ସମ୍ପାଦକୀୟ/ଗ୍ରହଣ କରନାହିଁ

ଭାରତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଅନେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେବାର ଅଭିଯୋଗ ଜଣାଶୁଣା ବିଷୟ ଭାବେ ରହିଆସିଛି। ଯେବେଠାରୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଆଧାରକୁ ପିଡିଏସ୍‌ ସହ ଯୋଡ଼ାଗଲାଣି, ସେବେଠୁ ବହୁ ଲୋକ ଅଧିକ ହଇରାଣ ହରକତ ହେଉଛନ୍ତି। ଯାହାଙ୍କ ପାଖରେ ଆଧାର ନମ୍ବର ନାହିଁ ସେମାନେ ଏହି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୁଃଖ କେବଳ ସେହିଠାରେ ଅଟକିଯାଇ ନାହିଁ। ଆଧାର କାର୍ଡ ନ ଥିବାରୁ ଖାଦ୍ୟଶସ୍ୟ ନ ପାଇ ଝାଡଖଣ୍ଡ ସିମ୍‌ଡେଗା ଅଞ୍ଚଳର ୧୧ ବର୍ଷୀୟା ସନ୍ତୋଷୀ ୨୮ ସେପ୍ଟେମ୍ବର ୨୦୧୮ରେ ପ୍ରାଣ ହରାଇଥିବା ବିଷୟ ସେତେବେଳେ ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଗଣମାଧ୍ୟମ ଦୃଷ୍ଟିକୁ ଆସୁଥିବା ଏଭଳି ଦୁଃଖଦ କାହାଣୀ ସଂଖ୍ୟା ଖୁବ୍‌ ନଗଣ୍ୟ। ଦେଶର କୋଣଅନୁକୋଣରେ ଏଭଳି ଘଟଣା ଦୈନିକ ଘଟିବାରେ ଲାଗିଛି। କିନ୍ତୁ ଆଜିର କେନ୍ଦ୍ର ସରକାରଙ୍କ କ୍ରୋଧର ଶିକାର ହେବା ପରିବର୍ତ୍ତେ ଆଧାର ବିରୋଧରେ ବାସ୍ତବ ସ୍ଥିତି ଆଲୋଚନା କରିବାକୁ ସବୁ ଗଣମାଧ୍ୟମ ପଛଘୁଞ୍ଚା ଦେଉଛନ୍ତି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମକୁ ନିଜସ୍ବ ତଦାରଖରେ କରାଉଥିବା ହେତୁ ଏଭଳି ମାନସିକତା ପ୍ରକାଶ ପାଉଛି।
ଆଧାର କାର୍ଡ ନ ଥିବାରୁ ସନ୍ତୋଷୀଙ୍କ ମୃତ୍ୟୁ ଘଟଣା ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯିବା ପରେ ସର୍ବୋଚ୍ଚ ଅଦାଲତ ଏହାକୁ ଏକ ଗମ୍ଭୀର ବିଷୟ ଭାବେ ଅଭିହିତ କରି ଅନାହାର ବା କ୍ଷୁଧାମୃତ୍ୟୁକୁ ନେଇ ସବୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆଧାର କାର୍ଡ ବିନା କୌଣସି ବ୍ୟକ୍ତି ଯେଭଳି ଭୋକିଲା ରହିବେ ନାହିଁ, ସେଥିଲାଗି ସୁନିଶ୍ଚିତ କରିବା ଉପରେ ରାଜ୍ୟ ସରକାରଗୁଡ଼ିକୁ କୁହାଯାଇଛି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ ଏ ସଂକ୍ରାନ୍ତ ଏକ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଯେତେବେଳେ ଆଧାର ଉପରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ, ସେହି ପୀଠରେ ସେ ଜଣେ ସଦସ୍ୟ ଥିଲେ। ରାୟରେ କୁହାଯାଇଥିଲା ଯେ, ଆଧାର କାର୍ଡ ନ ଥିଲେ ମଧ୍ୟ କୌଣସି ବ୍ୟକ୍ତି ସେବା ପାଇବାରୁ ବଞ୍ଚିତ ହେବେ ନାହିଁ। ଦେଶର ସର୍ବୋଚ୍ଚ ଅଦାଲତଙ୍କ ସେହି ମୂଲ୍ୟବାନ ମତକୁ ଅନେକ ରାଜ୍ୟ ସରକାର ମାନୁନାହାନ୍ତି। ସେଥିଲାଗି କେବଳ ରାଜ୍ୟ ସରକାରଗୁଡ଼ିକୁ ଦୋଷ ଦେଲେ ଚଳିବ ନାହିଁ। କେନ୍ଦ୍ରରେ ଅବସ୍ଥାପିତ ଏନ୍‌ଡିଏ ସରକାର ମଣିଷ ଜୀବନର ପ୍ରତି ପଦକ୍ଷେପରେ ଆଧାରକୁ ବ୍ୟବହାର କରିବା ଲାଗି ବାଧ୍ୟ କରୁଥିବାରୁ ଭାରତର ଅନେକ ନାଗରିକ ବିଭିନ୍ନ କ୍ଷେତ୍ରରେ ହଇରାଣ ହେଉଛନ୍ତି।
କୁହାଯାଉଛି, ଜନମଙ୍ଗଳ ରାଷ୍ଟ୍ର ଭାରତରେ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସମସ୍ତଙ୍କ ହିତ ପାଇଁ ଉଦ୍ଦିଷ୍ଟ। କିନ୍ତୁ ବାସ୍ତବତା ଭିନ୍ନ କାହାଣୀ ବର୍ଣ୍ଣନା କରୁଛି। ପିଡିଏସ୍‌ରେ ସାଧାରଣ ବର୍ଗଙ୍କ ଉନ୍ନତି ଲାଗି ଆଧାର ଯୋଡ଼ାଯିବା ବିଷୟକୁ ସରକାର ଅଗ୍ରପ୍ରାଧାନ୍ୟ ଦେଉଛନ୍ତି ବୋଲି ଡାକ ପକାଉଥିଲେ ମଧ୍ୟ ତାହାର ସୁଫଳ ତଳସ୍ତରର ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଆଧାର ସଂଯୋଗ ଦ୍ୱାରା ବହୁ ଅଯୋଗ୍ୟ ହିତାଧିକାରୀ ବା କାରସାଦି କରି ଅନେକେ ବ୍ୟବସ୍ଥାର ଫାଇଦା ନେଇଥିବା ବ୍ୟକ୍ତିଙ୍କୁ ଧରାଯାଇପାରିଥିବା କହି ସରକାର ବାହାବା ନେଉଛନ୍ତି। ତେବେ ଏହି ଲକ୍ଷ୍ୟ କେତେଦୂର ପୂରଣ ହୋଇଛି ତାହାର ବାସ୍ତବ ଚିତ୍ର ଠିକ୍‌ ଭାବେ ପ୍ରକାଶ କରାଯାଉ ନାହିଁ। ବରଂ ଆଧାର ନ ଥିବାରୁ ଗରିବ ଲୋକମାନେ ରାଶନ କାର୍ଡ ଅଭାବରୁ ଦୟନୀୟ ଜୀବନ ବିତାଉଛନ୍ତି।
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତେ କିଭଳି ଆହାର ପାଇବେ ତାହା ସୁନିଶ୍ଚିତ କରିବା ହେଉଛି ସରକାରଙ୍କ ଦାୟିତ୍ୱ। ସର୍ବନିମ୍ନ ଖାଦ୍ୟଶସ୍ୟ ଯଦି ନାଗରିକଙ୍କୁ ନ ମିଳେ କିମ୍ବା ସରକାରୀ ବ୍ୟବସ୍ଥା ବିଫଳ ହୁଏ, ତାହାହେଲେ ଆଧାର ଭଳି କାର୍ଯ୍ୟକ୍ରମ ଦେଶ ଅନିଷ୍ଟକାରୀ ବୋଲି ବିବେଚିତ ହେବ। ପୂର୍ବରୁ ଜଣେ ନାଗରିକ ଓ ତାଙ୍କ ଆର୍ଥିକ ଦିଗକୁ ଚିହ୍ନଟ କରାଯାଇ ରାଶନ କାର୍ଡ ଦିଆଯାଇ ଆସୁଥିବା ବେଳେ ଏବେ ଆଧାର ସଂଯୋଗ ନ ଥିବା ବ୍ୟକ୍ତି ଖାଦ୍ୟଶସ୍ୟ ନ ପାଇବା ସରକାରଙ୍କ ଯୋଜନାକୁ ବିକୃତ କରିଦେଉଛି। ଭୋଟର କାର୍ଡ ଜଣେ ନାଗରିକଙ୍କ ପରିଚୟପତ୍ର ଭାବେ ବ୍ୟବହାର କରାଯାଇ ଆସୁଥିଲା। ତା’ ପୂର୍ବକୁ ଦେଖିଲେ ଜମି ପଟ୍ଟା ଥିଲା ଜଣେ ବ୍ୟକ୍ତିଙ୍କ ପରିଚୟ। ଯେତେବେଳେ ସେହି ସର୍ବନିମ୍ନ ପରିଚୟ ପାଇବା ଲାଗି ଜଣେ ଅଯୋଗ୍ୟ ଥିଲେ ବା ଭୂମିହୀନ ରହିଥିଲେ, ସେତେବେଳେ ତାଙ୍କୁ ଚିହ୍ନିଥିବା ଲୋକ ଯଥା ପଞ୍ଚାୟତର ସରପଞ୍ଚ କିମ୍ବା ଗ୍ରାମର ପରିଚିତ ବ୍ୟକ୍ତିଙ୍କ ସୁପାରିସ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସରକାରୀ ସୁବିଧା ମିଳିପାରୁଥିଲା। ଆଜିର ଅନ୍‌ଲାଇନ୍‌ ସଂଯୋଗ ଯୁଗରେ ସମ୍ବେଦନଶୀଳତା ପଛକୁ ଚାଲିଯାଉଛି। ଏଣୁ ଯାହାର ଆଧାର ନାହିଁ ସେ ଯେତେ ଗରିବ ହୋଇଥିଲେ ମଧ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହୋଇଯାଉଛନ୍ତି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ କ୍ଷୁଧାମୃତ୍ୟୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ଓ ରାଜ୍ୟଗୁଡ଼ିକୁ ଏ ସଂକ୍ରାନ୍ତରେ ନୋଟିସ୍‌ ଦିଆଯିବା ସ୍ବାଗତଯୋଗ୍ୟ। କେନ୍ଦ୍ରର ସବୁ ନିଷ୍ପତ୍ତିକୁ ତର୍ଜମା ନ କରି ରାଜ୍ୟ ସରକାର ହୁଣ୍ଡା ଭାବେ ଗ୍ରହଣ କରିନେଲେ ଭଲ ପରିବର୍ତ୍ତେ ଭେଲ ସଂଖ୍ୟା ବଢ଼ିଚାଲିବ। ସଂଘୀୟ ବ୍ୟବସ୍ଥାରେ ଭାରସାମ୍ୟ ଆଣିବାକୁ ହେଲେ ରାଜ୍ୟଗୁଡ଼ିକ ତରଫରୁ କେନ୍ଦ୍ରର ସବୁ ଯୋଜନା ଓ କାର୍ଯ୍ୟକ୍ରମକୁ ଫୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରାଯିବା ଦରକାର। ଉଦାହରଣସ୍ବରୂପ, କେନ୍ଦ୍ର ଦ୍ୱାରା ଗୃହୀତ ନାଗରିକତା ସଂଶୋଧନ ବିଲ୍‌-୨୦୧୯ର ମାରାତ୍ମକ ଦିଗକୁ ମଧ୍ୟ ରାଜ୍ୟ ସରକାରଗୁଡ଼ିକ ନଜରରେ ରଖି ତାହାକୁ କାର୍ଯ୍ୟକାରୀ କରାଇବା ଉଚିତ ନୁହେଁ। ଓଡ଼ିଶାରେ ବିଶେଷକରି ସବୁ କେନ୍ଦ୍ରୀୟ ନିର୍ଦ୍ଦେଶକୁ ଅନ୍ଧ ଭାବେ ଯେଉଁଭଳି ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି, ତାହା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ପାଇଁ କ୍ଷତିକାରକ । ହୁଏତ ଏବେ ତାହା ବୁଝାପଡ଼ୁନାହିଁ, କିନ୍ତୁ ଦୀର୍ଘମିଆଦୀ ନକାରାତ୍ମକ ପ୍ରଭାବରୁ କେହି ବଞ୍ଚିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri