ମାଙ୍କଡ଼ କୁମ୍ଭୀର କଥା

ଅଲେଖ ଚନ୍ଦ୍ର ମିଶ୍ର

ମାଙ୍କଡ଼ କୁମ୍ଭୀର’ କଥା କାହାକୁ ଅବା ଅଜଣା। ଗଳ୍ପଟି ପଢ଼ି ବା ଶୁଣିସାରିଲା ପରେ କେହି କେହି କୁମ୍ଭୀରଟିକୁ ବୋକା ବା ନିର୍ବୁଦ୍ଧିଆ ଆଖ୍ୟା ଦେଇଥାନ୍ତି ତ ଅନ୍ୟ କେହି ମାଙ୍କଡ଼ଟିକୁ ବିଚକ୍ଷଣ ଓ ପ୍ରତ୍ୟୁତ୍ପନ୍ନମତି ବୋଲି ପ୍ରଶଂସା କରିଥାନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ଗଳ୍ପଟିର ଅନ୍ତର୍ନିହିତ ମର୍ମକୁ ସମ୍ୟକ୍‌ ଭାବରେ ଉପଲବ୍ଧି କରିଥାନ୍ତି ଏବଂ ଆହୁରି କମ୍‌ ଲୋକ ତାକୁ କାର୍ଯ୍ୟରେ ପରିଣତ କରନ୍ତି। ମର୍ମଟି ହେଲା ଅବିଶ୍ୱାସୀକୁ ବିଶ୍ୱାସ କରିବା ଅନୁଚିତ ଏବଂ ବିଶ୍ୱାସୀକୁ ଅତିମାତ୍ରାରେ ବିଶ୍ୱାସ କରିବା ଠିକ୍‌ ନୁହେଁ। ସବୁଠାରୁ ଅଧିକ ବିପଜ୍ଜନକ ହେଲା ଥରେ ବିଶ୍ୱାସଘାତକତା କରିଥିବା ଲୋକକୁ ପୁନରାୟ ବିଶ୍ୱାସ କରିବା। ଏହା ବେଳେବେଳେ ପ୍ରାଣଘାତକ ହୋଇଥାଏ ।
ମାଙ୍କଡ଼ଟି ହୁଏତ ଏହାକୁ ଠିକ୍‌ ଭାବରେ ବୁଝିଥିଲା। ତେଣୁ କୁମ୍ଭୀରର ସମସ୍ତ ପ୍ରଚେଷ୍ଟା, କୈଫିୟତ୍‌ ଓ ବୁଝାମଣାକୁ ଆଦୌ ଭ୍ରୂକ୍ଷେପ କରି ନ ଥିଲା। ବିଚରା କୁମ୍ଭୀର ! କେତେ ଛଳନା କଲା। ତଥାପି ମାଙ୍କଡ଼ ନିଜ ନିଷ୍ପତ୍ତିରେ ଅଟଳ। କାରଣ ସେ ଭଲ ଭାବରେ ବୁଝିଥିଲା ଯେ କୁମ୍ଭୀରଟିର ସମସ୍ତ ପ୍ରୟାସ ଛଳନାପୂର୍ଣ୍ଣ ଥିଲା ଏବଂ ହସ୍ତଚ୍ୟୁତ ବସ୍ତୁଟିକୁ ପୁନଃ ପ୍ରାପ୍ତି ପାଇଁ ଉଦ୍ଦିଷ୍ଟ ଥିଲା। ଶେଷରେ କୁମ୍ଭୀରକୁ ନିରାଶ ହେବାକୁ ପଡ଼ିଲା ଏବଂ କାଳ କାଳକୁ ବୋହି ଚାଲିଲା ‘କୁମ୍ଭୀର କାନ୍ଦଣା’ର ଅପବାଦ ପସରା।
କାହାଣୀଟି ହୁଏତ କଳ୍ପନାପ୍ରସୂତ ହୋଇପାରେ। କିନ୍ତୁ ମାନବ ସମାଜ ପ୍ରତି ତା’ର ବାର୍ତ୍ତା ଚିରନ୍ତନ ସତ୍ୟ, ଯୁଗଯୁଗ ଧରି ପରୀକ୍ଷିତ ଓ ଅନୁଭୂତ। ସେ ପୁରାଣଶାସ୍ତ୍ରରେ ହେଉ, ଇତିହାସର ପୃଷ୍ଠାରେ ହେଉ ଅଥବା ଆଧୁନିକ ବିଜ୍ଞାନ ଯୁଗରେ ହେଉ। ଅସମ୍ଭବ ରୂପ ଧାରଣ କରିଥିବା ମାୟାମିରିଗକୁ ବିଶ୍ୱାସ କରି ମାତା ସୀତା ଓ ପ୍ରଭୁ ଶ୍ରୀରାମଙ୍କର ଦୁର୍ଦ୍ଦଶା, ବିଶ୍ୱାସୀ କୈକେୟୀଙ୍କୁ ଅତିବିଶ୍ୱାସ କରି ଦଶରଥଙ୍କର ହୀନସ୍ତା ଓ ମୃତ୍ୟୁ, ଅବିଶ୍ୱାସୀ କୌରବଙ୍କୁ ବିଶ୍ୱାସ କରି ପାଣ୍ଡବଙ୍କର ଜତୁଗୃହ ପ୍ରବେଶ, ଛଳନାର ମୂର୍ତ୍ତିମନ୍ତ ଅବତାର ଶକୁନିକୁ ବିଶ୍ୱାସ କରି କୌରବକୁଳର ସର୍ବନାଶ-ଏଭଳି ସଂଖ୍ୟାତୀତ ଦୃଷ୍ଟାନ୍ତ ସଂପୃକ୍ତ ଆପ୍ତବାଣୀର ବାର୍ତ୍ତାବହ। ରାଜକୁମାର, ଭଲ୍ଲୁକ ଓ ବ୍ୟାଘ୍ର ଏ ତିନିଜଣଙ୍କର ପାରସ୍ପରିକ ବିଶ୍ୱାସ ଉପରେ ପର୍ଯ୍ୟବସିତ ‘ସସେମିରା କଥା’, ଗୃଧ୍ରକୂଟ ପର୍ବତ ନିବାସୀ ଗୃଧ୍ର ଜରଦ୍ଗବ ଓ ଦୀର୍ଘକର୍ଣ୍ଣ ମାର୍ଜାର ଉପାଖ୍ୟାନ ଅଥବା ବୃଦ୍ଧବ୍ୟାଘ୍ର ସୁବର୍ଣ୍ଣ କଙ୍କଣ ଆଖ୍ୟାୟିକା -ଏ ସବୁ ସେଇ ଗୋଟିଏ ସତ୍ୟର ବାବଦୂକ, ‘ବିଶ୍ୱାସଘାତକତା।’ ସେହିପରି ଥରେ ବିଶ୍ୱାସଘାତକତା କରିଥିବା (ପ୍ରେମନିବେଦନ କରି ବିଫଳ ହୋଇ) ଭଣ୍ଡ ସନ୍ନ୍ୟାସୀ ଚୂଡ଼ାକର୍ଣ୍ଣକୁ ପୁନର୍ବାର ବିଶ୍ୱାସ କରି (ନିଜର ପତିଙ୍କ ନିକଟରେ ତା’ କଥା ଗୋପନ ରଖି ) ସାଧବ ଲଳନା ରତ୍ନାବତୀ ଯେଉଁ ଦୁଃଖ ଭୋଗିଥିଲେ ଲୋକପ୍ରିୟ ଗ୍ରନ୍ଥ ‘ପ୍ରସ୍ତାବସିନ୍ଧୁ’ରେ ତାହା ଏକ ଚର୍ଚ୍ଚିତ ଉପାଖ୍ୟାନ ହୋଇ ରହି ଯାଇଛି।
ଇତିହାସର ପୃଷ୍ଠା ଓଲଟାଇଲେ ବିଶ୍ୱାସରେ ବିଷ ମିଶେଇବା ଘଟଣାର ଭୁରି ଭୁରି ନଜର ପଢ଼ିବାକୁ ମିଳେ। ଯେପରି ଶିବାଜୀ ଅଫଜଲ ଖାଁ ସମ୍ବାଦ, ଜୟଚନ୍ଦ୍ର ପୃଥ୍ବୀରାଜ ମହମ୍ମଦ ଘୋରି ଉପାଖ୍ୟାନ, ସିରାଜଦୌଲା-ମିର୍ଜାଫର ସମ୍ପର୍କ, ନାଦୀରଶାହା-ସହାଆଲମଙ୍କର ମୁକୁଟ ବିନିମୟ ଘଟଣା ଇତ୍ୟାଦି।
ଏବେ ସାମ୍ପ୍ରତିକ ସମାଜରେ ଏହି ସୂକ୍ତିଟିର ପ୍ରାସଙ୍ଗିକତାକୁ ବିଚାର କରାଯାଉ। ନବବିବାହିତ କନ୍ୟାଟିଏ କେତେ ଆଶା ଭରସା ନେଇ ଶାଶୁ ଘରକୁ ଯାଏ। ଯଦି ସେଠାରେ ଦୈବାତ୍‌ ଯୌତୁକଯନ୍ତ୍ରଣାର ଶିକାର ହୁଏ ସେ ତ୍ରାହି ତ୍ରାହି ଡାକି ବାପଘରକୁ ଆଶ୍ରାକରେ। ବାପ ଘର ଲୋକେ ତାକୁ ଘରକୁ ନେଇ ଆସନ୍ତି ସତ, କିନ୍ତୁ କିଛିଦିନ ପରେ ଶାଶୁଘର ସହିତ କଥାବାର୍ତ୍ତା କରି ପୁଣି ତାକୁ ସେଠି ଛାଡ଼ି ଦେଇ ଆସନ୍ତି। ସେମାନେ ବୁଝନ୍ତିନି ଯେ ଲୋଭର ଅନ୍ତ ନ ଥାଏ। ଧନଲୋଭୀଙ୍କ ପାଇଁ ଦୟା, କ୍ଷମା, ବୁଝାମଣା ଭଳି ଶବ୍ଦର କିଛି ମୂଲ୍ୟ ନ ଥାଏ। ଫଳରେ ଏକା ଘଟଣାର ପୁନରାବୃତ୍ତି ହୁଏ। ଏଥରକ ବିଚରା ଝିଅଟି ଅସହାୟଭାବରେ ଅକାଳ ମୃତ୍ୟୁବରଣ କରେ। ଲତାଟିଏ ତା’ ପାଖରେ ଥିବା ବୃକ୍ଷ ଉପରକୁ ମାଡ଼ିଲା ପରି ଅନ୍ତିମ କୈଶୋର କିମ୍ବା ଆଦ୍ୟ ଯୌବନର ଦୋଛକିରେ ଉପନୀତ ଝିଅଟି ତା’ ଆଡ଼କୁ ପ୍ରଥମ ଥର ପାଇଁ ଲମ୍ବି ଆସୁଥିବା ସହାନୁଭୂତି, ଭରସା, ଆଶ୍ୱାସନା ଓ ପ୍ରତିଶ୍ରୁତିର ହାତକୁ ନିଜ ହାତ ସହିତ ଛନ୍ଦି ଦେବାକୁ ବ୍ୟାକୁଳ ହୋଇ ଅନିଶ୍ଚିତତା ଭିତରକୁ ଲମ୍ଫ ପ୍ରଦାନ କରେ। କିନ୍ତୁ ବାସ୍ତବତା ଜାଣିଲା ବେଳକୁ ନେଡ଼ି ଗୁଡ଼ କହୁଣିକୁ ବୋହିଯାଇଥାଏ। ପ୍ରେମିକ ଉପରେ ଅଖଣ୍ଡ ଭରସା ରଖି ବିବାହିତା ଏବଂ ସନ୍ତାନବତୀ ମହିଳାଟିଏ ଘର ଛାଡ଼େ। କିନ୍ତୁ ଯେତେବେଳେ ତା’ର ପ୍ରେମିକ ତାକୁ ପ୍ରତ୍ୟାଖ୍ୟାନ କରେ ତା’ର ଅବସ୍ଥା ଦୁଇ ନାବରେ ଗୋଡ଼ ଦେଲା ଭଳି ହୁଏ। ତ୍ରିକୋଣୀୟ ପ୍ରେମ, ପରକୀୟା, ଧନଲୋଭ, ବୋତଲବନ୍ଧୁ ଇତ୍ୟାଦି ଅନେକ ସମୟରେ ମୃତ୍ୟୁର କାରଣ ହୁଏ।
ସମାଜରେ ପ୍ରତିଷ୍ଠିତ ଅନେକ ଲୋକ ବି ଏଭଳି ଷଠତାର ଶରବ୍ୟ ହେବାର ବହୁତ ଦୃଷ୍ଟାନ୍ତ ରହିଛି। ସାମାନ୍ୟ ସମସ୍ୟାରୁ ମୁକ୍ତି ପାଇଁ ହେଉ ଅଥବା ତାତ୍କାଳିକ ପ୍ରାପ୍ତି ପାଇଁ ହେଉ କିଛି ଲୋକ ଭଣ୍ଡବାବାଙ୍କର ଶରଣାପନ୍ନ ହୁଅନ୍ତି। ତାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖି କେତେ ଯେ ପରିବାର ସର୍ବସ୍ବାନ୍ତ ହୁଅନ୍ତି ତା’ର ହିସାବ ନାହିଁ।
ଏହାର ଅର୍ଥ ନୁହେଁ ସମସ୍ତଙ୍କୁ ଅବିଶ୍ୱାସ କରିବା। ସମାଜରେ ରହିବାକୁ ହେଲେ କିଛି ମାତ୍ରାରେ ବିଶ୍ୱାସ ତ ରଖିବାକୁ ପଡ଼ିବ। ତେବେ ଯେଉଁଠି ବିଶ୍ୱାସ ଓ ଅବିଶ୍ୱାସ ମଧ୍ୟରେ ଗୋପନୀୟତା ବା ସଂଶୟ ପ୍ରବେଶ କରେ ତାହା ସହଜରେ ଗ୍ରହଣୀୟ ନୁହେଁ। ବିଶ୍ୱାସ ଅବିଶ୍ୱାସର ଧାରା ଏକତରଫା ନ ହୋଇ ନିଜର ଆତ୍ମୀୟସ୍ବଜନଙ୍କର ସହମତିରେ ବା ଜ୍ଞାତସାରରେ ହେବା ବିଧେୟ। ଏହାର ଅନ୍ୟ ଏକ ବିଭାବ ହେଲା ଲୋକଚରିତ୍ରକୁ ଠିକ୍‌ ଭାବରେ ଅନୁଧ୍ୟାନ କରି ଅଗ୍ରସର ହେବା। ବିଶ୍ୱାସ କରିବା ପୂର୍ବରୁ ଦେଶ କାଳ ପାତ୍ରକୁ ବିଚାର କଲେ ଅନେକ ସମସ୍ୟା ଏଡ଼େଇ ହେବ। ମାଙ୍କଡ଼ଟି ସିନା ସେଦିନ ମୃତ୍ୟୁମୁଖରୁ ଫେରି ଆସିଥିଲା, ହେଲେ ମଣିଷ ପାରିବ ତ? ଅଣ୍ଟିଛୁରି ପରା ତଣ୍ଟି କାଟେ!
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri