ବିଶ୍ୱ ହସ୍ତୀ ଦିବସ : ବନ ବିଭାଗର ହାତୀ ସୁରକ୍ଷା ଫେଲ୍‌, ୮ବର୍ଷରେ ମଲେଣି ୫୪୮ ହାତୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ଆଜି ବିଶ୍ୱ ହସ୍ତୀ ଦିବସ। ଐତିହ୍ୟ ପ୍ରାଣୀ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨କୁ ହସ୍ତୀ ଦିବସ ଭାବେ ପାଳନ କରାଯାଇ ଆସୁଛି। ୨୦୧୨ରୁ ଆରମ୍ଭ ହୋଇଥିବା ଏହି ଦିବସଟିକୁ ହାତୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ସଚେତନତା ସୃଷ୍ଟି ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହାତୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଓଡ଼ିଶାରେ ଏହାର ବାସ୍ତବତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ବର୍ଷ ବର୍ଷ ଧରି ହାତୀ-ମଣିଷ ଲଢ଼େଇ ଜାରି ରହିଥିବାବେଳେ କେତେବେଳେ ହାତୀ ତ ପୁଣି କେବେ ମଣିଷର ଜୀବନ ଯାଉଛି। ସେହିଭଳି ଟ୍ରେନ୍‌ ଧକ୍କା, ବିଦ୍ୟୁତ୍‌ ଆଘାତରେ ବହୁ ହାତୀଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି। ରାଜ୍ୟରେ ହାତୀ ଶିକାର ମଧ୍ୟ ବଢ଼ି ଚାଲିଛି। ପ୍ରାକୃତିକ ବାସସ୍ଥଳ ଅଭାବ ହାତୀବଂଶ ପାଇଁ ବିପଦ ସାଜିଛି। ବହୁ ହାତୀ ଶାବକଙ୍କ ଅକାଳ ମୃତ୍ୟୁ ମଧ୍ୟ ଘଟୁଛି। ଏପରିସ୍ଥଳେ ସୁରକ୍ଷା ଦାୟିତ୍ୱରେ ଥିବା ବନ ବିଭାଗ ଫେଲ୍‌ ମାରିଥିବା ବାରିହୋଇପଡୁଛି। ଏମିତି ପ୍ରସଙ୍ଗକୁ ନେଇ ହସ୍ତୀ ଦିବସ ଉପଲକ୍ଷେ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।
ଦିନ ଥିଲା ଓଡ଼ିଶାକୁ ହାତୀଙ୍କ ଭୂସ୍ବର୍ଗ କୁହାଯାଉଥିଲା। ଏବେ କିନ୍ତୁ ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ରାଜ୍ୟରେ ହାତୀ ବଂଶ ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨୦୧୨ ଗଣନାରେ ହାତୀ ସଂଖ୍ୟା ୧୯୩୦ ଥିବାବେଳେ ୨୦୧୫ରେ ୧୯୫୪ ଓ ୨୦୧୭ରେ ଏହା ବୃଦ୍ଧି ପାଇ ୧୯୭୬ରେ ପହଞ୍ଚତ୍ଛି। ହାତୀ ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଏହାସତ୍ତ୍ୱେ ପ୍ରତିବର୍ଷ ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୮ବର୍ଷରେ ରାଜ୍ୟରେ ମୋଟ ୫୪୮ହାତୀ ମରିଛନ୍ତି। ୨୦୧୧-୧୨ରେ ୬୮ ହାତୀ ମରିଥିବାବେଳେ ୨୦୧୨-୧୩ରେ ୮୨, ୨୦୧୩-୧୪ରେ ୭୦, ୨୦୧୪-୧୫ରେ ୫୫, ୨୦୧୫-୧୬ରେ ୮୫, ୨୦୧୬-୧୭ରେ ୭୫, ୨୦୧୭-୧୮ରେ ୭୮ ଓ ୨୦୧୮-୧୯ରେ ୩୫ ହାତୀଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟ କହୁଛି।
ରିପୋର୍ଟ ଅନୁସାରେ, ଶିକାରରେ ୩୦ ହାତୀ ମରିଥିବାବେଳେ ବିଷଜନିତ କାରଣରୁ ୯, ବିଦ୍ୟୁତ୍‌ ଆଘାତରେ ୭୦ ହାତୀଙ୍କ ଜୀବନ ଯାଇଛି। ତେବେ ବିଦ୍ୟୁତ୍‌ଜନିତ ମୃତ୍ୟୁ ଦୁଇ ପ୍ରକାର ହୋଇଥାଏ। ଗୋଟିଏ ଆକସ୍ମିକ ଓ ଅନ୍ୟଟି ଉଦ୍ଦେଶ୍ୟମୂଳକ। ୨୮ ହାତୀ ଆକସ୍ମିକ ଭାବେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଆଉ ୪୨ ହାତୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଦ୍ୟୁତ୍‌ ଆଘାତରେ ମାରିଦିଆଯାଇଛି। ସେହିପରି ୧୦୬ ହାତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥି ମଧ୍ୟରେ ଟ୍ରେନ ଦୁର୍ଘଟଣାରେ ୨୨, ରାସ୍ତା ଦୁର୍ଘଟଣାରେ ୨ ଓ ଅନ୍ୟ ଦୁର୍ଘଟଣା(ହାତୀ ହାତୀ ମଧ୍ୟରେ ଆକ୍ରମଣ, ଉଚ୍ଚ ସ୍ଥାନରୁ ଖସିପଡ଼ି)ରେ ୮୨ ହାତୀ ମରିଛନ୍ତି। ଅନ୍ୟପକ୍ଷରେ ରୋଗରେ ମୋଟ ୧୫୬ ହାତୀ ମରିଛନ୍ତି। ସେଥିମଧ୍ୟରୁ ଆନ୍ଥ୍ରାକ୍ସରେ ୩୧ ଓ ଅନ୍ୟ ରୋଗରେ ୧୨୫ ହାତୀଙ୍କର ମୃତ୍ୟୁ ଘଟିଛି। ୭୨ ହାତୀଙ୍କ ପ୍ରାକୃତିକ ବା ସ୍ବାଭାବିକ ମୃତ୍ୟୁ ଘଟିଥିବାବେଳେ ଆଉ ୧୦୫ ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।
ତେବେ ବେସରକାରୀ ତଥ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଢ଼େର୍‌ ଅଧିକ ରହୁଛି। ଓଡ଼ିଶା ଓ୍ବାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ)ର ତଥ୍ୟ ଅନୁସାରେ, ୮ବର୍ଷ ମଧ୍ୟରେ ୯୩ ହାତୀଙ୍କର ବିଦ୍ୟୁତଜନିତ ମୃତ୍ୟୁ ହୋଇଥିବାବେଳେ ଟ୍ରେନ ଦୁର୍ଘଟଣାରେ ୨୫, ଶିକାରରେ ୮୨ ହାତୀ ମରିଛନ୍ତି। ଓଡ଼ିଶାରେ ହାତୀ ମୃତ୍ୟୁକୁ ନେଇ ଡବ୍ଲ୍ୟୁଏସ୍‌ଓର ମୁଖ୍ୟ ବିଶ୍ୱଜିତ୍‌ ମହାନ୍ତି କୁହନ୍ତି, ରାଜ୍ୟ ସରକାର ହାତୀ ସଂଖ୍ୟା ବଢ଼ିଲେ ଠିକ୍‌ ରିପୋର୍ଟ ଦିଅନ୍ତି, କିନ୍ତୁ ମୃତ୍ୟୁ ରିପୋର୍ଟ ଭୁଲ୍‌ ଦିଅନ୍ତି। ଜଙ୍ଗଲରେ ହାତୀ ମରି ପଚି ମାଟିରେ ମିଶିଯାଉଛନ୍ତି। କିନ୍ତୁ ବନ ବିଭାଗ ତାହା ଜାଣିପାରୁ ନାହିଁ। ବିଭିନ୍ନ ସମୟରେ ଗଣମାଧ୍ୟମକୁ ଆସୁ ନ ଥିବା ହାତୀ ମୃତ୍ୟୁକୁ ଲୁଚାଇ ଦିଆଯାଉଛି। ଦାୟିତ୍ୱରେ ରହୁଥିବା ସ୍ଥାନୀୟ ଅଧିକାରୀମାନେ ମଧ୍ୟ ବହୁ ସମୟରେ ଉଚ୍ଚ କର୍ତ୍ତୃପକ୍ଷ ବା ସରକାରଙ୍କୁ ଜଣାଇ ନ ଥାନ୍ତି। ବାସ୍ତବରେ ହାତୀକୁ ସୁରକ୍ଷା ଦେବା ପାଇଁ ବିଭାଗର ଆନ୍ତରିକତା ନାହିଁ। ଏବେ ବି ଅନେକ ହାତୀ ଶିକାର ହେଉଛି ଓ ବହୁ ହାତୀର ମୃତ୍ୟୁର କାରଣ ଜଣାପଡ଼ୁନାହିଁ। ତେଣୁ ସରକାର ପ୍ରତ୍ୟେକ ହାତୀ ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ଯେପର୍ଯ୍ୟନ୍ତ ଶିକାରୀ ବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ ଶିକାର ହେଉଥିବ। ଅନ୍ୟପକ୍ଷରେ ହାତୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତମାନେ କିଛି ଦିନ ଜେଲ୍‌ରେ ରହିବା ପରେ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି। ଆଉ ତା’ପରେ ପୁଣି ସେମାନେ ସେହି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ତେଣୁ ବିଭାଗ ଏ ଦିଗରେ ଗୁରୁତ୍ୱ ଦେବା ଉଚିତ ବୋଲି ମହାନ୍ତି କହିଛନ୍ତି।

ଅସମାପିକା ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri