ମୁଆଁ ଖାଇବାକୁ ମନ

ସଂଗ୍ରାମ କେଶରୀ ପୃଷ୍ଟି
ମୁଆଁ ପ୍ରସଙ୍ଗରେ ମନେ ପଡ଼ିଯାଏ, ପିଲାଦିନେ ଶୁଣିଥିବା ଗୋଟିଏ ପଦ, ଯାହାର କି ତିନି ପ୍ରକାରର ଅର୍ଥ ବାହାରିଥାଏ। ତାହା ହେଲା ମା’ ମୁଁ ଆଁ କରିଛି। ମାମୁ ଆଁ କରିଛି। ମା’ ମୁଆଁ କରିଛି। ଗୁଡ଼ ଓ ଖଇ ପାଗରେ ତିଆରି ମୁଆଁ ଖାଲି ଲୋଭନୀୟ ନୁହେଁ, ସ୍ବାଦିଷ୍ଠ ମଧ୍ୟ। ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ଭାବରେ ଏହାର ସ୍ଥାନ ସ୍ବତନ୍ତ୍ର। ଏହାର ନାଁ ଶୁଣିଲେ ପାଟିରୁ ଗଡ଼ିଆସେ ଲାଳ। ମୁଆଁ କଥା ଭାବିଲା ମାତ୍ରକେ ମାମୁଘରର ଚିତ୍ର ତାଜା ହୋଇଉଠେ। ଆଈମା’ କେତେ ସୁନ୍ଦର ଭାବରେ ଏହା ତିଆରି ନ କରନ୍ତି ସତେ! ଭଲ ଧାନ ଦେଖି ତାକୁ ପାଗ କରିବେ। ମାଟିଚୁଲି ଉପରେ ହାଣ୍ଡି ବସେଇ ସେଥିରେ ବାଲି ଦେଇ ଖଡିକାରେ ଖଇ ଭାଜିବେ। ତା’ପରେ ରନ୍ଧାଗୁଡ଼କୁ ଗରମ କରି ତାହା ଯେତେବେଳେ ଅଠାଳିଆ ପାଗ ଧରିବ, ସେଥିରେ ଭଜା ପାତି ନଡିଆ, ଜୁଆଣି ଓ ଖଇ ପକାଇ ଘାଣ୍ଟିବେ। ଗୁଡ଼ ଖଇ ସବୁକୁ ଭିଡ଼ି ଧରିବ। ବଦଳିଯିବ ତା’ ରଙ୍ଗ। ଅଠା କାରଣରୁ ମେଞ୍ଚା ମେଞ୍ଚା ହୋଇଯିବ। ପରସ୍ପରକୁ ଭିଡି ଧରିଥିବ ଖଇ। ସେଥିରୁ ଟେଳାଏ ଧରି ଖାଇବାରେ ଆଃ କି ଆନନ୍ଦ। କେବେ କେବେ ପିଲାମାନଙ୍କ ଫରମାଇସରେ ଆଈମା’ ତାକୁ ଗୋଲ ଗୋଲ କରି ଲଡୁର ଆକାର ଦେଇଥାନ୍ତି।
ମାଆ ଯେତେବେଳେ ମାମୁଘର ଯାଆନ୍ତି ଫେରିଲା ବେଳେ ଯାହା ତାଙ୍କ ସାଥିରେ ଥାଏ, ତାହା ହେଉଛି ମୁଆଁ ଭାର। କିଛି ମିଠା ଓ କଦଳୀ ସହିତ ମୁଆଁ ବଣ୍ଟାଯାଏ ସାହିପଡ଼ିଶାଙ୍କୁ। କଂସାଭର୍ତ୍ତି ମୁଆଁ ପାଇଲା ପରେ ଅଜଣା ଲୋକ ବି ଜାଣିଯାଏ ଯେ, ଏହା ଆସିଛି ଝିଅର ବାପଘରୁ। ବିବାହ-ବ୍ରତ, ପୁଣ୍ୟ ପରବ ବେଳେ ମାମୁଘରୁ ଆସୁଥିବା ମୁଆଁଭାରକୁ ପବିତ୍ରତାର ପ୍ରତୀକ ଭାବରେ ବିବେଚନା କରାଯାଏ। ଏତଦ୍‌ବ୍ୟତୀତ ପ୍ରତିଟି ପୂଜାପାଠ ସମୟରେ ଭୋଗ ପାଇଁ ଆଗ ଖୋଜାପଡ଼େ ମୁଆଁ।
ଓଡ଼ିଆଙ୍କ ପାରମ୍ପରିକ ପର୍ବପର୍ବାଣି ମଧ୍ୟରେ ଏକ ଉଲ୍ଲେଖନୀୟ ପର୍ବ ହେଉଛି ଧନୁସଂକ୍ରାନ୍ତି। ଧନୁ ବା ସୌର ପୌଷ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବରେ ପାଳନ କରାଯାଏ। ଏହିଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯିବାର ପରମ୍ପରା ରହିଛି। ଧନୁସଂକ୍ରାନ୍ତି ଦିନଠାରୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ। ପୌଷ ମାସରେ ଧାନ ଅମଳ ହୁଏ। ନୂଆ ଧାନର ଖଇରେ ଉଖୁଡା ବା ମୁଆଁ ପ୍ରସ୍ତୁତ କରିବା ହେଉଛି ଓଡ଼ିଆ ଚଳଣିର ବିଶେଷତ୍ୱ। ମୁଆଁ ଭୋଗ ପାଇଁ ଧନୁସଂକ୍ରାନ୍ତିର ପ୍ରସିଦ୍ଧି ରହିଛି। ଏ ମାସରେ ଧନୁମୁଆଁ ଖାଇବା ଏକ ସାମାଜିକ ପରମ୍ପରା ମଧ୍ୟ। ତେଣୁ ଏହା ପାଇଁ ଥାଏ ବର୍ଷଯାକର ଅପେକ୍ଷା।
ଧନୁମୁଆଁକୁ ନେଇ ଏକ ରୋଚକ ପ୍ରସଙ୍ଗ ଶୁଣିବାକୁ ମିଳିଥାଏ। ନୟାଗଡ଼ ରାଜା ପ୍ରତିବର୍ଷ ପୌଷ ମାସରେ ତାଙ୍କ ଦରବାରର କର୍ମଚାରୀଙ୍କ ପାଇଁ ଧନୁମୁଆଁ ପଠାଇଥାନ୍ତି। କିନ୍ତୁ ଥରେ ଏଥିରେ ଘଟିଲା ବ୍ୟତିକ୍ରମ। ଧନୁମୁଆଁ ଆସିଲା ନାହିଁ। ଏଣୁ ରାଜଦରବାରର ହାସ୍ୟରସିକ କବି ଯଦୁମଣି ଦୁଃଖ ଓ ଅଭିମାନର ସହିତ ରାଜାଙ୍କ ପାଖକୁ ଖଣ୍ଡେ ଚିଟାଉ ଲେଖି ପଠାଇଲେ। ସେଥିରେ ଲେଖାଥିଲା- ”ଧନୁମାସ ହେଲା ହନୁ ନ ଚଳିଲା କହିବାକୁ ବଡ ଲାଜ। ମୁଁ ଆଁ କରିଅଛି ମୁଆଁ ଖାଇବାକୁ ଆଜ୍ଞା ହେଉ ମହାରାଜ।“ ରାଜା ଏ ଚିଠି ପାଇଲା ପରେ ନିଜ ଭୁଲ ସମ୍ପର୍କରେ ଅବଗତ ହେଲେ ଓ ତୁରନ୍ତ ରାଜ ମୁଆଁ ପଠାଇବାର ବ୍ୟବସ୍ଥା କଲେ।
ମୁଆଁ ଖାଲି ଗୁଡ଼ରେ ନୁହେଁ ଚିନିରେ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ତେବେ ଦେଶୀ ଗୁଡ଼ରେ ତିଆରି ମୁଆଁର ସ୍ବାଦ ଓ ବାସ୍ନା ଥାଏ ନିଆରା। ମୁଆଁ ବା ଉଖୁଡ଼ାକୁ ଗୋଲ ଗୋଲ କରି ଲଡୁ ପ୍ରସ୍ତୁତ କରାଯାଉଥିବା ବେଳେ ତାକୁ ଦେଉଳ ଆକୃତି ଦିଆଯାଇ ଜୁଗାର ବୋଲି କୁହାଯାଏ। ତେବେ ଓଡ଼ିଆ ଘରର ଓଷା ବ୍ରତ, ପୂଜାପାଠ ପରି କାର୍ଯ୍ୟକ୍ରମରେ ଥାଳିରେ ମୁଆଁକୁ ଜୁଗାର ଆକୃତି ଦିଆଯାଇ ଦେବଦେବୀଙ୍କ ପାଖରେ ସମର୍ପଣ କରାଯାଏ।
ପଶ୍ଚିମ ଓଡ଼ିଶାର ଏକ ଅନନ୍ୟ ପର୍ବ ହେଉଛି ଜୁଗାର ଯାତ୍ରା। ଏହାର ମୂଳଉତ୍ସ ହେଉଛି ମୁଆଁ। ୫ କିଲୋଗ୍ରାମ୍‌ ଖଇ ଓ ଗୁଡ଼ରେ ପ୍ରସ୍ତୁତ ଜୁଗାର ବିଶେଷ ଭାବରେ ପ୍ରଚଳିତ ହେଉଥିବା ବେଳେ ସ୍ଥାନ-କାଳ ବିଶେଷରେ ଏହି ଜୁଗାରର ଉଚ୍ଚତା ହୋଇଥାଏ ୬ ଫୁଟରୁ ୧୫ ଫୁଟ୍‌। ମାନସିକ ପୂରଣ ପରେ ମାନସିକଧାରୀ ଭକ୍ତି ଓ ବିଶ୍ୱାସର ସହିତ ମା’ କାଳୀଙ୍କ ପାଖରେ ଜୁଗାର ସମର୍ପଣ କରିଥାନ୍ତି। ଭକ୍ତମାନଙ୍କର ଜୁଗାର ସବୁକୁ ପାରମ୍ପରିକ ଲୋକବାଦ୍ୟର ତାଳେ ତାଳେ ପଟୁଆରରେ ଅଣାଯାଇ ମା’ଙ୍କୁ ସମର୍ପଣ କରିବାର ବିଧି ହିଁ ଜୁଗାର ଯାତ୍ରା ଭାବରେ ସୁପରିଚିତ। ଜୁଗାର ସବୁର ଆକର୍ଷଣୀୟ ପରିପାଟୀ ବେଶ୍‌ ଦର୍ଶନୀୟ। ନିର୍ମାଣଶୈଳୀ ଦୃଷ୍ଟିରୁ ଜୁଗାର ସବୁ ଭିନ୍ନ ଭିନ୍ନ ନାମରେ ନାମିତ। ତନ୍ମଧ୍ୟରୁ ଗଡୁ ଜୁଗାର, ହଂସ ଜୁଗାର, ଧିଣ୍ଡା ଜୁଗାର, ଖୁଲା ଜୁଗାର, ଜୁଲି ଜୁଗାର ଓ ପଦ୍ମ ଜୁଗାର ଅନ୍ୟତମ। ଏଥିରୁ ହିଁ ଓଡ଼ିଆଙ୍କ କଳାନୈପୁଣ୍ୟର ପରିଚୟ ମିଳିଥାଏ। ଏହି ଜୁଗାର ଯାତ୍ରା ପ୍ରଥମେ ବରଗଡ଼ ଜିଲା ଘେଁସ ବ୍ଲକ କୁଚିପାଲି ଗାଁରେ ୧୮୮୫ ମସିହାରେ ଆରମ୍ଭ ହୋଇଥିବାର ଜଣାଯାଏ।
ମୁଆଁ ବା ଉଖୁଡ଼ାର ଆଦର ସବୁବେଳେ ରହିଛି ଓ ରହିବ। କୋରାଖଇ ଭାବରେ ଭୁବନେଶ୍ୱରରେ ଏହାର ପ୍ରସିଦ୍ଧି ଥିବାବେଳେ ବ୍ରହ୍ମପୁରରେ ସ୍ବତନ୍ତ୍ର ଧରଣର ମୁଆଁ ପ୍ରସ୍ତୁତ କରାଯାଉଛି। ପୌଷ୍ଟିକତତ୍ତ୍ୱ କାରଣରୁ ଏହା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ଖାଇବାକୁ ଦିଆଯାଉଛି। ମାତ୍ର ଦୁଃଖର ବିଷୟ ଫାଷ୍ଟଫୁଡ୍‌ ଖାଦ୍ୟର ପ୍ରାବଲ୍ୟ ଭିତରେ ଧୀରେ ଧୀରେ ହଜିଯିବାକୁ ବସିଲାଣି ଏହି ପାରମ୍ପରିକ ଖାଦ୍ୟ। ଆଈ ମା’ଙ୍କ ମୁଆଁ ତିଆରି କୌଶଳକୁ କ୍ରମଶଃ ଭୁଲିଗଲେଣି ପରବର୍ତ୍ତୀ ପିଢି। ଗାଁରୁ ମାଟିଚୁଲି, ମାଟିହାଣ୍ଡି ଉଭାନ ହୋଇଯାଉଥିବା ବେଳେ ମୁଆଁର ସ୍ଥିତିକୁ ନେଇ ସନ୍ଦେହ ଜାତ ହେଉଛି।
ମୋ-୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri