ସମୟ ଚକ୍ର ବୁଲୁଛି

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ଏପରି କିଛି କଥା ଅଛି, ଯାହା ଆମଭଳି ବହୁ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି। କାହାକୁ ସମାଲୋଚନା କରିବା ଆମ ଉଦ୍ଦେଶ୍ୟ ନୁହେଁ। ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖି ଆମ ଚାରିଆଡ଼େ ଘଟି ଯାଉଥିବା କିଛି ଘଟଣା ବିଷୟରେ ଏଠାରେ ଉଲ୍ଲେଖ କରୁଛି।
କିଛି ଦିନ ତଳର ଘଟଣା। ମା’ର ମୃତ୍ୟୁ ହେଲା, ଅଥଚ ପୁଅର ଦେଖା ନାହିଁ। ଗଁା ଲୋକେ ମା’ଙ୍କ ମୃତଦେହକୁ କୋକେଇରେ ନେଇ ଶ୍ମଶାନରେ ଉପସ୍ଥିତ ହେଲେ। ମୁଖାଗ୍ନି ଦେବା ପାଇଁ ପୁଅକୁ ଖୋଜା ପଡ଼ିଲା। ପୁଅ ମଦନିଶାରେ ଟଳି ଟଳି ମା’ର ମୃତଦେହ ନିକଟକୁ ଆସିଲା। ଠିକ୍‌ଭାବେ ଠିଆ ମଧ୍ୟ ହୋଇପାରୁ ନ ଥାଏ। ଉପସ୍ଥିତ ଲୋକେ ପଚାରିଲେ, କୁଆଡ଼େ ଥିଲ? ପୁଅର ଉତ୍ତର ମଧ୍ୟ ସିଧା ଥିଲା-ମଦ ଦୋକାନକୁ ଯାଇଥିଲି, ଟିକେ ବିଅର ପିଇଦେଇଛି। ମନରେ ଟିକେ ବି ଅନୁଶୋଚନା ନାହିଁ।
ଆଉ ଏକ ଘଟଣା। ସାରଥି ଦତ୍ତା, ବୟସ ୬୫ ବର୍ଷ। ପିତୃ ଦିବସରେ ତାଙ୍କୁ ଭେଟିଥିବା କିିଛି ସ୍ବେଚ୍ଛାସେବୀଙ୍କୁ ସେ ତାଙ୍କ ମନର ବ୍ୟଥା ବ୍ୟକ୍ତକରି କହନ୍ତି, ମୁଁ ପିଲାମାନଙ୍କୁ ବହୁ କଷ୍ଟରେ ଲାଳନପାଳନ କରିଥିଲି। ଆଜି ସେମାନେ ସମସ୍ତେ ସମାଜରେ ପ୍ରତିଷ୍ଠିତ। ଆଜକୁ ତିନି ବର୍ଷ ତଳେ ମୋ ପିଲାମାନେ ମୋତେ ଘରୁ ତଡ଼ିଦେଲେ। ମୁଁ କିପରି ଅଛି, ସେ ବିଷୟରେ ସେମାନଙ୍କର ଖୋଜ ଖବର ନାହିଁ। ମୋ ଝିଅଜ୍ୱାଇଁ ବାଙ୍ଗାଲୋରରେ ଭଲ ଚାକିରି କରି ରହୁଛନ୍ତି। ସେମାନେ ମଧ୍ୟ ମୋତେ ନେବାକୁ ଚାହିଁଲେ ନାହିଁ। କାରଣ ଏହାଦ୍ୱାରା ସେମାନଙ୍କର ସମ୍ମାନରେ ଆଞ୍ଚ ଆସିବ। ତେଣୁ କ୍ୟାପିଟାଲ ହସ୍ପିଟାଲ ପଛପଟେ ଥିବା ରାତ୍ରି ଆଶ୍ରୟସ୍ଥଳୀରେ ଆଶ୍ରିତ।
ଆଉ ଜଣେ ଭଦ୍ରବ୍ୟକ୍ତି। ନାମ ଉଗ୍ରସେନ ସାହୁ। ପୁରୀରେ ଘର ଖଣ୍ଡେ କରିଥିଲେ। ଝିଅ ବିବାହ ବେଳକୁ ପୁଅମାନେ ଟଙ୍କା ନ ଦେବାରୁ ସେ ବାଧ୍ୟହୋଇ ଘରଟିକୁ ବିକିଦେଲେ। ପରବର୍ତ୍ତୀ ସମୟରେ ପୁଅମାନେ ତାଙ୍କୁ ଘରୁ ବାହାର କରିଦେବା ସହ ସ୍ତ୍ରୀଙ୍କୁ ତାଙ୍କ ବାପଘରେ ଛାଡ଼ିଦେଲେ। ଅନ୍ୟ ଉପାୟ ନ ପାଇ ଉଗ୍ରସେନ ପୁରୀ ବଡ଼ଦାଣ୍ଡରେ ଆସି କିଛିଦିନ ଭିକ ମାଗିଲେ। କିନ୍ତୁ ପରେ ଭାବିଲେ ପୁରୀରେ ବହୁ ଚିହ୍ନାଲୋକ ଅଛନ୍ତି, ସେ ଭିକ ମାଗୁଥିବା କଥା ଲୋକମାନେ ଜାଣିଲେ ପୁଅମାନଙ୍କର ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିବ। ତେଣୁ ସେ ପୁରୀ ଛାଡ଼ି ଉପରିଲିଖିତ ରାତ୍ରି ଆଶ୍ରୟସ୍ଥଳୀରେ ବାସ କରୁଛନ୍ତି।
ଆମେ ରହୁଥିବା ଅଞ୍ଚଳର ଗୋଟିଏ ଘଟଣା। ପାଞ୍ଚ ପୁଅ ଓ ତିନି ଝିଅ ଥାଇ ବୃଦ୍ଧା ମା’ ଅଲୋଡ଼ା। ତାଙ୍କର ଯତ୍ନ ନେବାକୁ କାହାର ଆଗ୍ରହ ନାହିଁ। ପ୍ରଥମେ ବୁଢ଼ୀ ବଳବୟସ ଥିବାବେଳେ ଏକୁଟିଆ ଘରଭଡ଼ା ନେଇ ଗୋଟିଏ ପୁଅ ରହୁଥିବା ଘର ପାଖରେ ଥିଲେ। ବର୍ତ୍ତମାନ ବଳବୟସ ଗଲାଣି, ସେ ଯାହା ଘୁଷୁରୁଛନ୍ତି। ତେଣୁ ସେ ଅନ୍ୟ ଉପାୟ ନ ପାଇ ଜରାଶ୍ରମରେ ରହୁଛନ୍ତି।
ପୁଅଟି ଅତିରିକ୍ତ ଶାସନ ସଚିବ ପାହ୍ୟାର ଜଣେ ଅଫିସର। ବାପାମା’ ବଞ୍ଚତ୍ଛନ୍ତି। ବାପା ସରକାରୀ ଚାକିରି କରୁଥିଲେ। ତେଣୁ ପେନସନ ମଧ୍ୟ ପାଉଛନ୍ତି। ପୁଅବୋହୂ ଓ ବାପାମା’ ଗୋଟିଏ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ ମଧ୍ୟ ଭିନ୍ନ ଭିନ୍ନ ବ୍ଲକ୍‌ରେ ରହୁଛନ୍ତି। ସେମାନଙ୍କ ହାଣ୍ଡି ଅଲଗା, ବୁଢ଼ୀଙ୍କର ବଳବୟସ ବି କମିଗଲାଣି। ଘୁଷୁରି ଘୁଷୁରି ଯାହା ରୋଷେଇବାସ କରି ସ୍ବାମୀଙ୍କୁ ଗଣ୍ଡେ ଖାଇବାକୁ ଦେଉଛନ୍ତି ଏବଂ ନିଜେ ଖାଉଛନ୍ତି। ବିଚରା ପୁଅଟି ସବୁ ଜାଣୁଥିଲେ ମଧ୍ୟ ସ୍ତ୍ରୀ କଥାରେ ଉଠ୍‌ବସ୍‌ ହେଉଛି।
୯୦ ମସିହା କଥା। ମୁଁ ଆଡିଶନାଲ ଟ୍ରେଜେରି ଅଫିସର ଭାବେ କାର୍ଯ୍ୟରତ ଥିଲି। ସେତେବେଳେ ମନ୍ତ୍ରୀମାନେ ନିଜେ ତାଙ୍କ ଦରମା ଓ ଟି.ଏ. ବିଲ୍‌ ଇତ୍ୟାଦି ଟ୍ରେଜେରିରେ ଦାଖଲ କରି ବ୍ୟାଙ୍କରୁ ଟଙ୍କା ନେଉଥିଲେ। ଜଣେ ମନ୍ତ୍ରୀଙ୍କ ପାଖରେ ଥିବା ଜମାଦାର ଉକ୍ତ ବିଲ୍‌ ସବୁକୁ ନେଇ ଆସୁଥିଲେ। ତେଣୁ ତାଙ୍କ ସହିତ ଚିହ୍ନାପରିଚୟ ଥିଲା। ମୁଁ ସେହି ଟ୍ରେଜେରିରେ କାମ କରୁଥିବା ବେଳେ ସେ ସରକାରୀ ଚାକିରିରୁ ଅବସର ନେଲେ। କଥା ପ୍ରସଙ୍ଗରେ କହିଲେ ଯେ, ସେ ପ୍ରାକ୍‌ସ୍ବାଧୀନତା କାଳରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ କୌଣସି ଏକ ମନ୍ତ୍ରୀଙ୍କ ପାଖରେ ଜମାଦାର ଭାବରେ ଚାକିରି ଆରମ୍ଭ କରିଥିଲେ। ଅପୁତ୍ରକ ଥିବା ହେତୁ ପୁତୁରାକୁ ପୁଅ କରିଥିଲେ। ମନ୍ତ୍ରୀଙ୍କ ଦପ୍ତରରେ କାମ କରୁଥିବା ହେତୁ କୁହାପୋଛା କରି ତାଙ୍କ ଜାଗାରେ ତାଙ୍କ ପୁତୁରାକୁ ରଖାଇଲେ ଏବଂ ସେ ରହୁଥିବା କ୍ୱାର୍ଟର୍ସଟିକୁ ମଧ୍ୟ ପୁତୁରା ନାମରେ କରାଇଦେଲେ। ଯେଉଁଦିନ ସେ ଅବସର ନେଲେ, ପୁତୁରା ପଚାରିଲା, ଦାଦି ତୁମେ କେବେ ଗଁାକୁ ଯିବ? ଲୋକଟି ଅତ୍ୟନ୍ତ ସ୍ବାଭିମାନୀ ଥିଲା। ସେ ଟ୍ରେଜେରିରୁ ତାଙ୍କର ପ୍ରଥମ ପେନ୍‌ସନଟି ନେଇ ଗ୍ରାମାଞ୍ଚଳରେ ଥିବା ଟ୍ରେଜେରିକୁ ତାଙ୍କ ପେନ୍‌ସନ ବହି ପଠାଇବାକୁ ଅନୁରୋଧ କରି ଦରଖାସ୍ତଟିଏ ଦେଇ ତାଙ୍କ ଦୁଃଖ କହିଲେ, ଆଜ୍ଞା! ସବୁ ଗଛ ଲଗାଇବେ କିନ୍ତୁ ମଣିଷ ଗଛ ଲଗାଇବେ ନାହିଁ।
ଏସବୁ ଘଟଣା ଦେଖି ଓ ଶୁଣି ଆମକୁ ଫକୀରମୋହନଙ୍କ ଗଳ୍ପ ‘ଡାକମୁନ୍‌ସୀ’ ଓ ‘ସଭ୍ୟ ଜମିଦାର’ କଥା ମନେପଡ଼ିଯାଉଛି। ବାପାମା’ଙ୍କୁ ଅବହେଳା କରୁଥିବା ପୁଅ-ବୋହୂଙ୍କୁ ଆମର ପରାମର୍ଶ- ବାବୁ! ଯୌବନ ସବୁଦିନ ରହେ ନାହିଁ। ଆଜି ତୁମେ ଯୁବକ ବା ଯୁବତୀ ଅଛ, ଆସନ୍ତାକାଲି ଏଇ ବୁଢ଼ାବୁଢ଼ୀଙ୍କ ପରି ଯେ ନ ଘୁଷୁରିବ ସେ କଥା କିଏ କହିବ? ତୁମେ ତୁମ ବାପା ମା’ଙ୍କୁ ଯେପରି ଅବହେଳା କରୁଛ ସେସବୁର ମୂକସାକ୍ଷୀ ହେଉଛନ୍ତି ତୁମ ପିଲାମାନେ। ସମୟ ଚକ୍ର ବୁଲୁଛି। ସୁତରାଂ ଏସବୁ ଘଟଣାର ଯେ ତୁମ ଜୀବନରେ ପୁନରାବୃତ୍ତି ହେବ ନାହିଁ ଏ କଥା କିଏ କହିବ?
ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri