ଭିନ୍ନ ପ୍ରକାର ପୁନଃଚକ୍ରୀକରଣ

ଡ. ଚିନ୍ତାମଣି ପଣ୍ଡା
ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଦୈନ୍ୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ ପୂର୍ବକ ଅତ୍ୟନ୍ତ ଆକୁଳ ଚିତ୍ତରେ ଭୋଜନାର୍ଥୀମାନଙ୍କୁ ନିଜର କ୍ଷୁଧା ନିବେଦନ କରୁଥାନ୍ତି। ଦୟାବିଗଳିତ ହୋଇ ଜନୈକ ସହୃଦୟ ବ୍ୟକ୍ତି ଅନ୍ନବ୍ୟଞ୍ଜନ ଦାନରେ ନିଜର ବଦାନ୍ୟତା ପ୍ରକାଶ କରନ୍ତେ ବୁଭୁକ୍ଷୁ ଜଣକ ସହସା ଅନେକ ଯୁଗର କ୍ଷୁଧାକୁ ନିବାରଣ କରିବା ଢଙ୍ଗରେ ଭୋଜନରେ ମଜ୍ଜିଗଲେ। କିନ୍ତୁ ଏ କ’ଣ! ଦାତାଙ୍କ ଅଲକ୍ଷ୍ୟରେ କିଛି ବ୍ୟଞ୍ଜନ ଭର୍ତ୍ତି ପ୍ରସାଦ କୁଡୁଆକୁ ଗଣ୍ଠିଲି ଭିତରେ ଲୁଚାଇ ରଖିଲେ। ଆମେ ଭାବିଲୁ ବୋଧହୁଏ ତାଙ୍କ ପରିବାରର କ୍ଷୁଧାର୍ତ୍ତମାନଙ୍କ ନିମନ୍ତେ ଏହା ଉଦ୍ଦିଷ୍ଟ। କିନ୍ତୁ କେତେ ମୁହୂର୍ତ୍ତ ପରେ ପୁନଶ୍ଚ ପୂର୍ବୋକ୍ତ ସ୍ଥାନରେ ଦଣ୍ଡାୟମାନ ହୋଇ ‘ହା ଅନ୍ନ’ ‘ହା ଅନ୍ନ’ ଚିତ୍କାର କଲେ। କିଛି ସମୟ ପରେ ବାଳକଟିଏ ତାଙ୍କଠୁ ଗଣ୍ଠିଲିରେ ସାଇତା କୁଡୁଆଗୁଡିକୁ ନେଇ ନିର୍ଦ୍ଦିଷ୍ଟ ପିଣ୍ଡିଟିଏ ଉପରେ ବିକ୍ରି ହେଉଥିବା ମହାପ୍ରସାଦ ସହ ମିଶାଇଦେଲା ନୂତନ ଗରାଖଙ୍କ ଉପଯୋଗ ନିମନ୍ତେ। ଘଟଣାଟି ପ୍ରତ୍ୟହ ଉକ୍ତ ଅଞ୍ଚଳରେ ଘଟୁଥିବା ଏକ ସାଧାରଣ ଦୃଶ୍ୟରେ ପରିଣତ ହୋଇଯାଇଥିବାରୁ କାହାର ଏଥିପ୍ରତି ନିଘା ନାହିଁ। କିନ୍ତୁ ପ୍ରକାରାନ୍ତରେ ଖାଦ୍ୟର ଏପ୍ରକାର ପୌନଃପୁନିକ ଉପଯୋଗକୁ ଆମେ ଭିନ୍ନ ପ୍ରକାର ରିସାଇକ୍ଲିଙ୍ଗ ବା ପୁନଃଚକ୍ରୀକରଣ କହିପାରିବା କି ନାହିଁ?
କେବଳ ସେତିକି ନୁହଁ, ଧର୍ମପୀଠଗୁଡ଼ିକରେ ଦାନ କରାଯାଉଥିବା ବସ୍ତ୍ର, ପୁଷ୍ପ ଓ ଅନ୍ୟାନ୍ୟ ଦ୍ରବ୍ୟସବୁ ମଧ୍ୟ ଏପରି ଢଙ୍ଗରେ ପୁନର୍ବିନିଯୋଗ ହୋଇଥାଏ। ପର୍ବପର୍ବାଣି କିମ୍ବା ସାମାଜିକ ଅନୁଷ୍ଠାନ ଯଥା ବିବାହ, ବ୍ରତ ଇତ୍ୟାଦିରେ ପୂଜକଙ୍କଠାରୁ ଆମେ ଏକ ଲମ୍ବା ତାଲିକା ପାଇଥାଉ। ତାଙ୍କର ଏକ ନିର୍ଦ୍ଦିଷ୍ଟ ଦୋକାନ ସହିତ ସହବନ୍ଧନ ଥାଏ। ତେଣୁ ସେହିଠାରୁ ପୂଜା ସାମଗ୍ରୀ କିଣିଲେ ବଳକା ସାମଗ୍ରୀ ଫେରାଇ ପୁରୋଧା ଲାଭାନ୍ବିତ ହେଉଥିବାର ଅନୁଭବ କରିଛୁ। ବେଳେ ବେଳେ ନନାମାନେ ନିଜ ତରଫରୁ ଅନେକ ପୂଜା ସାମଗ୍ରୀ ଯୋଗାଡ଼ କରି ଦେଇଥାନ୍ତି, ଯଥା ମାଟିପାତ୍ର, ପଇତା, ଗାମୁଛା ଇତ୍ୟାଦି, ଯାହାର ମୂଲ୍ୟକୁ ଦକ୍ଷିଣା ସହିତ ଯୋଡ଼ା ଯାଇଥାଏ। ଏସବୁ ଦ୍ରବ୍ୟ ଯଜମାନ ମଧ୍ୟ କିଛି ଶସ୍ତାରେ ପାଇ ଖୁସି ହୋଇଥାଏ। କିନ୍ତୁ ଜାଣିପାରେନା ଏହା ଅନ୍ୟ ଏକ ପୂଜାର ଉଦ୍‌ବୃତ୍ତ ସାମଗ୍ରୀ ବୋଲି। ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଆବଶ୍ୟକ ଉପକରଣ ନାଁରେ ଯେଉଁ ଚିଠାଟି ଧରାଇଦିଆଯାଏ, ତହିଁରୁ ଅନେକ ଯେ ଅନାବଶ୍ୟକ ତଥା ସ୍ବେଚ୍ଛାକୃତ ଭାବେ ଦିଆଯାଇଥାଏ ଏହା କହିବା ବାହୁଲ୍ୟ ମାତ୍ର।
କାଠମିସ୍ତ୍ରିଠାରୁ ଆରମ୍ଭ କରି ରଙ୍ଗମିସ୍ତ୍ରି ପର୍ଯ୍ୟନ୍ତ ସମସ୍ତେ ଏହିପରି ଲମ୍ବା ତାଲିକା ଦେଇଥାନ୍ତି। ଏକ ନିର୍ଦ୍ଦିଷ୍ଟ ଦୋକାନ ସହିତ ସଲାସୁତୁରା କରି ଗରାଖମାନଙ୍କୁ ସେଠାରୁ କିଣିବାକୁ ପ୍ରରୋଚିତ କରିଥାନ୍ତି। ଫଳରେ ବିକ୍ରି-ଖର୍ଦ୍ଦି ଉପରେ ମୁନାଫା ସହିତ ବଳକା ଜିନିଷ ଫେରାଇ ମଧ୍ୟ ଦୁଇ ପଇସା ହାତଚିକ୍କଣ କରିଥାନ୍ତି, ଯାହାକୁ ମଜୁରି ବାଦ୍‌ ଉପୁରି ବୋଲି ଭାବିପାରିବା। ବୈଦ୍ୟୁତିକ ସରଞ୍ଜାମ ସଜାଡୁଥିବା କାରିଗରଟିଏ ଯେଉଁ ଚିଠାଟି ଆମକୁ ମରାମତି ପରେ ଧରାଇଥାଏ, ସେଥିରୁ କେତୋଟି ଜିନିଷ କାମରେ ବ୍ୟବହୃତ ହୋଇଛି ତାହା ଜାଣିବା ଆମ ସାଧ୍ୟ ବାହାରେ। ସ୍ବର୍ଣ୍ଣକାରଟିଏ ବ୍ରୋଞ୍ଜମିଶା ଚୁଡିରେ ୫୦ ଭାଗ ସୁନା ଅଛି ବୋଲି କହିଲେ ବି ଆମେ ବିଶ୍ୱାସରେ ହଁ ଭରିଥାଉ। ଠିକ୍‌ ସେହିପରି ସରକାରୀ କିମ୍ବା ବେସରକାରୀ ସେବା କ୍ଷେତ୍ରରେ ନିୟୋଜିତ ଗାଡିଚାଳକଗଣ ତେଲଟାଙ୍କି ସହିତ ବନ୍ଧୁତା ସ୍ଥାପନ କରିଥାନ୍ତି। ବଳକା ତେଲର ପୁନଃଚକ୍ରୀକରଣ ନିମନ୍ତେ।
ଏ ସବୁରୁ ଦ୍ୱିତୀଶ୍ୱର ଡାକ୍ତରମାନେ ମଧ୍ୟ ବାଦ୍‌ ପଡନ୍ତିନି। ଗ୍ଲୋଭ୍‌ସଠାରୁ ଆରମ୍ଭକରି ଗଜ୍‌ କନା ପର୍ଯ୍ୟନ୍ତ ସାମଗ୍ରୀର ଏକ ଲମ୍ବା ଚିଠା ରୋଗୀର ସମ୍ପର୍କୀୟଙ୍କୁ ଧରାଇ ଏକ ନିର୍ଦ୍ଦିଷ୍ଟ ଔଷଧ ଦୋକାନର ଠିକଣା ବତାଇ ଦେଇଥାନ୍ତି। କାରଣ ଅସ୍ତ୍ରୋପଚାର ପରେ ଅନେକ ବଳକା ସାମଗ୍ରୀ ପୁଣି ସେଠାକୁ ଫେରସ୍ତ ଯିବ, ଅବଶ୍ୟ ରୋଗୀ କିମ୍ବା ତା’ ସମ୍ପର୍କୀୟଙ୍କ ଅଗୋଚରରେ। ସେହିପରି ଠିକାଦାର ପାଖରେ କାମ କରୁଥିବା ମୁନ୍‌ସୀଟିଏ ରଡ ଖଣ୍ଡିଏ କି ସିମେଣ୍ଟ କେତେ ବସ୍ତା ବଳାଇ ତାକୁ ଅନ୍ୟ ବ୍ୟକ୍ତିଙ୍କୁ କିମ୍ବା କବାଡିଆକୁ ବିକ୍ରି କରି କିଛି ରୋଜଗାର କରିଥାଏ। କିନ୍ତୁ ଚମକପ୍ରଦ କଥା ହେଲା ଯାତ୍ରା ପାର୍ଟିଗୁଡ଼ିକରୁ ମିଳୁଥିବା ମାଗଣା ଅନୁମତିପତ୍ର (ଫ୍ରି ପାସ୍‌)କୁ ଅଧା ମୂଲ୍ୟରେ ଲୋକଙ୍କୁ ବିକି ଲବ୍ଧ ଅର୍ଥରେ ଭୋଜିଭାତ କରିବା ନଜିର ମଧ୍ୟ ସାମ୍ନାକୁ ଆସେ। ଯଦି ଶିକ୍ଷିତ ବ୍ୟକ୍ତିମାନେ ସମାଜରେ ଏପରି ପୁନଃଚକ୍ରୀକରଣ କରନ୍ତି ତେବେ ଜରି ଗୋଟାଳି ପିଲାଏ ବା ପଛାନ୍ତେ କାହିଁକି? ସେମାନେ ଅଇଁଠା ପତ୍ରରୁ ଉପର ଜରିଟି କାଢି କିମ୍ବା ବ୍ୟବହୃତ ପାଣିବୋତଲ, କପ୍‌, ଚାମଚ ଇତ୍ୟାଦିକୁ ସଂଗ୍ରହ କରି ଧୋଇଧାଇ ପୁନଶ୍ଚ ବଜାରରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ରିସାଇକ୍ଲିଙ୍ଗ ପାଇଁ ଦେଇଆସନ୍ତି କିଛି ଉପାର୍ଜନ ଆଶାରେ। ଅତି ଆଶ୍ଚର୍ଯ୍ୟର କଥା, ଶବ ଦାହ ପରେ ମଶାଣିରୁ ସଂଗୃହୀତ ଅଙ୍ଗାରକୁ ଧୋଇ ଶୁଖେଇ କମାରଶାଳକୁ ବିକ୍ରି କରିବାକୁ ମଧ୍ୟ କିଛି ଲୋକ ବେଉସା କଲେଣି। ଆମେ ଦୁଃଖୀରଙ୍କିଙ୍କୁ ଦାନ କରୁଥିବା କମ୍ବଳ, ପଲିଥିନ କିମ୍ବା ସରକାରୀ ତାଲିମ ପରେ ମିଳୁଥିବା ସିଲାଇ ମେଶିନ କି ସ୍କୁଲରୁ ମିଳୁଥିବା ମାଗଣା ସାଇକେଲ ସବୁ ବଜାରରେ ଉପଲବ୍ଧ ହୁଏ। ଆଉ ମାଗଣାରେ ମିଳୁଥିବା ଚାଉଳ, ଚିନି, କିରୋସିନ ବା ଏଥିରୁ ବାଦ୍‌ ପଡନ୍ତା କିପରି? ତେଣୁ ସାଧାରଣ ଜନତାଙ୍କ ଆଖିରେ ଧୂଳିଦେଇ ଯିଏ ଯେତେ ପ୍ରକାରରେ ବ୍ୟବହୃତ ସାମଗ୍ରୀକୁ ପୁନଶ୍ଚ ବିକ୍ରି କରିପାରିଲା ସେ ସେତେ ଲାଭ କରିବ। ଅତଏବ ଆଜିର ଯୁଗରେ ଖାଲି ବର୍ଜ୍ୟବସ୍ତୁର ପୁନଃଚକ୍ରୀକରଣ କରାଯାଉନାହିଁ ବରଂ ଆମ ଅଲକ୍ଷ୍ୟରେ ବ୍ୟବହୃତ ବସ୍ତୁର ମଧ୍ୟ ସୁପରିଚାଳନା ନାମରେ ଯେଉଁ ଚକ୍ରୀକରଣ କରାଯାଉଛି ତାହା ଆମ ଉନ୍ନତ ବୁଦ୍ଧିର ପରିଚାୟକ ନୁହେଁ କି?
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri