ଭୋଟ ଦେବା କାହାକୁ

ଅକ୍ଷୟ କୁମାର ମିଶ୍ର

ଗଣତନ୍ତ୍ରର ମହାପର୍ବ ହେଉଛି ନିର୍ବାଚନ। ଆମ ଦେଶର ସାବାଳକମାନେ ପ୍ରତି ପାଞ୍ଚ ବର୍ଷରେ ଥରେ ଭୋଟ୍‌ ଦେଇ ଜନପ୍ରତିନିଧି ବାଛନ୍ତି। ଏହି ନିର୍ବାଚିତ ଜନ ପ୍ରତିନିଧିମାନେ ସରକାର ଗଢ଼ନ୍ତି। ସରକାର ଗଠନ ପରେ ଆନୁଷ୍ଠାନିକ ଭାବେ ଏମାନେ ଦୁଇଟି ଦଳରେ ବିଭକ୍ତ ହୋଇଯାଆନ୍ତିି- ସରକାରୀ ଦଳ ଓ ବିରୋଧୀ ଦଳ। ଏମାନଙ୍କ ଭିତରେ ମତାନ୍ତର ହୁଏ, ମନାନ୍ତର ମଧ୍ୟ ରହେ। ପରସ୍ପର ବିରୋଧରେ ବିଷୋଦ୍‌ଗାର ଚାଲେ, ଗାଳି ମନ୍ଦ ହୁଏ, ବେଳେବେଳେ ଖଣ୍ଡଯୁଦ୍ଧ ବି ଦେଖିବାକୁ ମିଳେ। ନିର୍ବାଚନ ଯେତେ ନିକଟତର ହୁଏ, କାଦୁଅ ଫିଙ୍ଗାଫିଙ୍ଗି ସେତେ ଅଧିକ ହୁଏ। ଏହି କ୍ରମରେ ଆମ ଜନତାଙ୍କ ମଧ୍ୟରେ ସାମୟିକ ହେଲେ ମଧ୍ୟ ପାଚେରି ତିଆରି ହୁଏ।
ମୋର ଗତ ପ୍ରବନ୍ଧ ‘ଆସ ଭୋଟ୍‌ ଦେବା’ରେ ଆହ୍ବାନ ଥିଲା- ‘ଚାଲ ସଭିଏଁ ଭୋଟ୍‌ ଦେବା। ଉତ୍ତମ ପ୍ରତିନିଧି ବାଛିବା। ଜନବାଦୀ ସରକାର ଗଢ଼ିବା। ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା।’ ଯେଉଁମାନେ ଭୋଟ୍‌ ଦେଉନାହାନ୍ତି, ସେମାନେ ଅଧିକାର ସାବ୍ୟସ୍ତ କଲେ ଯେକୌଣସି ନିର୍ବାଚନର ଫଳାଫଳ ଯେ ଓଲଟପାଲଟ ହୋଇଯିବ ଏଥିରେ ସନ୍ଦେହ ନାହିଁ। କିନ୍ତୁ ଅସଲ କଥା ହେଲା ଭୋଟ୍‌ ଦେବା କାହାକୁ? କିଏ ହେବ ଆମର ଉତ୍ତମ ପ୍ରତିନିଧି? ସବୁଥର ପରି ନିର୍ବାଚନ ଦୁନ୍ଦୁଭି ବାଜିବା ପରେ ସମସ୍ତ ରାଜନୈତିକ ଦଳ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ବେଶ୍‌ କସରତ କରୁଛନ୍ତି। ତାପରେ କ’ଣ ହେଉଛି ଆମେ ସବୁ ଦେଖୁଛେ। ସାଧାରଣ ଜନତା ଦେଖୁଛନ୍ତି ନେତାଙ୍କ ମତିଗତିକୁ। ସେବା ନାମରେ କ୍ଷମତାର ଲାଳସାକୁ। ଦଳୀୟ ପ୍ରୀତିକୁ। ନୈତିକତାକୁ ଦେଖି ସଭିଏଁ ତାଜୁବ୍‌। ଦଳର ସଚ୍ଚା ନେତା ବୋଲାଉଥିବା ବଡ଼ପଣ୍ଡାମାନେ ଯେଉଁମାନେ ଅନ୍ୟ ଦଳକୁ କଟୁ ସମାଲୋଚନା କରି ଆସୁଥିଲେ, ନିଜ ଦଳର ନୀତି ଆଦର୍ଶକୁ ଅନର୍ଗଳ ବଖାଣୁଥିଲେ ଟିକେଟ ନ ପାଇବା ପରେ କିମ୍ବା ଦଳୀୟ ଟିକେଟ ନ ପାଇବାର ସୂଚନା ପାଇବା ପରେ କେମିତି ରାତାରାତି ରଙ୍ଗ ବଦଳାଇ ପାରୁଛନ୍ତି। ଏପରିକି ଯେଉଁମାନଙ୍କୁ ଦଳ ଏକାଧିକବାର ବିଧାୟକ କିମ୍ବା ସାଂସଦ ହେବାର ସୁଯୋଗ ଦେଇଛି, ମନ୍ତ୍ରୀ କରିଛି, ଦଳର ବିଭିନ୍ନ ଉଚ୍ଚ ପଦପଦବୀରେ ରହି ନିଜର ପତିଆରା ବୃଦ୍ଧି କରିପାରିଥିଲେ ସେମାନେ। ଅଥଚ କେମିତି ନିଜର ମତକୁ ଅତି ସହଜରେ ପରିବର୍ତ୍ତନ କରୁଛନ୍ତି ତାହା ଲୋକମାନେ ଦେଖୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଆୟାରାମ ଗୟାରାମମାନଙ୍କୁ ଲୋକମାନେ ଚିହ୍ନିବାରେ ଭୁଲ୍‌ କରୁଛନ୍ତି। ଦଳ ବଦଳରେ କୌଣସି ଫରକ ପଡ଼ୁନି। ଫଳରେ ବ୍ୟକ୍ତିବାଦ ବଢ଼ୁଛି। ଏମାନେ ଗୋଟିଏ ରାଜନୈତିକ ଦଳରେ ଥିବାବେଳେ ଯାହା କହୁଥିଲେ ଅନ୍ୟ ଦଳକୁ ଯିବା ପରେ ଯାହା କହିଲେ ସେଥିରୁ କେଉଁଟା ଠିକ୍‌? ନା, ଏମାନେ ନିଜେ ଭୁଲ୍‌? ଯେଉଁ ରାଜନୈତିକ ଦଳ ହେଉନା କାହିଁକି ସେଥିରେ ରହି କ୍ଷମତା ଉପଭୋଗ କଲେ, ଧନ ସମ୍ପତ୍ତି ଅର୍ଜିଲେ, ସାମାଜିକ ପ୍ରତିଷ୍ଠା ଲଭିଲେ। ମାତ୍ର କୌଣସି କାରଣରୁ ଦଳ ଯଦି ଆଉ କାହାକୁ ସୁଯୋଗ ଦେଲା ତେବେ ସରିଲା। ରାତି ନ ପାହୁଣୁ ଅନ୍ୟ ଦଳରେ ହାଜର। ସେ ଦଳର ନିଷ୍ପତ୍ତି ମଧ୍ୟ ଅଜବ। ସଂଗଠନ ସଜାଡ଼ି ଆସୁଥିବା ଲୋକଟିକୁ ଫୋପାଡ଼ି ଦେଇ ଦାଣ୍ଡ, ହାଟ, ବଜାରରେ ଚଉଦ ପୁରୁଷକୁ ଉଦ୍ଧାର କରୁଥିବା ବ୍ୟକ୍ତି ଉପରେ ଆସ୍ଥା ପ୍ରକଟ କରି ନିର୍ବାଚନରେ ଅବତୀର୍ଣ୍ଣ କରାଇବା କି ପ୍ରକାର ନୈତିକତା ବୁଝି ହେଉନାହିଁ। ଏସବୁର ପୂର୍ଣ୍ଣଚ୍ଛେଦ କେବଳ ଜନତା ହିଁ ପକାଇ ପାରିବେ। ଯେଉଁ ଦଳ ପାଇଁ ପରିଚୟ ସୃଷ୍ଟି ହେଲା ସେହି ଦଳର ହୋଇ ପାରୁ ନ ଥିବା ଲୋକଟି ଜନତାଙ୍କର ହେବ କେମିତି? ଏହାକୁ ମନରେ ରଖି ଚାଲନ୍ତୁ ଭୋଟ୍‌ ଦେବା ଏବଂ ସେବକର ଖୋଳପା ପିନ୍ଧିଥିବା ଏହି ସ୍ବାର୍ଥାନ୍ବେଷୀ ନେତାଙ୍କୁ ଉଚିତ ଶିକ୍ଷା ଦେବା।
ଭୋଟ୍‌ ଦେବା ଉଚିତ ନୁହେଁ ସେହିମାନଙ୍କୁ, ଯେଉଁମାନେ ଦୁର୍ନୀତିଗ୍ରସ୍ତ। ଏହି ଧରଣର ଲୋକମାନେ ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରିବା ପାଇଁ ଯେକୌଣସି ସ୍ତରକୁ ଓହ୍ଲାଇ ଯାଇପାରନ୍ତି। ଦେଶ ଓ ଦଶ ଏମାନଙ୍କ ପାଇଁ ତୁଚ୍ଛ। ଏମାନଙ୍କର ଏକମାତ୍ର ଲକ୍ଷ୍ୟ ଅର୍ଥ ଉପାର୍ଜନ। କ୍ଷମତା ଥିଲେ ଅତି ସହଜରେ ଦୁର୍ନୀତିକୁ ସୁନୀତିରେ ପରିଣତ କରିପାରନ୍ତି। ଏଣୁ କ୍ଷମତାକୁ ଧରି ରଖିବା ପାଇଁ ନିର୍ବାଚନରେ କୋଟି କୋଟି ଟଙ୍କା ବ୍ୟୟ କରନ୍ତି। ଯେତେ ଟଙ୍କା ବ୍ୟୟ କରନ୍ତି, ତାହା ଯେ ପୈତୃକ ସମ୍ପତ୍ତିର ଏକ ଅଂଶ ତାହା ନିଶ୍ଚୟ ନୁହେଁ କିମ୍ବା ଏହା କଠିନ ପରିଶ୍ରମରୁ ଅର୍ଜିତ ଧନ ମଧ୍ୟ ନୁହେଁ। ଆମେ ସମସ୍ତେ ଏକଥା ଜାଣିଛୁ। ଜାଣି ଯଦି ଭୁଲ୍‌ କରିବୁ, ତେବେ ନିଜ ଗୋଡ଼ରେ ନିଜେ ଚୋଟ ମାରିବା ସହିତ ଗଣତନ୍ତ୍ର ଗଭୀର ସଂକଟର ସମ୍ମୁଖୀନ ହେବ।
କେବଳ ପ୍ରାର୍ଥୀମାନେ ଯେ ଅମାପ ଅର୍ଥ ବ୍ୟୟ କରୁଛନ୍ତି ତାହା ନୁହେଁ, କିଛି ରାଜନୈତିକ ଦଳ ମଧ୍ୟ ବେହିସାବି ଖର୍ଚ୍ଚ କରୁଛନ୍ତି। ଏ ସବୁ ଅର୍ଥ କେଉଁ ଉତ୍ସରୁ ଆସୁଛି ଭୋଟ୍‌ ଦେବା ପୂର୍ବରୁ ଥରୁଟିଏ ଭାବିବା ଆବଶ୍ୟକ। ଏହା ଯେ ଚାନ୍ଦା ସୂତ୍ରରୁ ଏକଥା କେହି ଅସ୍ବୀକାର କରିବେ ନାହିଁ। ପୁଣି ଏହି ଚାନ୍ଦା ସାଧାରଣ ଲୋକଙ୍କଠାରୁ ସଂଗ୍ରହ ହେଉ ନାହିଁ। ହେଉଛି କଳକାରଖାନାର ମାଲିକଙ୍କଠାରୁ, ବଡ଼ ବଡ଼ କଣ୍ଟ୍ରାକ୍ଟରଙ୍କଠାରୁ, କଳାବଜାରିଙ୍କଠାରୁ। ଭାବିଲେ ଦେଖି ଏମାନେ କେଉଁ ସ୍ବାର୍ଥରେ କୋଟି କୋଟି ଟଙ୍କା ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଉଛନ୍ତି? ହିସାବ ଦେଖିଲେ ଯେଉଁ ଦଳ ସରକାରରେ ଥିବେ କିମ୍ବା ବିଜୟ ସମ୍ଭାବନା ଯାହାର ଅଧିକ ସେହି ଦଳଗୁଡ଼ିକ ଅଧିକ ଚାନ୍ଦା ପାଉଛନ୍ତି। ଏହାର କାରଣ ସ୍ପଷ୍ଟ ଯାହାର ପ୍ରତିଫଳନ ଘଟୁଛି ଦରଦାମ୍‌ ବୃଦ୍ଧିରେ, ନୂଆ ନୂଆ ଦୁର୍ନୀତିର ଆବିର୍ଭାବ ଏଇଥିପାଇଁ, ଶହେ ଟଙ୍କାରେ ସରକାରୀ ଧନରୁ ପଚାଶ ଟଙ୍କାରୁ କମ୍‌ ଖର୍ଚ୍ଚ ହୋଇ ଅବଶିଷ୍ଟ ବାଟମାରଣା ହେବାର ଏକମାତ୍ର କାରଣ ଏହି ଚାନ୍ଦା। ସଠିକ୍‌ ମତଦାନ ଏହାକୁ ରୋକିପାରିବ।
ପ୍ରତିଶ୍ରୁତି ଦେଇ ଯେଉଁମାନେ ପୂରଣ କରନ୍ତି ନାହିଁ, ଟଙ୍କା ଦେଇ ଯେଉଁମାନେ ଭୋଟ୍‌ କିଣିବାକୁ ଚାହାନ୍ତି, ଡରେଇ ମରେଇ ଯେଉଁମାନେ ଭୋଟ୍‌ ହାତେଇବାକୁ ଚାହୁଁଛନ୍ତି, ବିଭିନ୍ନ ସଙ୍ଗିନ ଅପରାଧରେ ଯେଉଁମାନେ ଜଡ଼ିତ, ସେମାନଙ୍କୁ ପ୍ରତିନିଧି ଭାବରେ ବାଛିବା ଅର୍ଥ ଗଣତନ୍ତ୍ର ପ୍ରତି ଉପହାସ। ତେବେ ଭୋଟ୍‌ ଦେବା କାହାକୁ? ପ୍ରଥମ କଥା ହେଲା ଆମେ ଯେଉଁମାନଙ୍କୁ ଚୟନ କରିବା ସେମାନେ ହେବେ ସାଂସଦ, ଯିଏ ଆମ କଥାକୁ ସଠିକ୍‌ ଢଙ୍ଗରେ ଦିଲ୍ଲୀ ଦରବାରରେ ଥୋଇବା ସହିତ ବିଭିନ୍ନ ଜାତୀୟ ଇସ୍ୟୁ ଉପରେ ବିତର୍କ କରିବାର ଦକ୍ଷତା ଥିବ ସେମାନଙ୍କର। ଆଉ ଯେଉଁମାନଙ୍କୁ ବିଧାୟକ ଭାବରେ ଭୋଟ୍‌ ଦେବା ସେମାନେ ଆମ ଅଞ୍ଚଳର ବିକାଶ କଥା ବୁଝିବେ ଏବଂ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ ସହିତ ବିଭିନ୍ନ ସମସ୍ୟା ଉପରେ ଶାଣିତ ସ୍ବର ଉଠାଇ ପାରିବାର ଭରପୂର ଅଭିଜ୍ଞତାର ଅଧିକାରୀ ହୋଇଥିବେ। ଦ୍ୱିତୀୟରେ ସେମାନଙ୍କର ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ଥିବ। ଅନ୍ୟାୟ, ଅନୀତି, ଦୁର୍ନୀତି ବିରୋଧରେ କଠୋର ମନୋଭାବ ପୋଷଣ କରୁଥିବେ। ବିଭିନ୍ନ ଜନ ଆନ୍ଦୋଳନ ସହିତ ସମ୍ପୃକ୍ତ ଥିବେ। ବିଶେଷକରି ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗକୁ ନେଇ ତାଙ୍କ ଭିତରେ ସଂକୀର୍ଣ୍ଣତା ନଥିବ। ଏସବୁ ଦିଗ ପ୍ରତି ବିଚାର ନ କରି ଯଦି କେଇଟା ଟଙ୍କା ଲୋଭରେ, ମଦ ନିଶାରେ, କାହାର ତୁଚ୍ଛା ଧମକ ଚମକରେ କିମ୍ବା ଆଉ କିଛି ପ୍ରଲୋଭନରେ ପ୍ରଲୋଭିତ ହୋଇ ନିଜର ମୂଲ୍ୟବାନ ଭୋଟ୍‌ ଖଣ୍ଡକ ଯାହାକୁ ନାହିଁ ତାକୁ ଦେଇଦେବା ତେବେ କପାଳରେ ହାତମାରିବା ହିଁ ସାର ହେବ। ମନେରଖିବା ଉଚିତ ଆମର ଭୋଟ୍‌ ସମ୍ପୂର୍ଣ୍ଣ ସିକ୍ରେଟ୍‌। କେହି ଜାଣିବେନି, କେହି ଦେଖିବେନି। ଏଣୁ ନିଜ ବିବେକ ଖଟାଇ ଗୋଟିଏ ଜନବାଦୀ ସରକାର ଗଢ଼ିବା ପାଇଁ ଉତ୍ତମ ପ୍ରାର୍ଥୀଙ୍କ ନାମ ବା ସଙ୍କେତ ଡାହାଣକୁ ଥିବା ନୀଳ ବୋତାମ ଚିପି ଆସନ୍ତୁ ଭୋଟ୍‌ ଦେବା।
ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri