ଭୟ କାହାକୁ

ବିଭିନ୍ନ ଜାତୀୟ ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସ ଜରିଆରେ ସୋମବାର, ୨୭ ଏପ୍ରିଲ୍‌ରେ ଆଲୋଚନା ହୋଇଥିଲା। ଏଥିରୁ ଶୁଣିବାକୁ ମିଳିଛି ଯେ କେତେଜଣ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧିକୁ ମେ’ ୩ରୁ ଆହୁରି ଏକ ମାସ ବୃଦ୍ଧି ଲାଗି ପ୍ରସ୍ତାବ ଦେଇଛନ୍ତି। ପ୍ରଶ୍ନ ଉଠୁଛି, ଦେଶବ୍ୟାପୀ ତାଲାବନ୍ଦ କରି ରଖିଲେ କରୋନା ଭାଇରସର କୋପ ବାସ୍ତବରେ ହ୍ରାସ ହେଉଛି କି ନାହିଁ। ନିଃସନ୍ଦେହରେ କହିହେବ ଯେ କରୋନା ଏକ ଭୟାବହ ରୋଗ। କିନ୍ତୁ ଏହି ଭୂତାଣୁ ସଂକ୍ରମଣ ହେଲେ ମୃତ୍ୟୁ ପ୍ରତିଶତ ସେଭଳି ଭୟାବହ ହେଉଥିବାର ଭାରତରେ ମନେ ହେଉନାହିଁ। ପାଶ୍ଚାତ୍ୟ ଦେଶ ଯଥା- ଇଟାଲୀ, ସ୍ପେନ୍‌ ଏବଂ ଆମେରିକାରେ ଯେଉଁଭଳି ଭାବେ ଏହାର ଦୌରାତ୍ମ୍ୟ ପରିଲକ୍ଷିତ ହୋଇଛି, ସେଭଳି ସ୍ଥିତି ଭାରତରେ ଦେଖିବାକୁ ମିଳିନାହିଁ। ଯଦି ମେ’ ୩ ପରେ ପୁନର୍ବାର ଏକ ମାସ ପାଇଁ ଲକ୍‌ଡାଉନ୍‌ ସମେତ ରେଳ ଚଳାଚଳ ବନ୍ଦ କରାଯାଏ, ତେବେ ସନ୍ଦେହ କରାଯାଇପାରେ ଯେ କ୍ଷମତାସୀନ ବ୍ୟକ୍ତିମାନେ ଏକ ଭିନ୍ନ ଟୁର୍ନାମେଣ୍ଟରେ ଖେଳୁଛନ୍ତି। ସମ୍ଭବତଃ ସାଧାରଣ ନାଗରିକ ସେହି ଖେଳ ସମ୍ପର୍କରେ କୌଣସି ତଥ୍ୟ ପାଇପାରୁ ନାହିଁ।

ଜାତୀୟ ସ୍ତରରେ ପ୍ରଶାସନର ଗତିବିଧିକୁ ଦେଖିଲେ ମନେହେଉଛି ଯେପରି ସମସ୍ତେ ମଣିଷଖିଆ ବାଘ ପାଲଟି ଗଲେଣି। ଜଙ୍ଗଲରେ ରହୁଥିବା ବାଘକୁ ଅନେକ ଦୌଡ଼, ଛକାପଞ୍ଝା ଓ କଷ୍ଟ କରି ଖାଦ୍ୟ ଶିକାର କରିବାକୁ ପଡ଼ିଥାଏ। ଥରେ ମଣିଷ ରକ୍ତ ଚାଖିବା ପରେ ବିନା ଦୌଡ଼, ବିନା କଷ୍ଟରେ ଯେଉଁପରି ବାଘ ତା’ର ଭୋକ ମେଣ୍ଟାଇ ପାରିଥାଏ, ସେହିଭଳି ଆଜି ଭାରତର ପରିସ୍ଥିତି ହୋଇଥିବାର ମନେହେଉଛି। କୋଭିଡ୍‌-୧୯ ପ୍ରତି ସତର୍କତା ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି କେହି ଦ୍ୱିମତ ହୋଇପାରିବେ ନାହିଁ। ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଏକ ଭାରତୀୟ ଚରିତ୍ର ବିରୋଧୀ ଲକ୍ଷଣ। ଆମେ ସମସ୍ତେ ଯୁଆଡ଼େ ପାରୁ ସିଆଡ଼େ ଛେପ ଖଙ୍କାର ପକାଇବା ସହିତ ଭିଡ଼ରେ ପଶିବାକୁ ପସନ୍ଦ କରିଥାଉ। ସେହି ଚରିତ୍ରର ଦ୍ୱାହି ଦେଇ ଏବେ ଆମେ ସାଧାରଣ ନାଗରିକ ହିଁ ଶିକାର ହୋଇଯାଇଛୁ। ଉଦାହରଣ ସ୍ବରୂପ, ଏବେ ଉତ୍ତରପ୍ରଦେଶର ଆଗ୍ରା ଅଞ୍ଚଳରେ ଥିବା କେତେକ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ସାଧାରଣ ନିୟମାବଳୀ ଅନୁସରଣ କରାଯାଉ ନ ଥିବାର ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ଅନ୍ତେବାସୀମାନେ ଖାଇବା ଓ ପିଇବା ପାଇଁ ଜାଲି ବାହାରେ ରଖାଯାଇଥିବା ପୁଡ଼ିଆ ଓ ପାଣି ବୋତଲକୁ ଭିଡ଼ାଭିଡ଼ି ହୋଇ ନେଉଥିବା ଲକ୍ଷ୍ୟ କରାଯାଉଛି। ଉକ୍ତ କେନ୍ଦ୍ର ବାହାରେ ବିସ୍କୁଟ ଓ ପାଣି ଦେଉଥିବା ବ୍ୟକ୍ତି ସେମାନଙ୍କ ନିକଟକୁ ଏସବୁ ଫିଙ୍ଗିବା ଅତି ଅମାନବୀୟ ଢଙ୍ଗରେ ହେଉଥିବା ଦେଖିବାକୁ ମିଳିଛି। ଅନ୍ତେବାସୀମାନେ ସାମାଜିକ ଦୂରତା ନିୟମକୁ ଉପେକ୍ଷା କରି ଯେଭଳି ଧସ୍ତାଧସ୍ତି ହୋଇ ଜିନିଷ ନେବାକୁ ଚେଷ୍ଟା କରୁଛନ୍ତି, ସେଥିରୁ ସେମାନଙ୍କର ଭୋକ ଶୋଷର ପରିମାଣ କେତେ ତୀବ୍ର ତାହା ଜାଣି ହେଉଛି। ଏଠାରେ ସାମାଜିକ ଦୂରତା ବଜାୟ ରଖିବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ସେହିଭଳି ପ୍ରତ୍ୟେକ ରାଜ୍ୟର ପ୍ରବେଶ ପଥରେ ଅଟକି ରହିଥିବା ଅନେକ ଲକ୍ଷ ଲୋକ ସମଦଶା ଭୋଗୁଛନ୍ତି। ଭୟ ସୃଷ୍ଟି କରାଯାଉଛି ଯେ, ଏହି ସ୍ଥାନାନ୍ତରିତ ଶ୍ରମିକମାନେ ଯଦି ନିଜ ଗାଁକୁ ଫେରି ଯାଆନ୍ତି, ତେବେ କରୋନା ଭୂତାଣୁ ତୃତୀୟ ତଥା ଗୋଷ୍ଠୀ ସଂକ୍ରମଣ ସ୍ତରକୁ ତତ୍‌କ୍ଷଣାତ୍‌ ଚାଲିଯିବ। ପ୍ରଥମେ ଚେଷ୍ଟା କରାଯାଇଥିଲା ନିଜାମୁଦ୍ଦିନ ମରକଜ ବିଷୟରେ ଡିଣ୍ଡିମ ପିଟି ମୁସଲମାନ ସମ୍ପ୍ରଦାୟ ବିରୋଧରେ ମନୋଭାବ ସୃଷ୍ଟି କରିବାର। କିନ୍ତୁ ସେହି ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ମାତ୍ର କେଇଟା ହଜାର ଲୋକ ଥିବାରୁ ସେହି ମୁସଲମାନଙ୍କ ଦ୍ୱାରା ସମଗ୍ର ଦେଶରେ କରୋନା ବ୍ୟାପିଛି ବୋଲି ବିଶ୍ୱାସଯୋଗ୍ୟ ହୋଇପାରିଲା ନାହିଁ। ସେହି ସାମ୍ପ୍ରଦାୟିକ ଚିନ୍ତାଧାରା ସୃଷ୍ଟି କରିବାରେ ବିଫଳତା ପରେ ଏବେ ଗରିବ ଖଟିଖିଆଙ୍କ ବିରୋଧରେ ଟାଣିଓଟାରି ଦୋଷାରୋପ କରାଯାଉଛି। ଗଣମାଧ୍ୟମରୁ ଜଣାପଡ଼ିଛି ଯେ ଏକ ନିର୍ଦ୍ଦିଷ୍ଟ ଦଳର କେତେକ ସାଂସଦ ସରକାରଙ୍କୁ ଅର୍ଥନୀତି ସୁଦୃଢ଼ କରିବା ଲାଗି ଏକ ପ୍ରସ୍ତାବ ଦେଇଥିଲେ। ଉକ୍ତ ସାଂସଦଙ୍କ ଦ୍ୱାରା କରାଯାଇଥିବା ସୁପାରିସ ଭୟଙ୍କର ଥିବା ଶୁଣିବାକୁ ମିଳୁଛି। ସେଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, କର୍ମକ୍ଷେତ୍ର ଛାଡ଼ି ସହରରୁ ଗ୍ରାମାଭିମୁଖୀ ହୋଇଥିବା ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚିବାକୁ ଦିଆ ନ ଯାଉ। କୁହାଯାଇଛି ଯେ ସେମାନେ ଥରେ ନିଜ ଗାଁରେ ପହଞ୍ଚିଗଲେ ଏବଂ ଯେଉଁଭଳି ହଇରାଣ ହରକତ ଲକ୍‌ଡାଉନ୍‌ ସମୟରେ ହୋଇଛନ୍ତି, ତାହାକୁ ମନେରଖି ପୁନର୍ବାର ନିକଟ ଭବିଷ୍ୟତରେ କର୍ମସ୍ଥଳୀକୁ ଫେରିବା ଅସମ୍ଭବ। ଏଭଳି ମାନସିକତାରୁ ସ୍ପଷ୍ଟ ବୁଝାପଡୁଛି ଯେ ଆଜିର ଭାରତୀୟ ଶାସନ ବ୍ୟବସ୍ଥାରେ ସାଧାରଣ ନାଗରିକର କୌଣସି ସ୍ଥାନ ନାହିଁ। ଦେଶ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଚାଲୁଛି ବୋଲି କୁହାଯାଉଥିଲେ ମଧ୍ୟ ଧନୀ ଲୋକଙ୍କ ସ୍ବାର୍ଥ ପାଇଁ ସବୁକିଛି କରାଯାଉଛି। ସମ୍ଭବତଃ ସେଥିସକାଶେ ଦେଶରେ ରେଳ ଚଳାଚଳକୁ ଆହୁରି ଦୀର୍ଘଦିନ ବନ୍ଦ ରଖିବା ପାଇଁ ଏହି ସାଂସଦମାନେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ ଅର୍ଥନୀତିକୁ ପୁନର୍ଜୀବିତ କରିବା ଲାଗି ଏହି ଶ୍ରମିକମାନେ ପୂର୍ବ କର୍ମକ୍ଷେତ୍ରକୁ ଫେରିବାର ନିତାନ୍ତ ଆବଶ୍ୟକତା ରହିଛି। ଶ୍ରମିକମାନେ ଗାଁକୁ ପଳାଇଗଲେ ଗୁରୁଗ୍ରାମ, ପୁଣେ, ବେଙ୍ଗାଲୁରୁ, ତିରୁପୁରୁ ଓ ସୁରଟ ଭଳି ସ୍ଥାନରେ ଥିବା କାରଖାନା ଓ ଶିଳ୍ପସଂସ୍ଥା ଅଚଳ ହୋଇଯିବ। ସେଥିପାଇଁ ଅମାନୁଷିକ ଚିନ୍ତାଧାରା ପୋଷଣ କରାଯାଇ କେନ୍ଦ୍ର ସରକାର ରେଳ ଚଳାଚଳ ରୋକିବା ସହ ବିଭିନ୍ନ ରାଜ୍ୟ ସରକାର ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବାକୁ ଦେଉନାହାନ୍ତି। ଅନ୍ୟପଟେ ଏଭଳି କଠୋର ପଦକ୍ଷେପକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଯାଇ କୁହାଯାଉଛି ଯେ, ଏହି ଲୋକମାନେ ନିଜ ଗ୍ରାମକୁ ଚାଲିଗଲେ ସେଠାରେ କୌଣସି କାମ ପାଇବେ ନାହିଁ ଏବଂ ଦାରିଦ୍ର୍ୟ ବୃଦ୍ଧି ପାଇବ। ଏଥିରୁ ବୁଝିବାକୁ ହେବ ଯେ ସେମାନଙ୍କ ଆବେଗିକ ଦିଗକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି।

ଏବେ ଅବଧି ବଢ଼ିଲେ ଭୟ କେବଳ କରୋନା ଭାଇରସରେ ସୀମିତ ରହିବ ନାହିଁ, ସରକାରଙ୍କ ଅବିଚାର ଅଧିକ ମାରାତ୍ମକ ହୋଇଯିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri