ବଢୁଛି ପିଲାଙ୍କ ପ୍ରତି ଘୃଣିତ ଆଚରଣ

ଅରୁଣ କୁମାର ପଣ୍ଡା
ସୋସିଆଲ ମିଡିଆରେ ସେଦିନ ସେହି ଦୃଶ୍ୟଟି ଦେଖିବା ପରେ ରାତିରେ ନିଦ ହେଲା ନାହିଁ। ଘଟଣାଟି ହେଲା ଜଣେ ଆଈ ତା’ର ୩ ବର୍ଷର ନାତୁଣୀକୁ ଗୋଟିଏ ଛାଟରେ ନିର୍ଦ୍ଦୟ ଭାବେ ପିଟି ଚାଲିଥାଏ। ଶିଶୁଟି କରୁଣ ଭାବେ କାନ୍ଦୁଥାଏ, ସେ ଯେତିକି ଜୋର୍‌ରେ କାନ୍ଦୁଥାଏ, ଆଈ ତାକୁ ସେତିକି ଜୋର୍‌ରେ ପିଟି ଚାଲିଥାଏ। ଆଈମା’ ମାଡ଼ରେ ଆହତ ଶିଶୁଟି ଆଉ କାନ୍ଦି ମଧ୍ୟ ପାରିଲା ନାହିଁ। ନିର୍ଜୀବ ଭାବେ ତଳେ ପଡ଼ି ରହିବା ପରେ ମଧ୍ୟ ରାକ୍ଷସୀ ଆଈର ମନ ଶାନ୍ତ ହେଲା ନାହିଁ। ପୁଣି ସେ ତାକୁ ପିଟି ଚାଲିଲା। ଝିଅଟିର ଅପରାଧ ହେଲା ସେ ଆଈକୁ ନ ପଚାରି ପଡ଼ୋଶୀ ଘରେ କ’ଣ ଟିକେ ଖାଇ ଦେଇଥିଲା। ଯେଉଁ ଆଈ ମା’ଛେଉଣ୍ଡ ନାତୁଣୀକୁ ଗେଲ କରିବା କଥା, ତାକୁ ସ୍ନେହ ଦେବା କଥା ସେ ତାକୁ କିପରି ଏତେ ନିର୍ମମ ଭାବେ ପିଟିପାରିଲା, ତାହା ସଭିଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ କରିବ। ସେହିଭଳି ରାଜ୍ୟର ଏକ ଅନାଥାଶ୍ରମରେ ଜଣେ ତତ୍ତ୍ୱାବଧାରକ ସେଠାରେ ରହୁଥିବା ଅନାଥ ଶିଶୁମାନଙ୍କୁ କେବଳ ଯେ ବାଉଁଶ ବାଡ଼ିରେ ନିର୍ମମ ଭାବେ ପିଟି ଚାଲିଥିଲା, ତାହା ନୁହେଁ ଛୋଟ ପିଲାଙ୍କୁ ଉପରକୁ ଉଠାଇ ତଳେ କଚାଡିବା ଦୃଶ୍ୟ ମଧ୍ୟ ହୃଦୟ ବିଦାରକ ଥିଲା। ପିଲାମାନେ ପ୍ରାଣ ବିକଳରେ ଏଣେତେଣେ ଦଉଡିଥିଲେ ମଧ୍ୟ ରାକ୍ଷସ ଜଣକ ମନରେ ଟିକେ ବି ଦୟା ଆସି ନ ଥିଲା। ଏ ଖବର ପ୍ରକାଶିତ ହେବାପରେ ଆଈ ଓ ତତ୍ତ୍ୱାବଧାରକ ଦୁଇଜଣଙ୍କୁ ପୋଲିସ ଅବଶ୍ୟ ଗିରଫ କରି ଜେଲ ପଠାଇ ଦେଇଛି ା ପରନ୍ତୁ ଶିଶୁଙ୍କ ପ୍ରତି ନୃଶଂସତା ନ କମି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ନୃଶଂସତାରେ ଓଡ଼ିଶା ମଧ୍ୟ ରେକର୍ଡ କରିବାରେ ଲାଗିଛି। ଶିଶୁଙ୍କୁ ନିର୍ଯାତନା ଏବଂ ସେମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ କ୍ଷେତ୍ରରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି।
ଓଡ଼ିଶା ପୋଲିସର ପୂର୍ବତନ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଗତ ଏପ୍ରିଲ ୨୭ରେ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ନାବାଳିକାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାରେ ସେମାନଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ସମ୍ପୃକ୍ତ। ୯୨.୫ ପ୍ରତିଶତ ଘଟଣାରେ ପୀଡ଼ିତାଙ୍କ ପରିଚିତମାନେ ଜଡ଼ିତ ଥିବା ରିପୋର୍ଟ ହସ୍ତଗତ ହୋଇଛି। ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧକୁ ଓଡ଼ିଶା ପୋଲିସ ଗୁରୁତ୍ୱର ସହ ଗ୍ରହଣ କରି ଅପରାଧୀଙ୍କୁ ଧରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଛି। ଏହିଭଳି ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ମାମଲା କରାଯିବା ପରେ ୨୦୧୮ରେ ୩୮.୫ ପ୍ରତିଶତଙ୍କୁ ଦଣ୍ଡିତ କରାଯାଇପାରିଛି। ୨୦୧୭ରେ ଏହି ହାର ୧୭ ପ୍ରତିଶତ ଥିଲା। ଗତ ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି।
ମହିଳା ଏବଂ ବିଶେଷକରି ଶିଶୁମାନଙ୍କ ଉପରେ ହେଉଥିବା ବିଭିନ୍ନ ଆପରାଧିକ କାର୍ଯ୍ୟ ତଥା ଯୌନ ନିର୍ଯାତନା ସଂକ୍ରାନ୍ତ ଅଭିଯୋଗଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରି ଅପରାଧୀଙ୍କୁ ଧରିବା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେଭଳି ତତ୍ପରତା ପ୍ରକାଶ ପାଇବା ଦେଖାଯାଉ ନାହିଁ। କେବଳ ଗତ ଏପ୍ରିଲ ମାସରେ ୪୦ଟି ନାବାଳିକା ବଳାତ୍କାର ମାମଲା ଓଡ଼ିଶାର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ପୋଲିସ ରେକର୍ଡ କହୁଥିବା ବେଳେ ବାସ୍ତବରେ ଏ ସଂଖ୍ୟା ଅଧିକ। ମେ, ଜୁନ, ଜୁଲାଇ ମାସର ରେକର୍ଡ ଦେଖିଲେ ଏଭଳି ଅପରାଧ ବିଶେଷ ଭାବରେ ହ୍ରାସ ପାଉଛି ବୋଲି କୁହାଯାଇପାରିବ ନାହିଁ। ଏପରି କି ଯୌନ ବିକାରଗ୍ରସ୍ତମାନେ ୩/୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିଥିବା ଘଟଣା ପୋଲିସ ଫାଇଲରେ ଦେଖିବାକୁ ମିଳେ। କେବଳ ସେତିକି ନୁହେଁ ବଳାତ୍କାର ପରେ ପୀଡିତାଙ୍କୁ ଅତି ଜଘନ୍ୟ ଭାବରେ ଅପରାଧୀମାନେ ହତ୍ୟା କରି ଫୋପାଡ଼ି ଦେଇଥିବା ଭଳି ଅନେକ ଘଟଣା ନଜରକୁ ଆସିଛି। ଅପରାଧୀଙ୍କ ମଧ୍ୟରେ ଅନେକ ନାବାଳକ ଥିବା ପୋଲିସ ପ୍ରକାଶ କରିଛି। ସୁନ୍ଦରଗଡ଼, ମୟୂରଭଞ୍ଜ ଭଳି ଜିଲାର ବଳାତ୍କାର ଅପରାଧୀଙ୍କ ବିରୋଧରେ ଚାଲିଥିବା ମାମଲାର ବିଚାର ଶେଷ କରାଯାଇ ଇତିମଧ୍ୟରେ ଦୁଇଜଣଙ୍କୁ ଫାଶୀ ଦଣ୍ଡ ଶୁଣାଯିବା ଖୁସିର ଖବର। ପରନ୍ତୁ ସେମାନେ ଏହି ଦଣ୍ଡାଦେଶ ବିରୋଧରେ ଉପର ଅଦାଲତକୁ ଯିବେ ଏବଂ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିବା ବେଳକୁ କ’ଣ ହେବ କହିହେବ ନାହିଁ। ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ମାମଲାରେ କୌଣସି ଅଭିଯୁକ୍ତ ଦୋଷୀସାବ୍ୟସ୍ତ ନ ହେବା ଯେତିକି ଆଶ୍ଚର୍ଯ୍ୟଜନକ ଦିଲ୍ଲୀ ନିର୍ଭୟା ବଳାତ୍କାର ମାମଲାରେ ଅପରାଧ ବେଳେ ନାବାଳକ ଥିବା କହି ଅଭିଯୁକ୍ତଙ୍କୁ ଖଲାସ କରିଦେବା ସେତିକି ଦୁଃଖଦାୟକ।
୨୦୧୬, ଅଗଷ୍ଟ ୨୫ ତାରିଖରେ ଜଣେ ୪ ବର୍ଷର ଛାତ୍ରୀଙ୍କୁ ବିଦ୍ୟାଳୟର ଶୌଚାଳୟ ଭିତରେ ବଳାତ୍କାର କରିବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ପୋଲିସ ପରେ ସ୍କୁଲବସ୍‌ ଡ୍ରାଇଭରଙ୍କୁ ଗିରଫ କରିଥିଲା। ସେହିପରି ବାଙ୍କୀ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରି ମାରିଦେଇ ନଦୀ ଶଯ୍ୟାରେ ଫିଙ୍ଗିଦେବା ଘଟଣା ପଦାକୁ ଆସିବା ପରେ ଡ୍ରାଇଭର, କଣ୍ଡକ୍ଟରଙ୍କୁ ଗିରଫ କରାଯାଇଥିଲେ ମଧ୍ୟ କଚ୍ଛପଗତିରେ ଏସବୁ ମାମଲାର ବିଚାର ଚାଲିଛି। ପୁରୀ ରଥଯାତ୍ରା ବେଳେ ଜନଗହଳି ଗୁଣ୍ଡିଚା ମନ୍ଦିର ନିକଟ ବସ୍‌ଷ୍ଟାଣ୍ଡରେ ଜଣେ ଆଦିବାସୀ କନ୍ୟାକୁ ବସ୍‌ ଭିତରେ ବଳାତ୍କାର ଘଟଣା ପରେ ଅଭିଯୁକ୍ତ ବସ୍‌ ହେଲ୍‌ପର ଗିରଫ ହୋଇଥିଲେ ହେଁ ମାମଲାର ବିଚାର ଗତି ସମ୍ପର୍କରେ ଠିକ୍‌ ତଥ୍ୟ ମିଳୁନାହିଁ। ବର୍ଷ ବର୍ଷ ଧରି ମାମଲାର ବିଚାର ଚାଲୁଛି ଏବଂ ଅନେକ କ୍ଷେତ୍ରରେ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି।
ନ୍ୟାଶ୍‌ନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ଆଦିବାସୀ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ଦୃଷ୍ଟିରୁ ଓଡିଶା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ଏ ଦୃଷ୍ଟିରୁ ଏକନମ୍ବରରେ ରହିଛି ମଧ୍ୟପ୍ରଦେଶ ଏବଂ ଦୁଇ ନମ୍ବରରେ ରାଜସ୍ଥାନ। ସେହିପରି ନାବାଳିକା ଏବଂ କିଶୋରୀ ବିଶେଷକରି ସ୍କୁଲ ଓ କଲେଜଛାତ୍ରୀଙ୍କ ସହ ବଳାତ୍କାର କରି ସୋସିଆଲ ମିଡିଆରେ ଫଟୋ ଭାଇରାଲ କରିବା ଘଟଣା ମଧ୍ୟ ଦେଶର ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ବୃଦ୍ଧି ପାଇବାରେ ଲାଗିଛି। ଫଟୋ ଭାଇରାଲ କରିବା ପୂର୍ବରୁ ସାଇବର ଅପରାଧୀମାନେ ସମ୍ପୃକ୍ତ କନ୍ୟା ଓ ତାଙ୍କ ପରିବାରକୁ ବ୍ଲାକ୍‌ମେଲ୍‌ କରୁଛନ୍ତି ଏବଂ ଏଥିରେ ବିଫଳ ହେଲେ ଭାଇରାଲ କରୁଛନ୍ତି। କିଛିବର୍ଷ ତଳେ ରାଜସ୍ଥାନରେ ଜଣେ ଜର୍ମାନ୍‌ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଉଚ୍ଚପଦବୀଯୁକ୍ତ ଓଡ଼ିଆ ଯୁବକଙ୍କୁ ଗିରଫ କରାଯାଇ ମାତ୍ର ଦୁଇ ସପ୍ତାହ ମଧ୍ୟରେ ତାଙ୍କୁ ନ୍ୟାୟାଳୟରେ ଦଣ୍ଡିତ କରାଗଲା। ଅନ୍ୟ ଘଟଣାଗୁଡିକର ବିଚାର ପ୍ରକ୍ରିୟା କାହିଁକି ଏତେ ବିଳମ୍ବିତ ହେଉଛି ଜଣାପଡୁନାହିଁ।
ଦେଶର ରାଜଧାନୀ ଏବଂ ଏହାର ଆଖପାଖ କ୍ଷେତ୍ରରେ ଶିଶୁଙ୍କ ପ୍ରତି ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସବୁଠାରୁ ଶିକ୍ଷିତ ପ୍ରଦେଶ କେରଳରେ ମଧ୍ୟ ଶିଶୁଙ୍କ ପ୍ରତି ଅପରାଧର ହାର କିଛି କମ୍‌ ନୁହେଁ। ରାଜଧାନୀ ଦିଲ୍ଲୀର ବସ୍ତିଗୁଡିକ ଏଭଳି ଅପରାଧର କେନ୍ଦ୍ର ହୋଇଥିବା ଜଣାପଡିଛି। ନୋବେଲ ବିଜେତା କୈଳାସ ସତ୍ୟାର୍ଥୀଙ୍କ ମତରେ ଶିଶୁ ଓ କିଶୋରୀମାନଙ୍କୁ ଅତ୍ୟଧିକ ସ୍ବାଧୀନତା ଦେବା, ସାମାଜିକ ଗଣମାଧ୍ୟମର ପ୍ରଭାବ ଓ ସେମାନଙ୍କ ମାନସିକତାରେ ବ୍ୟାପକ ପରିବର୍ତ୍ତନ କାରଣରୁ ସେମାନଙ୍କ ପ୍ରତି ଯୌନ ନିର୍ଯାତନା ଓ ବଳାତ୍କାର ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀର ମନୋବୃତ୍ତି ବା ଉଦ୍ଦେଶ୍ୟକୁ ଏହି ଶିଶୁ ଓ କିଶୋରୀମାନେ ଠିକ୍‌ ଭାବେ ଜାଣି ନ ପାରି ସେମାନଙ୍କ ସହ ଅବାଧ ମିଳାମିଶା କରୁଥିବା କାରଣରୁ ସହଜରେ ବଳାତ୍କାରର ଶିକାର ହୋଇଥାନ୍ତି।
ଶିଶୁଙ୍କ ସୁରକ୍ଷା ପ୍ରତି ପରିବାର ଲୋକେ ଅଧିକ ଧ୍ୟାନ ଦେବା, ଏ ନେଇ ଥିବା ପୋକ୍‌ସୋ ଆଇନକୁ କଡାକଡି ଲାଗୁ କରି ଅପରାଧୀଙ୍କ ପ୍ରତି ଉଚିତ ଦଣ୍ଡବିଧାନ କରିବା, ଶିକ୍ଷାନୁଷ୍ଠାନରେ ନୀତିଶିକ୍ଷା ସହିତ ଶିକ୍ଷକମାନଙ୍କ ସହ ପିଲାଙ୍କ ମିଳାମିଶା ନେଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିୟମିତ ଅନୁଧ୍ୟାନ କରିବା ଏବଂ କୋମଳମତି ଶିଶୁ ଭଗବାନଙ୍କ ପ୍ରତିରୂପ ବୋଲି ସାମାଜିକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ।
୧୩୪୮/୪-ସି, ସେକ୍ଟର-୬, ସିଡିଏ, କଟକ, ମୋ-୯୪୩୭୨୭୦୬୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri