ମୁଁ ବୁଢ଼ାବଳଙ୍ଗ

ଅଧ୍ୟାପକ ଗୋପବନ୍ଧୁ

ମୁଁ ବୁଢ଼ାବଳଙ୍ଗ କହୁଛି। ମୁଁ ମୟୂରଭଞ୍ଜ ଜିଲାର ସବୁଠାରୁ ବଡ଼ ନଦୀ। ମୟୂରଭଞ୍ଜବାସୀଙ୍କ ନଜରରେ ମୁଁ ହିଁ ଜିଲାର ଗଙ୍ଗା ଓ ଯମୁନା ଏବଂ ମହାନଦୀ। ଦେଶର ଅନ୍ୟ ନଦୀକୁ ଲୋକମାନେ ମାଁ ବୋଲି ସମ୍ବୋଧନ କରନ୍ତି। କିନ୍ତୁ ମୋ ନାମ ପୂର୍ବରୁ ବୁଢ଼ା ଶବ୍ଦ ଲଗାଇ ଜିଲାବାସୀମାନେ ମୋତେ ମୁରବିର ଆସନରେ ବସାନ୍ତି। କାହିଁ କୋଉ କାଳରୁ ମୁଁ ଜିଲାବାସୀଙ୍କ ସୁଖଦୁଃଖର ସାଥୀ ହୋଇ ଆସିଛି। କେତେବେଳେ ମୋ ତଟରେ ସାଥୀ ଲଳନାମାନଙ୍କ ହାସ୍ୟରୋଳ ଯୋଗୁଁ ମୋ ମନ ଆନନ୍ଦରେ ଭରି ଉଠିଛି ତ କେତେବେଳେ ପରିଜନଙ୍କ ଶବସତ୍କାର ସମୟର କରୁଣ କ୍ରନ୍ଦନ ମୋତେ ଶୋକାଭିଭୂତ କରିଛି। ମୋ ନଦୀଘାଟରେ ଶଙ୍ଖା ସିନ୍ଦୂରରେ ସଜ୍ଜିତ ନବବଧୂର ଲାଜୁଆ ହସ ଦେଖିଛି ତ ପୁଣି ସେହି ଘାଟରେ ଶଙ୍ଖା ସିନ୍ଦୂର ଉତାରିବାର ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ଦେଖିଛି। ମୋ ଦେହରେ ଟୁସୁ ଭସାଣି ହୁଏ, ଅସ୍ଥି ବିସର୍ଜନ ବି ହୁଏ। ମୋ ତଟର ବିଭିନ୍ନ ସ୍ଥାନରେ ମେଳା ମହୋତ୍ସବ ହୁଏ। ମୋ ନାମକୁ ନେଇ ବଳାଙ୍ଗି ମହୋତ୍ସବ ବି ହୁଏ।
ମୋ ଉଭୟ ପାର୍ଶ୍ୱରେ ଅନେକ ଜନବସତି ଗଢ଼ି ଉଠିଛି। ପୂର୍ବେ ଏଗୁଡ଼ିକର ସଂଖ୍ୟାଧିକ ଲୋକ ମୋ ଉପରେ ନିର୍ଭର କରୁଥିଲେ। ଏବେବି ଅନେକ ଲୋକ ଗାଧୁଆପାଧୁଆ ପାଇଁ ମୋ ଉପରେ ନିର୍ଭର କରନ୍ତି। ବାରିପଦା ସହର ସମେତ ଅନେକ ଅଞ୍ଚଳ ନିର୍ମାଣ କାର୍ଯ୍ୟ ପାଇଁ ମୋ ଶଯ୍ୟାର ବାଲି ଉପରେ ନିର୍ଭର କରନ୍ତି। ବଦଳରେ ସହରର ନାଳ ନର୍ଦ୍ଦମାକୁ ମୋ ଜଳକୁ ଛାଡ଼ି ଦିଅନ୍ତି। ସେବା ଦେବାରେ ମୁଁ ହେଳା କରିନାହିଁ। ମୋର ସମସ୍ତ ସ୍ନେହ ମମତା ଅଞ୍ଚଳବାସୀଙ୍କୁ ଦେଇଆସିଛି। ତଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ବଢ଼ି ଯୋଗୁ ହଇରାଣ ହରକତ କରିନାହିଁ। ବେଳେବେଳେ ବାରିପଦା ସହରର ତଳି ଅଞ୍ଚଳର ଲୋକମାନେ ବଢ଼ି ଯୋଗୁ ହଇରାଣ ହୁଅନ୍ତି ତାଙ୍କ ନିଜ ଭୁଲ୍‌ ପାଇଁ। ମୋ ଶଯ୍ୟାକୁ ଦଖଲ କରି ତା’ ଉପରେ ଘର କରି ପକାଇଛନ୍ତି। ଜଳ ନିଷ୍କାସନର ମାର୍ଗଗୁଡ଼ିକୁ ସଙ୍କୁଚିତ କରି ଦେଇଛନ୍ତି। ମୋ ଦେହରେ ପଡ଼ୁଥିବା ବିଭିନ୍ନ ଶାଖା ନଦୀର ଜଳ ବାହାରି ନ ପାରିବା ଯୋଗୁ ଏପରି ହୁଏ। ଏଥିରେ ମୋର ଦୋଷ ନାହିଁ। ସେମାନେ ନିଜ କୁକର୍ମର କୁଫଳ ନିଜେ ଭୋଗ କରନ୍ତି।
ସେବା ହିଁ ମୋର ପରମ ଧର୍ମ। ଜିଲାର ସମୃଦ୍ଧିରେ ମୋର ଯୋଗଦାନ ଯେତେ ଅଧିକ ହେବ, ମୋର ଆତ୍ମସନ୍ତୋଷ ସେତେ ଅଧିକ ହେବ। ମୋ ତଟବର୍ତ୍ତୀ ଅଞ୍ଚଳ ପ୍ରଚୁର ଉର୍ବର। କେତେକ କୃଷକ ମୋ ଦେହରୁ ପାଣି ନେଇ ବିଭିନ୍ନ ପ୍ରକାର ଚାଷ କରନ୍ତି ଓ କିଛି ରୋଜଗାର କରି ପରିବାର ପୋଷଣ କରନ୍ତି। ଯେଉଁ ପାଣି ଚାଷ ପାଇଁ ବ୍ୟବହାର ହୁଏ ତାହା ଖୁବ୍‌ କମ। ସବୁତକ ଜଳ ଜିଲାବାସୀଙ୍କ ସେବାରେ ବ୍ୟବହାର ନ ହୋଇ ବହିଯାଇ ବଙ୍ଗୋପସାଗରରେ ମିଶେ। ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖର ବିଷୟ। ମୋତେ ଭାରି ଈର୍ଷା ହୁଏ ଯେତେବେଳେ ମୁଁ ଶୁଣେ ବିଭିନ୍ନ ନଦୀ ଉପରେ ବନ୍ଧ ହେଉଛି, ବ୍ୟାରେଜ ହେଉଛି ଓ ବିଭିନ୍ନ ପ୍ରକାର ପ୍ରକଳ୍ପ ହେଉଛି। ଅଥଚ ମୁଁ ଜିଲାର ସବୁଠାରୁ ବଡ଼ନଦୀ ହୋଇଥିଲେ ହେଁ ମୋ ଉପରେ କିଛି ନାହିଁ। ମୋ ଜଳ ତୁଛାରେ ବହିଯାଉଛି। ଆଜିର ଦିନରେ ମୋ ପାଇଁ ଏହା ଲଜ୍ଜାର ବିଷୟ। ନିଃସନ୍ତାନ ମାଁ ପରି ମୋ ଅବସ୍ଥା। ବେଳେବେଳେ ରାଗ ଲାଗେ ଜିଲାର ଅଯୋଗ୍ୟ ପିଲାମାନଙ୍କୁ ଦେଖି। ଶୁଣୁଛି, ନେତାମାନେ ସବୁ କରିପାରିବେ। କାହିଁ କୋଉ ନେତା ମୋ ପାଇଁ ମୁହଁ ଖୋଲୁନାହାନ୍ତି। ପିଲେ ଏମିତି ନେତା ବାଛୁଛ କାହିଁକି ଯିଏ କୌଣସି କାମକୁ ନୁହନ୍ତି!
ମୋ ଉପରେ କୌଣସି ନଦୀବନ୍ଧ କିମ୍ବା ବ୍ୟାରେଜ୍‌ ଯୋଜନାର ଚୂଡ଼ାନ୍ତ ରୂପରେଖ ନାହିଁ। ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖର ବିଷୟ। ବେଳେବେଳେ ଏ ସମ୍ବନ୍ଧରେ କିଛି ଉଡ଼ା ଖବର ମୋ କାନରେ ବାଜେ ଓ ମନରେ ଆଶା ସଂଚାର କରେ। ହେଲେ ସବୁକିଛି ଆଶାରେ ରହିଯାଏ। ଏପରି ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ବହୁ ଚାଷଜମି ଜଳସେଚିତ ହୋଇପାରନ୍ତା। କୃଷିର ବିକାଶ ହୁଅନ୍ତା। ବିଭିନ୍ନ ପ୍ରକାର ଚାଷକରି ମୋ ଲୋକମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସନ୍ତା। ତାଙ୍କ ଅଭାବ ଅସୁବିଧା ଦୂର ହୁଅନ୍ତା। କେବଳ ମୟୂରଭଞ୍ଜ ନୂହେଁ, ପଡ଼ୋଶୀ ବାଲେଶ୍ବର ଜିଲାରେ ମଧ୍ୟ ପର୍ଯ୍ୟାପ୍ତ ଜଳସେଚନର ସୁବିଧା ଉପଲବ୍ଧ ହୋଇପାରନ୍ତା। ମୟୂରଭଞ୍ଜରେ ମୋ ଉପରେ ଏକ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେବା ଜରୁରୀ। ଏହା ସହିତ ବାଙ୍ଗିରିପୋଷି, କୁଳିଅଣା, ବାରିପଦା, ମାଣତ୍ରୀ ପ୍ରଭୃତି ଜାଗାରେ ବ୍ୟାରେଜ୍‌ ତିଆରି କରାଯାଇ ପାରିବ। ବାଲେଶ୍ବର ଜିଲାରେ ବି ହୋଇପାରିବ। ଏଗୁଡ଼ିକ ଜଳସେଚନ ସହିତ ମତ୍ସ୍ୟଚାଷ, ପାନୀୟଜଳ ଯୋଗାଣ, ନୌକାବିହାର ଜନିତ ପର୍ଯ୍ୟଟନ ପାଇଁ ଖୋରାକ ଯୋଗାଇବ।
ବଣଭୋଜି ପାଇଁ ଅନେକ ଲୋକ ମୋ ପାଖକୁ ଧାଇଁ ଆସନ୍ତି। ଅନେକ ଚଳଚ୍ଚିତ୍ର ଓ ଆଲ୍‌ବମ୍‌ ମୋ ପାଖରେ ମୋ ସୌନ୍ଦର୍ଯ୍ୟ ସହିତ ସୁଟିଂ ହୋଇଛି। ଶୁଣୁଛି ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ମନ୍ଦିର, ଐତିହ୍ୟ ସ୍ଥଳ ପ୍ରଭୃତିର ରୂପାନ୍ତର ହେଉଛି। ମୋର ଉଭୟ ପାଶର୍‌ବରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୂପାନ୍ତର ହୋଇପାରିଲେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସନ୍ତେ। ମୋ ପିତା ଶିମିଳିପାଳ ତ ଅସରନ୍ତି ସୌନ୍ଦର୍ଯ୍ୟର ଗନ୍ତାଘର। ମୁଁ ଶିମିଳିପାଳର ଉତ୍ତରଘାଟରୁ ଜନ୍ମ ନେଇଛି। ଜନ୍ମ ହେବାମାତ୍ରେ ମୁଁ ଲମ୍ଫ ଦେଇଛି ୨୧୭ ମିଟର ତଳକୁ। ମୋର ଏ ଲମ୍ଫ ବରେହିପାଣି ଜଳପ୍ରପାତ ଭାବେ ଖ୍ୟାତ। ଏହା ଭାରତର ଦ୍ୱିତୀୟ ଉଚ୍ଚତମ ଜଳପ୍ରପାତ। ନିକଟରେ ଯୋରନ୍ଦା ଜଳପ୍ରପାତ ମଧ୍ୟ ରହିଛି। ଏହା ସହିତ ଅନେକ ଆକର୍ଷଣୀୟ କୁଣ୍ଡ ରହିଛି।
ମୁଁ ଯେଉଁବାଟ ଦେଇ ଯାଇଛି ଓ ଜନବସତି ନିକଟରେ ପହଞ୍ଚତ୍ଛି, ସେ ସମସ୍ତ ଅଞ୍ଚଳର ସୌନ୍ଦର୍ଯ୍ୟରେ ପଟାନ୍ତର ନାହିଁ। ମୋତେ ଓ ମୋ ବାପାଙ୍କୁ ନେଇ ପର୍ଯ୍ୟଟନର ଭିତ୍ତିଭୂମିକୁ ବିକଶିତ କଲେ ଜିଲାର ଅର୍ଥନୀତି ସୁଦୃଢ଼ ହେବ। ବାରିପଦା ନିକଟରେ ମୋତେ ଲାଗି ଏକ ସୁରମ୍ୟ ଉଦ୍ୟାନ ନିର୍ମାଣ କଲେ ସହରର ଶୋଭା ବହୁଗୁଣିତ ହୁଅନ୍ତା। ସହର ତଳେ ଏହାକୁ ଲାଗି ବ୍ୟାରେଜ ନିର୍ମାଣ କଲେ ଜଳସେଚନ ସହିତ ସହରକୁ ଜଳଯୋଗାଣ ଓ ନୌବିହାର ପାଇଁ ସୁବିଧା ସୃଷ୍ଟି କରନ୍ତା। ପର୍ଯ୍ୟଟନର ବିକାଶ ଦ୍ୱାରା ବେକାରି ସମସ୍ୟା କିଛି ମାତ୍ରାରେ ଦୂର ହୋଇପାରିବ। ଯୁବତୀ ଯୁବକମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବେ ନାହିଁ। ସହରର ଯେଉଁ ନାଳ ନର୍ଦ୍ଦମା ଜଳ ମୋ ଦେହକୁ ଛାଡ଼ି ଦିଆଯାଉଛି ତାହା ମୋ ପାଇଁ ବିରକ୍ତିକର। ଏହା ଦ୍ୱାରା ମୋର ପବିତ୍ରତା ନଷ୍ଟ ହେଉଛି। ମୋ ଶଯ୍ୟାର ତଳ ଲୋକମାନେ ଏ ଜଳକୁ ବ୍ୟବହାର କରି ପାରୁନାହାନ୍ତି। ଏହି ଦୂଷିତ ଜଳକୁ ବିଶୋଧନ ପ୍ଲାଣ୍ଟ ଜରିଆରେ ଶୋଧନ କରି ଛଡ଼ାଗଲେ ଭଲହୁଅନ୍ତା।
ରୋଜଗାର କରି ସମ୍ମାନର ସହିତ ବଞ୍ଚତ୍ବାର ସମସ୍ତ ବ୍ୟବସ୍ଥା ମୋ ନିକଟରେ ଅଛି। ମୋର ଦୀର୍ଘ ୧୭୫ କିଲୋମିଟର ଲମ୍ବା ଜଳାଧାର ମୋ ପିଲାମାନଙ୍କ କାମରେ ଲାଗୁନାହିଁ। ମୋ ପିଲାମାନେ ଅଯୋଗ୍ୟ। ଏହାର ସଦୁପଯୋଗ କିପରି କରାଯିବ, ତାହା ଜାଣିନାହାନ୍ତି। ଏହା ହିଁ ମୋ ପାଇଁ ଦୁଃଖର ବିଷୟ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?