ସମ୍ପାଦକୀୟ/ବୁଦ୍ଧି ଲୋଡ଼ା

ଚଳିତବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଥିବା ଭାରତୀୟ-ଆମେରିକୀୟ ଅଭିଜିତ୍‌ ବାନାର୍ଜୀ ୨୨ ଅକ୍ଟୋବରରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍‌ ଆଲୋଚନା କରିଛନ୍ତି। ଏହି ଅବସରରେ ଅଭିଜିତ୍‌ଙ୍କ ମାନବ ସମ୍ବନ୍ଧୀୟ ସଶକ୍ତୀକରଣ ଲାଗି ଥିବା ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଟୁଇଟ୍‌ ଜରିଆରେ ପ୍ରଶଂସା କରିଛନ୍ତି। ତେବେ ମୋଦିଙ୍କୁ ସାକ୍ଷାତ୍‌ କରି ଫେରିବା ପରେ ଗଣମାଧ୍ୟମକୁ ଅଭିଜିତ୍‌ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସତର୍କ କରାଇ ଦିଆଯାଇଥିବାରୁ ସେ କୌଣସି ବିବୃତି ଦେବାକୁ ଚାହୁଁନାହାନ୍ତି। ସେ ଗଣମାଧ୍ୟମକୁ ଅନ୍ୟ ଏକ କଥା ମଧ୍ୟ କହିଛନ୍ତି। ତାଙ୍କୁ କୁଆଡ଼େ ମୋଦି ବିରୋଧୀ ଭାବେ ଚିତ୍ରଣ କରିବାକୁ ଗଣମାଧ୍ୟମ ଆଗେଇ ଆସିଛି ବୋଲି ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ କୌତୂହଳରେ କହିଥିଲେ। ଯେତେବେଳେ ଏଭଳି ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି ଆଲୋଚନା କରନ୍ତି, ସେତେବେଳେ ସାଧାରଣରେ ବିଶ୍ୱାସ କରାଯାଏ ଯେ, ଜଣେ ଅନ୍ୟ ଜଣଙ୍କୁ ସଦ୍‌ବୁଦ୍ଧି ଦେଇଥିବେ। ଏଭଳି ବାର୍ତ୍ତାଳାପରେ ଯିଏ ଅପରପକ୍ଷକୁ ଅଧିକ ଜ୍ଞାନରେ ପ୍ରଭାବିତ କରିପାରିଲେ, ତାହା ଦ୍ୱାରା ସମାଜର ମଙ୍ଗଳ ଘଟିବାର ସମ୍ଭାବନା ରହିଛି। ଏହାକୁ ସହଜରେ କହିବାକୁ ଗଲେ ଯଦି ମୋଦି ତାଙ୍କର ଅର୍ଥନୈତିକ ନୀତିର ‘ସଫଳତା’କୁ ବିଶ୍ଳେଷଣ କରି ବାନାର୍ଜୀଙ୍କୁ ବୁଝାଇ ଦେଇପାରିଲେ, ତେବେ ନୋବେଲ ବିଜେତାଙ୍କ ଦକ୍ଷତା ସମ୍ପର୍କରେ ପ୍ରଶ୍ନ ଉଠିପାରେ। ଅନୁରୂପ ଭାବେ ଯଦି ଅଭିଜିତ୍‌ ତାଙ୍କର ଅର୍ଥନୈତିକ ଗବେଷଣାରୁ ଆହରଣ କରିଥିବା ଜ୍ଞାନ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ପ୍ରଜ୍ଞା ଦେଇ ପ୍ରଭାବିତ କରିଥିବେ, ତେବେ ଭାରତର ମଙ୍ଗଳ ହେବାର ସୂତ୍ର ମିଳିପାରେ। ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ନିର୍ବାଚନୀ ରାଜନୀତି, ତାହା ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାର ପଦ୍ଧତି ଏବଂ ପ୍ରଶାସନିକ ଅଭିଜ୍ଞତାରେ ମୋଦିଙ୍କ ଦଖଲ ଅଛି। ଅପରପକ୍ଷରେ ଅନ୍ତର୍ଜାତୀୟ ଅର୍ଥନୈତିକ ଭିତ୍ତିଭୂମି ସମ୍ପର୍କିତ ଜ୍ଞାନ ନୋବେଲ ବିଜେତା ଅଭିଜିତ୍‌ଙ୍କ ଅଧିକ ରହିଛି।
ଭାରତର ଏକ ବିରାଟବଡ଼ ଦୁଃଖ ରହିଛି, ଯାହାକୁ ଆମେ ସ୍ବୀକାର କରୁନାହୁଁ। ଭାରତର ଦୁଃଖ ହେଲା, ଏହି ଦେଶରେ କୌଣସି ଯୋଗ୍ୟ ବ୍ୟକ୍ତି ଅର୍ଥନୈତିକ ବ୍ୟବସ୍ଥାରେ ମିଶିକରି ରହିପାରୁନାହାନ୍ତି। ଏହାଫଳରେ ଯିବାଆସିବା ଲାଗି ରହିଛି। ଅନ୍ୟପଟେ ଭାରତରେ ଜନ୍ମ ନେଇ ଅନେକ ଅର୍ଥନୀତିଜ୍ଞ ଏବେ ସମଗ୍ର ପୃଥିବୀରେ ନିଜ ବୁଦ୍ଧିର ପ୍ରଭାବ ବିସ୍ତାର କରିଛନ୍ତି। ଅଭିଜିତ୍‌ ବାନାର୍ଜୀଙ୍କ ସମେତ ରଘୁରାମ ରାଜନ୍‌, ଗୀତା ଗୋପୀନାଥ୍‌ଙ୍କ ଭଳି ଅନେକ ଭାରତୀୟ ବିଦେଶରେ ରହିଥିବା ସତ୍ତ୍ୱେ ଏହି ଦେଶର ପାଣିପବନ ସହିତ ଅତି ଭଲ ଭାବେ ସଂଶ୍ଳିଷ୍ଟ। ଅବସୋସର ବିଷୟ ହେଉଛି ଯେ, ଆମର ରାଜନେତା ଓ ଅମଲାତନ୍ତ୍ରୀମାନେ ଏହି ଦେଶର ଅର୍ଥନୈତିକ ମଙ୍ଗ ଧରେଇବାକୁ ଚାହୁଁନାହାନ୍ତି, ଯାହାଫଳରେ କୌଣସି ଚିନ୍ତାଧାରାକୁ ପ୍ରୟୋଗ କରିବା କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଉଚିତ ସମୟରେ ଉପଦେଶ ନେବା ଆମ ବ୍ୟବସ୍ଥା ଦ୍ୱାରା ଗ୍ରହଣୀୟ ହେଉନାହିଁ। ଏଥିଯୋଗୁ ଆମର ଲାଗୁ କରାଯାଉଥିବା ନୀତି ନିୟମ ବାସ୍ତବତାଠାରୁ ଯଥେଷ୍ଟ ଦୂରରେ ରହୁଛି। କଥାରେ କୁହାଯାଉଛି, ଉଡ଼ାଜାହାଜ ପଡ଼ିଆ, ବନ୍ଦର, ବୃହତ୍‌ ଶିଳ୍ପ ଇତ୍ୟାଦି ନିର୍ମାଣ କରାଗଲେ ଦେଶର ଉନ୍ନତି ଘଟିବ। କିନ୍ତୁ ଯଦି ଗୋଟିଏ ବର୍ଷାଋତୁ ଦୁର୍ବଳ ପଡ଼ିଯାଉଛି, ତେବେ ଜାତୀୟ ସେନ୍‌ସେକ୍ସ ଆଣ୍ଠେଇ ପଡ଼ୁଛି। ଏଥିରୁ ଜଣାପଡ଼ୁଛି ଯେ, ଭାରତୀୟ ଭିତ୍ତିଭୂମି ଏବଂ ଶିଳ୍ପ ନିଜ ଭବିଷ୍ୟତ ନିର୍ଦ୍ଧାରଣ କରିବାରେ ଆଜିପର୍ଯ୍ୟନ୍ତ ବିଫଳ। କୃଷି ଏବଂ ଗ୍ରାମ୍ୟ ଅର୍ଥନୀତି ଯୋଗୁ ଏହି ଦେଶ ତିଷ୍ଠିଛି। କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କ ବଜେଟ ଦେଖିଲେ ସେଗୁଡ଼ିକର ଦିଗ ସାଧାରଣତଃ ସହରାଭିମୁଖୀ। ବଡ଼ ଶିଳ୍ପ, ଖଣି ଏବଂ ଭିତ୍ତିଭୂମି ନିର୍ମାଣ ପ୍ରତି ଅଧିକ ବ୍ୟୟବରାଦ କରାଯାଉଥିବା ବେଳେ ଲୋକଙ୍କ ମେରୁଦଣ୍ଡ ସୁଦୃଢ଼ ଦିଗରେ ଧ୍ୟାନ ଦିଆଯାଉନାହିଁ। କେବଳ କଥାରେ କୁହାଯାଉଛି, ଭାରତୀୟ ଅର୍ଥନୀତି କୃଷିଭିତ୍ତିକ। କିନ୍ତୁ ଅର୍ଥନୀତିକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ, ସେଥିରେ ଘଟୁଥିବା ପରିବର୍ତ୍ତନ ଦେଶକୁ ତଳକୁ ଟାଣିନେଉଛି। ତେଣୁ କୁହାଯାଇପାରେ ଯେ, କୌଣସି ଅର୍ଥନୈତିକ ପରିକଳ୍ପନା କରା ନ ଯାଇ ଯେଉଁ ପ୍ରକାରର ଚିନ୍ତାହୀନ ପଦକ୍ଷେପଗୁଡ଼ିକ ନିଆଯାଉଛି, ତାହାଫଳରେ ଭାରତୀୟ ଅର୍ଥନୀତି ଅଧିକରୁ ଅଧିକ ଦୁର୍ବଳ ହେବାରେ ଲାଗିଛି। ଏହି ସମୟରେ ଅଭିଜିତ୍‌ଙ୍କ ଭଳି ବିଶେଷଜ୍ଞମାନଙ୍କ ସାହାଯ୍ୟ ଲୋଡ଼ାଯିବା ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ଆମର କେନ୍ଦ୍ରମନ୍ତ୍ରୀମାନେ ଅଭିଜିତ୍‌ଙ୍କ ବ୍ୟକ୍ତିତ୍ୱକୁ ବାମପନ୍ଥୀ ଚିନ୍ତାଧାରାର କହି ତାଙ୍କ ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇବାରେ ଅଧିକ ବ୍ୟସ୍ତ। ସକାରାତ୍ମକ ମନୋଭାବ ରଖିଥିବା ବ୍ୟକ୍ତି ନିଜର ଦୋଷତ୍ରୁଟିକୁ ସ୍ବୀକାର କରିବାରେ ଭୟ କରେନାହିଁ। ସେଭଳି ବ୍ୟକ୍ତିଙ୍କୁ ଖୋଜି ପାଇବା ଆଜିର ଭାରତରେ କଷ୍ଟକର ହୋଇପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri