ଶିକ୍ଷା ହେଉ ଜୀବନର ମୂଳଦୁଆ

ଆଶିଷ ଧାଓ୍ବନ
ଉଚ୍ଚମାନର ଶିକ୍ଷା ଜଣେ ବ୍ୟକ୍ତିଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ। ଏହା କେବଳ ଶିକ୍ଷାର୍ଥୀ ମନରେ ମହତ୍ତ୍ୱାକାଂକ୍ଷା ସୃଷ୍ଟି କରେ ନାହିଁ, ବରଂ ତାକୁ ଚରିତାର୍ଥ କରିବା ପାଇଁ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ତେଣୁ ଭାରତ ଭଳି ଏକ ଯୁବ ରାଷ୍ଟ୍ର ଯେଉଁଠାରେ ୬ରୁ ୧୪ ବର୍ଷ ବୟସ୍କ ସ୍କୁଲ ଯାଉଥିବା ପିଲାଙ୍କ ସଂଖ୍ୟା ୨୬ କୋଟିରୁ ଅଧିକ, ସେଠାରେ ଉଚ୍ଚମାନର ଶିକ୍ଷା କେତେ ଶକ୍ତିଶାଳୀ ହୋଇପାରେ, ତାହା ସହଜରେ ଅନୁମେୟ।
ତେବେ କେବଳ ସ୍କୁଲ ପାଠ୍ୟକ୍ରମରୁ ନୁହେଁ, ଭଲ କଥା ଶିଖିବା ଦ୍ୱାରା ପିଲାଟିର ଯେଉଁ ବୌଦ୍ଧିକ ବିକାଶ ହୁଏ, ତାହାକୁ ବୁଝିବା ମଧ୍ୟ ସମାନ ଭାବେ ଜରୁରୀ। ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍କୁଲରେ ପିଲାଙ୍କୁ ‘ଶିଖେଇବା’ର ଏହି ପ୍ରକ୍ରିୟାଟି ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ଭାରତର ମାନବ ସମ୍ବଳର ସମୁଚିତ ବିକାଶ ହୋଇପାରୁ ନାହିଁ। ସ୍କୁଲ ଯାଉଥିବା ୬ରୁ ୮ ବର୍ଷର ପିଲାମାନେ ସ୍କୁଲରେ ପ୍ରକୃତରେ କ’ଣ ଶିଖୁଛନ୍ତି, ତାକୁ ନେଇ ଶିକ୍ଷାବିତ୍‌ମାନେ ଏକ ରିସର୍ଚ୍ଚ କରିଥିଲେ। ଏଥିରୁ ଜଣାପଡ଼ିଲା, ପାଖାପାଖି ପଚାଶ ପ୍ରତିଶତ ପିଲା ସ୍କୁଲ ଯାଆନ୍ତି ସିନା, ହେଲେ ସେଠାରେ କିଛି ଶିଖନ୍ତି ନାହିଁ। ଏହାର କାରଣ ହେଲା, ପିଲାମାନେ ବହିରେ ଲେଖା ହୋଇଥିବା ପାଠ ପଢ଼ି ସେଥିରୁ ବ୍ୟାବହାରିକ ଅର୍ଥ ବାହାର କରିପାରନ୍ତିନି। ବହିରେ ଲେଖାଯାଇଥିବା ପାଠକୁ ପଢ଼ି ସେଥିରୁ ଠିକ୍‌ ଅର୍ଥ ବୁଝିବାର ଦକ୍ଷତା ହେଉଛି ବ୍ୟକ୍ତି ଜୀବନର ଗୋଟିଏ ମୌଳିକ ଆବଶ୍ୟକତା। ଆଠବର୍ଷର ପିଲାଟିଏ ଯେମିତି ଗୋଟିଏ ସାଧାରଣ ବାକ୍ୟ ପଢ଼ି ତାହାର ଅର୍ଥ ବାହାର କରିପାରିବ, ଏ କଥାକୁ ସୁନିଶ୍ଚିତ କରିବା ନିହାତି ଜରୁରୀ।
୨୦୧୬ରେ ପ୍ରକାଶ ପାଇଥିବା ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍‌ଇଆର ୨୦୧୬) ଅନୁଯାୟୀ ତୃତୀୟ ଶ୍ରେଣୀରେ ପଢୁଥିବା ମାତ୍ର ଏକ ଚତୁର୍ଥାଂଶ ଛାତ୍ରୀଛାତ୍ର ସରଳ ବାକ୍ୟରେ ଲେଖା ହୋଇଥିବା କ୍ଷୁଦ୍ରଗଳ୍ପ ପଢ଼ିପାରନ୍ତି ଏବଂ ବୁଝିପାରନ୍ତି କିମ୍ବା ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ନେଇ ଫେଡାଣ କରିପାରନ୍ତି। ଭାରତ ସରକାରଙ୍କ ନ୍ୟାଶ୍‌ନାଲ ଆଚିଭ୍‌ମେଣ୍ଟ ସର୍ଭେ (ଏନ୍‌ଏଏସ୍‌) ମଧ୍ୟ ସୂଚାଇ ଦେଇଛି ଯେ, ଅନେକ ଛାତ୍ରୀଛାତ୍ର କୌଣସି ଲେଖା ପଢ଼ି ଏହାର ଅର୍ଥ ବୁଝିବାକୁ ସମର୍ଥ ନୁହନ୍ତି। ଆଜିର ଦୁନିଆରେ ଯେଉଁଠି ଶିଖିବା କହିଲେ ପାଠ ପଢ଼ିବାକୁ ବୁଝାଏ, ସେଠି ପଢ଼ି ପାରୁ ନ ଥିବା ପିଲାଟି ଶିକ୍ଷାଲାଭ କରିବ କେମିତି? ଏହା ଚାଲି ଜାଣି ନ ଥିବା ପିଲାଟିକୁ ଦୌଡ଼ିବାକୁ କହିଲା ଭଳି କଥା ହେବ।
ଅନ୍ତତଃ ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ର କୌଣସି ଲେଖାକୁ ପଢ଼ି ଅର୍ଥ ବୁଝିପାରିବା ଓ ସରଳ ଗାଣିତିକ ପ୍ରଶ୍ନର ସମାଧାନ କରିପାରିବାର ମୌଳିକ ଦକ୍ଷତା ହାସଲ କରିଥିବା ଦରକାର। ଆମ ଶିକ୍ଷା ବ୍ୟବସ୍ଥାର ଜଟିଳତାକୁ ଦେଖିଲେ ଏହାର ବିଶେଷ ଆବଶ୍ୟକତା ଥିବା ମନେ ହୁଏ। କାରଣ ଦେଶରେ ଶିକ୍ଷାର୍ଥୀମାନଙ୍କ ଭିତରୁ ଅନେକେ ଏଭଳି ପରିବାରରୁ ଆସିଥାନ୍ତି, ଯାହାଙ୍କର ମାତାପିତା ଅଳ୍ପଶିକ୍ଷିତ ବା ନିରକ୍ଷର। ଆର୍ଥତ୍ତ୍କ ଅଭାବ କାରଣରୁ ମଧ୍ୟ ଅନେକ ପରିବାର ପିଲାମାନଙ୍କ ପାଇଁ ନିଜ ଘରେ ଶିକ୍ଷା ହାସଲର ଉପଯୁକ୍ତ ପରିବେଶ ଦେଇପାରନ୍ତି ନାହିଁ। ଏଭଳି ସ୍ଥିତିରେ ଯଦି ସ୍କୁଲଗୁଡ଼ିକରେ ଉପଯୁକ୍ତ ପରିବେଶ ନ ରୁହେ, ତା’ହେଲେ ପିଲାଟି ଅଶିକ୍ଷାର ଅନ୍ଧକାରରେ ପଡ଼ିରହିବା ସ୍ବାଭାବିକ।
ଏହି ସମସ୍ୟା ସମାଧାନର ବାଟ ବାହାର କରିବା ଦରକାର। ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସଂସ୍କାର ସମାଜରେ ମୁକ୍ତ ଚିନ୍ତାଧାରା ବିକାଶରେ ସହାୟକ ହେବା ସହିତ ନୂଆ ଆବିଷ୍କାର ଓ ଉନ୍ନତି ପାଇଁ ବାଟ ଫିଟାଇବ। ଏଥିପାଇଁ ପ୍ରଥମେ ଆମକୁ ବ୍ୟାବହାରିକ ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ। ତୃତୀୟ ଶ୍ରେଣୀର ପିଲାଟିଏ କେମିତି ଠିକ୍‌ ଭାବରେ ବର୍ଣ୍ଣ ଚିହ୍ନିପାରିବ, ଅର୍ଥ ବୁଝିପାରିବ ଓ ଅଙ୍କ କଷିପାରିବ, ସେଥିରେ ତାକୁ ସହାୟତା କରିବାକୁ ପଡ଼ିବ। ଏହି ସମୟରେ ସେ କେତେ ପାଠ ବୁଝୁଛି, ତାକୁ ଠିକ୍‌ ଭାବେ ଅନୁଧ୍ୟାନ କରିବାକୁ ପଡ଼ିବ। କେବଳ ସରକାର ଓ ପ୍ରଶାସନ ନୁହେଁ, ଶିକ୍ଷକ, ଅଭିଭାବକ ଓ ଶିକ୍ଷା ବ୍ୟବସ୍ଥାରେ ସମ୍ପୃକ୍ତ ସମସ୍ତଙ୍କର ମିଳିତ ଉଦ୍ୟମରେ ହିଁ ଏହା ସମ୍ଭବ ହୋଇପାରିବ।
ଦ୍ୱିତୀୟ କଥା ହେଲା, ଶିକ୍ଷକ ଓ ସ୍କୁଲ ଉଭୟେ ପିଲାମାନଙ୍କୁ ଉଚ୍ଚମାନର ଶିକ୍ଷା ଦେବା ପାଇଁ ତାଲିମ ପ୍ରାପ୍ତ ହେବା ଉଚିତ। କେବଳ ଶିକ୍ଷାର୍ଥୀ ନୁହେଁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପ୍ରଯତ୍ନ କରିବାକୁ ପଡ଼ିବ, ସମୟୋପଯୋଗୀ ଜ୍ଞାନ ବାଣ୍ଟିବା ସହ କୋମଳମତି ଶିକ୍ଷାର୍ଥୀମାନଙ୍କ ମନକୁ ବୁଝି ତାଙ୍କୁ ବୁଝେଇବା ପାଇଁ ଯେଉଁ ସ୍ବତନ୍ତ୍ର କଳା ଆବଶ୍ୟକ, ଶିକ୍ଷକମାନଙ୍କ ଭିତରେ ତାହାର ବିକାଶ ଲାଗି ବ୍ୟବସ୍ଥିତ ଦକ୍ଷତା ବିକାଶ ପ୍ରଣାଳୀ ପ୍ରୟୋଜନ। ପ୍ରାଥମିକ ଶିକ୍ଷା ସ୍ତରରେ ପାଠ ବହି କେମିତି ଶିଶୁ ମନସ୍ତତ୍ତ୍ୱକୁ ଆଖି ଆଗରେ ରଖି ତିଆରି ହେବ ଓ କେମିତି ମଜାଳିଆ ଢଙ୍ଗରେ ଶିକ୍ଷାଦାନ ହେବ, ସେ ବିଷୟରେ ଗଠନମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ଶେଷରେ ସବୁସ୍ତରରେ କିପରି ସଂସ୍କାର ପ୍ରକ୍ରିୟା ଉପରେ ନଜର ରଖାଯିବ, ସେକଥା ସୁନିଶ୍ଚିତ କରିବାକୁ ହେବ। ପଛୁଆ ରହିଯାଇଥିବା ନିର୍ଦ୍ଦିଷ୍ଟ ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି ସେଥିରେ ସୁଧାର ଆଣିବାର ପ୍ରକ୍ରିୟା ଜିଲା ସ୍ତରରେ ହେବା ଉଚିତ। ସେଠାରେ ଆବଶ୍ୟକ ପାଠ୍ୟପୁସ୍ତକ, ତାଲିମ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯେପରି ଜିଲା ସ୍ତରରୁ ପହଞ୍ଚି ପାରିବ, ସେନେଇ ଚିନ୍ତା କରାଯିବା ଉଚିତ।
ଭାରତରେ ବର୍ତ୍ତମାନ ମହଜୁଦ ଥିବା ସମ୍ବଳକୁ ଦେଖିଲେ ମାତ୍ର ୫ ବର୍ଷ ଭିତରେ ସମ୍ପୂର୍ଣ୍ଣ ଦେଶରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ସମ୍ଭବ ମନେ ହୁଏ। ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ସହ ଆବଶ୍ୟକ ଢାଞ୍ଚାଗତ ସୁଧାର ଆଣିପାରିଲେ ଦେଶର ବିକାଶରେ ଏହା ଏକ ନିର୍ଣ୍ଣାୟକ ପ୍ରଗତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri