ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ

ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ। ସେମାନେ ପ୍ରାର୍ଥୀ ପରିବର୍ତ୍ତେ ଚିହ୍ନ ସହିତ ବେଶି ପରିଚିତ। ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଯାହା ହେଉ ପଛେ ସେଥିରେ ସେମାନଙ୍କର ଯାଏ ଆସେ କିଛି ନାହିଁ। ହାତୀ ସୁନା କଳସ ଢାଳିଲା ଭଳି ଯିଏ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଅତି କମ୍‌ରେ ଖଣ୍ଡେ ଭୋଟ ପାଇଲା ସେ ରାଜା ହେଲା। ଏବେ ଗୁଜରାଟର ସୁରଟରେ ବିନା ଭୋଟରେ ଜଣେ ରାଜା ହୋଇଥିବାର ଖବର ପ୍ରାୟ ସମସ୍ତଙ୍କୁ ଜଣାଥିବ। ଗଣତାନ୍ତ୍ରିକ ପ୍ରକ୍ରିୟାର ଏହି ଅଗଣତାନ୍ତ୍ରିକ ପଦ୍ଧତି ଆମ ଲୋକପ୍ରତିନିଧି ଆଇନର ଏକ ଦୁର୍ବଳ ଦିଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ଥିବା ପ୍ରାୟ ୧୦ ଲକ୍ଷ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାର ସୁଯୋଗରୁ ବଞ୍ଚତ୍ତ ହେଲେ। ନିର୍ବାଚନ କମିଶନ ମଧ୍ୟ ‘ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ’ ଏହି ପ୍ରତିନିଧିଙ୍କୁ ଗ୍ରହଣ କରିନେଲେ।
ପ୍ରତ୍ୟେକ ରାଜନୈତିକ ଦଳର ନିର୍ଦ୍ଦିଷ୍ଟ ନୀତି ଆଦର୍ଶ ଥାଏ। ଦଳୀୟ ପ୍ରାର୍ଥୀମାନେ ସେହି ନୀତି ଆଦର୍ଶ ପ୍ରତି ଅନୁରକ୍ତ ରହିଥାନ୍ତି। କିନ୍ତୁ ଏଥର ‘ଦଳଡିଅଁା’ ମହାମାରୀ ଯେପରି ବ୍ୟାପିଲା, ସେଥିରୁ କୌଣସି ଦଳର କିଛି ନୀତି ଆଦର୍ଶ ଥିଲା ପରି ଜଣାପଡ଼ିଲା ନାହିଁ।
ନେତା ଯୁଆଡ଼େ, କର୍ମୀ ସିଆଡ଼େ। ଦଳ ପରିବର୍ତ୍ତେ ନେତାଙ୍କ ପ୍ରତି ଅନୁଗତ କର୍ମୀମାନେ ଏହି ଦୌଡ଼ରେ ସର୍ବାଗ୍ରେ ଥିବା ଦେଖାଯାଏ। ଦଳର ସ୍ବାର୍ଥ, ଦେଶର ସ୍ବାର୍ଥ ପରିବର୍ତ୍ତେ ଅନୁଗତମାନେ ନିଜ ସ୍ବାର୍ଥ ହାସଲ ପ୍ରତି ଅଧିକ ଯତ୍ନବାନ୍‌ ହୋଇଥା’ନ୍ତି। ରାଜନୀତିରେ ଧାର ଧରି ନଥିବା କିଛି ନୂଆ ମୁହଁକୁ ଆମେ ନିର୍ବାଚନ ମଇଦାନରେ ଦେଖିବାକୁ ସୁଯୋଗ ପାଉ। ଏମାନେ ଦଳୀୟ ସୁପ୍ରିମୋଙ୍କ ପରିଚିତିରେ ନିଜ ପରିଚୟ ସୃଷ୍ଟି କରିଥା’ନ୍ତି। ଲୋକ ସଭା ଓ ବିଧାନସଭାରେ ଶୋଭା ମଣ୍ଡନ କରିବା ଛଡ଼ା ଏମାନଙ୍କର ଅନ୍ୟ କିଛି କରିସ୍ମା ନଥାଏ। ହାତ ଟେକିବା ଏମାନଙ୍କର ଗୋଟିଏ ମାତ୍ର ଦାୟିତ୍ୱ। ବିଲ୍‌ କି ବଜେଟ ଆଲୋଚନା ବେଳେ ଏମାନେ ଜୁଳୁଜୁଳୁ ହୋଇ ଚାହିଁ ରହିଥା’ନ୍ତି।
ଗୋଟିଏ ଘରୋଇ ଟିଭି ଚ୍ୟାନେଲ କେତେ ଜଣ ବିଧାୟକଙ୍କୁ ଏମ୍‌ଏଲ୍‌ଏର ଫୁଲ୍‌ଫର୍ମ ପଚାରିଥିଲା। କିଏ କହିଲା ଜାଣିନାହିଁ, କିଏ କହିଲା ପରେ କହିବି, ଆଉ କେତେକ କହିଲେ ‘ମେମ୍ବର୍‌ ଅଫ୍‌ ପାର୍ଲିଆମେଣ୍ଟ୍‌’। ଦୁର୍ଭାଗ୍ୟ! ଏମାନଙ୍କ ହାତରେ ଯଦି ଦେଶର ଦାୟିତ୍ୱ ଦିଆଯାଏ, ଦେଶଟା ରସାତଳକୁ ଯିବା ସାର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଏମାନେ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଛନ୍ତି। ଏଠାରେ ଦସ୍ୟୁ ନାୟିକା ଫୁଲନ୍‌ ଦେବୀ, ସୁପରଷ୍ଟାର୍‌ ଅମିତାଭ ବଚନ, ମଧ୍ୟପ୍ରଦେଶର କିନ୍ନର ସବ୍‌ନମ୍‌ ମୌସୀଙ୍କ କଥା ସ୍ମରଣ କରାଯାଇପାରେ। ଏମାନଙ୍କୁ ତ ସାଧାରଣ ଲୋକେ ଭୋଟ ଦେଇ ପଠାଇଥିଲେ। ସୁତରାଂ ପ୍ରାର୍ଥୀଙ୍କ ଅଜ୍ଞତା ଅପେକ୍ଷା ଭୋଟରଙ୍କ ଅଜ୍ଞତା ଏଠାରେ ବିଚାରସାପେକ୍ଷ ଓ ଚିନ୍ତାଜନକ ମଧ୍ୟ।
ମଣିପୁରର ‘ଲୌହ ମାନବୀ’ ଇରମ୍‌ ଚାନୁ ଶର୍ମିଲାଙ୍କ ନାମ ପ୍ରାୟ ସମସ୍ତେ ଜାଣିଥିବେ। ମଣିପୁରରେ ଲାଗୁ ହୋଇଥିବା ଆର୍ମଡ୍‌ ଫୋର୍ସେସ୍‌ ସ୍ପେଶାଲ ପାୱାର ଆକ୍ଟକୁ ବିରୋଧ କରି ସେ ଦୀର୍ଘ ୧୬ ବର୍ଷ ଧରି ଅନଶନ ଚଳାଇ ରଖିଥିଲେ। ବିଶ୍ୱରେକର୍ଡ଼! ଇରମ୍‌ ଥିଲେ ଏକାଧାରରେ ଜଣେ କବି, ମାନବାଧିକାର କର୍ମୀ ଏବଂ ରାଜନୀତିଜ୍ଞ । ୨୦୧୭ରେ ସେ ନିର୍ବାଚନ ଲଢ଼ିଲେ। ସେ ମାତ୍ର ୯୦ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ପରି ଜଣେ ସଂଗ୍ରାମୀ ମହିଳାଙ୍କୁ ମାତ୍ର ୯୦ ଜଣ ସମର୍ଥନ କଲେ। ଏଠାରେ ସାଧାରଣ ଭୋଟରଙ୍କ ଅଜ୍ଞତା, ବିଜ୍ଞତା ଓ ଉଦାସୀନତାକୁ ନେଇ ହଜାର ବାର ପ୍ରଶ୍ନ କରାଯାଇପାରେ। ଇଏ ଗୋଟିଏ ଉଦାହରଣ ମାତ୍ର।
ଆମ ଜାଣତରେ ଓ ଅଜାଣତରେ ଶହ ଶହ ସଂଖ୍ୟାରେ ଅନଭିଜ୍ଞ ପ୍ରତିନିଧି ବିଧାନସଭା ଓ ଲୋକ ସଭାକୁ ଆସୁଛନ୍ତି। ନିଜ ଅଞ୍ଚଳ, କି ରାଜ୍ୟ, କି ଦେଶର ସମସ୍ୟାକୁ ନେଇ ପ୍ରଶ୍ନଟିଏ କରିଥିବାର ନଜିର ନାହିଁ। ଅନ୍ତର୍ଜାତୀୟ ଘଟଣା ତ ଦୂରର କଥା। ସପ୍ତଦଶ ଲୋକ ସଭାରେ ୭୯ ପ୍ରତିଶତ ସାଂସଦଙ୍କ ନାମରେ ଥିଲା ବିଭିନ୍ନ ଆପରାଧିକ ମାମଲା। ଏମାନଙ୍କୁ ତ ଆମ ପରି ସାଧାରଣ ଭୋଟର ନିର୍ବାଚିତ କରି ପଠାଇଥିଲେ। ଏମାନେ କ’ଣ ଦେଶ ପାଇଁ ବାସ୍ତବରେ ଉପଯୁକ୍ତ ପ୍ରାର୍ଥୀ ଥିଲେ?
ଜଣେ ଉପଯୁକ୍ତ ବା ଯୋଗ୍ୟ ପ୍ରାର୍ଥୀ ଚୟନ ପୂର୍ବରୁ ମତଦାତାଙ୍କୁ ପ୍ରତିଶ୍ରୁତି ଓ ପ୍ରଲୋଭନର ଊର୍ଦ୍ଧ୍ୱକୁ ଯାଇ ବିଚାର କରିବାକୁ ହେବ। ପ୍ରଥମେ ପ୍ରାର୍ଥୀ କେଉଁ ଦଳର ତାହା ଜାଣିବାକୁ ପଡ଼ିବ। ସେହି ଦଳର ନୀତି ଆଦର୍ଶ ସମାଜ ତଥା ଦେଶ ପାଇଁ କେତେ ହିତକର ତାହା ମଧ୍ୟ ବିବେଚନା କରିବାକୁ ହେବ। କାରଣ ଜଣେ ପ୍ରତିନିଧି ନିଜ ଦଳର ଊର୍ଦ୍ଧ୍ୱରେ ନୁହେଁ। ଦଳୀୟ ନିଷ୍ପତ୍ତି ବାହାରେ ସେ କୌଣସି କାର୍ଯ୍ୟ କରିପାରିବେ ନାହିଁ। ଦ୍ୱିତୀୟରେ, ପ୍ରାର୍ଥୀ ଜଣକ ରାଜନୀତିରେ ନିପୁଣ ଥିବା ଆବଶ୍ୟକ। ନଚେତ୍‌ ସେ ଦେଶ ବିଦେଶର ଘଟଣାବଳୀର ସଠିକ୍‌ ବିଶ୍ଳେଷଣ କରିପାରିବେ ନାହିଁ। ସଭାଗୃହରେ ଆଗତ ବିଲ୍‌ ଓ ବଜେଟକୁ ତର୍ଜମା କରିପାରିବେ ନାହିଁ। ତୃତୀୟରେ, ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ। ପ୍ରାର୍ଥୀ ଜଣେ ସାଧୁ, ସଚ୍ଚୋଟ, ଶିକ୍ଷିତ, ସଚେତନ ଓ ନୀତିବାନ୍‌ ବ୍ୟକ୍ତି ହୋଇଥିବା ଅତ୍ୟନ୍ତ ଜରୁରୀ। ଚତୁର୍ଥରେ, ପ୍ରାର୍ଥୀ ଜଣେ ଦକ୍ଷ ଓ କର୍ମନିଷ୍ଠ ବ୍ୟକ୍ତି ହୋଇଥିବା ଉଚିତ। ନିଜ ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକୁ ସମାଧାନ ଦିଗରେ ତାଙ୍କର ଆନ୍ତରିକତା ଥିବା ଆବଶ୍ୟକ। ପଞ୍ଚମରେ, ପ୍ରାର୍ଥୀଙ୍କର ସାମାଜିକ ପ୍ରତିବଦ୍ଧତା ଥିବା ଦରକାର। ସମାଜର ଉନ୍ନତି କଳ୍ପେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଗମନାଗମନର ବିକାଶ ପ୍ରତି ସେ ସମ୍ବେଦନଶୀଳ ହୋଇଥିବା ଜରୁରୀ। ଇଂଲିଶ୍‌ ପ୍ରବନ୍ଧ ‘ବାଲଟ୍‌ ବକ୍ସ ୱିସ୍‌ଡମ୍‌’ ଏପରି କ୍ଷେତ୍ରରେ ପ୍ରଣିଧାନଯୋଗ୍ୟ।
ଏକଥା ସତ୍ୟ ଯେ ଅଧୁନା ଉପରୋକ୍ତ ଚରିତ୍ରସମ୍ପନ୍ନ ପ୍ରାର୍ଥୀଟିଏ ମିଳିବା କଷ୍ଟକର। ତଥାପି ଦେଶ ତଥା ସମାଜର ସ୍ବାର୍ଥକୁ ବିଚାରକୁ ନେଇ ଆମକୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବାକୁ ପଡ଼ିବ। ନିର୍ବାଚନ କମିଶନ ମଧ୍ୟ ପ୍ରତ୍ୟେକ ପ୍ରାର୍ଥୀଙ୍କ ସବିଶେଷ ବିବରଣୀ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିବା ଆବଶ୍ୟକ। ଫଳରେ ସାଧାରଣ ଭୋଟର ପ୍ରାର୍ଥୀ ଚୟନରେ ଅଧିକ ଯତ୍ନବାନ ହେବେ। ଉପଯୁକ୍ତ ପ୍ରାର୍ଥୀ ଚୟନ ସେମାନଙ୍କ ପାଇଁ ସହଜ ସରଳ ହେବ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri