ସୁନ୍ଦର ବଜେଟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକବର୍ଷ ଲାଗି ଉପସ୍ଥାପନ କରିଥିବା ବଜେଟକୁ ନେଇ ଦୁଇ ଦିନ ହେବ ଢେର ଆଲୋଚନା ହେଲାଣି। ଇନ୍ଦିରା ଗାନ୍ଧୀଙ୍କ ପରେ ପୂର୍ଣ୍ଣକାଳୀନ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହୋଇଥିବା ସୀତାରାମନ୍‌ ବ୍ରିଫ୍‌କେସ୍‌ ବଦଳରେ ‘ବହିଖାତା’ ଧରି ସଂସଦ ଭବନକୁ ପ୍ରବେଶ କରିବାକୁ ପରମ୍ପରା ଭଙ୍ଗର ଏକ ଦୃଷ୍ଟାନ୍ତ ବୋଲି ଅଭିହିତ କରାଯାଉଛି। କେତେକେ ବଜେଟକୁ ‘ନୂଆ ଭାରତ’ ପାଇଁ ଏକ ଦିଗବାରେଣୀ କହୁଥିବା ବେଳେ ସମାଲୋଚକମାନେ ଏହାକୁ ଅସ୍ବଚ୍ଛ ବଜେଟ କହିଲେଣି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରଙ୍କ ନିଷ୍ପତ୍ତିକୁ ଶାସକ ଦଳ ସମର୍ଥନ କରିଥାଆନ୍ତି ଓ ବିରୋଧୀ ଭିନ୍ନ ପ୍ରତିକ୍ରିୟା ଦେବା ସ୍ବାଭାବିକ। ୫ ଜୁଲାଇର ବଜେଟ ଉପସ୍ଥାପନ ଶୈଳୀକୁ ଦେଖିଲେ ସୀତାରାମନ୍‌ଙ୍କ ଉଚ୍ଚାରଣ ଓ ବୁଝାଇବା ଶୈଳୀ ପ୍ରଶଂସନୀୟ ଥିବା କୁହାଯାଉଛି। ହେଲେ ସେହି ଉତ୍ସାହ ବଜେଟର ବିଷୟବସ୍ତୁରେ ସ୍ଥାନିତ ହୋଇ ନ ଥିବା ଅନେକେ ଅନୁଭବ କରିଛନ୍ତି। ପ୍ରତ୍ୟେକ ପଦକ୍ଷେପରେ ଅର୍ଥମନ୍ତ୍ରୀ ଯେଉଁ ଦିଗକୁ ସୂଚାଉଥିଲେ, ସେଥିରେ ଲମ୍ବା ସମୟର ଭିଜନ୍‌ ବା ଦୃଷ୍ଟିପଥ ପ୍ରତିଫଳିତ ହେଉଥିଲା। ଦେଖିବାକୁ ଗଲେ ଉପସ୍ଥାପିତ ବଜେଟ ଆସନ୍ତା ୨୦୨୦ ଫେବୃୟାରୀ ସୁଦ୍ଧା ଶେଷ ହେବ। ୭ ମାସର ଆୟୁଷ ରଖିଥିବା ଏହି ଖର୍ଚ୍ଚ ଅଟକଳ ବାସ୍ତବରେ ଗତଥରର ନିର୍ବାଚନୀ ଘୋଷଣାରେ ଭର୍ତ୍ତି ବଜେଟକୁ ସମ୍ଭାଳିବାରେ ଅଧିକ ଶକ୍ତି ପ୍ରୟୋଗ କରିଛି। ସେହିପରି ସାଧାରଣ ବଜେଟ ସହ ରେଲଓ୍ବେ ବଜେଟ ମିଶ୍ରଣ ହୋଇଥିଲେ ହେଁ ରେଳର ବିଭିନ୍ନ କ୍ଷେତ୍ର ପାଇଁ ଅନୁଦାନ ଅଦ୍ୟାବଧି ଘୋଷଣା କରାଯାଇ ନାହିଁ। ସୀତାରାମନ୍‌ ବଜେଟ ଉପସ୍ଥାପନ ବେଳେ ବ୍ୟୟବରାଦର ତଥ୍ୟ ଆନେକ୍ସଚର ବା ସଂଯୁକ୍ତପତ୍ରରେ ରହିଥିବା ବାରମ୍ବାର କହୁଥିବା ଦେଖିବାକୁ ମିଳିଥିଲା। ବିଶ୍ଳେଷକଙ୍କ ମତରେ ଏନ୍‌ଡିଏ-୧ ସରକାରଙ୍କ ସଫଳତା ବଖାଣିବାରେ ବଜେଟର ୭୦ ପ୍ରତିଶତ ସମୟ ଯାଇଥିବା ବେଳେ ୩୦ ପ୍ରତିଶତ ଚଳିତ ବଜେଟ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ସମୀକ୍ଷକ କହିଲେଣି ଯେ, ଉପସ୍ଥାପିତ ବଜେଟ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖାଯାଇ କରାଯାଇଛି। ସୁପର ରିଚ୍‌ ଅବା ଅତିଧନୀଙ୍କ ଉପରେ ଅଧିକ ଟିକସ ବସାଯାଇଥିବାରୁ ତାହା ଗରିବଙ୍କୁ ଖୁସି ଦେବ ବୋଲି ଚିନ୍ତାଧାରା ସୃଷ୍ଟି କରାଯାଇଛି। ସାଧାରଣରେ ଏକ ମାନସିକତା ରହିଛି ଯେ, ଧନୀ ସମାଜରୁ ସବୁକିଛି ନେଇଯାଉଥିବାରୁ ସେମାନଙ୍କ ଉପରେ ଅଧିକ ଟିକସ ବସିଲେ ଭଲ। ଅନ୍ୟପଟେ ଗାଁ, ଗରିବ ଏବଂ କୃଷକଙ୍କ ନାମ ନେଇ ଯୋଜନା ବା କାର୍ଯ୍ୟକ୍ରମ ଘୋଷଣା ହୋଇଗଲେ ସରକାରଙ୍କୁ ପ୍ରଶଂସା ମିଳିଥାଏ। କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ। ୨ କୋଟିରୁ ୫ କୋଟି ଏବଂ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ବର୍ଦ୍ଧିତ ପ୍ରତିଶତ ଟିକସର ଅର୍ଥ ନୁହେଁ ସରକାରଙ୍କ ଆୟ ଯଥେଷ୍ଟ ବୃଦ୍ଧି ଘଟିବ। ସେହିପରି ଯଦି ଦେଖାଯାଏ, ମଧ୍ୟମ ଓ କ୍ଷୁଦ୍ର ବ୍ୟବସାୟୀ କିମ୍ବା ଉଦ୍ୟୋଗୀଙ୍କ ଆୟ ୨ରୁ ୫ କୋଟି ଟଙ୍କା ବା ତଦୂର୍ଦ୍ଧ୍ୱ ହେବା ଆଜିର ପରିସ୍ଥିତିରେ ଅସ୍ବାଭାବିକ ନୁହେଁ। କିନ୍ତୁ ଏହି ପରିମାଣ ଆୟ କେବେହେଲେ ଲାଭ ବୋଲି କହିହେବ ନାହିଁ। ସେହି ସ୍ତରର ଉଦ୍ୟୋଗ ପାଇଁ ଏହି ପରିମାଣର ଲାଭ ତା’ର ଦୈନନ୍ଦିନ ଖର୍ଚ୍ଚରେ ବ୍ୟବହୃତ ହୋଇଥାଇପାରେ। ସେହିଭଳି ଉଦ୍ୟୋଗରେ ଅନେକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥାଏ। ଏଭଳିି କ୍ଷେତ୍ରରେ ଉଦ୍ୟୋଗକୁ କିଭଳି ପ୍ରୋତ୍ସାହନ ଦିଆଗଲେ ଅର୍ଥନୈତିକ ଅଭିବୃଦ୍ଧି ଘଟିପାରିବ, ସେ ସଂକ୍ରାନ୍ତରେ ବଜେଟରେ ଅନୁଧ୍ୟାନ କରାଯାଇ ନାହିଁ। ଧନୀଙ୍କୁ ସରକାର ବିରୋଧ କରୁଛି ବୋଲି ଦର୍ଶାଯାଉଥିଲେ ହେଁ ପ୍ରକୃତରେ ବଡ଼ ଶିଳ୍ପପତିଙ୍କୁ ପ୍ରୋତ୍ସାହନ ଦିଆଯାଉଛି।
ଗାଁ ଓ ଗରିବ କଥାକୁ ଫେରିବା। ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ, ୨୦୨୪ ସୁଦ୍ଧା ଗାଁକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ, ମହିଳାମାନଙ୍କୁ ସଶକ୍ତ କରିବା ସକାଶେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କୁ ୫ ହଜାର ଟଙ୍କା ଓଭରଟ୍ରାଫ୍ଟ ନେବାର ସୁଯୋଗ ସୃଷ୍ଟି କରାଯାଇଛି। ଆଜିର ସ୍ଥିତିରେ ବାସ୍ତବ ଦିଗକୁ ଦେଖିଲେ ମାତ୍ର ୫ ହଜାର ଟଙ୍କାରେ କୌଣସି ମହିଳା ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବା ଆଦୌ ସମ୍ଭବ ନୁହେଁ। ତେବେ ଏହିଭଳି କିଛି ସୁବିଧା ଦେବାକୁ ଯାଇ କେନ୍ଦ୍ର ସରକାର ଆର୍ଥିକ ଭରଣା ସକାଶେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଟିକସ ବଢ଼ାଇ ଦେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ସମାଜର ପ୍ରତ୍ୟେକ ବର୍ଗଙ୍କ ଉପରେ ବୋଝ ପକାଇବା ପାଇଁ ଯଥେଷ୍ଟ। କାରଣ ପେଟ୍ରୋ ସାମଗ୍ରୀର ଦର ବଢ଼ିଲେ ସବୁକିଛି ବଢ଼ିଯାଇଥାଏ। ଉଲ୍ଲେଖଯୋଗ୍ୟ, ପେଟ୍ରୋଲ ଓ ଡିଜେଲ ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁ ନ ଥିବାରୁ ଏହାକୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନକୁ ଆଣିବା ଲାଗି ଦାବି ହେଉଥିଲା। ହେଲେ ତାହା ହୋଇପାରି ନାହିଁ। ବରଂ ‘ବୋଝ ଉପରେ ନଳିତାବିଡ଼ା’ ପରି ଏହା ଉପଭୋକ୍ତାଙ୍କ ଖର୍ଚ୍ଚ ବଢ଼ାଇ ଚାଲିବ।
ନିର୍ମଳାଙ୍କ ବଜେଟକୁ ଦେଖିଲେ, ତାଙ୍କ ଦୃଷ୍ଟିପତ୍ରରେ ସରକାରଙ୍କ ଜିଦ୍‌ ବଜାୟ ରଖିବା ଲାଗି କେତେକ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଯାଉଛି। ଏଥିମଧ୍ୟରୁ ‘ଆଧାର କାର୍ଡ’ ଅନ୍ୟତମ। ବଜେଟରେ କୁହାଯାଇଛି ଯେ, ଆୟକର ଦାଖଲ ଲାଗି ପାନ୍‌ କାର୍ଡ ନ ଥିଲେ ମଧ୍ୟ ଆଧାର ନମ୍ବର ମାଧ୍ୟମରେ ତାହା କରାଯାଇପାରିବ। ୭ ଜୁଲାଇରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି, ଯେଉଁ ବ୍ୟକ୍ତିଙ୍କର ଆଧାର କାର୍ଡ ଥିବ, ତାଙ୍କୁ ପାନ୍‌ କାର୍ଡ ସହଜରେ ମିଳିଯିବ। ଅର୍ଥାତ୍‌ ଆଧାରକୁ ସଶକ୍ତ କରିବା ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି। ସେହିପରି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଚିନ୍ତାଧାରା ପରି ବିଦ୍ୟୁତ୍‌ଶକ୍ତି କ୍ଷେତ୍ରରେ ‘ଏକ ଦେଶ, ଏକ ଗ୍ରୀଡ୍‌’ ବିଷୟ ବଜେଟରେ କୁହାଯାଇଛି। ହେଲେ ଏହାର ନକାରାତ୍ମକ ଦିଗକୁ ଦେଖିଲେ ଯୁଦ୍ଧ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି କୌଣସି ଘଟଣା ଘଟିଲେ, ସମ୍ପୂର୍ଣ୍ଣ ଦେଶ ଗୋଟିଏ ଗ୍ରୀଡ୍‌ରେ ଥିଲେ, ଅନ୍ଧାର ହୋଇଯିବା ଆଶଙ୍କା ରହିଛି। ସେଥିପାଇଁ ସବୁ ଅଞ୍ଚଳ ପାଇଁ ଭିନ୍ନ ଶକ୍ତିକେନ୍ଦ୍ର ଥିଲେ, ତାହା ଭବିଷ୍ୟତ ପାଇଁ ମଙ୍ଗଳମୟ। ଏଥିରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦୁର୍ବଳ ଶ୍ରେଣୀର ଉତ୍ଥାନ ଲାଗି ଚିନ୍ତା ପରିବର୍ତ୍ତେ ବିରାଟକାୟ ବ୍ୟବସାୟକୁ ସୁବିଧା ଦେବା ସହ ରାଜନୈତିକ ଉଦ୍ଦେଶ୍ୟ ପୂରଣ ଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଛି। ବଜେଟର ସାରାଂଶକୁ ଦେଖିଲେ ବୁଝିହେଉଛି ଯେ, କେନ୍ଦ୍ର ସରକାର ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ କରିଛନ୍ତି। ଆଗାମୀ ୫ ବର୍ଷରେ ଭାରତୀୟ ଅର୍ଥନୀତି ୫ ଟ୍ରିଲିୟନ ଡଲାର ବା ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଲି କୁହାଯାଇଛି। ହେଲେ ସେଭଳି ଅର୍ଥନୈତିକ ସ୍ଥିତିରେ ପହଞ୍ଚିବା ପାଇଁ ଆର୍ଥିକ ଦୃଷ୍ଟିକୋଣରୁ କୌଣସି ରୋଡ୍‌ମ୍ୟାପ୍‌ ବଜେଟରେ ପ୍ରଦାନ କରାଯାଇନାହିଁ। ଦେଖିବାକୁ ଗଲେ ଅଣଆର୍ଥିକ ପ୍ରସଙ୍ଗ ବଜେଟରେ ପ୍ରାଧାନ୍ୟ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri