆଡୁ ମୋ ମାତୃତ୍ୱ ହେବ ଗୌରବମଣ୍ଡିତ।“
ବିଷମ ମୁହୂର୍ତ୍ତର ସମ୍ମୁଖୀନ ହେଲେ ମର୍ଯ୍ୟାଦାପୁରୁଷ। କ’ଣ ବା ଉତ୍ତର ଦେବେ ନିଜ ଜନନୀଙ୍କୁ! କେମିତି ବା ଜଣେ ମାଆ ପଣତକାନିରେ ଦିବ୍ୟ ଅନନ୍ୟତାର ଗୌରବ ଟେକିଦେଇ ଅନ୍ୟ ମାଆଙ୍କ ପ୍ରତି ଅବିଚାର କରିବେ! ଶେଷରେ ଯାହା କହିଲେ, ତାହା ବୋଧହୁଏ ସଂସାରର ସବୁ ମାତାଙ୍କ ସପକ୍ଷରେ ଏକ ସର୍ବକାଳୀନ ସ୍ବୀକୃତିର ସର୍ବଶ୍ରେଷ୍ଠ ସିଦ୍ଧାନ୍ତ। କହିଲେ- ”ମାଆ! ମୁଁ ଭଗବାନ କି ନୁହେଁ, ଏକଥା ଜାଣେ ନାହିଁ। କିନ୍ତୁ ଏତିକି ଜାଣିଛି ଯେ ମାଆଙ୍କ ସଂସ୍କାର ଓ ଆଶୀର୍ବାଦ ମିଳିଲେ ପ୍ରତ୍ୟେକ ମଣିଷ ଭଗବାନ ହୋଇପାରିବେ।“ ଆଃ, କି ଦିବ୍ୟ ସନ୍ଦେଶ ସାରା ସଂସାରର ସବୁ ମାଆମାନଙ୍କ ପାଇଁ! ଏଥିପାଇଁ ତ ସେ ଅନନ୍ୟ, ଅସାଧାରଣ, ମର୍ଯ୍ୟାଦା ପୁରୁଷୋତ୍ତମ!
ଉତ୍ତର ରାମାୟଣରେ ବର୍ଣ୍ଣିତ ମାତାପୁତ୍ର ଆଳାପ ପ୍ରସଙ୍ଗରେ ଜୀବନ ଦର୍ଶନ ଓ ମାନବୀୟ ଉତ୍ତରଣର ଭିନ୍ନ ପରିଭାଷା ମଧ୍ୟରେ ଚିତ୍ରିତ ହୋଇଛି ସୁମାତାମାନଙ୍କ ଚରିତ୍ର। ଏମିତି ତ ସଂସାରର ସବୁ ମାଆ ସୁମାତା ପର୍ଯ୍ୟାୟର। କୌଣସି ମାଆ କେବେ ବି ତାଙ୍କ ସନ୍ତାନଙ୍କ ଅମଙ୍ଗଳ କାମନା କରିପାରନ୍ତି ନାହିଁ। ସନ୍ତାନ ଉପରେ ସେମାନେ ଅଜାଡ଼ି ପକାନ୍ତି ସଂସାରଯାକର ସୁଖ ଓ ସମୃଦ୍ଧି। ତେବେ ଧନପତିର ଐଶ୍ୱର୍ଯ୍ୟ ହେଉ କି କାଙ୍ଗାଳର ଅଭାବ, ମାଆଙ୍କ ମହନୀୟ ମାତୃତ୍ୱ ଆଗରେ ଫିକା ପଡ଼ିଯାଏ ଅସୁମାରି ଧନରତ୍ନର ଔଜ୍ଜ୍ୱଲ୍ୟ ତ ପୁଣି ଦୂରକୁ ଘୁଞ୍ଚତ୍ୟାଏ ଦାରିଦ୍ର୍ୟର ଅନ୍ଧାର। ଅଥଚ ବିଡ଼ମ୍ବନାର ବିଷୟ, ସଂସାରରେ ପୁଣି ଏମିତି କିଛି ମାଆ ଅଛନ୍ତି, ଯେଉଁମାନେ ସେମାନଙ୍କ ସନ୍ତାନଙ୍କ ପାଇଁ ସମ୍ପଦ ନୁହେଁ, ବିପଦ ହୋଇ ଉଭା ହୁଅନ୍ତି!
କିଏ ଜଣେ ଶାସ୍ତ୍ରକାର କେବେ ଲେଖିଥିଲେ- ”ସଂସାରରେ କୁପୁତ୍ର ଥାଇପାରନ୍ତି ସିନା, କୁମାତା କେବେ ଥାଇ ନ ପାରନ୍ତି।“ କେଉଁ ସମୟର ଏହା ବିଶ୍ୱାସ କେଜାଣି, ଏବେ କିନ୍ତୁ ସେଇ ଶାସ୍ତ୍ରକାର ବଞ୍ଚତ୍ଥିଲେ ଏଇ ସମାଜରେ କୁମାତାମାନଙ୍କ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟା ଦେଖି ତାଙ୍କ ଅତୀତର ପର୍ଯ୍ୟବେକ୍ଷଣକୁ ବଦଳାଇବା ପାଇଁ ବାଧ୍ୟ ହୋଇଥାନ୍ତେ। ଅବଶ୍ୟ ନିଜ ବିବାହ ପୂର୍ବରୁ ପୁତ୍ର ସନ୍ତାନର ଜନନୀ ହେବାର ଲୋକଲଜ୍ଜାରୁ ମୁକ୍ତି ପାଇବାକୁ କର୍ଣ୍ଣଙ୍କୁ ନଦୀଗର୍ଭରେ ଭସାଇ ଦେଇଥିବା ସେକାଳର କୁନ୍ତୀଙ୍କୁ କୁମାତା ଶ୍ରେଣୀଭୁକ୍ତ କରାଯାଇଛି କି ନାହିଁ, ମାତ୍ର ଏବେ ଏଭଳି କୁମାରୀ ମାତାଙ୍କ ସଂଖ୍ୟା ଅଙ୍ଗୁଳିରେ ଗଣିବା ସମ୍ଭବ ନୁହେଁ। ଉଗ୍ର ଆଧୁନିକତାର ଆବାହନ ମଧ୍ୟରେ ଯୌବନର ଜୟଗାନ କରୁଥିବା ଯୁବାବର୍ଗଙ୍କ ନିକଟରେ ସୁମାତା ଓ କୁମାତାର ସଂଜ୍ଞା ନିରୂପଣ ଅତ୍ୟନ୍ତ ମୂଲ୍ୟହୀନ। ଚିନ୍ତାଜନକ ହେଉଛି, ସନ୍ତାନମାନେ ମାଆର ଜୀବନ ବୋଲି ଥିବା ଏକ ସଂସ୍କାରସିଦ୍ଧ ବିଶ୍ୱାସକୁ ପ୍ରତିହତ କରି ମାଆ ଜଣେ ନିଜ ସୁଖ ପାଇଁ କେଉଁଠି ସନ୍ତାନର ଜୀବନ ନେଉଛି ତ ଅନ୍ୟ କେଉଁଠି ସବୁଦନ ପାଇଁ ସନ୍ତାନକୁ ପରିତ୍ୟାଗ କରୁଛି।
ଅଳ୍ପ କେଇଦିନ ତଳେ ଗୋଟିଏ କମ୍ପାନୀର ଉଚ୍ଚ ପଦବୀରେ ଅଧିଷ୍ଠିତ ମାଆ ଜଣେ ନିଜ ସୁଖ ପଥରେ ତାଙ୍କ ଚାରିବର୍ଷର ପୁଅଟିକୁ କଣ୍ଟା ବିଚାରି ଅତ୍ୟନ୍ତ ନିର୍ମମ ଭାବେ ତାକୁ ହତ୍ୟା କରିଥିବାର ଖବର ପ୍ରକାଶ ପାଇଥିଲା। ପୁଣି ଏଇ ଆମ ରାଜ୍ୟର ପଶ୍ଚିମ ପ୍ରାନ୍ତରେ ମାଆଟିଏ ନିଜ ସଦ୍ୟଜାତ ଝିଅଟିକୁ ଅବାଞ୍ଛିତ ମନେ କରି ଏକ ପରିତ୍ୟକ୍ତ ବୋର୍‌ଓ୍ବେଲର ଗଭୀର ଗର୍ତ୍ତ ଭିତରକୁ ନିକ୍ଷେପ କରିଥିଲା। ଅବଶ୍ୟ ‘ରଖେ ହରି, ମାରେ କିଏ’ ଭଳି ଆପ୍ତବାଣୀକୁ ସତ୍ୟସିଦ୍ଧ କରି ନିୟତି ତାକୁ ବଞ୍ଚାଇ ରଖିଥିଲା। ଅନ୍ୟ ଏକ ଘଟଣାକ୍ରମରେ ନିଜର ଦୁଇ ଯମଜ ସନ୍ତାନଙ୍କୁ ହତ୍ୟା କରି କୂଅ ମଧ୍ୟକୁ ନିକ୍ଷେପ କରିଥିଲା ଆଉ ଜଣେ ରାକ୍ଷସୀ ମାଆ।
ମାଆଟିଏ, ସିଏ ମଣିଷ ହେଉ କି ପଶୁ, ତା’ ଗର୍ଭରୁ ଜନ୍ମ ନେଇଥିବା ସନ୍ତାନଟିଏ ଭିତରେ ସେ ଦେଖେ ନିଜକୁ, ଚିହ୍ନେ ନିଜ ଆତ୍ମାକୁ। ଅଥଚ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ନିଜ କାମବାସନା ଚରିତାର୍ଥ କରିବାକୁ ପରକୀୟାଲିପ୍ତ ମାଆ ଜଣେ ତା’ ସ୍ବାମୀର ଅବର୍ତ୍ତମାନରେ ନିଜ ପ୍ରେମିକ ସହ ମିଶି ହତ୍ୟା କରିପାରେ ନିଜ ଆତ୍ମଜାକୁ। ପୁଣି ଅନ୍ୟ କେଉଁଠି ଭାରତରେ ନିଜ ପତି ପରିବାର ସହ ଦୁଇ ପିଲାଙ୍କୁ ପରିତ୍ୟାଗ କରି ମାଆ ବୋଲାଉଥିବା ନାରୀ ଜଣେ ପାକିସ୍ତାନ ଚାଲିଯାଇପାରେ ଜଣେ ଅଦେଖା ପ୍ରେମିକର ସଙ୍ଗ ଲୋଡ଼ିବାକୁ! ଏମାନେ କ’ଣ ସେଇ ମାଆ, ଯାହାଙ୍କ ସଂସ୍କାର ଓ ଆଶୀର୍ବାଦ ମିଳିଲେ ସନ୍ତାନଟିଏ ମଣିଷରୁ ଈଶ୍ୱରରେ ରୂପାନ୍ତରିତ ହୋଇଯାଇପାରେ ବୋଲି ଏକଦା ପ୍ରଭୁ ଶ୍ରୀରାମ ତାଙ୍କ ମାତାଙ୍କୁ କହିଥିଲେ! ରାମ ଆଉ ଥରେ ଆବିର୍ଭୂତ ହୁଅନ୍ତେ ସିନା, ଜାଣନ୍ତେ ନବ୍ୟ ସଭ୍ୟତାର ଭବ୍ୟ ଆହ୍ବାନ ମଧ୍ୟରେ ସେଭଳି ମାଆ ନାହାନ୍ତି କି ସେପରି ସଂସ୍କାର ବି ନାହିଁ! ଅବକ୍ଷୟ ମୁହଁରେ ପଡ଼ି ସବୁ କିଛି ଭାସି ଚାଲିଛି ତଳକୁ ତଳକୁ, ରସାତଳକୁ!
ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri