ବର୍ଣ୍ଣବୋଧ: ଓଡ଼ିଆ ଭାଷାର ସଞ୍ଜୀବନୀ

ମନ-ମାନଚିତ୍ର/ ଡ. ନରହରି ବେହେରା
ଶତାଧିକ ବର୍ଷକାଳ ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିକୁ ଯେଉଁ ଦୁଇଟି କ୍ଷୁଦ୍ର ପୁସ୍ତକ ବହୁଳ ଭାବରେ ପ୍ରଭାବିତ କରିଆସିଛି, ତାହା ହେଉଛି ବଳରାମ ଦାସଙ୍କର ଲକ୍ଷ୍ମୀପୁରାଣ ଓ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ। ଲକ୍ଷ୍ମୀପୁରାଣ ଘରେ ଘରେ ଆମ ପରମ୍ପରା ଓ ସାଂସ୍କୃତିକ ଚେତନାର ପ୍ରତୀକ ପାଲଟିଥିବାବେଳେ ପ୍ରତ୍ୟେକ ଓଡ଼ିଆପ୍ରାଣରେ ଓଡ଼ିଆ ଭାଷାର ସଞ୍ଜୀବନୀ ପଢ଼ୁଥିବା ବର୍ଣ୍ଣବୋଧ ଆଜିପର୍ଯ୍ୟନ୍ତ ଉପଯୁକ୍ତ ମର୍ଯ୍ୟାଦା ଲାଭକରି ପାରିନାହିଁ। ୧୯୦୩ରୁ ୧୯୩୬ ମସିହା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସାଧନା ପରେ ଭାଷାକୁ ଭିତ୍ତିକରି ଆମକୁ ସ୍ବତନ୍ତ୍ର ରାଜ୍ୟଟିଏ ମିଳିଥିଲା। ଏହି ଭାଷାର ମୌଳିକ ଚେତନାକୁ ଉଜ୍ଜୀବିତ କରି ରଖିବା ପାଇଁ ଏହାପୂର୍ବରୁ ଯେଉଁ ଗ୍ରନ୍ଥଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ ତନ୍ମଧ୍ୟରେ ବର୍ଣ୍ଣବୋଧର ଭୂମିକା ଅନସ୍ବୀକାର୍ଯ୍ୟ। ବର୍ଣ୍ଣବୋଧର ପ୍ରଥମ ପ୍ରକାଶ କାଳ ହେଉଛି ୧୮୯୫ ମସିହା। ଉକତ୍ଳ ସମ୍ମିଳନୀ ଗଠନ ହେବାର ଆଠବର୍ଷ ପୂର୍ବରୁ ବର୍ଣ୍ଣବୋଧ ଆତ୍ମପ୍ରକାଶ ଲାଭ କରିଥିଲା। ସେତେବେଳେ ଏହା ଏତେ ଲୋକପ୍ରିୟ ହୋଇଥିଲା ଯେ ଗୋଟିଏ ବର୍ଷ ଭିତରେ ଅର୍ଥାତ୍‌ ୧୮୯୬ ମସିହା ବେଳକୁ ଏହାର ଷଷ୍ଠ ସଂସ୍କରଣ ପ୍ରକାଶ ପାଇଥିଲା। ଓଡ଼ିଆ ଭାଷାକୁ ଆୟୁଧ କରି ଗୋଟିଏ ସ୍ବତନ୍ତ୍ର ରାଜ୍ୟ ପ୍ରାପ୍ତି ପାଇଁ ଯେଉଁ ମହାଯଜ୍ଞ ଆରମ୍ଭ ହୋଇଥିଲା ବର୍ଣ୍ଣବୋଧ ଥିଲା ତା’ର ଆଦ୍ୟ ଓଁକାର।
ସମୟର ବହୁ ପରିବର୍ତ୍ତନ ଘଟିଛି। ଆମେ ସ୍ବତନ୍ତ୍ର ଓଡ଼ିଆ ଜାତି ଭାବରେ ପରିଚୟ ପାଇଛୁ। ଆଜି ବୈଷୟିକ କ୍ଷେତ୍ରରେ ବହୁ ଉନ୍ନତି ଘଟିଛି। ପାଶ୍ଚାତ୍ୟ ଶିକ୍ଷା ପ୍ରତି ଆମର ଅନ୍ଧାନୁସରଣ ବଢ଼ିଚାଲିଛି। ଅଧିକାଂଶ ଝିଅପୁଅ ବିଦେଶୀ ଭାଷା ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି। ତଥାପି ଓଡ଼ିଆ ଭାଷା, ସାହିତ୍ୟରୁ ବର୍ଣ୍ଣବୋଧ ସମ୍ପୂର୍ଣ୍ଣ ଅପସରି ଯାଇନାହିଁ। ମଧୁସୂଦନ ରାଓ ପିଲାଙ୍କ ପାଇଁ ଶିଶୁବୋଧ, କୁସୁମାଞ୍ଜଳି ପରି ବହୁ ବହି ଲେଖିଥିଲେ ମଧ୍ୟ ବର୍ଣ୍ଣବୋଧ ସର୍ବାପେକ୍ଷା ଚର୍ଚ୍ଚିତ ଏବଂ ବହୁଳ ପାଠକୀୟ ସ୍ବୀକୃତି ଲାଭ କରିଥିବା ବହି। ଶତାଧିକ ବର୍ଷ ଧରି ବର୍ଣ୍ଣବୋଧ ଓଡ଼ିଆ ଭାଷା ସାହିତ୍ୟରେ ନିଜ ଆସନକୁ ଦୃଢ଼ ରଖିବାର ମୂଳ ତତ୍ତ୍ୱଟି ହେଉଛି ଶିଶୁର ମାନସିକତାକୁ ସୁହାଇଲା ଭଳି ଏଥିରେ ସରଳ ତରଳ ଭାବ ଓ ଭାଷାର ଅପୂର୍ବ ସମନ୍ବୟ ଘଟିଛି। ପିଲାଟିଏ ନିଜକୁ ଚିହ୍ନିବାବେଳକୁ ଆଖପାଖରେ ଯେଉଁସବୁ ବସ୍ତୁଗୁଡ଼ିକୁ ଦେଖେ, ଯାହା ପ୍ରତି ଆଗ୍ରହ ପ୍ରକାଶ କରେ ମଧୁସୂଦନ ସେହିଗୁଡ଼ିକୁ ସଂଗ୍ରହକରି ବହିରେ ସ୍ଥାନିତ କରିଛନ୍ତି। ତେଣୁ ପିଲାଟିଏ ସେଗୁଡ଼ିକୁ ପଢ଼ିବାକୁ ବା ମନେରଖିବାକୁ ଆଦୌ କଷ୍ଟ ଅନୁଭବ କରେ ନାହିଁ। ଚକ, ଆଈ, ମୂଷା, ବିଲେଇ, ଛେଳି, ଗାଈ ପ୍ରଭୃତି ପ୍ରଚଳିତ ଶବ୍ଦକୁ ବର୍ଣ୍ଣବୋଧରେ ଯଥାସ୍ଥାନରେ ସ୍ଥାନିତ କରାଯାଇଛି। କେବଳ ସେତିକି ନୁହେଁ, ପିଲାମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପଶୁପକ୍ଷୀ ସହିତ ପ୍ରକୃତିକୁ ଅତି ନିଖୁଣ ଭାବରେ ଚିତ୍ରିତ କରିଛନ୍ତି ଲେଖକ। କୋମଳମତି ଶିକ୍ଷାର୍ଥୀମାନଙ୍କୁ ଓଡ଼ିଆ ବର୍ଣ୍ଣ ବିଷୟରେ ଶିକ୍ଷାଦେବା ବର୍ଣ୍ଣବୋଧର ମୌଳିକ ଉଦ୍ଦେଶ୍ୟ ହୋଇଥିଲେ ମଧ୍ୟ ଏଥିରେ ପ୍ରକୃତି ଚିତ୍ରଣ, ଦେଶଭକ୍ତି, ସାମାଜିକ ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା, ସ୍ବାସ୍ଥ୍ୟଶିକ୍ଷା ପ୍ରଭୃତି ବହିଟିକୁ ନିଆରା ପରିଚୟ ଦେଇଛି। ”ପଶ୍ଚିମ ଦିଗରେ ବୁଡ଼ଇ ରବି, ଆହା କି ସୁନ୍ଦର ଲୋହିତ ଛବି। ବଡ଼ ହେଲେ ଆମେ ସୈନିକ ହେବା, ଦେଶ ଜାତି ଲାଗି ଜୀବନ ଦେବା। ଗୁରୁ ବ୍ରାହ୍ମଣ ପିତାମାତା, ସଭିଏଁ ଆମର ଦେବତା।“ ଏହିପରି ବହୁ ବାକ୍ୟ ଆଜି ଆପ୍ତବାକ୍ୟ ଭାବରେ ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ହେଉଛି।
ଜଣେ ଅଣଓଡ଼ିଆ ହୋଇ ମଧ୍ୟ ମଧୁସୂଦନ ରାଓ ଓଡ଼ିଆ ଭାଷାକୁ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ବର୍ଣ୍ଣବୋଧ ରଚନା କରି ଭାଷାର ଯେଉଁ ମୂଳଭିତ୍ତି ସ୍ଥାପନ କରିଥିଲେ ସେଥିପାଇଁ ଏ ଜାତି ତାଙ୍କୁ ଯେତେ ସମ୍ମାନ ଦେଲେ ବି କମ୍‌ ହେବ। ଆଜି କିନ୍ତୁ ଚିତ୍ରପଟ ବଦଳିଯାଇଛି। ମଧୁସୂଦନ ରାଓ ଯେଉଁ ବର୍ଣ୍ଣବୋଧ ରଚନା କରିଥିଲେ, ଆମେ ତାକୁ ଆମ ପାଣ୍ଡିତ୍ୟରେ ଖଣ୍ଡବିଖଣ୍ଡ କରିଦେବା ପାଇଁ ଅହରହ ଉଦ୍ୟମ କରିଛୁ। ମୂଳ ବହିର ନାଁ ମଧ୍ୟ ବଦଳାଇ ଦେଇଛୁ। ବହି ଉପରେ ମଧୁସୂଦନ ରାଓଙ୍କର ନାମ ବି ନାହିଁ। ଏହା ଜଣେ ସ୍ରଷ୍ଟାଙ୍କ ପ୍ରତି କେବଳ ଅପମାନ ନୁହେଁ, କପିରାଇଟ୍‌ ଆକ୍ଟ ବିଚାରରେ ଏହା ଏକ ଅପରାଧ ମଧ୍ୟ। ବର୍ଣ୍ଣବୋଧ ସଂଶୋଧନ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହାକୁ ସଂଶୋଧନ କରାଯାଇ ପାରିବ ନାହିଁ ବୋଲି ଦେଇଥିବା ରାୟ ସର୍ବଥା ସ୍ବାଗତଯୋଗ୍ୟ, ମାତ୍ର ବ୍ୟବସାୟିକ ଲାଭ ଆଶାରେ ମୂଳ ବର୍ଣ୍ଣବୋଧର ନାମ ଓ ପାଠରେ ପରିବର୍ତ୍ତନ କରାଯିବା ସମ୍ପର୍କରେ କେହି କେବେ ଚିନ୍ତା କରିନାହାନ୍ତି। ଏ କଥା ମଧ୍ୟ ସ୍ବୀକାର୍ଯ୍ୟ ଯେ ବର୍ଣ୍ଣବୋଧ ରଚନା ସମୟ ଏବଂ ବର୍ତ୍ତମାନ ସମୟ ମଧ୍ୟରେ ବହୁ ସାଂସ୍କୃତିକ ଏବଂ ସାମାଜିକ ଚଳଣିର ପରିବର୍ତ୍ତନ ଘଟିଲାଣି। ତେଣୁ ବର୍ଣ୍ଣବୋଧର ବର୍ଣ୍ଣ ସଂଯୋଜନା, ବିଷୟବସ୍ତୁ, ରଚନା ଭଙ୍ଗୀ ପ୍ରଭୃତିରେ ପରିବର୍ତ୍ତନର ଆବଶ୍ୟକତା ଅଛି। ମାତ୍ର ଯେତେ ଆବଶ୍ୟକତା ଥିଲେ ମଧ୍ୟ ଲେଖକଙ୍କର ଅନୁମତି ବିନା ଏହାକୁ ପରିବର୍ତ୍ତନ କରିବା ଆଇନବିରୁଦ୍ଧ। ସୁତରାଂ ମୂଳ ଲେଖାକୁ ଅକ୍ଷୁଣ୍ଣ ରଖି ପରିଶିଷ୍ଟରେ ସ୍ବତନ୍ତ୍ର ଭାବରେ ଆଲୋଚନାପୂର୍ବକ ଆବଶ୍ୟକ ସଂଶୋଧନ ବା ପାଠ ଲେଖାଯିବାରେ କୌଣସି ଆପତ୍ତି ନାହିଁ। ମାତ୍ର ତାହା କରା ନ ଯାଇ ମୂଳ ବର୍ଣ୍ଣବୋଧକୁ ପରିବର୍ତ୍ତନ କରାଯିବା ସ୍ରଷ୍ଟାଙ୍କ ସୃଷ୍ଟିକୁ ହିଁ ଅପମାନ।
ଆନନ୍ଦର କଥା, କତିପୟ ସ୍ବାଭିମାନୀ ଓଡ଼ିଆ ଓ ଭାଷା ପ୍ରତିଷ୍ଠାନ ବର୍ଣ୍ଣବୋଧକୁ ଅଧିକ ଲୋକାଭିମୁଖୀ ଓ ଏହାର ସ୍ରଷ୍ଟାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ତାଙ୍କର ଜନ୍ମ ତାରିଖ ଜାନୁୟାରୀ ୨୯କୁ ବର୍ଣ୍ଣବୋଧ ଦିବସ ଭାବରେ ପାଳନ କରୁଛନ୍ତି। ଏହି ଦିବସରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବା ସହିତ ବର୍ଣ୍ଣବୋଧ ଓ ମଧୁସୂଦନ ରାଓଙ୍କ ଉପରେ ଆଲୋଚନା କରାଯାଇଥାଏ। ମାତ୍ର ଏ ପ୍ରୟାସକୁ ସରକାରୀ ସ୍ତରରେ ମଧ୍ୟ ଅଧିକ ପ୍ରସାର କରାଯିବା ଉଚିତ।
ଭଦ୍ରକ, ମୋ: ୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri