ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ

ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର କଲ୍‌କୁ ରିସିଭ କଲେ ଚନ୍ଦ୍ର। ସକାଳୁଆ ଚାଲିକୁ ଉତୁଉତା ଗରମ। ଦେହରୁ ପାଣି ଝରି ପଡୁଥାଏ। ସେପଟୁ ବନ୍ଧୁ ଜଣକ ସମ୍ବୋଧନ ନ କରି ସିଧା ପଚାରିଲେ – ‘କିରେ ଭାଇ! ତୁମ ଆଡେ କେମିତି ସବୁ?’ ଟିକେ ବିରକ୍ତରେ ଉତ୍ତର ଦେଲେ ଚନ୍ଦ୍ର – ”ଆରେ ଭାଇ! ସେ ରାଜନୀତିରୁ ଆମକୁ କ’ଣ ମିଳିବ। କୋଉ ଆଦର୍ଶଟା ଅଛି ଏ ପଲିଟିକ୍ସରେ। ସବୁ ତ ସେଇ ଏକା ଲାଉର ମଞ୍ଜି। ଖାଲି ନଁା ଅଲଗା। ଦଳକୁ ଛାଡ଼ି ବ୍ୟକ୍ତିକୁ ଯଦି ଦେଖିବା ସେତକ ମଧ୍ୟ ଏଇ ନେତା ଗଣ୍ଡାକ ପୋଡ଼ି ପାଉଁଶ କରିଦେଲେ। କଥାରେ ଅଛି ସବୁ ଯାଉ ଚରିତ୍ର ଥାଉ। କିନ୍ତୁ ଏବର ଏଇ ନିର୍ବାଚନକୁ ଦେଖିଲେ ଲାଗିଲାଣି ବିଚାର ବଦଳିଗଲା। ଚରିତ୍ର ଯାଉ ପଛେ ଟିକେଟ ଖଣ୍ଡେ ମିଳିଯାଉ। ହାର୍‌ଜିତ୍‌ ପଛେ, ରାଜନୀତିର ଗୋଳିଆ ପାଣି ଭିତରେ ଘାଣ୍ଟି ହୋଇ ରହିବାକୁ ଯେଉଁ ଦଳର ହେଉ ପଛେ ଟିକେଟ ଖଣ୍ଡେ ଲୋଡ଼ା। ଟିକେଟ ମିଳିଲେ ଦଳ ଦାୟିତ୍ୱ ମୁଣ୍ଡେଇବ। ତଳିଆ କର୍ମୀ ହମହମ ହେବେ। ନ ହେଲେ ସେମାନଙ୍କ କାଟ୍‌ତି ବି ଦି’ପାଞ୍ଜିରୁ ଯିବ। କୁଜି ନେତା ବାହାରିଲେ ପଛକୁ ସବୁ ଅନୁଗତ ଆସିବେ। ସବୁ ମିଶିଲେ ରାଜନୀତିରେ ଫୁଲ୍‌ ପଲିଟିକ୍ସ ପଶିବ। ତେଣିକି ପାର୍ଟି ଚାନ୍ଦା ଆସିବ। ସେଥିରୁ କିଛି ହାତ ଚିକ୍କଣ କରିଦେଲେ କାମ ତୁଟିଲା। ନ ଜିତିଲେ ବି ପାଞ୍ଚ ବର୍ଷର ଧଁ ସଁ ହୋଇ ବଞ୍ଚି ହୋଇଯିବ। ଏମିତି କାରବାର ଭିତରେ ଆମେ ହେଲୁ ସାଧାରଣ ଭୋଟର। କିଏ ଲଲିପପ୍‌ ଯାଚିବ, ଆଉ କିଏ ମିଠେଇ , ପୁଣି ଆଉ କିଏ ରସମଲେଇ। ସେଇ ଲୋଭରେ ଥୋକାଏ ହାମୁଡ଼ିବେ। ପ୍ରାପ୍ତିର ବିଭୋରପଣରେ ଭୋଟ ସବୁ ନାଦି ଦେଇଯିବେ।“ ‘ସେ କଥା ନୁହଁରେ ଭାଇ!’ ସେପଟୁ ପୁଣି ସେ କହିଲା। ଚନ୍ଦ୍ର ସହ ଚାଲୁଥିବା ବନ୍ଧୁ ଜଣକ ମୋବାଇଲରୁ ନିର୍ଗତ ଧ୍ୱନିରୁ ଶୁଣିପାରୁଥିଲେ କଥା ସବୁ। କ’ଣ ବୁଝିଲେ କେଜାଣି ଆଖି ଠାରି ଆହୁରି ଶୁଣେଇବାକୁ ଇସାରା ଦେଲେ। ଆଉ କ’ଣ ଅଟକି ହେବ। ପୁଣି ଚାଲିଲା ଚନ୍ଦ୍ରର ପ୍ରବଚନ।
”ଆରେ ଭାଇ! ଆମ ଭଳି ସବ୍‌ ଜାନ୍‌ତା ଭୋଟରର ଗତି କୁଆଡ଼େ। ଆମେ ପାଠ ପଢ଼ିଲୁ। ସବୁ ପଢ଼ିଶୁଣି ଦେଖି ହରେକ କଥାକୁ ବୁଝିଲୁ। ଭଲ କୋଉଟା ମନ୍ଦ କୋଉଟା ମଧ୍ୟ ଜାଣିଲୁ। ହେଲେ କ’ଣ ହେବ କହିଲୁ। କର୍ମଚାରୀ ଭୋଟର ତ ନିର୍ବାଚନ କାମର ସୈନିକ ହେବେ। ନିଜ ଭୋଟ ଦେବା ସୁଯୋଗକୁ ହାତଛଡ଼ା କରିବେ। ପୋଷ୍ଟାଲ ବାଲଟର ଝିନ୍‌ଝଟକୁ ଯିବେନି। ବାକି ଯେଉଁ ଶିକ୍ଷିତ ବର୍ଗ ରହିଲେ ପ୍ରତିପତ୍ତି ଓ ଇଜ୍ଜତ ନାମରେ ଭୋଟଦାନ କେନ୍ଦ୍ରକୁ ଯାଇ ଲାଇନରେ ଠିଆ ହୋଇ ଭୋଟ ଦେବାକୁ କୁନ୍ଥୁ କୁନ୍ଥୁ ହେବେ। ଯେତକ ଦେବେ ପୂରା ସଲିଡ ଦେବେ। ସବୁ ଯଦି ଦିଅନ୍ତେ ତାହା ହେଲେ ଗଣତନ୍ତ୍ର ପ୍ରକ୍ରିୟା ଭିତରକୁ ଅଗା ବଗା ଖଗା ସବୁ ପଶି ନ ଥାନ୍ତେ। ଯାହା କହ ପଛେ ନେତାଙ୍କ ଅହୋଃ ଭାଗ୍ୟ। ଭୋଟ ଦେବେ ଜନତା। କ୍ଷମତାରେ ପାଞ୍ଚ ବର୍ଷ ରହି ରାଜୁତି କରିବେ ନେତା। ପାଞ୍ଚ ବର୍ଷଯାକ ଜନତା ଏକଦମ ଭକୁଆ। ଆଉ କିଛି କରିପାରିବେନି ଜନତା। ତେଣୁ ବୁଝିଲୁ ଭାଇ!
ତୁମ ଆଡେ ଯେମିତି, ଆମ ଆଡେ ସେମିତି। ଯେତକ ହନୁମନ୍ତ ସମସ୍ତେ ବାସ୍ତରି ହାତ। କିଛି ନୂଆ ନାହିଁ। କିନ୍ତୁ ବାପଧନ! ଭୋଟ ଦେବାକୁ ଜରୁର୍‌ ଯିବୁ। ଇଭିଏମ୍‌ର ସୁଇଚ୍‌ ଟିପି ମନର ରାଗଟିକୁ ତ ଶୁଝେଇ ପାରିବୁ।“ ସେପଟେ ସେ ବିରକ୍ତ ହୋଇ କହିଲା – ”ବୁଝିଲୁ ତୋର ସେଇ ପୁରୁଣା ପ୍ରକୃତି ଗଲାନି। ଆସି ବୁଢ଼ା ହେବାକୁ ବସିଲୁ ସେମିତି ହିଁ ରହିଲୁ। ମୁଁ ପଚାରୁଛି କ’ଣ। ତୁ କହୁଛୁ କ’ଣ। ପୂରା ନ ଶୁଣି ଗପି ଚାଲିଛୁ।“‘ଆଚ୍ଛା ଏମିତି କଥା! ଏ ସମୟରେ ତୁମ ଆଡେ କେମିତି ବୋଲି ପଚାରିଲେ କ’ଣ ଉତ୍ତର ଦେବି। ଏବେ ତ ସବୁଠି ରାଜନୀତି।’ ଚନ୍ଦ୍ର ପୁଣି କହିଲା ‘ବାବୁ! ତୁମ ପାହାଡ଼ିଆ ଇଲାକାରେ ଖରାର ତାତି କେମିତି ପଚାରୁଥିଲି?’
ଠୋ ଠୋ ହସିଲା ଚନ୍ଦ୍ର। ଲମ୍ବା ନିଶ ହଳକ ଆଉ ଟିକେ ଲମ୍ବିଗଲା। ଏଥର ପୁଣି କହିଲା ସେ – ‘ଆରେ ଭାଇ! କହନା। କି ତାତି। ପାରଦ ୪୩ ଡିଗ୍ରୀକୁ ଛୁଇଁଲା। ନଁାକୁ ମାଳଭୂମି। କିନ୍ତୁ ସବୁଆଡ଼େ ଟାଙ୍ଗରା। ପୋଡୁଚାଷକୁ କାଠମାଫିଆ ମିଶି ବଣକୁ ସାରିଦେଲେ। ଚୈତ୍ର ମାସ ନ ଆସୁଣୁ ଖରାର ତାଣ୍ଡବ। ତା’ପରେ ବୈଶାଖ ଓ ଜ୍ୟେଷ୍ଠ ମାସରେ ତ ଡହ ଡହ ଖରା। ଆମ ଇଲାକାର ପୋଖରୀ, ଗାଡ଼ିଆ, ଝୋଲା ଝରଣା ଏବେ ଠିଆ ଠିଆ ଶୁଖିଲା। ପାଣି ମୁନ୍ଦିଏ ପାଇଁ ଡହଳବିକଳ ଗାଁ ଲୋକ। ନିଜର ଦୋଷକୁ ନ ବୁଝି ସରକାର ଓ ପ୍ରଶାସନ ଉପରେ ଲୋକଙ୍କ ରାଗ। ମାଟି ତଳେ ପାଣିର ସ୍ତର, ପାଖରେ ଥିଲେ ତ ନଳକୂପ ଖୋଳିି ପାଣି ଯୋଗାଇବ ପ୍ରଶାସନ। ଲୋକେ ଗଛ ହାଣିବେ। ଚାରିଆଡେ କଂକ୍ରିଟ ରାସ୍ତା କରିବେ। ପାଣି ଭିତରକୁ ଯିବ କେମିତି! ଏ ବର୍ଷ ନଳକୂଅ ଖୋଳାହେଲେ ଆର ବର୍ଷକୁ ସେଥିରୁ ପାଣି ବାହାରୁନି। କୋଉଠି କେମିତି ଆକାଶକୁ ହାତ ଯୋଡ଼ି ଠିଆ ହୋଇଥିବା ଗଛ ସବୁ ତ୍ରାହି ତ୍ରାହି ଡାକୁଛନ୍ତି। ପାହାଡ଼ ସୁଦୁ ଲଙ୍ଗଳା। ନଣ୍ଡା ପଥର ଦାନ୍ତ ନେଫେଡି ହସୁଛି ଯେମିତି। ଚାରିପଟ ପାହାଡ଼ର ପଥର ତାତିଲେ ମଝିରେ ଥିବା ଗାଁଗଣ୍ଡାର ଅବସ୍ଥା କ’ଣ ହେଉଥିବ ବୁଝୁଥିବୁ। ଖରାବେଳ ସାରା ଉଷୁନା ଧାନ ସିଝିଲା ଭଳି ସ୍ଥିତି। ଆଗକୁ ଲୋକେ ଠାଇ ଠାଇ ହୋଇ ମରିବେ। ଗଛ ନ ଲଗାଇଲେ ଆଗକୁ ପରିସ୍ଥିତି ଭୟଙ୍କର।’
‘ଆମର ଏଠି ତ ଖଣି ଓ କାରଖାନା। ବର୍ଷସାରା ତାତି। ଖରାଦିନେ ଭୟଙ୍କର ସ୍ଥିତି। ମାଟି ଗଲା, ପାଣି ଶୁଖିଲା, ପବନରେ କଳା ମିଶିଲା ଆଉ ଜଳବାୟୁ ଶୁଷ୍କ। ଆମ ରାଜଧାନୀ ତ ଦେଶର ଦ୍ୱିତୀୟ ଗରମ ସହରର ରେକର୍ଡ କଲା। ଓଡ଼ିଶା ପୂରା ତତଲା। ତାହାହେଲେ ତୁମ ଆଡେ ବି ଏବେ ଘାଏଲା।’
ଏତିକିରେ ଫୋନ୍‌ କଟିଗଲା। ଚନ୍ଦ୍ର ଓ ସବୁ କଥା ଶୁଣୁଥିବା ତା’ର ବନ୍ଧୁ ଏଥର ପାର୍କର ଏକ ଗଛ ତଳେ ଥିବା ଚେୟାରରେ ବସିଲେ। ବସୁ ବସୁ ମୁଣ୍ଡ ଉପରେ ଥିବା ଗଛକୁ ଚାହିଁଲେ। ତଳ ଓଠକୁ ବାହାରକୁ କାଢ଼ି ଦୁଇ ହାତକୁ ବିପରୀତ ଦିଗକୁ ମୋଡ଼ିଲେ। ଇସାରାରେ ପରସ୍ପରକୁ ଯେମିତି ଜଣାଇବାକୁ ଚାହଁୁଥିଲେ ଗଛ ହିଁ ମଣିଷର ଗତି ଓ ମୁକ୍ତି।
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri