Posted inଫୁରସତ

ପ୍ରଥମ ଦରମାରେ ହାଇଡେସ୍କ ଓ ବେଞ୍ଚ କିଣିଥିଲି: ଡ.ଚନ୍ଦ୍ରଶେଖର ଦାଶ

ପ୍ରାଧ୍ୟାପକ, ପ୍ରାବନ୍ଧିକ ତଥା ଉଦ୍‌ଘୋଷକ ଡ.ଚନ୍ଦ୍ରଶେଖର ଦାଶ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରତନପୁର ଗାଁରେ ମୋ ଜନ୍ମ। ଜନତା ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ଶ୍ରେଣୀ ପାସ୍‌ କରିବା ପରେ କେନ୍ଦୁଝର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲି। ବିଜ୍ଞାନରେ ଭଲ ରେଜଲ୍ଟ ନ ହେବାରୁ ଯୁକ୍ତ ଦୁଇ ପରେ ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟରେ ଓଡିଆ ଅନର୍ସରେ ବି.ଏ. ପଢିଲି। ତା’ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡିଆରେ ଏମ୍‌.ଏ. ଓ ଏମ୍‌.ଫିଲ୍‌. କଲି। ଏମ୍‌.ଫିଲ୍‌.ର ଫାଇନାଲ୍‌ ରେଜଲ୍ଟ ବାହାରି ନ ଥାଏ, ସେହି ସମୟରେ ଅଡ଼ଶପୁର ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପାଇଁ ଇଣ୍ଟରଭ୍ୟୁ ଦେଲି, ଆଉ ସେଥିରେ ମନୋନୀତ ମଧ୍ୟ ହେଲି। ହେଲେ ସେଠାରେ ଜଏନ୍‌ କରିବାକୁ ଇଚ୍ଛା ହେଲାନାହିଁ। ବରଂ କୁହୁଡିରେ କଲେଜଟିଏ ଗଢି ସେଠାରେ ଅଧ୍ୟାପକ ଭାବେ କ୍ୟାରିୟର୍‌ କରିବାକୁ ମନେମନେ ସ୍ଥିର କଲି। ଶେଷରେ ଯେବେ ୫ଟି ପଞ୍ଚାୟତର ଜନସାଧାରଣଙ୍କ ମିଳିତ ସହଯୋଗରେ ୧୯୮୬ ମସିହାରେ କୁହୁଡି କଲେଜ ଗଢି ଉଠିଲା, ସେଠାରେ ମୁଁ ଓଡିଆ ଅଧ୍ୟାପକ ଭାବେ ଯୋଗ ଦେଲି। ସେତେବେଳେ ଏହି କଲେଜଟି ସ୍ଥାନୀୟ ଜନତା ଉଚ୍ଚ ବିଦ୍ୟାଳୟର ପଛପଟେ ଥିବା ପରିତ୍ୟକ୍ତ ହଷ୍ଟେଲରେ ଚାଲୁଥିଲା। ଛାତ୍ରୀଛାତ୍ରଙ୍କ ବସିବା ନିମନ୍ତେ ବି ସେଠାରେ କୌଣସି ବେଞ୍ଚ କି ହାଇଡେସ୍କ ନ ଥିଲା। କୁହୁଡି ସେବା ସମବାୟ ସମିତି ତରଫରୁ କେତୋଟି ବେଞ୍ଚ ଓ ହାଇଡେସ୍କ ଉକ୍ତ କଲେଜକୁ ଯୋଗାଇ ଦିଆଯାଇଥିଲା। ତେଣୁ ପ୍ରଥମ ମାସର ଦରମା ୩୦୦ ଟଙ୍କା ଯେବେ ପାଇଲି, ସେଥିରୁ କିଛି ଟଙ୍କା ଦେଇ କଲେଜ ପାଇଁ ଗୋଟିଏ ହାଇଡେସ୍କ ଓ ବେଞ୍ଚ କିଣିଥିଲି। ତା’ଛଡ଼ା ମୁଁ ଚାକିରି କଲାବେଳକୁ ମୋ ନନା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇସାରିଥିଲେ। ତେଣୁ ଘରର ବଡ଼ ପୁଅ ହିସାବରେ ଆଉ ଯାହା ଦରମା ଟଙ୍କା ବଳିଥିଲା ତାକୁ ନେଇ ଘରଖର୍ଚ୍ଚ ପାଇଁ ବୋଉ ହାତରେ ଦେଇଥିଲି। ଏହିପରି ଭାବେ ବେଶ୍‌ କିଛିଦିନ ଚାଲିଲା। ୧୯୮୯ରେ କୁହୁଡି କଲେଜକୁ ସରକାରୀ ଅନୁଦାନ ମିଳିଲା ଆଉ ୧୯୯୪ରେ ଆମମାନଙ୍କୁ ସରକାରୀ ନିୟମାନୁଯାୟୀ ଦରମା ମିଳିଚାଲିଲା। ବର୍ତ୍ତମାନ ଏହି କଲେଜଟି ପ୍ରାୟ ୭୨ ଏକର ପରସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢିଉଠିଛି, ଯେଉଁଠାରେ ରହିଛି ୩୨ଟି ବଡ଼ବଡ଼ କ୍ଲାସରୁମ୍‌। ତା’ସହିତ ମାତ୍ର ୧୭ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଗଢି ଉଠିଥିବା ଏହି କଲେଜରେ ବର୍ତ୍ତମାନ ସହସ୍ରାଧିକ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେହିପରି ୟା’ ଭିତରେ ମୁଁ ବି ଅଧ୍ୟାପକରୁ ପ୍ରାଧ୍ୟାପକ ହୋଇସାରିଲିଣି। ଏପରିକି ୨୦୦୮ରୁ ମୁଁ ପି.ଏଚ୍‌ଡି. ଡିଗ୍ରୀ ବି ହାସଲ କରିସାରିଲିଣି। ବୃତ୍ତିଗତ ଜୀବନ ବାଦ୍‌ ଗପ, କବିତା, ପ୍ରବନ୍ଧ ଲେଖିବାରେ ମଧ୍ୟ ମୋର ଖୁବ୍‌ ରୁଚି ରହିଛି। ବର୍ତ୍ତନାମ ସୁଦ୍ଧା ମୋର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କବିତା, ୩୦ରୁ ଊର୍ଦ୍ଧ୍ୱ ଗପ ଏବଂ ୩୦୦ରୁ ଉର୍ଦ୍ଧ୍ୱ ପ୍ରବନ୍ଧ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଲାଣି। ତା’ଛଡ଼ା ଆଜକୁ ପ୍ରାୟ ୧୦ ବର୍ଷ ହେବ ଶିବରାତ୍ରି, ରଥଯାତ୍ରା, ଦଶହରା ଭସାଣି ଉପରେ ବିଭିନ୍ନ ଚ୍ୟାନେଲ୍‌ରେ ଧାରାବିବରଣୀ ଦେଇଆସୁଛି। ସେହିପରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ଉତ୍ସବ ସମ୍ପର୍କରେ ମଧ୍ୟ ବହୁବାର ଟେଲିଭିଜନରେ ଆଲେଚନା ବି କରିସାରିଛି। ପିତାମାତାଙ୍କ ଆଶୀର୍ବାଦ ଓ ଗୁରୁଦେବଙ୍କ ଦିଗ୍‌ଦର୍ଶନ ଯୋଗୁ ହୋମ, ଯଜ୍ଞ, ପୂଜାପାଠ, ମନ୍ଦିର ପ୍ରତିଷ୍ଠା ସହିତ ଜ୍ୟୋତିଷଶାସ୍ତ୍ରଦ୍ୱାରା ବିଭିନ୍ନ ସମସ୍ୟା ସମାଧାନ କରିବାରେ ନିଜକୁ ନିୟୋଜିତ କରିପାରିଛି। ଏସବୁ ବ୍ୟତୀତ ଆଜକୁ ପ୍ରାୟ ୨୦ ବର୍ଷ ହେବ ଆର୍ଯ୍ୟକଳା ନିଳୟ ନାମକ ଏକ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ମୁଁ ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇ ଆସୁଛି। ଏ ସମସ୍ତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋତେ ଅନେକ ଅନୁଷ୍ଠାନ ତରଫରୁ ବହୁ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ବିଶେଷକରି ବିଶ୍ୱବ୍ୟାଙ୍କଦ୍ୱାରା ଦିଲ୍ଲୀରେ ଆୟୋଜିତ ନୂତନ ପରୀକ୍ଷା ନିରୀକ୍ଷା କୌଶଳ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ତତ୍କାଳୀନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମ୍‌ଙ୍କଠାରୁ ୨୦୦୭ରେ ମିଳିଥିବା ପୁରସ୍କାର ମୋତେ ଅନେକ ଖୁସି ଆଣି ଦେଇଛି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri