ଦୋକାନରେ ଦିନରାତି

ଡ. ନିଖିଳାନନ୍ଦ ପାଣିଗ୍ରାହୀ
କୌଣସି ଦୋକାନୀ ବା ତା’ର ନିକଟ ସମ୍ପର୍କୀୟର ମୃତ୍ୟୁ ଘଟିଲେ, ସାଧାରଣତଃ ଯେଉଁ ବଜାର-ସାହିରେ ତା’ର ଦୋକାନ ଚାଲିଥାଏ, ସେଠାକାର ସମସ୍ତ ଦୋକାନ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ବନ୍ଦ କରାଯାଏ। ଏହା ଆମ ସମାଜର ଏକ ଚଳଣି। ଏମିତି ବଜାର ବନ୍ଦ କାରଣରୁ ଗରାଖମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଏହାକୁ କେନ୍ଦ୍ରକରି କେହି ଆପତ୍ତି ଅଭିଯୋଗ କରନ୍ତି ନାହିଁ।
ପ୍ରଶ୍ନ ଉଠୁଛି ଭବିଷ୍ୟତରେ ଆମ ଦେଶରେ ଏହି ସ୍ଥିତି ରହିବ କି? ବର୍ତ୍ତମାନ ଦେଶ ଅଗ୍ରଗତି କରୁଛି। ଆମେ ଉନ୍ନତ ଦେଶମାନଙ୍କ ପଦାଙ୍କ ଅନୁସରଣ କରି ସେମାନଙ୍କ ପରିସ୍ଥିତିରେ ପହଞ୍ଚିବାକୁ ଉଦ୍ୟମରତ। ସେତେବେଳେ ଉପରୋକ୍ତ ମାମଲାରେ ଆମର ଆଚାର ବ୍ୟବହାର କେଉଁ ରୂପ ନେବ?
ବିଷୟଟି ସମ୍ପର୍କରେ ଅନୁମାନ କରିବାକୁ ଯିବାବେଳେ ଆମେ ଆମଠାରୁ ଅଧିକ ବିକଶିତ ରାଷ୍ଟ୍ରମାନଙ୍କ ଚାଲିଚଳନ ପ୍ରତି ଦୃଷ୍ଟି ଦେଇପାରୁ। ଏହି କ୍ରମରେ ଆମେ ଜାପାନକୁ ଦୃଷ୍ଟାନ୍ତ ଭାବେ ବାଛିପାରୁ।
ଯଦି କୌଣସି ବିଦେଶୀ ନାଗରିକ ସେଠାକୁ ବୁଲିବାକୁ ଯାଏ, ସେ ଯେଉଁ ସ୍ବତନ୍ତ୍ର ଜିନିଷ ଦେଖିବ, ତାହା ହେଉଛି କୋମ୍ବିନ। କୋମ୍ବିନର ଅର୍ଥ ହେଉଛି ସୁଲଭ ଦୋକାନ (କନ୍‌ଭିନିଏନ୍ସ ଷ୍ଟୋର)। ଜଣାଯାଏ ଯେ, ଦୁଇହଜାର ଜାପାନୀଙ୍କ ପିଛା ଗୋଟିଏ କୋମ୍ବିନ ଉପଲବ୍ଧ। ଏହାର ବିଶେଷତ୍ୱ ହେଉଛି ଯେ, ଏହା ଦିନରାତି ଚବିଶ ଘଣ୍ଟା ଖୋଲା ରହେ। କୌଣସି ଜନପଦରେ ଏମିତି ଏକ ସାହି ନାହିଁ, ଯେଉଁଠାରେ କୋମ୍ବିନ ନାହିଁ। ଜଣେ ବ୍ୟକ୍ତି ମାତ୍ର ଦଶ ମିନିଟ ଭିତରେ ଚାହୁଁଥିବା ଯେ କୌଣସି ଦ୍ରବ୍ୟ, ଯେ କୌଣସି ସମୟରେ ସେଠାରୁ କିଣି ଆଣିପାରିବ। ପ୍ରକାଶଥାଉ କି, ଏହି ଦୋକାନଗୁଡ଼ିକରେ ସବୁ ପ୍ରକାର ଜିନିଷ ବିକ୍ରି ହୁଏ। ଲଞ୍ଚ୍‌ ବକ୍ସ, ରାଇସ୍‌ବଲ, ସ୍ୟାଣ୍ଡ୍‌ଓ୍ବିଚ୍‌, ସାଲାଡ଼, ପନିପରିବା ଭଳି ଖାଦ୍ୟ ଉପଯୋଗୀ ଜିନିଷଠାରୁ ଆରମ୍ଭ କରି କଲମ, ଟଏଲେଟ୍‌ ପେପର, ବ୍ୟାଣ୍ଡେଜ୍‌, ଔଷଧପତ୍ର, ମଦ, ଛତା, ବ୍ୟାଟେରି ଇତ୍ୟାଦି ଏ-ଠାରୁ ଆରମ୍ଭ କରି ଜେଡ୍‌ ପର୍ଯ୍ୟନ୍ତ ହରେକ ସାମଗ୍ରୀ ଅଣାଯାଇପାରିବ। ଏପରି କି ଚିଠିପତ୍ର ପଠାଯାଇପାରିବ, ବ୍ୟାଙ୍କରେ ଟଙ୍କାପଇସା କାରବାର ଇତ୍ୟାଦି ସେବା ମଧ୍ୟ ଯୋଗାଇ ଦିଆଯାଏ। ବିମାନ, ରେଳ, ବସ୍‌, ଜାହାଜ, ବିଭିନ୍ନ ସିନେମା, ପ୍ରଦର୍ଶନୀ ସକାଶେ ଟିକେଟ ଖରିଦ ପାଇଁ କାଉଣ୍ଟର ଖୋଲାଯାଇଥାଏ। ଜାପାନୀମାନେ ଏହି କୋମ୍ବିନ ସଭ୍ୟତା ସହ ଅଭ୍ୟସ୍ତ। ଏହାକୁ ଭିତ୍ତିକରି କନ୍‌ଭିନିଏନ୍ସ ଷ୍ଟୋର ଉମେନ ଶୀର୍ଷକ ଏକ ଉପନ୍ୟାସ ସାୟାକା ମୁରାଣ ପ୍ରକାଶ କରିଛନ୍ତି, ଯାହାକି ବିଶ୍ୱ ସାରା ଖୁବ୍‌ ଜନପ୍ରିୟ ହୋଇଥିଲା। ୨୦୧୬ ମସିହାରେ ଏହା ଆକୁଟାଗାଓ୍ବା ପୁରସ୍କାର ବିଜେତା ମଧ୍ୟ ହୋଇଥିଲା।
ଜାପାନୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି କୋମ୍ବିନର ଉତ୍ତରୋତ୍ତର ଉନ୍ନତି ଘଟିଛି। ସେଠାକାର ସର୍ବବୃହତ୍‌ ତିନୋଟି କୋମ୍ବିନ-ଚେନ ହେଉଛି ଫ୍ୟାମିଲି ମାର୍ଟ, ସେଭେନ୍‌ -ଇଲେଭେନ୍‌ ଏ.ଏମ୍‌./ଓ.ଏମ୍‌. ଲସନ।
ଚଳିତ ବର୍ଷ ଫେବୃୟାରୀ ମାସରେ ସେଭେନ୍‌-ଏଲେଭେନ୍‌ ଚେନର ହିଗାସି-ଓସାକା ସ୍ଥିତ ଗୋଟିଏ କୋମ୍ବିନ ସାରା ଦେଶରେ ଚହଳ ସୃଷ୍ଟି କଲା। ସେଠାରେ କାର୍ଯ୍ୟରତ ଶତାବନ ବର୍ଷୀୟ ମିଟୋଶି ମାଟସୁମୋଟୋଙ୍କ ସ୍ତ୍ରୀ (ଯିଏକି ସେଇ ଦୋକାନର ସହକର୍ମୀ)ଙ୍କର ହଠାତ୍‌ ମୃତ୍ୟୁ ଘଟିଲା। ଫଳରେ ସେଇ ଦୋକାନ ଖୋଲାଯାଇ ପାରିଲା ନାହିଁ। ଏଥିରେ କମ୍ପାନୀ ଅସହନୀୟ ଭାବେ କ୍ରୁଦ୍ଧ ହେଲା। ଗରାଖମାନେ ସେବା ପାଇବାରୁ ବଞ୍ଚିତ ହେବାରୁ କର୍ତ୍ତୃପକ୍ଷ ଅସନ୍ତୁଷ୍ଟ ହେଲେ। ମଧ୍ୟରାତ୍ରରୁ ସକାଳ ପର୍ଯ୍ୟନ୍ତ ମାଟସୁମୋଟୋ କାର୍ଯ୍ୟ-ନିର୍ଘଣ୍ଟ ଅନୁସାରେ ଦୋକାନରେ ଉପସ୍ଥିତ ରହିବା କଥା। ଏଥିରେ ସେ ଦିନର ବ୍ୟତିକ୍ରମକୁ କମ୍ପାନୀ ବରଦାସ୍ତ କଲା ନାହିଁ।
କମ୍ପାନୀର ଆଚରଣକୁ ନିଷ୍ଠୁର ବୋଲି ବିବେଚନା କରି ମାଟସୁମୋଟୋ ମନେପକାଇ ଦେଇଛନ୍ତି ଯେ, ସେ ଥରେ ଅନ୍ୟ କର୍ମଚାରୀମାନେ ନ ଥିବାରୁ ଏକାଦିକ୍ରମେ ବିନା ବିଶ୍ରାମରେ ଅଠତିରିଶ ଘଣ୍ଟା କାମ କରିଛନ୍ତି। ତଥାପି ଦୁର୍ଦ୍ଦିନରେ ତାଙ୍କ ପ୍ରତି ଉପରିସ୍ଥ ଅଧିକାରୀ ଏମିତି କଠୋର ଓ ସମ୍ବେଦନହୀନ। ଏ ଘଟଣା ଜାପାନରେ ଆଲୋଡନ ସୃଷ୍ଟି କଲା। ସେଠାରେ ୫୬,୦୦୦ କୋମ୍ବିନ ଅଛି। ମାଟସୁମୋଟୋଙ୍କ ସପକ୍ଷରେ ସାମୂହିକ ଭାବେ କୋମ୍ବିନୀମାନେ ଆଗେଇ ଆସିଲେ।
ଏହି ଘଟଣାରୁ ସ୍ପଷ୍ଟ ହୁଏ ଯେ, ବ୍ୟବସାୟ-ମାଲିକମାନେ ମୁନାଫାଖୋର ହୋଇଗଲେଣି। ମାନବିକ ମୂଲ୍ୟବୋଧ ପ୍ରତି ସମ୍ମାନ ଓ ବିଚାର ହ୍ରାସ ପାଇଲାଣି। ଗୋଟିଏ ପରିସଂଖ୍ୟାନ ସୂଚାଏ ଯେ, ନମିନାଲ ଜିଡିପି ତାଲିକାରେ ଜାପାନ ବିଶ୍ୱର ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିଛି। ଆମଦାନି, ରପ୍ତାନିରେ ଏହି ଦେଶ ଚତୁର୍ଥ ସ୍ଥାନରେ। ସାମରିକ ବଳରେ ମଧ୍ୟ। ଯେ କୌଣସି ବିକାଶଶୀଳ ଦେଶ ପାଇଁ ଜାପାନର ସମୃଦ୍ଧି ଲୋଭନୀୟ। ଆମେ ଏମିତି ସୋପାନରେ ପହଞ୍ଚିବା ପାଇଁ ଲାଳାୟିତ ହେବା ସ୍ବାଭାବିକ। କିନ୍ତୁ ବସ୍ତୁବାଦୀ ହୋଇ ମଣିଷପଣିଆକୁ ଜଳାଞ୍ଜଳି ଦେବା ଅବାଞ୍ଛନୀୟ। ବିବେକ ଆମର ପଥପ୍ରଦର୍ଶକ ହେଉ।
ନୀତି ଶ୍ଳୋକରେ ଅଛି-
‘ନାତ୍ୟନ୍ତଂ ଗୁଣବତ୍‌ କିଞ୍ଚନ୍ନ ଚାପ୍ୟତ୍ୟନ୍ତନିର୍ଗୁଣମ୍‌।
ଉଭୟଂ ସର୍ବକାର୍ଯ୍ୟେସୁ ଦୃଶ୍ୟତେ ସାଧ୍ୱସାଧୁ ବା।ା’
ପ୍ରତିଟି କ୍ଷେତ୍ରରେ ଭଲମନ୍ଦ ମିଶି ରହିଥାଏ। ଆମେ ଭଲଗୁଣ ଗ୍ରହଣ କରିବା ଉଚିତ।
ବଡ଼ଖେମୁଣ୍ଡି ବଙ୍ଗଳା, ବ୍ରହ୍ମପୁର, ମୋ-୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri