Posted inଖେଳ

ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ

ଟୋକିଓ, ୪ା୩ (ଏପି)- କରୋନା ଭାଇରସ୍‌ ପ୍ରଭାବ ଯୋଗୁ ୨୦୨୦ ଟୋକିଓ ଅଲିମ୍ପିକ୍ସର ବିଳମ୍ବ ଘଟିପାରେ। ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ ହାସିମୋତେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ୨୦୨୦ ଅଲିମ୍ପିକ୍ସ ଜୁଲାଇ ୨୪ରୁ ଆରମ୍ଭ ହେବା କଥା। ମାତ୍ର କରୋନା ଭାଇରସ ଆତଙ୍କ ଯୋଗୁ ଏହି ମେଗା ଇଭେଣ୍ଟ ବର୍ଷର ଶେଷ ଭାଗରେ ଯେକୌଣସି ସମୟରେ ଆୟୋଜନ କରାଯାଇ ପାରେ ବୋଲି ସେ କହିଛନ୍ତି। ପାରାଅଲିମ୍ପିକ୍ସ ଅଗଷ୍ଟ ୨୫ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।
କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏଥିରେ ସଂକ୍ରମିତ ହୋଇ ଜାପାନରେ ଇତିମଧ୍ୟରେ ୧୨ଜଣଙ୍କର ମୃତ୍ୟୁ ଘଟିଲାଣି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଅଧିକାଂଶ ସ୍କୁଲକୁ ବନ୍ଦ ରଖାଯାଇଛି। ଦେଶରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସମେତ ଅଲିମ୍ପିକ ସମ୍ପର୍କିତ ଇଭେଣ୍ଟଗୁଡ଼ିକ ସ୍ଥଗିତ ରଖାଯାଇଛି। ଚାଇନାରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଇତିମଧ୍ୟରେ ଅତିକମ୍‌ରେ ୭୦ଟି ଦେଶକୁ ବ୍ୟାପିଛି। ଏଥିରେ ୯୦,୦୦୦ ସଂକ୍ରମିତ ହୋଇ ସାରିଥିବାବେଳେ, ୩,୧୦୦ଜଣଙ୍କର ପ୍ରାଣହାନି ଘଟି ସାରିଲାଣି। ୨୦୨୦ରେ ଯଦି ଅଲିମ୍ପିକ୍ସ ଆୟୋଜନ ନ ହୋଇ ପାରେ ତେବେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଏହାକୁ ବାତିଲ କରିଦେଇପାରିବ ବୋଲି ହାସିମୋତୋ ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ଏଥିରୁ ଯାହା ବୁଝା ପଡ଼ୁଛି ଆବଶ୍ୟକ ସ୍ଥଳେ ଗେମ୍ସକୁ ଯଥା ସମୟରେ ନ କରି କ୍ୟାଲେଣ୍ଡର ବର୍ଷରେ ଯେକୌଣସି ସମୟରେ ଆୟୋଜନ କରାଯାଇ ପାରେ ନଚେତ ସମ୍ପୂର୍ଣ୍ଣ ବାତିଲ କରାଯାଇ ପାରେ। ଅନ୍ୟପକ୍ଷରେ ଆଇଓସି ସଭାପତି ଥୋମାସ ବ୍ୟାକ୍‌ ଏବଂ ଟୋକିଓର ଆୟୋଜକଗଣ ବାରମ୍ବାର କହି ଆସୁଛନ୍ତି ଯେ, ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ଆୟୋଜିତ ହେବ। ଭାଇରସର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବାରୁ ଆୟୋଜକମାନେ ଅଲିମ୍ପିକ୍ସକୁ ବାତିଲ କରିବାକୁ ବାଧ୍ୟ ହେବେ ବୋଲି କେତେକ କହୁଥିବା ବେଳେ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଉଚିତ ବୋଲି ଅନ୍ୟ କେତେକ ପ୍ରସ୍ତାବ ଦେଉଛନ୍ତି।
ସପ୍ତାହରେ ଜାପାନିଜ୍‌ ମିଡିଆକୁ ଏକ ସାକ୍ଷାତ୍‌କାର ବେଳେ ଟୋକିଓରେ ସଫଳତାର ସହିତ ଅଲିମ୍ପିକ୍ସ ଆୟୋଜନ ଲାଗି ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି ବୋଲି ବ୍ୟାକ୍‌ କହିଥିଲେ। କରୋନା ଭାଇରସଜନିତ କାରଣରୁ ଅଲିମ୍ପିକ୍ସକୁ ସ୍ଥଗିିତ କିମ୍ବା ବାତିଲ କରାଯାଇପାରେ ବୋଲି ଯାହା ଶୁଣିବାକୁ ମିଳୁଛି ସେ ସମ୍ପର୍କିତ ପ୍ରଶ୍ନକୁ ସେ ଏଡାଇ ଦେଇଥିଲେ। କରୋନା ଭାଇରସ ସ୍ଥିତିରେ ଯଦି ସୁଧାର ନ ଆସେ ତଥାପି ଅଲିମ୍ପିକ୍ସ ଆୟୋଜନର ସମ୍ଭାବନା ଅଛି କି ନା ବୋଲି ହାସିମୋତୋଙ୍କୁ ପ୍ରଶ୍ନ ହେବାରୁ ଏଭଳି ପରିସ୍ଥିତି ଯେପରି ନ ଉପୁଜେ ସେ ନେଇ ଯଥାସମ୍ଭବ ଉଦ୍ୟମ ଚାଲିଛି ବୋଲି ସେ କହିଥିଲେ। ଚାରି ବର୍ଷ ଅଲିମ୍ପିକ ସାଇକେଲରେ ବ୍ରଡକାଷ୍ଟିଂ ଅଧିକାର ବିକ୍ରି ଦ୍ୱାରା ୫.୬ ବିଲିୟନ ଡଲାର ଆୟ ହୋଇଥାଏ। ଏଥିରୁ ୭୩% ରାଶି ଆଇଓସିକୁ ମିଳିଥାଏ। ୧୯୬୪ ଟୋକିଓ ଅଲିମ୍ପିକ୍ସ ଅକ୍ଟୋବରରେ ହୋଇଥିଲା। ମାତ୍ର ଗେମ୍ସକୁ ବର୍ତ୍ତମାନ ଗ୍ରୀଷ୍ମ ଋତୁକୁ ସ୍ଥାନାନ୍ତର କରାଯାଇଛି। ଏହାର ମୁଖ୍ୟ କାରଣ ହେଲା ସ୍ପୋଟର୍‌ସ ବ୍ରଡକାଷ୍ଟରମାନଙ୍କ ଲାଗି ବର୍ଷର ଏହି ସମୟଟି ଖାଲି ରହିଥାଏ। ଅବଶିଷ୍ଟ ସମୟରେ ଉତ୍ତର ଆମେରିକାର ଲୋକପ୍ରିୟ ଏନଏଫ୍‌ଏଲ କଲେଜ ଫୁଟ୍‌ବଲ, ବେସ୍‌ବଲ୍‌, ବାସ୍କେଟବଲ୍‌ ଓ ହକି ପ୍ରତିଯୋଗିତା ରହିଥାଏ। ସେହିପରି ୟୁରୋପ ଅନ୍ତର୍ଗତ ଇଂଲଣ୍ଡ, ସ୍ପେନ, ଜର୍ମାନୀ, ଫ୍ରାନ୍ସ ଏବଂ ଇଟାଲୀରେ ବିଭିନ୍ନ ଫୁଟବଲ ପ୍ରତିଯୋଗିତ ରହିଛି। ଏହାଛଡ଼ା ଅନ୍ୟ ଲୋକପ୍ରିୟ ଖେଳ ରଗ୍‌ବୀଏବଂ କ୍ରିକେଟ ଖେଳ ମଧ୍ୟ ରହିଛି। ଆଇଓସିର ପୂର୍ବତନ ଉପସଭାପତି ଡିକ୍‌ ପାଉଣ୍ଡ ଏକ ସାକ୍ଷାତ୍‌କାରରେ କହିଛନ୍ତି ସମ୍ଭବତଃ ଆସନ୍ତା କେଇ ମାସ ମଧ୍ୟରେ ଅଲିମ୍ପିକ୍ସ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଆଇଓସିର ଅନ୍ୟ ଜଣେ ପୂର୍ବତନ ଉପସଭାପତି ତଥା ବର୍ତ୍ତମାନ ଆଇଓସିର ଅବୈତନିକ ସଦସ୍ୟ କିଭାନ ଗସ୍ପର କହିଛନ୍ତି, ଟୋକିଓ ଗେମ୍ସ ବାତିଲ ହେବାର ଯଥେଷ୍ଟ ସମ୍ଭବନା ରହିଛି। ପୂର୍ବରୁ ବିଶ୍ୱଯୁଦ୍ଧ ଯୋଗୁ ଅଲିମ୍ପିକ୍ସ ୩ ଥର ବାତିଲ ହୋଇଛି। ୧୯୧୬ରେ ଏହା ବର୍ଲିନରେ ହେବାର ଥିଲା। ମାତ୍ର ପ୍ରଥମ ବିଶ୍ୱଯୁଦ୍ଧ ଯୋଗୁ ଏହାକୁ ବାତିଲ କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ୧୯୪୦ ଓ ୧୯୪୪ ଅଲିମ୍ପିକ୍ସ ବାତିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri