Posted inଫୁରସତ

ଚିନ୍ମୟ ଚିନ୍ତନ: ହର୍‌ ଗୁଣ୍‌ ଫେଡ୍‌ ମିଶା..

ମନୁଷ୍ୟ ଜୀବନରେ ଲାଭ ମିଳିବ ସେତିକିବେଳେ ଯେତେବେଳେ ସେ ଗୋବିନ୍ଦଙ୍କ ଶରଣାପନ୍ନ ହେବ। ଜୀବ ମିଶିବ ପରମାତ୍ମାଙ୍କ ସହ। ତେଣୁ ଶେଷରେ ରହିଲା ‘ମିଶା’ ବା ମିଶାଣ। ତେବେ ଆମେ ‘ହରିବା’ କ’ଣ?

ଶ୍ରୀ ସନ୍ନ୍ୟାସୀ

ହର୍‌ ଗୁଣ୍‌ ଫେଡ୍‌ ମିଶା, ଆଉ ସବୁ ପାଠ ଫସରଫସା-ପାଠକେ! ଏ ରସାଳିଆ ପଦଟିକୁ ଆପଣ ଜୀବନକାଳ ମଧ୍ୟରେ କେଉଁଠି ନା କେଉଁଠି ନିଶ୍ଚେ ଶୁଣିଥିବେ। ବିଶେଷକରି ପାଲା ବା ସଂକୀର୍ତ୍ତନ ଗାୟକମାନେ ନିଜ କାର୍ଯ୍ୟକ୍ରମ ପରିବେଷଣ କଲାବେଳେ ଉପସ୍ଥିତ ଶ୍ରୋତାମାନଙ୍କୁ ଏ କଥା କହିଥାନ୍ତି। ମୁଁ ଏ କଥାଟି ଖୁବ୍‌ ପିଲାବେଳେ ମୋ ଜେଜଙ୍କଠାରୁ ପ୍ରଥମେ ଶୁଣିଥିଲି। ପ୍ରଥମ କି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବାର କଥା ଇଏ। ଅବଶ୍ୟ ଭଲ ପଢ଼ୁଥିଲି। କ୍ଲାସ୍‌ରେ ସବୁଥିରେ ଫାଷ୍ଟ। ଘରେ ସବୁବେଳେ ପଢ଼େ। ମୋ ଜେଜ ଜଣେ ବେଶ୍‌ ଧାର୍ମିକ ଥିଲେ। ମୋତେ ଥରେ କହିଲେ-ଆରେ ନାତିଆ, କି ପାଠ ପଢ଼ୁଛୁ କିରେ? କହିଲି- ଜେଜେ ମୁଁ ମିଶାଣ ଫେଡାଣ ହରଣ ଗୁଣନ ଓ ପଣିକିଆ ସବୁ ଶିଖିଗଲିଣି। ଜେଜ କହିଲେ ଧନରେ! ସେ ପାଠଗୁଡାକ କୋଉ କାମରେ ଆସିବ ନାହିଁରେ। କେବଳ ପେଟ ଚାଖଣ୍ଡକ ପୋଷିବା ପାଇଁ ସେ ପାଠ। ପା….ଠ…..। ଅର୍ଥାତ ଶୂନ୍‌ (0)କୁ ପାଅ। ଏ ପାଠ ହେଉଛି ଅବିଦ୍ୟା। ଅସଲ ପାଠ ହେଉଛି ବିଦ୍ୟା। ଏହା ଆମକୁ ମୁକ୍ତି ଦିଏ।

ମୁଁ ଆଖି ତରାଟି ଜେଜଙ୍କ ମୁହଁକୁ ଚାହିଁଲି। ଆଉ ଗୋଟେ କ’ଣ ‘ବିଦ୍ୟା’ ବୋଲି ଜିନିଷ ଅଛି! ଶ୍ରେଣୀରେ ସାର୍‌ ତ କହୁଥିଲେ-ପିଲାଏ! ତୁମେ ଯାହା ପଢ଼ୁଛ ତାହା ହେଉଛି ‘ବିଦ୍ୟା’। ତାହାକୁ ମନ ଲଗାଇ ପଢ଼ିବ। ତେବେ ଅସଲ ‘ବିଦ୍ୟା’ କ’ଣ?- ଜେଜେଙ୍କୁ ପଚାରିଲି। ସେଦିନ ମୋ ସରଳିଆ ମୁଣ୍ଡକୁ ବୁଝାଇବାକୁ ଯାଇ ଜେଜ କହିଥିଲେ-ହର ଗୁଣ ଫେଡ୍‌ ମିଶା, ଆଉ ସବୁ ପାଠ ଫସରଫସା।

‘ମୋର ତ ଏଗୁଡାକ ସବୁ ହୋଇଯାଇଛି’। ଜେଜ କହିଲେ, ନାଇଁରେ ନାତି, ହର ଗୁଣ ଫେଡ୍‌ ମିଶା କହିଲେ ତୁ ଯୋଉ ହରଣ, ଗୁଣନ, ଫେଡାଣ, ମିଶାଣ କରୁଛୁ, ୟେ ତା ନୁହେଁ। ଏହା ହେଉଛି ମାନବ ଜୀବନର ସବୁଠାରୁ ବଡ଼ କଥା। ଏ ପାଠ ପଢ଼ିଲେ ଈଶ୍ୱର ମିଳନ୍ତି। ଆଉ ଟିକେ ବଡ଼ ହ, ସବୁ ବୁଝିପାରିବୁ।

ଏଇ କିଛିଦିନ ତଳେ ପାଲାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଅତିଥି ହୋଇ ଏକ ମଞ୍ଚକୁ ଯାଇଥିଲି। ସଭା ପରେ ବାଦୀ ପାଲା ଆରମ୍ଭ ହେଲା। ପ୍ରଥମ ଥାକ ଗାୟକ ତାଙ୍କ ପରିବେଷଣରେ ପ୍ରଥମେ ଏଇ ପଦରୁ ହିଁ ଆରମ୍ଭ କଲେ। ସେତେବେଳେ ମୋ ଜେଜଙ୍କ କଥା ମନେପଡ଼ିଗଲା।

ପାଠକେ! ଅସଲ କଥାଟି କହିବାକୁ ଯାଇ ମୁଁ କୁଆଡେ ପଶିଗଲିଣି। ବାସ୍ତବରେ କ’ଣ ସେ ପଦର ବ୍ୟାଖ୍ୟାନ? ତା ଭିତରେ କେଉଁ ଆଧ୍ୟାତ୍ମିକ ଚିନ୍ତାଧାରା ଅଛି? କ’ଣ ହରଣ କରିବା, କାହାକୁ ଗୁଣିବା, କେମିତି ଫେଡିବା, କାହା ସହିତ ମିଶିବା? କ’ଣ… କ’ଣ ଏ ସବୁର ଅନ୍ତରାର୍ଥ।

ଆମ ରାଇଜର ପରମ ଭାଗବତ ମହାପୁରୁଷମାନେ ବହୁ ପ୍ରକାରେ ଏହାର ଭିନ୍ନ ଭିନ୍ନ ଅର୍ଥ ବାହାର କରିଛନ୍ତି।
ମନୁଷ୍ୟ ଜୀବନରେ ଲାଭ ମିଳିବ ସେତିକିବେଳେ ଯେତେବେଳେ ସେ ଗୋବିନ୍ଦଙ୍କ ଶରଣାପନ୍ନ ହେବ। ଜୀବ ମିଶିବ ପରମାତ୍ମାଙ୍କ ସହ। ତେଣୁ ଶେଷରେ ରହିଲା ‘ମିଶା’ ବା ମିଶାଣ। ତେବେ ଆମେ ‘ହରିବା’ କ’ଣ? ପାଠକେ ଆମ ଭିତରେ ଥୋକାଏ ଅଛନ୍ତି, ଯେଉଁମାନେ ସର୍ବଦା ଅନ୍ୟର ନିନ୍ଦା କରିବାରେ ମାହିର୍‌। ତାଙ୍କ ଆଖିକୁ ଅନ୍ୟମାନଙ୍କ ଭଲ ଗୁଣ ଆଦୌ ଦେଖାଯାଏ ନା। ଏ ଧରଣର ଲୋକ ଆଧ୍ୟାତ୍ମିକ ସଡ଼କରେ ଜମା ଚାଲିପାରିବେ ନାହିଁ। ଆଧ୍ୟାତ୍ମିକ ରାଇଜରେ ପ୍ରବେଶ କରିବାର ପ୍ରଥମ ଯୋଗ୍ୟତା ହେଉଛି-ଭଲ ଦେଖ। କାହାର କୁତ୍ସାରଟନା କରନା। ଅନ୍ୟର ଭଲ ଗୁଣକୁ ଆହରଣ କର। ହରଣ କର। ଏହା ହେଉଛି ‘ହର୍‌’ର କଥା।

‘ଗୁଣ’ ମାନେ ? ସର୍ବଦା ଈଶ୍ୱରଙ୍କ ଗୁଣ କୀର୍ତ୍ତନ କର। ଗୀତାରେ କୁହାଗଲା-ତସ୍ମାତ୍‌ ସର୍ବେଷୁ କାଳେଷୁ ମାମନୁସ୍ମର ଯୁଦ୍ଧ୍ୟ ଚ। ମୋତେ ସର୍ବଦା ସ୍ମରଣ କର। ସ୍ମରଣ ମାନେ ହେଉଛି ‘ଗୁଣିବା’।

ବାକି ରହିଲା ‘ଫେଡ୍‌’। ଫେଡ୍‌ ମାନେ ଫେଡାଣ। ବିଯୁକ୍ତ କରିବା। ମାଇନସ୍‌ କରିବା। ନିଜ ଭିତରେ ଯେଉଁ ମୋହ ବା ଆସକ୍ତି ଅଛି ତାକୁ ଫେଡ। ମୋର୍ହବିମୁକ୍ତ ହୁଅ।

ହର- ଅନ୍ୟର ଭଲ ଗୁଣକୁ ହରଣ କର।
ଗୁଣ- ଈଶ୍ୱରଙ୍କ ଗୁଣଗାନ କର।
ଫେଡ୍‌- ମୋହ ମାୟା ବା ଆସକ୍ତି ପରିତ୍ୟାଗ କର।
ମିଶା- ଉପରୋକ୍ତ ତିନୋଟି କାମ କଲେ ଶେଷରେ ପରମାତ୍ମାଙ୍କ ସହ ଜୀବର ମିଶାଣ ବା ଯୁକ୍ତ ହେବ।
ପାଠକେ କଥାଟି ମନକୁ ପାଇଲା ତ?

-ଦିବ୍ୟାଲୋକ ସନ୍ଧାନେ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri