Posted inଜାତୀୟ

ପୁଣି କେଜ୍‌ରିଓ୍ବାଲ ସରକାର

ନୂଆଦିଲ୍ଲୀ,୯ା୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣିଥରେ କ୍ଷମତାସୀନ ହେବେ। ତାଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୫୬ ଆସନ ଦଖଲ କରି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଦିଲ୍ଲୀ ଦରବାରକୁ ପୁଣି ଅକ୍ତିଆର କରିବ। ଭାଜପାକୁ ୧୪ ଆସନରେ ସଫଳତା ମିଳିବାକୁ ଥିବାବେଳେ କଂଗ୍ରେସ ଏଥର ବି ଖାତା ଖୋଲିବାରେ ସକ୍ଷମ ହୋଇ ନ ପାରେ ବୋଲି ଅଧିକାଂଶ ଜନମତ ସଂଗ୍ରହକାରୀ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଶନିବାର ସନ୍ଧ୍ୟାରେ ଭବିଷ୍ୟବାଣୀ କରାଯାଇଛି।
ଦିଲ୍ଲୀ ବିଧାନସଭାର ୭୦ ଆସନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି। ଭୋଟ ସରିବା ଯାଏ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ ଫେରନ୍ତା ମତ) ଆକଳନ ପ୍ରକାଶ ନ କରିବା ପାଇଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଉପରେ ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ଜନମତ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସମ୍ଭାବ୍ୟ ଆସନ ସଂଖ୍ୟା ଆକଳନ କରାଯାଇଛି । ସନ୍ଧ୍ୟା ୬ଟା ୩୦ରେ ପ୍ରକାଶିତ ଆକଳନ ଅନୁସାରେ ଶାସକ ଏଏପି ଏଥର ମଧ୍ୟ କ୍ଷମତା ଦଖଲ କରିବ। କିନ୍ତୁ ପୂର୍ବାପେକ୍ଷା ୨୦୨୦ ବିଧାନସଭା ନିର୍ବାଚନରେ କେଜ୍‌ରିଓ୍ବାଲଙ୍କ ଦଳ ଦୁର୍ବଳ ହେବ ବୋଲି ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ସଂସ୍ଥା ଅନୁମାନ କରିଛନ୍ତି। ସଂଖ୍ୟାଗରିଷ୍ଠତା ପାଇଁ ୩୬ ଆସନ ଆବଶ୍ୟକ ଥିବାବେଳେ ଏଏପି ୪୮ରୁ ୬୧ ନିର୍ବାଚନମଣ୍ଡଳୀରେ ସଫଳତା ପାଇବ ବୋଲି ରିପବ୍ଲିକ୍‌-ଜନ୍‌ କୀ ବାତ୍‌ ପକ୍ଷରୁ ଆକଳନ କରାଯାଇଛି। ଏହି ସଂସ୍ଥା ଅନୁସାରେ ଭାଜପା ୯-୨୧ ଏବଂ କଂଗ୍ରେସ ୦-୧ ପାଇବେ। ନ୍ୟୁଜ୍‌ ଏକ୍ସ-ପୋଲ୍‌ଷ୍ଟାର୍ଟର ଆକଳନ ହେଉଛି ଏଏପି ହାତରେ ୫୦-୫୬ ଓ ଭାଜପାକୁ ୧୦-୧୪ ଆସନ ମିଳିବ। ସୁଦର୍ଶନ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ ଏଏପି ୪୦ରୁ ୪୫ ଆସନ ଦଖଲ କରିବ। ଭାଜପା ୨୪-୨୮ ଏବଂ କଂଗ୍ରେସ ୨-୩ ଆସନରେ ସଫଳତା ପାଇବେ। ଟାଇମ୍ସ ନାଓ-ଆଇପିଏସ୍‌ଓଏସ୍‌ ଭବିଷ୍ୟବାଣୀ କରିଛନ୍ତି ଯେ, ଏଏପିକୁ ୪୭ ଓ ଭାଜପାକୁ ୨୩ ଆସନ ମିଳିବ। ଟିଭି ୯ ଭାରତବର୍ଷ-ସିସେରୋ ପକ୍ଷରୁ କରାଯାଇଥିବା ସର୍ଭେରେ ଏଏପିକୁ ସର୍ବାଧିକ ୫୨ରୁ ୬୪ ଆସନ ମିଳିବା ନେଇ ଅନୁମାନ କରାଯାଇଛି। ଭାଜପା ୬-୧୬ ଆସନରେ ସନ୍ତୁଷ୍ଟ ହେବ ଓ କଂଗ୍ରେସ ୦-୨ ସିଟ୍‌ ଦଖଲ କରି ସମ୍ମାନ ବଞ୍ଚାଇବ ବୋଲି ଏହାର ରିପୋର୍ଟରେ ଦର୍ଶାଯାଇଛି। ଇଣ୍ଡିଆ ନ୍ୟୁଜ୍‌-ନେତାର ଅଙ୍କକଷା ହେଲା ଏଏପି ୫୩ରୁ ୫୭ ଏବଂ ଭାଜପା ୧୧ରୁ ୧୭ ଆସନ ଅକ୍ତିଆର କରିବାରେ ସକ୍ଷମ ହେବେ। କଂଗ୍ରେସକୁ ଗୋଟିଏ ହେଲେ ଆସନ ମିଳି ନ ପାରେ। ଯଦି ମିଳିବ ଏହି ଦଳ ସର୍ବାଧିକ ୨ ଆସନରେ ସୀମିତ ରହିବ।
ଅନ୍ୟପକ୍ଷରେ ନ୍ୟୁଜ୍‌ ଏଜେନ୍ସି ଆଇଏଏନ୍‌ଏସ୍‌ ଏବଂ ସିଭୋଟର ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଭେ ଅନୁଯାୟୀ ଏଏପିର ‘ଉନ୍ନୟନମୂଳକ କାର୍ଯ୍ୟକ୍ରମ’ ଭାଜପାର ‘ଜାତୀୟତାବାଦୀ କାର୍ଯ୍ୟସୂଚୀ’କୁ ପରାଜିତ କରିବ। ଏଏପି ୫୦.୬% ଭୋଟ ପାଇଥିବାବେଳେ ଭାଜପା ଉପରେ ୩୬% ମତଦାତା ଭରସା କରିଛନ୍ତି। କଂଗ୍ରେସ ମାତ୍ର ୯% ଭୋଟ ଯୋଗାଡ଼ କରିବାରେ ସକ୍ଷମ ହୋଇଛି। ଏହି ଭୋଟ ହାରକୁ ଆସନରେ ପରିବର୍ତ୍ତିତ କରି ହିସାବ କଲେ ଜଣାପଡ଼ୁଛି ଯେ ଏଏପି ସର୍ବନିମ୍ନ ୪୯ ଓ ସର୍ବାଧିକ ୬୩ ଆସନ ଦଖଲ କରିବ, ଯାହାକି ପୂର୍ବ ତୁଳନାରେ ୪ କମ୍‌। ସେହିପରି ଭାଜପା ୫-୧୯ ଏବଂ କଂଗ୍ରେସ ପ୍ରାର୍ଥୀ ସର୍ବାଧିକ ୪ ଆସନରେ ବିଜୟୀ ହେବେ। ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ ଦିଲ୍ଲୀର ୭ ସଂସଦୀୟ ଆସନର ୧୧,୮୩୯ ବୁଥ୍‌ ଫେରନ୍ତା ମତଦାତାଙ୍କ ମତାମତ ନିଆଯାଇଥିଲା।
ତେବେ ସମସ୍ତ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟକୁ ନେଇ ସାମଗ୍ରିକ ଆକଳନ ହେଲା ଏଏପି ୫୬ ଆସନ ଦଖଲ କରିବ, ଯାହାକି ପୂର୍ବ ନିର୍ବାଚନ ତୁଳନାରେ ୧୧ କମ୍‌। ସେହିପରି ଭାଜପାର ପ୍ରଦର୍ଶନରେ ଉନ୍ନତି ଆସିବ। ଗୈରିକ ଦଳ ୨୦୧୫ରେ ମାତ୍ର ୩ଟି ଆସନରେ ସନ୍ତୁଷ୍ଟ ହୋଇଥିବାବେଳେ ଏଥର ୧୪ ନିର୍ବାଚନମଣ୍ଡଳୀରେ ସଫଳତା ପାଇବ, ଯାହାକି କୁହୁକ ସଂଖ୍ୟାଠାରୁ ୨୨ କମ୍‌। ସେହିପରି ପୂର୍ବ ନିର୍ବାଚନରେ ଖାତା ଖୋଲିବାରେ ସକ୍ଷମ ହୋଇ ନ ଥିବା କଂଗ୍ରେସ ଏଥର ମଧ୍ୟ ଗୋଟିଏ ଆସନ ଜିତିବା ନେଇ ଆଶଙ୍କା ରହିଥିବା କୁହାଯାଇଛି। ତେବେ କେଉଁ ସର୍ଭେ ସଂସ୍ଥାର ଆକଳନ କେତେ ନିର୍ଭୁଲ ରହିବ ତାହା ଫେବୃୟାରୀ ୧୧ (ମଙ୍ଗଳବାର) ଭୋଟ ଗଣତି ପରେ ଜଣାପଡ଼ିବ।

 

କେଜ୍‌ରିଓ୍ବାଲ-ଇରାନୀ କଥା କଟାକଟି

ମତଦାନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ଟୁଇଟର୍‌ରେ କଥା କଟାକଟି ହୋଇଛି। ମହିଳା ଭୋଟରମାନେ ଠିକ୍‌ ପ୍ରାର୍ଥୀ ଚୟନ ଲାଗି ପୁରୁଷମାନଙ୍କ ସହ ଆଲୋଚନା କରିବା ଲାଗି ଏଏପି ନେତା କେଜ୍‌ରିଓ୍ବାଲ ଟୁଇଟର୍‌ରେ ଅନୁରୋଧ କରିବା ପରେ ଭାଜପା ନେତ୍ରୀ ଇରାନୀ ଏହାର ପ୍ରତିବାଦ କରିଥିଲେ। ମହିଳା ଭୋଟର ନିଜ ଭୋଟ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସକ୍ଷମ ବୋଲି ଇରାନୀ ଟୁଇଟ୍‌ କରିଛନ୍ତି। ମତଦାନ ଆରମ୍ଭ ହେବା ପୂର୍ବରୁ ମହିଳା ଭୋଟରମାନଙ୍କୁ ଭୋଟଦେବା ପାଇଁ ନିବେଦନ କରିବା ସହ ପରିବାରର ପୁରୁଷମାନଙ୍କୁ ଭୋଟ ଦେବା ଲାଗି ସାଙ୍ଗରେ ନେବାକୁ କହିଥିଲେ। ସେମାନେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟଦେବା ପାଇଁ ପୁରୁଷ ଭୋଟରଙ୍କ ସହ ଆଲୋଚନା କରିବା ଆବଶ୍ୟକ ବୋଲି କେଜ୍‌ରିଓ୍ବାଲ କହିଥିଲେ। ତାଙ୍କର ଏଭଳି ପରାମର୍ଶକୁ ନେଇ ଇରାନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମହିଳା ବିରୋଧୀ ବୋଲି କହିଛନ୍ତି। ଏହାର ଜବାବରେ କେଜ୍‌ରିଓ୍ବାଲ କହିଥିଲେ, ଦିଲ୍ଲୀ ମହିଳା ନିଜ ଭୋଟ ସମ୍ପର୍କରେ ନିଷ୍ପତ୍ତି ନେବା ସହ ଏଥର ପରିବାରର ଅନ୍ୟ ସଦସ୍ୟମାନଙ୍କ ଭୋଟ ସମ୍ପର୍କରେ ସ୍ଥିର କରିବେ। ଯାହା ହେଲେ ବି ସେମାନେ ପରିବାର ଚଳାଉଛନ୍ତି ବୋଲି ସେ ଟୁଇଟର୍‌ରେ ଜବାବ ରଖିଥିଲେ।

 

ଏକ୍‌ଜିଟ୍‌ ପୋଲ୍‌ ଠିକ୍‌ ନୁହେଁ: ଭାଜପା

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଶନିବାର ରାତିରେ ଡାକିଥିବା ଭାଜପା ବୈଠକରେ ଦିଲ୍ଲୀ ନିର୍ବାଚନ ଓ ଏକ୍‌ଜିଟ୍‌ ପୋଲ ଫଳାଫଳ ସମ୍ପର୍କରେ ଆଲୋଚନା ହୋଇଥିଲା। ଏକ୍‌ଜିଟ୍‌ ପୋଲ୍‌ ଠିକ୍‌ ନୁହେଁ। ପୂର୍ବରୁ ଅନେକଥର ଏହା ଭୁଲ ପ୍ରମାଣିତ ହୋଇଥିବା ଭାଜପା ନେତ୍ରୀ ମୀନାକ୍ଷୀ ଲେଖି ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି। ଏଥିରେ ଦିଲ୍ଲୀର ୭ ଜଣ ଭାଜପା ଏମ୍‌ପି ଯୋଗ ଦେଇଥିଲେ। ଦଳୀୟ ପ୍ରଦର୍ଶନ ଓ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳର ସମୀକ୍ଷା କରାଯାଇଥିଲା। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱରେ ଆମ୍‌ ଆଦ୍‌ମୀ ପାର୍ଟି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଏକ୍‌ଜିଟ ପୋଲ୍‌ ଅନୁମାନ କରିଥିବାବେଳେ ଭାଜପା ଦ୍ୱିତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି।

ବୁଲେଟ ନୁହେଁ ବାଲଟ

ପ୍ରଥମ ଥର ପାଇଁ ଭୋଟ ଦେବାକୁ ଆସି ଧାଡ଼ିରେ ଛିଡ଼ାହୋଇଥିବା ନୂଆ ଭୋଟରମାନେ ବୁଲେଟ ଅପେକ୍ଷା ବାଲଟକୁ ପସନ୍ଦ କରିଛନ୍ତି। ସେହିପରି ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ରାଜନୈତିକ ଦଳ ମାଗଣା ସୁବିଧା ଯୋଗାଇବା ପରିବର୍ତ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ସେମାନେ ପ୍ରାଥମିକତା ଦେଇଛନ୍ତି। ଶନିବାର ମତଦାନ କରିଥିବା ନୂଆ ଭୋଟରଙ୍କ ମଧ୍ୟରେ ଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପୁଅ ପୁଲକିତ୍‌, କଂଗ୍ରେସ ନେତା ଅଜୟ ମାକେନ୍‌ଙ୍କ ପୁଅ ଔଜସ୍ବୀ ପ୍ରମୁଖ। ନୂଆ ଭୋଟରମାନେ ସମାନତା, ବିକାଶ, ସ୍ବାସ୍ଥ୍ୟସେବା, ଶିକ୍ଷା ଓ ବିଶୁଦ୍ଧ ବାୟୁ ପାଇଁ ଭୋଟ ଦେବା ଉଚିତ ବୋଲି ୨୧ ବର୍ଷୀୟ ଅକ୍ଷୟ ସିଂ କହିଛନ୍ତି। ପ୍ରବୀଣ ପୁଞ୍ଜ ନାମରେ ଅନ୍ୟଜଣେ ନୂଆ ଭୋଟର କହିଛନ୍ତି, ଯେଉଁମାନେ ଗୁଳି ଚଳାଉଛନ୍ତି ସେମାନଙ୍କୁ ବୁଲେଟ ନୁହେଁ ବାଲଟରେ ଜବାବ ଦିଆଯାଇପାରିବ। ନିଯୁକ୍ତିକୁ ପ୍ରତ୍ୟେକ ଭୋଟର ସର୍ବାଧିକ ପ୍ରାଥମିକତା ଦେବା ଉଚିତ ବୋଲି ଅଧିକାଂଶ ମତ ଦେଇଛନ୍ତି।

ସଂଖ୍ୟାଲଘୁ ବହୁଳ ଆସନରେ ମତଦାନ ହାର ଅଧିକ

ଦିଲ୍ଲୀର ସଂଖ୍ୟାଲଘୁ ବହୁଳ ତିନୋଟି ଆସନ ମୁସ୍ତାଫାବାଦ, ମାଟିଆ ମହଲ ଏବଂ ସିଲମପୁରରେ ସର୍ବାଧିକ ମତଦାନ ହୋଇଥିବା ଜଣାପଡିଛି। ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଦକ୍ଷିଣପୂର୍ବ ଦିଲ୍ଲୀର ମୁସ୍ତାଫାବାଦରେ ଅପରାହ୍ନ ୫ଟା ସୁଦ୍ଧା ସର୍ବାଧିକ ୬୬.୨୯ ପ୍ରତିଶତ ମତଦାନ ହୋଇଥିବାବେଳେ ପୁରୁଣା ଦିଲ୍ଲୀର ମାଟିଆ ମହଲା ଆସନରେ ୬୫.୬୨ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିପରି ଉତ୍ତରପୂର୍ବ ଦିଲ୍ଲୀର ସିଲମପୁର ଆସନରେ ୬୪.୯୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୮ଜଣଙ୍କ ଜୀବନ, ୬ଜଣ ଗୁରୁତର

ଭେଟ୍‌ଲାପାଲେମ୍‌,୨୮ା୨: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରେ ଥିବା ଏକ ବାଣ କାରଖାନାରେ ଶନିବାର ଭୟଙ୍କର ବିସ୍ପୋରଣ ଘଟିଛି। ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri