ମୁଁ ବୁଢ଼ାବଳଙ୍ଗ

ଅଧ୍ୟାପକ ଗୋପବନ୍ଧୁ

ମୁଁ ବୁଢ଼ାବଳଙ୍ଗ କହୁଛି। ମୁଁ ମୟୂରଭଞ୍ଜ ଜିଲାର ସବୁଠାରୁ ବଡ଼ ନଦୀ। ମୟୂରଭଞ୍ଜବାସୀଙ୍କ ନଜରରେ ମୁଁ ହିଁ ଜିଲାର ଗଙ୍ଗା ଓ ଯମୁନା ଏବଂ ମହାନଦୀ। ଦେଶର ଅନ୍ୟ ନଦୀକୁ ଲୋକମାନେ ମାଁ ବୋଲି ସମ୍ବୋଧନ କରନ୍ତି। କିନ୍ତୁ ମୋ ନାମ ପୂର୍ବରୁ ବୁଢ଼ା ଶବ୍ଦ ଲଗାଇ ଜିଲାବାସୀମାନେ ମୋତେ ମୁରବିର ଆସନରେ ବସାନ୍ତି। କାହିଁ କୋଉ କାଳରୁ ମୁଁ ଜିଲାବାସୀଙ୍କ ସୁଖଦୁଃଖର ସାଥୀ ହୋଇ ଆସିଛି। କେତେବେଳେ ମୋ ତଟରେ ସାଥୀ ଲଳନାମାନଙ୍କ ହାସ୍ୟରୋଳ ଯୋଗୁଁ ମୋ ମନ ଆନନ୍ଦରେ ଭରି ଉଠିଛି ତ କେତେବେଳେ ପରିଜନଙ୍କ ଶବସତ୍କାର ସମୟର କରୁଣ କ୍ରନ୍ଦନ ମୋତେ ଶୋକାଭିଭୂତ କରିଛି। ମୋ ନଦୀଘାଟରେ ଶଙ୍ଖା ସିନ୍ଦୂରରେ ସଜ୍ଜିତ ନବବଧୂର ଲାଜୁଆ ହସ ଦେଖିଛି ତ ପୁଣି ସେହି ଘାଟରେ ଶଙ୍ଖା ସିନ୍ଦୂର ଉତାରିବାର ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ଦେଖିଛି। ମୋ ଦେହରେ ଟୁସୁ ଭସାଣି ହୁଏ, ଅସ୍ଥି ବିସର୍ଜନ ବି ହୁଏ। ମୋ ତଟର ବିଭିନ୍ନ ସ୍ଥାନରେ ମେଳା ମହୋତ୍ସବ ହୁଏ। ମୋ ନାମକୁ ନେଇ ବଳାଙ୍ଗି ମହୋତ୍ସବ ବି ହୁଏ।
ମୋ ଉଭୟ ପାର୍ଶ୍ୱରେ ଅନେକ ଜନବସତି ଗଢ଼ି ଉଠିଛି। ପୂର୍ବେ ଏଗୁଡ଼ିକର ସଂଖ୍ୟାଧିକ ଲୋକ ମୋ ଉପରେ ନିର୍ଭର କରୁଥିଲେ। ଏବେବି ଅନେକ ଲୋକ ଗାଧୁଆପାଧୁଆ ପାଇଁ ମୋ ଉପରେ ନିର୍ଭର କରନ୍ତି। ବାରିପଦା ସହର ସମେତ ଅନେକ ଅଞ୍ଚଳ ନିର୍ମାଣ କାର୍ଯ୍ୟ ପାଇଁ ମୋ ଶଯ୍ୟାର ବାଲି ଉପରେ ନିର୍ଭର କରନ୍ତି। ବଦଳରେ ସହରର ନାଳ ନର୍ଦ୍ଦମାକୁ ମୋ ଜଳକୁ ଛାଡ଼ି ଦିଅନ୍ତି। ସେବା ଦେବାରେ ମୁଁ ହେଳା କରିନାହିଁ। ମୋର ସମସ୍ତ ସ୍ନେହ ମମତା ଅଞ୍ଚଳବାସୀଙ୍କୁ ଦେଇଆସିଛି। ତଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ବଢ଼ି ଯୋଗୁ ହଇରାଣ ହରକତ କରିନାହିଁ। ବେଳେବେଳେ ବାରିପଦା ସହରର ତଳି ଅଞ୍ଚଳର ଲୋକମାନେ ବଢ଼ି ଯୋଗୁ ହଇରାଣ ହୁଅନ୍ତି ତାଙ୍କ ନିଜ ଭୁଲ୍‌ ପାଇଁ। ମୋ ଶଯ୍ୟାକୁ ଦଖଲ କରି ତା’ ଉପରେ ଘର କରି ପକାଇଛନ୍ତି। ଜଳ ନିଷ୍କାସନର ମାର୍ଗଗୁଡ଼ିକୁ ସଙ୍କୁଚିତ କରି ଦେଇଛନ୍ତି। ମୋ ଦେହରେ ପଡ଼ୁଥିବା ବିଭିନ୍ନ ଶାଖା ନଦୀର ଜଳ ବାହାରି ନ ପାରିବା ଯୋଗୁ ଏପରି ହୁଏ। ଏଥିରେ ମୋର ଦୋଷ ନାହିଁ। ସେମାନେ ନିଜ କୁକର୍ମର କୁଫଳ ନିଜେ ଭୋଗ କରନ୍ତି।
ସେବା ହିଁ ମୋର ପରମ ଧର୍ମ। ଜିଲାର ସମୃଦ୍ଧିରେ ମୋର ଯୋଗଦାନ ଯେତେ ଅଧିକ ହେବ, ମୋର ଆତ୍ମସନ୍ତୋଷ ସେତେ ଅଧିକ ହେବ। ମୋ ତଟବର୍ତ୍ତୀ ଅଞ୍ଚଳ ପ୍ରଚୁର ଉର୍ବର। କେତେକ କୃଷକ ମୋ ଦେହରୁ ପାଣି ନେଇ ବିଭିନ୍ନ ପ୍ରକାର ଚାଷ କରନ୍ତି ଓ କିଛି ରୋଜଗାର କରି ପରିବାର ପୋଷଣ କରନ୍ତି। ଯେଉଁ ପାଣି ଚାଷ ପାଇଁ ବ୍ୟବହାର ହୁଏ ତାହା ଖୁବ୍‌ କମ। ସବୁତକ ଜଳ ଜିଲାବାସୀଙ୍କ ସେବାରେ ବ୍ୟବହାର ନ ହୋଇ ବହିଯାଇ ବଙ୍ଗୋପସାଗରରେ ମିଶେ। ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖର ବିଷୟ। ମୋତେ ଭାରି ଈର୍ଷା ହୁଏ ଯେତେବେଳେ ମୁଁ ଶୁଣେ ବିଭିନ୍ନ ନଦୀ ଉପରେ ବନ୍ଧ ହେଉଛି, ବ୍ୟାରେଜ ହେଉଛି ଓ ବିଭିନ୍ନ ପ୍ରକାର ପ୍ରକଳ୍ପ ହେଉଛି। ଅଥଚ ମୁଁ ଜିଲାର ସବୁଠାରୁ ବଡ଼ନଦୀ ହୋଇଥିଲେ ହେଁ ମୋ ଉପରେ କିଛି ନାହିଁ। ମୋ ଜଳ ତୁଛାରେ ବହିଯାଉଛି। ଆଜିର ଦିନରେ ମୋ ପାଇଁ ଏହା ଲଜ୍ଜାର ବିଷୟ। ନିଃସନ୍ତାନ ମାଁ ପରି ମୋ ଅବସ୍ଥା। ବେଳେବେଳେ ରାଗ ଲାଗେ ଜିଲାର ଅଯୋଗ୍ୟ ପିଲାମାନଙ୍କୁ ଦେଖି। ଶୁଣୁଛି, ନେତାମାନେ ସବୁ କରିପାରିବେ। କାହିଁ କୋଉ ନେତା ମୋ ପାଇଁ ମୁହଁ ଖୋଲୁନାହାନ୍ତି। ପିଲେ ଏମିତି ନେତା ବାଛୁଛ କାହିଁକି ଯିଏ କୌଣସି କାମକୁ ନୁହନ୍ତି!
ମୋ ଉପରେ କୌଣସି ନଦୀବନ୍ଧ କିମ୍ବା ବ୍ୟାରେଜ୍‌ ଯୋଜନାର ଚୂଡ଼ାନ୍ତ ରୂପରେଖ ନାହିଁ। ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖର ବିଷୟ। ବେଳେବେଳେ ଏ ସମ୍ବନ୍ଧରେ କିଛି ଉଡ଼ା ଖବର ମୋ କାନରେ ବାଜେ ଓ ମନରେ ଆଶା ସଂଚାର କରେ। ହେଲେ ସବୁକିଛି ଆଶାରେ ରହିଯାଏ। ଏପରି ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ବହୁ ଚାଷଜମି ଜଳସେଚିତ ହୋଇପାରନ୍ତା। କୃଷିର ବିକାଶ ହୁଅନ୍ତା। ବିଭିନ୍ନ ପ୍ରକାର ଚାଷକରି ମୋ ଲୋକମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସନ୍ତା। ତାଙ୍କ ଅଭାବ ଅସୁବିଧା ଦୂର ହୁଅନ୍ତା। କେବଳ ମୟୂରଭଞ୍ଜ ନୂହେଁ, ପଡ଼ୋଶୀ ବାଲେଶ୍ବର ଜିଲାରେ ମଧ୍ୟ ପର୍ଯ୍ୟାପ୍ତ ଜଳସେଚନର ସୁବିଧା ଉପଲବ୍ଧ ହୋଇପାରନ୍ତା। ମୟୂରଭଞ୍ଜରେ ମୋ ଉପରେ ଏକ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେବା ଜରୁରୀ। ଏହା ସହିତ ବାଙ୍ଗିରିପୋଷି, କୁଳିଅଣା, ବାରିପଦା, ମାଣତ୍ରୀ ପ୍ରଭୃତି ଜାଗାରେ ବ୍ୟାରେଜ୍‌ ତିଆରି କରାଯାଇ ପାରିବ। ବାଲେଶ୍ବର ଜିଲାରେ ବି ହୋଇପାରିବ। ଏଗୁଡ଼ିକ ଜଳସେଚନ ସହିତ ମତ୍ସ୍ୟଚାଷ, ପାନୀୟଜଳ ଯୋଗାଣ, ନୌକାବିହାର ଜନିତ ପର୍ଯ୍ୟଟନ ପାଇଁ ଖୋରାକ ଯୋଗାଇବ।
ବଣଭୋଜି ପାଇଁ ଅନେକ ଲୋକ ମୋ ପାଖକୁ ଧାଇଁ ଆସନ୍ତି। ଅନେକ ଚଳଚ୍ଚିତ୍ର ଓ ଆଲ୍‌ବମ୍‌ ମୋ ପାଖରେ ମୋ ସୌନ୍ଦର୍ଯ୍ୟ ସହିତ ସୁଟିଂ ହୋଇଛି। ଶୁଣୁଛି ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ମନ୍ଦିର, ଐତିହ୍ୟ ସ୍ଥଳ ପ୍ରଭୃତିର ରୂପାନ୍ତର ହେଉଛି। ମୋର ଉଭୟ ପାଶର୍‌ବରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୂପାନ୍ତର ହୋଇପାରିଲେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସନ୍ତେ। ମୋ ପିତା ଶିମିଳିପାଳ ତ ଅସରନ୍ତି ସୌନ୍ଦର୍ଯ୍ୟର ଗନ୍ତାଘର। ମୁଁ ଶିମିଳିପାଳର ଉତ୍ତରଘାଟରୁ ଜନ୍ମ ନେଇଛି। ଜନ୍ମ ହେବାମାତ୍ରେ ମୁଁ ଲମ୍ଫ ଦେଇଛି ୨୧୭ ମିଟର ତଳକୁ। ମୋର ଏ ଲମ୍ଫ ବରେହିପାଣି ଜଳପ୍ରପାତ ଭାବେ ଖ୍ୟାତ। ଏହା ଭାରତର ଦ୍ୱିତୀୟ ଉଚ୍ଚତମ ଜଳପ୍ରପାତ। ନିକଟରେ ଯୋରନ୍ଦା ଜଳପ୍ରପାତ ମଧ୍ୟ ରହିଛି। ଏହା ସହିତ ଅନେକ ଆକର୍ଷଣୀୟ କୁଣ୍ଡ ରହିଛି।
ମୁଁ ଯେଉଁବାଟ ଦେଇ ଯାଇଛି ଓ ଜନବସତି ନିକଟରେ ପହଞ୍ଚତ୍ଛି, ସେ ସମସ୍ତ ଅଞ୍ଚଳର ସୌନ୍ଦର୍ଯ୍ୟରେ ପଟାନ୍ତର ନାହିଁ। ମୋତେ ଓ ମୋ ବାପାଙ୍କୁ ନେଇ ପର୍ଯ୍ୟଟନର ଭିତ୍ତିଭୂମିକୁ ବିକଶିତ କଲେ ଜିଲାର ଅର୍ଥନୀତି ସୁଦୃଢ଼ ହେବ। ବାରିପଦା ନିକଟରେ ମୋତେ ଲାଗି ଏକ ସୁରମ୍ୟ ଉଦ୍ୟାନ ନିର୍ମାଣ କଲେ ସହରର ଶୋଭା ବହୁଗୁଣିତ ହୁଅନ୍ତା। ସହର ତଳେ ଏହାକୁ ଲାଗି ବ୍ୟାରେଜ ନିର୍ମାଣ କଲେ ଜଳସେଚନ ସହିତ ସହରକୁ ଜଳଯୋଗାଣ ଓ ନୌବିହାର ପାଇଁ ସୁବିଧା ସୃଷ୍ଟି କରନ୍ତା। ପର୍ଯ୍ୟଟନର ବିକାଶ ଦ୍ୱାରା ବେକାରି ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ। ଯୁବତୀ ଯୁବକମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବେ ନାହିଁ। ସହରର ଯେଉଁ ନାଳ ନର୍ଦ୍ଦମା ଜଳ ମୋ ଦେହକୁ ଛାଡ଼ି ଦିଆଯାଉଛି ତାହା ମୋ ପାଇଁ ବିରକ୍ତିକର। ଏହା ଦ୍ୱାରା ମୋର ପବିତ୍ରତା ନଷ୍ଟ ହେଉଛି। ମୋ ଶଯ୍ୟାର ତଳ ଲୋକମାନେ ଏ ଜଳକୁ ବ୍ୟବହାର କରି ପାରୁନାହାନ୍ତି। ଏହି ଦୂଷିତ ଜଳକୁ ବିଶୋଧନ ପ୍ଲାଣ୍ଟ ଜରିଆରେ ଶୋଧନ କରି ଛଡ଼ାଗଲେ ଭଲହୁଅନ୍ତା।
ରୋଜଗାର କରି ସମ୍ମାନର ସହିତ ବଞ୍ଚତ୍ବାର ସମସ୍ତ ବ୍ୟବସ୍ଥା ମୋ ନିକଟରେ ଅଛି। ମୋର ଦୀର୍ଘ ୧୭୫ କିଲୋମିଟର ଲମ୍ବା ଜଳାଧାର ମୋ ପିଲାମାନଙ୍କ କାମରେ ଲାଗୁନାହିଁ। ମୋ ପିଲାମାନେ ଅଯୋଗ୍ୟ। ଏହାର ସଦୁପଯୋଗ କିପରି କରାଯିବ, ତାହା ଜାଣିନାହାନ୍ତି। ଏହା ହିଁ ମୋ ପାଇଁ ଦୁଃଖର ବିଷୟ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri