Posted inଖେଳ

ପାକିସ୍ତାନର ସଂଘର୍ଷପୂର୍ଣ୍ଣ ବିଜୟ

ଲିଡ୍ସ,୩୦।୬(ପି.ଟି.)- ଆଇସିସି ବିଶ୍ୱକପ୍‌ର ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ପାକିସ୍ତାନ ୨ଟି ବଲ ବାକି ରଖି ୩ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଟସ୍‌ ଜିତି ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୨୭ ରନ କରିଥିଲା। ଜବାବରେ ପାକିସ୍ତାନ ବିପର୍ଯ୍ୟୟ ସତ୍ତ୍ୱେ ୪୯.୪ ଓଭରରେ ୭ ଉଇକେଟ ହରାଇ ୨୩୦ ରନ କରି ବିଜୟୀ ହୋଇଛି। ଏଥି ସହିତ ପାକିସ୍ତାନ ୮ଟି ମ୍ୟାଚ୍‌ ଖେଳି ୪ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନକୁ ଉଠି ତା’ର ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପଟେ ଆଫଗାନିସ୍ତାନ ୮ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ବିନା ପଏଣ୍ଟ ସହ ତାଲିକାର ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି। ମୂଲ୍ୟବାନ ୨ ଉଇକେଟ ନେବା ସହ ଅପରାଜିତ ୪୯ ରନର ଇନିଂସ ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଇମାଦ ଓ୍ବାସିମ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୨୮ ରନର ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ପାକିସ୍ତାନ ତାରକା ଓପନର ଫକର ଜମାନଙ୍କୁ ବିନା ସ୍କୋରରେ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଦ୍ୱିତୀୟ ଉଇକେଟରେ ଇମାମ ଉଲ ହକ ଓ ବାବର ଆଜମ ୭୨ ରନ ସଂଗ୍ରହ କରିଥିଲେ। ଇମାମ ୩୬ ଓ ଆଜମ ୪୫ ରନକରି ମହମ୍ମଦ ନବୀଙ୍କ ଶିକାର ହୋଇଥିଲେ। ଏହାପରେ ଅଭିଜ୍ଞ ମହମ୍ମଦ ହାଫିଜ୍‌ ୧୯ ରନ କରିଥିବା ବେଳେ ମୁଜିବ ଉର ରହମାନଙ୍କ ଦ୍ୱାରା ଆଉଟ ହୋଇଥିଲେ। ଇନ୍‌ଫର୍ମ ହାରିସ ସୋହେଲ ୨୭ ରନ କରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ରସିଦ ଖାଁଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୧୮ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ଏହାପରେ ୧୧ ରନ କରିଥିବା ବେଳେ ଶଦାବ ଖାଁ ମଧ୍ୟ ରନ୍‌ ଆଉଟ ହୋଇଥିଲେ। ସପ୍ତମ ଉଇକେଟରେ ଇମାଦ ଓ୍ବାସିମ ଓ ଶଦାବ ୫୦ ରନକରି ସ୍ଥିତି ସମ୍ଭାଳିଥିଲେ। ଇମାଦ ୫୪ ବଲରୁ ୫ ଚୌକା ସହ ୪୯ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ୯ ବଲରୁ ୧ ଚୌକା ଓ ୧ ଛକା ସହ ଓ୍ବାହାବ ରିୟାଜ ୧୫ ରନ କରି ଅପରାଜିତ ରହିଥିଲେ। ସପ୍ତମ ଉଇକେଟରେ ଓ୍ବାସିମ ଓ ରିୟାଜ ୧୮ ବଲରୁ ଦ୍ରୁତ ୨୪ ରନ କରି ଦଳକୁ ସଂଘର୍ଷପୂର୍ଣ୍ଣ ବିଜୟ ପ୍ରଦାନ କରିଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ରହମାନ ଓ ନବୀ ୨ଟି ଲେଖାଏ, ରସିଦ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଅଧିନାୟକ ଗୁଲବଦିନ ନାଇବଙ୍କୁ ସଅଳ ହରାଇଥିଲା। ନାଇବ ୧୫ ରନ କରି ଆଫ୍ରିଦୀଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅନ୍ୟତମ ଓପନର ରହମତ ଶାହ ୩୫ ରନ କରି ସ୍ପିନର ଇମାଦ ଓ୍ବାସିମଙ୍କ ଶିକାର ହୋଇଥିଲେ। ୫୭ ରନରେ ୩ ଉଇକେଟ ହରାଇ ଆଫଗାନିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଅସଘର ଆଫଗାନ ଓ ନାଜିବୁଲ୍ଲା ଜଡ୍ରାନ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଆଫଗାନ ୩୫ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୨ ଛକା ସହ ୪୨ ରନ କରି ଆଉଟ ହୋଇଥିଲେ। ସେହିପରି ନାଜିବୁଲ୍ଲା ୫୪ଟି ବଲର ସମ୍ମୁଖୀନ ହୋଇ ୪୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ଇକ୍ରାମ ଅଲିଖିଲ ୨୪, ମହମ୍ମଦ ନବି ୧୬ ରନ କରି ଆଉଟ ହୋଇଥିଲେ। ସମିଉଲ୍ଲା ସେନଓ୍ବାରି ୧୯ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ଆଫ୍ରିଦୀ ସର୍ବାଧିକ ୪, ଇମାଦ ଓ୍ବାସିମ ଓ ଓ୍ବାହାବ ରିୟାଜ ଦୁଇଟି ଲେଖାଏ, ଶଦାବ ଖାଁ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୫୦ ଓଭରରେ ୨୨୭/୯ (ଅସଘର- ୪୨, ନାଜିବୁଲ୍ଲା- ୪୨, ରହମତ- ୩୫, ଅଲିଖିଲ- ୨୪, ଆଫ୍ରିଦୀ- ୪/୪୭, ଓ୍ବାସିମ- ୨/୪୮, ରିୟାଜ- ୨/୨୯)।
ପାକିସ୍ତାନ ୪୯.୪ ଓଭରରେ ୨୩୦/୭ (ବାବର- ୪୫, ଇମାଦ- ୪୯*, ଇମାମ- ୩୬, ସୋହେଲ- ୨୭, ରିୟାଜ- ୧୫*, ରହମାନ- ୨/୩୪, ନବୀ- ୨/୨୩ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

IPL 2026 Auction LIVE Updates: ଏଯାଏ ବିକ୍ରି ହୋଇଛନ୍ତି ଏସବୁ ଖେଳାଳି, ପ୍ରଶାନ୍ତ-କାର୍ତ୍ତିକଙ୍କ ଉପରେ CSKର ଟଙ୍କା ବର୍ଷା  

ଆବୁଧାବୀ,୧୬।୧୨: ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟ ପ୍ରିମିୟର୍‌ ଲିଗ୍‌ ଆଇପିଏଲ୍‌ର ୧୯ତମ ସିଜନ (୨୦୨୬) ପୂର୍ବରୁ ମିନି ନୀଲାମୀ ଆରମ୍ଭ ହୋଇଛି। ଏହି ନୀଲାମୀ ସଂଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri