ବିକ୍ରି ହେଉନି କ୍ଷୀର, ଛେନା: ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦୁଗ୍ଧଚାଷୀ

ପୁରୀ ଅଫିସ,୧ା୪: କରୋନା ପାଇଁ ୨୧ଦିନିଆ ଲକ୍‌ଡାଉନ ହୋଇଛି ଦେଶ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ଆଉ ସବୁକିଛି ବନ୍ଦ ହୋଇଯାଇଛି। କେବଳ ଘର ଭିତରେ ରହିବାକୁ ସଚେତନ କରାଯାଉଛି। ସମସ୍ତେ ଏକପ୍ରକାର ଘର ଭିତରେ ବନ୍ଦୀ ଜୀବନ କଟାଉଛନ୍ତି। ଫଳରେ ଅନେକଙ୍କ ଜୀବନଜୀବିକା ଉପରେ ଏହାର ପ୍ରଭାବ ପଡିଛି । ଏହାଦ୍ୱାରା ଚାଷୀ, ଦିନମଜୁରିଆ ଏବଂ ଅନ୍ୟ ଉପରେ ନିର୍ଭର କରୁଥିବା ଲୋକେ ପରିବାର ପ୍ରତିପୋଷଣ କିପରି କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି। ଅନେକ ଚାଷୀ ଅଛନ୍ତି ଯେଉଁମାନେ ଧାର, କରଜ ଏବଂ ହାଡ଼ଭଙ୍ଗା ପରିଶ୍ରମ କରି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଉତ୍ପାଦନ କରୁଛନ୍ତି। କିନ୍ତୁ ବିକ୍ରିବଟାର ସୁଯୋଗ ନ ଥିବାରୁ ସେମାନେ ହତାଶ ହୋଇ ପଡିଛନ୍ତି। ଇତିମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନକୁ ସପ୍ତାହେ ବିତିଯାଇଛି। ଆଗକୁ ଆହୁରି ଦୁଇସପ୍ତାହ ଅଛି। କ’ଣ କରିବେ, କିପରି ପରିବାର ମୁହଁରେ ଦାନା ଦି ମୁଠା ଦେବେ ଚିନ୍ତା ଘାରିଛି ଅନେକଙ୍କୁ। ଏଭଳି ସଙ୍କଟ ମଧ୍ୟରେ ପୁରୀ ଜିଲାର ହଜାର ହଜାର ଦୁଗ୍ଧଚାଷୀ ଏମିତି ଦୁର୍ଦ୍ଦିନରେ ଏବେ ଦିନ କାଟୁଛନ୍ତି।
କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ୨୧ଦିନିଆ ଦେଶବ୍ୟାପୀ ଲକ୍‌ ଡାଉନକୁ ସପ୍ତାହେ ବିତିଯାଇଛି। ଏଥିଲାଗି ବନ୍ଦ ରହିଛି ଦୋକାନ ବଜାର। ହୋଟେଲ, ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି ରାସ୍ତାକଡ଼ ଜଳଖିଆ ଦୋକାନରେ ଝୁଲୁଛି ତାଲା । ମିଠା ବ୍ୟବସାୟ ଏକପ୍ରକାର ଠପ୍‌ ହୋଇଯାଇଛି । ଅଚାନକ ଲକ୍‌ ଡାଉନ ଯୋଗୁ ଅନେକ ମିଠା ବ୍ୟବସାୟୀ ହଜାର ହଜାର ଟଙ୍କା କ୍ଷତି ସହିଛନ୍ତି । କେଉଁଠି ଏବେ ତିଆରି ହେଉନି ରସଗୋଲା, ଝିଲ୍ଲୀ, ଛେନାଗଜା, ସନ୍ଦେଶ, ରାବିଡ଼ି, ଗୋଲାପଜାମୁ, ଛେନା ରସାବଳୀ ଇତ୍ୟାଦି ସୁସ୍ବାଦୁଯୁକ୍ତ ମିଠା । ସେହିପରି ଚା’ ଦୋକାନ ବି ବନ୍ଦ ରହିଛି। ଫଳରେ ଦୁଗ୍ଧଚାଷୀ ଏବଂ କ୍ଷୀର, ଛେନା ବ୍ୟବସାୟୀ ହାତବାନ୍ଧି ଘରେ ବସିଛନ୍ତି। ବିଶେଷକରି ଅଧିକ ହନ୍ତସନ୍ତ ହେଉଛନ୍ତି ଦୁଗ୍ଧଚାଷୀ। ବିଭିନ୍ନ ଦୁଗ୍ଧ ସମବାୟ ସମିତିଠାରୁ ଓମ୍‌ଫେଡ ନିୟମିତ କ୍ଷୀର ନେଉ ନ ଥିବାବେଳେ ଅନ୍ୟ ଦୁଗ୍ଧ କମ୍ପାନୀ ଆଦୌ କ୍ଷୀର ସଂଗ୍ରହ କରୁନାହାନ୍ତି। ଫଳରେ ଦୁଗ୍ଧ ଓ ଛେନାର ଅଭାବୀ ବିକ୍ରି ସୃଷ୍ଟି ହୋଇଛି ।
ପୁରୀ ଜିଲାର କାକଟପୁର, ନୟାହାଟ, ଗୋପ, ଚାରିଛକ, ବାଙ୍ଗୁରିଗାଁ, କୋଣାର୍କ ଆଦି ଅଞ୍ଚଳରୁ ନିୟମିତ କ୍ଷୀର ଏବଂ ଛେନା ଭୁବନେଶ୍ୱର, ପୁରୀ, କଟକ, ପାହାଳ, ପିପିଲି, ନିମାପଡ଼ାକୁ ପଠାଯାଇଥାଏ। କ୍ଷୀର, ଛେନା ବ୍ୟବସାୟ କରି ଶହଶହ ବ୍ୟବସାୟୀ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ଏଥିସହ ଦୁଗ୍ଧ ଚାଷୀମାନେ ନିଜ ନିଜ ଦୁଆରେ କ୍ଷୀର ବିକ୍ରି କରି ନିଜ ପରିବାର ଚଳାଉଥିବାବେଳେ ଗାଈଙ୍କୁ ଖାଇବାକୁ ଦେଇପାରୁଥିଲେ। ହେଲେ ଏବେ ଦୁଗ୍ଧ ଓ ଛେନା ବିକ୍ରି ଏକପ୍ରକାର ବନ୍ଦ ରହିଥିବାରୁ ଦୁଗ୍ଧ ବ୍ୟବସାୟ ଉପରେ ନିର୍ଭରଶୀଳ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଦୋକାନ, ବଜାର ବନ୍ଦ ରହିଥିବାରୁ ଦୁଗ୍ଧ ଚାଷୀ ଗୋ-ଖାଦ୍ୟ ମଧ୍ୟ ସୁବିଧାରେ ପାଇପାରୁ ନାହାନ୍ତି। ଜିଲାର କାକଟପୁର ବ୍ଲକରେ ପ୍ରାୟ ୧ ହଜାର ଦୁଗ୍ଧଚାଷୀ ଦୈନିକ ୧୫ ହଜାର ଲିଟର କ୍ଷୀର ଓ ୫୦ କିଗ୍ରା ଛେନା, ଅସ୍ତରଙ୍ଗ ବ୍ଲକରେ ପ୍ରାୟ ୮୦୦ ଚାଷୀ ୧୦ ହଜାର ଲିଟର କ୍ଷୀର ଓ ୪୦ କିଗ୍ରା ଛେନା, ଗୋପ ବ୍ଲକରେ ପ୍ରାୟ ୧୫୦୦ ଚାଷୀ ୧୫ ହଜାର ଲିଟର କ୍ଷୀର ଓ ୭୫ କିଗ୍ରା ଛେନା, ନିମାପଡ଼ା ବ୍ଲକରେ ପ୍ରାୟ ୧୨୦୦ ଚାଷୀ ୧୨ ହଜାର ଲିଟର କ୍ଷୀର ଓ ୫୦ କିଗ୍ରା ଛେନା ଏବଂ ପିପିଲି ବ୍ଲକରେ ପ୍ରାୟ ୧ ହଜାର ଚାଷୀ ଦୈନିକ ୧୦ ହଜାର ଲିଟର କ୍ଷୀର ଓ ୫୦ କିଗ୍ରା ଛେନା ବିକ୍ରି କରିଆସୁଥିଲେ। କିନ୍ତୁ ଏବେ ସେମାନେ ଏକପ୍ରକାର ହାତବାନ୍ଧି ବସିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ୟାକେଜ ଘୋଷଣା କରିଥିଲେ ମଧ୍ୟ ଦୁଗ୍ଧଚାଷୀଙ୍କ ପାଇଁ କୌଣସି ସାହାଯ୍ୟ ଘୋଷଣା କରାଯାଇ ନାହିଁ। ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ଦୁଗ୍ଧ ଚାଷୀମାନେ ଦାବି କରିଛନ୍ତି।
ଅସ୍ତରଙ୍ଗର ଛେନା ବ୍ୟବସାୟୀ ସନାତନ ବେହେରା କହିଛନ୍ତି, ପ୍ରାୟ ସବୁଦିନ ଆମ ଅଞ୍ଚଳରୁ ୨୦ରୁ ଊର୍ଦ୍ଧ୍ୱ ଦୁଗ୍ଧଚାଷୀ ଓ ବ୍ୟବସାୟୀ ଗାଡ଼ିରେ କ୍ଷୀର ଓ ଛେନା ନେଇ ପୁରୀ ଯାଇ ବିଭିନ୍ନ ହୋଟେଲ ଏବଂ ଦୋକାନରେ ବିକ୍ରି କରିଥାଉ। ଏବେ ହାତବାନ୍ଧି ଘରେ ବସିଛୁ। ପ୍ରତିଦିନ ଘର କ୍ଷୀରକୁ ପରିବାର ସଦସ୍ୟ ଖାଉଥିବାବେଳେ ପଡ଼ୋଶୀଙ୍କୁ ବି ଦେଉଛୁ। କରୋନା କଟକଣା ଆମ ପାଇଁ ଦୁଃଖ ଆଣିଛି। ରଘୁନାଥ ବେହେରା କହିଛନ୍ତି, ୨/୩ ଦିନରେ ଥରେ ସମବାୟ ସମିତି କ୍ଷୀର ନେଉଛି। ଦୋକାନ, ବଜାର ବନ୍ଦ କାରଣରୁ ସବୁଦିନ କ୍ଷୀର ଓ ଛେନା ବିକ୍ରି କରିପାରୁ ନାହୁ। ଅଭାବୀ ବିକ୍ରି ପାଇଁ ହନ୍ତସନ୍ତ ହେଉଛୁ। ସେହିପରି ଶଙ୍କର ଦାସ କହିଛନ୍ତି, ଅଭାବୀ ବିକ୍ରି ଯୋଗୁ ଗାଈଙ୍କୁ ଖାଇବାକୁ ଦେଉଥିବା ଦାନା ପଇସା ବି ଉଠାଇ ପାରୁନୁ। ଏଦିଗରେ ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?