ଚାଇନା ସାମଗ୍ରୀ ବର୍ଜନ ବୁମେରାଂ ସାଜିବ

ନୂଆଦିଲ୍ଲୀ,୧୧ା୬ : ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ସମ୍ବୋଧିତ କରି ‘ଆମତ୍ନିର୍ଭର ଭାରତ’ ଗଠନର ଆହ୍ବାନ ଦେଇଥିଲେ। ସେବେଠୁ ଭାରତୀୟଙ୍କ ମନରେ ଆମେ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ବିରୋଧରେ ଏକ ଅନ୍ତଃକ୍ରୋଧ ଜାତ ହୋଇଛି। ଏହି ଉତ୍ତେଜକ ବିରକ୍ତିଭାବ ନିର୍ଦ୍ଦିଷ୍ଟ ଭାବେ କରୋନା ଭାଇରସ୍‌ ପ୍ରସ୍ତୁତି ଓ ପ୍ରସାର ପାଇଁ ଦାୟୀ କରାଯାଉଥିବା ଆମ ପଡ଼ୋଶୀ ଚାଇନା ବିରୋଧରେ ପ୍ରକାଶ ପାଇଛି।
ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରୁ ଅନତି ଦୂର ଲଦାଖରେ ରହୁଥିବା ଇଞ୍ଜିନିୟର, ଅନ୍ବେଷକ ତଥା ଶିକ୍ଷା ସଂସ୍କାରକ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ‘ମେଡ୍‌ ଇନ୍‌ ଚାଇନା’ର ସମସ୍ତ ଉତ୍ପାଦକୁ ବର୍ଜନ କରିବା ପାଇଁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଲୋକପ୍ରିୟ ହିନ୍ଦୀ ଫିଲ୍ମ ୩ ଇଡିୟଟ୍‌ସ ପଛର ପ୍ରେରଣା ଭାବେ ପରିଚିତ ସୋନମଙ୍କ ଏହି ଭିଡିଓକୁ ୨ ଦିନ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ। କିନ୍ତୁ ସେ କହିଚାଲିଥିଲେ ଯେ, ଏହି ଚାଇନା ବିରୋଧୀ ଆକ୍ରୋଶକୁ ଏପରି କିଛି ଠୋସ୍‌ କାର୍ଯ୍ୟରେ ପରିଣତ କରାଯିବା ଉଚିତ, ଯାହାକି ବେଜିଂର ମୁଣ୍ଡବ୍ୟଥା ବଢ଼ାଇଦେବ। ଏଭଳି ସମୟରେ କୋଟିଏ ଟଙ୍କାର ଏକ ପ୍ରଶ୍ନ ଉଠିଛି, ଯାହାର ତ୍ୱରିତ ଉତ୍ତର ଆବଶ୍ୟକ। ତାହା ହେଲା ଏହି ଗ୍ଲୋବାଲ ଟ୍ରେଡିଂ ଜାଏଣ୍ଟ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକଠାରୁ ଆମେ ନିଜକୁ ପୃଥକ୍‌ କରିବା କେତେ ଯୁକ୍ତିଯୁକ୍ତ।
ବାସ୍ତବ ସ୍ଥିତି
ବାଣିଜ୍ୟ କାରବାର ସମ୍ପର୍କିତ ତଥ୍ୟରୁ ଜଣାପଡ଼େ ଯେ, ଭାରତ ହେଉଛି ଚାଇନା ଉପଭୋକ୍ତା ସାମଗ୍ରୀର ସବୁଠୁ ବଡ଼ ଆମଦାନିକାରୀ ଦେଶ। ଭାରତ ଚାଇନାକୁ ରପ୍ତାନି କରୁଥିବା ସାମଗ୍ରୀ ତୁଳନାରେ ସେଠାରୁ ୭ ଗୁଣା ଅଧିକ ଆମଦାନୀ କରିଥାଏ। ଚାଇନା ସହିତ ଆମର ବିପୁଳ ବାଣିଜ୍ୟ ନିଅଣ୍ଟ ରହିଛି, ଯାହାକି ଦେଶଗୁଡ଼ିକ ତୁଳନାରେ ସର୍ବାଧିକ।

୨୦୧୮-୧୯ରେ ଚାଇନାକୁ ଭାରତ ମାତ୍ର ୧୬.୭ ବିଲିୟନ ଡଲାରର ରପ୍ତାନି କରିଥିଲା। କିନ୍ତୁ ଆମଦାନୀ ୭୦.୩ ବିଲିୟନ ଡଲାର ହୋଇଥିବାରୁ ବାଣିଜ୍ୟ ନିଅଣ୍ଟର ପରିମାଣ ୫୩.୬ ବିଲିୟନ୍‌ ଡଲାରରେ ପହଞ୍ଚତ୍ଥିଲା। ଏଠାରେ ସ୍ବୀକାର କରିବାକୁ ପଡ଼ିବ ଯେ, ଚାଇନା ତା’ର ମୋଟ ରପ୍ତାନିର ମାତ୍ର ୨% ଭାରତକୁ କରିଥାଏ। ତେଣୁ ଭାରତୀୟମାନେ ଚାଇନାରୁ ଆସୁଥିବା ସମସ୍ତ ସାମଗ୍ରୀକୁ ବର୍ଜନ କରିଦେଲେ ବେଜିଂକୁ ବେଶି କିଛି ଫରକ ପଡ଼ିବ ନାହିଁ। ତଥ୍ୟରୁ ଆହୁରି ଜଣାପଡ଼ିଛି ଯେ, ଚାଇନା ହେଉଛି ଭାରତର ସର୍ବବୃହତ୍‌ ବାଣିଜ୍ୟ ସହଯୋଗୀ। କିନ୍ତୁ ଏହି ବାଣିଜ୍ୟ କାରବାରରେ ଚାଇନାର ପାଲା ଭାରି ରହିଛି। ତେଣୁ ପଡ଼ୋଶୀ ଚାଇନା ବିରୋଧରେ ବାଣିଜ୍ୟ ଯୁଦ୍ଧ ଘୋଷଣା କଲେ ତାହା ଭାରତ ସପକ୍ଷରେ ଯିବନାହିଁ, ବିଶେଷକରି ଯେତେବେବେଳ ଭାରତୀୟ ମାନୁଫାକ୍ଚରିଂ ଦକ୍ଷତା ସୀମିତ ରହିଛି। ଆମେ ଚାଇନାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଆମଦାନୀ କରିଥାଉ। ସେଥିମଧ୍ୟରେ ରହିଛି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ସ୍ମାର୍ଟଫୋନ୍‌, ଶିଳ୍ପ ଉପକରଣ, ଯାନବାହନ, ସୌର ସେଲ୍‌ ଭଳି କଞ୍ଜୁମର ଡ୍ୟୁରେବଲ୍ସ ଏବଂ ଜରୁରୀ ଯକ୍ଷ୍ମା ଓ ଲେପ୍ରୋସି ଔଷଧ, ଆଣ୍ଟିବାୟୋଟିକ୍ସ ସମେତ ଔଷଧ ପ୍ରସ୍ତୁତି ପାଇଁ ଜରୁରୀ ଅନେକ ସାମଗ୍ରୀ।
୨୦୧୭-୧୮ରେ ଭାରତର ଇଲେକ୍ଟ୍ରିକାଲ୍‌ ଓ ଇଲେକ୍ଟ୍ରୋନିକ ଉପକରଣ ଆମଦାନୀ ଆବଶ୍ୟକତାର ପ୍ରାୟ ୬୦% ଚାଇନା ପୂରଣ କରିଥିଲା। ଆମ ସ୍ମାର୍ଟଫୋନ୍‌ ଇଣ୍ଡଷ୍ଟ୍ରିରେ ୫ଟି ସର୍ବାଧିକ ବିକ୍ରି ହେଉଥିବା ଫୋନ୍‌ ବ୍ରାଣ୍ଡ ମଧ୍ୟରୁ ୪ଟି ହେଉଛି ଚାଇନାର ଜିଓମି, ଭିଭୋ, ରିୟଲମି ଏବଂ ଓପ୍ପୋ। ଏହି ୪ ବ୍ରାଣ୍ଡ ମିଳିତ ଭାବେ ଭାରତୀୟ ସ୍ମାର୍ଟଫୋନ୍‌ ମାର୍କେଟର ୬୦% ଚାହିଦା ପୂରଣ କରୁଛି। ଅନ୍ୟପକ୍ଷରେ ଭାରତର ଅଟୋମୋବାଇଲ୍‌ ଯନ୍ତ୍ରପାତିର ୩୦% ଚାଇନାରୁ ଆସୁଛି। ଭାରତର ଖେଳଣା ବଜାରରେ ମଧ୍ୟ ୯୦% ଚାଇନା ମାଲ୍‌ ଦେଖିବାକୁ ମିଳିଥାଏ। ଅନୁରୂପ ଭାବେ ଆମ ଦେଶର ସାଇକେଲ ମାର୍କେଟର ୫୦% ଚାହିଦା ବାହ୍ୟ ଆମଦାନୀରୁ ପୂରଣ ହୋଇଥାଏ, ଯେଉଁଥିରେ ଚାଇନାର ଏକ ବଡ଼ ଅଂଶ ରହିଛି। ଏହିପରି ଭାବେ ଭାରତୀୟ ଅର୍ଥନୀତି ଅନେକ ମାତ୍ରାରେ ଚାଇନା ଉପରେ ନିର୍ଭରଶୀଳ।
କିଛି ବର୍ଷ ହେଲା ଆମ କାରିଗରି କ୍ଷେତ୍ରରେ ମଧ୍ୟ ଚାଇନାର ପୁଞ୍ଜିନିବେଶ ବୃଦ୍ଧି ପାଇଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅନ୍‌ ଗ୍ଲୋବାଲ ରିଲେଶନ୍ସ ସହ ଜଡ଼ିତ ଥିଙ୍କଟ୍ୟାଙ୍କ ଗେଟ୍‌ଓ୍ବେ ହାଉସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକରେ ଚାଇନାର ଟେକ୍‌ ଇନ୍‌ଭେଷ୍ଟମେଣ୍ଟ ହେଉଛି ୪ ବିଲିୟନ୍‌ ଡଲାର। କେବଳ ଅଲିବାବା ଗ୍ରୁପ୍‌ ବିଗ୍‌ ବାସ୍କେଟରେ ୨୫୦ ନିୟୁତ ଡଲାର ପୁଞ୍ଜିନିବେଶ କରିଛି। ସେହିପରି ପେଟିଏମ୍‌ ଡଟ୍‌ କମ୍‌ରେ ୪୦୦ ନିୟୁତ ଡଲାର, ପେଟିଏମ୍‌ ମଲ୍‌ରେ ୧୫୦ ନିୟୁତ ଡଲାର, ଜୋମାଟୋରେ ୨୦୦ ନିୟୁତ ଡଲାର ଓ ସ୍ନାପ୍‌ଡିଲ୍‌ରେ ୭୦୦ ନିୟୁତ ଡଲାର ପୁଞ୍ଜିନିବେଶ କରିଛି ଏହି କମ୍ପାନୀ। ଅନୁରୂପ ଭାବେ ଟେନ୍‌ସେଣ୍ଟ ନାମକ ଚାଇନାର ଆଉ ଏକ କମ୍ପାନୀ ଭାରତୀୟ ଫାର୍ମଗୁଡ଼ିକରେ ବିପୁଳ ଅର୍ଥ ନିବେଶ କରିଛି। ଏହି ଗ୍ରୁପ୍‌ ପକ୍ଷରୁ ବାୟଜୁରେ ୫୦ ନିୟୁତ ଡଲାର, ଡ୍ରିମ୍‌ ୧୧ (୧୫୦ ନିୟୁତ ଡଲାର), ଫ୍ଲିପ୍‌କାର୍ଟ (୩୦୦ ନିୟୁତ ଡଲାର), ହାଇକ୍‌ ମେସେଞ୍ଜର (୧୫୦ ନିୟୁତ ଡଲାର), ଓଲା (୫୦୦ ନିୟୁତ ଡଲାର) ଓ ସ୍ବିଗିରେ ୫୦୦ ନିୟୁତ ଡଲାର ନିବେଶ କରାଯାଇଛି। ତେବେ ଏହି ଚାଇନା କମ୍ପାନୀଗୁଡ଼ିକ ଉକ୍ତ ପ୍ଲାଟ୍‌ଫର୍ମଗୁଡ଼ିକର ଏକମାତ୍ର ମାଲିକ ନୁହନ୍ତି। ଅନେକ ଭାରତୀୟ ଓ ଅଣଚାଇନା ନିବେଶକଙ୍କ ପାଖରେ ଏହି କମ୍ପାନୀର ଅଧିକାଂଶ ନିୟନ୍ତ୍ରଣ ରହିଛି। ତେଣୁ ସେଗୁଡ଼ିକୁ ଚାଇନା ବା ଅଣଚାଇନା କମ୍ପାନୀ ଭାବେ ବର୍ଗୀକୃତ କରିବା କଷ୍ଟସାଧ୍ୟ। ଚାଇନା ସହ ଦ୍ୱିପାକ୍ଷିକ ସମ୍ପର୍କରୁ ଭାରତକୁ ମିଳୁଥିବା ଲାଭକୁ ସ୍ବୀକାର ନ କରି ତା’ ସାମଗ୍ରୀଗୁଡ଼ିକୁ ବର୍ଜନ କରିବା ବିଚାରକୁ ଖଣ୍ଡନ କରୁଛି ଏହି ଗୂଢ଼ତତ୍ତ୍ୱ। ବାଣିଜି୍ୟକ ତଥ୍ୟରୁ ଆହୁରି ଜଣାପଡ଼ିଛି ଯେ, ଭାରତ ଚାଇନାକୁ କମ୍‌ (ବିଶେଷକରି କଞ୍ଚାମାଲ) ରପ୍ତାନି କରିଥାଏ। ଆମଦାନୀ କଥା ଦେଖିଲେ ବେଶି ଚାହିଦା ଥିବା ଇଲେକ୍ଟ୍ରୋନିକ୍ସ ଓ ଅନ୍ୟ ମାନୁଫେକ୍ଚର୍ଡ ଗୁଡ୍ସ ଚାଇନାରୁ ଆସିଥାଏ। ଭାରତର ଫାର୍ମା ସେକ୍ଟର ମଧ୍ୟ ଚାଇନା ଉପରେ ବହୁମାତ୍ରାରେ ନିର୍ଭରଶୀଳ ବୋଲି ପରିସଂଖ୍ୟାନ ତଥ୍ୟରୁ ସାମ୍ନାକୁ ଆସିଛି। କୋଭିଡ୍‌-୧୯ ସଂକ୍ରମିତଙ୍କୁ ଆରୋଗ୍ୟ କରିବା ପାଇଁ ଭାରତରେ ଉତ୍ପାଦିତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ)ର ସାମର୍ଥ ଥିବା ଦୃଷ୍ଟିରୁ ନିକଟରେ ଏହାର ଚାହିଦା ବଢ଼ିଯାଇଥିଲା। କିନ୍ତୁ ଏଥିରେ ବ୍ୟବହାର ହେଉଥିବା ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ୍‌ ଇନ୍‌ଗ୍ରେଡିଏଣ୍ଟସ୍‌ (ଏପିଆଇ) ବା କଞ୍ଚାମାଲ ଉପରେ ଏହାର ଉତ୍ପାଦନ ନିର୍ଭର କରେ। ଚାଇନା ଏପିଆଇର ଏକ ଅଗ୍ରଣୀ ପ୍ରସ୍ତୁତକାରୀ ଓ ବିକ୍ରେତା ହୋଇଥିବାରୁ ଏହାର ସାମଗ୍ରୀ ବର୍ଜନ କରିବା ପୂର୍ବରୁ ଚିନ୍ତା ବଢ଼ିଯାଇଛି।
ଚାଇନା ନିଜ ଉତ୍ପାଦିତ ସାମଗ୍ରୀଗୁଡ଼ିକ ପାଇଁ ନିଶ୍ଚିତ ଭାବେ ନୂଆ ବଜାର ଉପରେ ନଜର ରଖିଛି । ଭାରତ ହେଉଛି ସେହି ନୂଆ ବଜାରଗୁଡ଼ିକ ମଧ୍ୟରୁ ଅନ୍ୟତମ, ଯେଉଁଠି ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିଶେଷକରି ସ୍ମାର୍ଟଫୋନ୍‌କୁ ଏକ ବୃହତ୍‌ ବଜାର ମିଳିଯାଇଛି। ତେବେ ଚାଇନା ମଧ୍ୟ ଏସିଆ ଓ ଆଫ୍ରିକାର ଅନ୍ୟ ବିକାଶୋନ୍ମୁଖୀ ବଜାରଗୁଡ଼ିକ ଉପରେ ଧ୍ୟାନ ଦେଇପାରେ। ସେହିପରି ୟୁରୋପରେ ମଧ୍ୟ ନିଜ ସାମଗ୍ରୀ ପାଇଁ ଏକ ବଜାର ପ୍ରତିଷ୍ଠା ଲାଗି ଚାଇନା ଉଦ୍ୟମ କରୁଛି। ତେଣୁ ଚାଇନା ତା’ର ବଜାର ଭାବେ କେବଳ ଭାରତ ଉପରେ ନିର୍ଭରଶୀଳ ବୋଲି ଭାବିବା ଭୁଲ୍‌ ହେବ। ବୈଶ୍ୱିକୀକରଣ ସମୟରେ ଏବଂ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ର ନିୟମଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବାବେଳେ ଦେଶ ଦେଶ ମଧ୍ୟରେ ବାଣିଜ୍ୟର ସୁଗମ ସ୍ରୋତ ଆଗରେ ପ୍ରତିବନ୍ଧକ ସୃଷ୍ଟି କରିବା କୌଣସି ରାଷ୍ଟ୍ର ପାଇଁ ବୁମେରାଂ ସାଜିପାରେ।
ପୂର୍ବରୁ ବିଫଳ ହୋଇଛି ଏପରି ଉଦ୍ୟମ
କୌଣସି ଦେଶକୁ ରପ୍ତାନି ହୋଇ ଆସୁଥିବା ସାମଗ୍ରୀଗୁଡ଼ିକୁ ବର୍ଜନ କରିବା ନୂଆ କଥା ନୁହେଁ। ଅତୀତରେ ମଧ୍ୟ ଅନେକ ଥର ଏପରି ଉଦ୍ୟମ ହୋଇଛି। ୧୯୩୦ ଦଶକର ପ୍ରାରମ୍ଭରେ ଜାପାନର ସମସ୍ତ ସାମଗ୍ରୀକୁ ଚାଇନା ନିଜେ ବର୍ଜନ କରିଥିଲା। ଜାପାନର ଉପନିବେଶବାଦ ପ୍ରତିବାଦରେ ନିଆଯାଇଥିବା ବେଜିଂର ଏହି ପଦକ୍ଷେପ ସଫଳ ହୋଇ ନ ଥିଲା। ସେହିପରି ୯/୧୧ ଆକ୍ରମଣ ପରେ ଇରାକ୍‌କୁ ସୈନ୍ୟ ପଠାଇବା ପାଇଁ ୨୦୦୩ରେ ଇରାକ୍‌ ମନାକରିଦେବା ପରେ ଆମେରିକା ଏହାର ପ୍ରତିବାଦ କରିଥିଲା। ସେତେବେଳେ ଆମେରିକାର କଞ୍ଜୁମର ଫୋରମ୍‌ଗୁଡ଼ିକ ଫ୍ରାନ୍ସରେ ଉତ୍ପାଦିତ ସାମଗ୍ରୀକୁ ବର୍ଜନ କରିଥିଲେ। ପାଲେଷ୍ଟାଇନ୍‌ ପ୍ରସଙ୍ଗରେ ଇସ୍ରାଏଲ୍‌ ଓ ଆମେରିକାର ଆଭିମୁଖ୍ୟକୁ ନେଇ ଆରବ ରାଷ୍ଟ୍ରଗୁଡ଼ିକ ଏହି ଦୁଇଦେଶର ସାମଗ୍ରୀକୁ ଅନେକ ଥର ବର୍ଜନ କରିଛନ୍ତି। ଉପରୋକ୍ତ ସମସ୍ତ ପଦକ୍ଷେପରେ ଯେଉଁ ଗୋଟିଏ ସମାନତା ରହିଥିଲା ତାହା ହେଉଛି କୌଣସିଟିରେ ସଫଳତା ମିଳିନାହିଁ। ଆରମ୍ଭର କିଛି ସପ୍ତାହ ମଧ୍ୟରେ ଏସବୁ ଅଭିଯାନ ଫସରଫାଟି ଯାଇଥିଲା। ବିଫଳତାର କାରଣ ହେଲା ଭାବାବେଗ ଓ ପୃଥକବାଦ ଦ୍ୱାରା ଆବଦ୍ଧ କୌଣସି ଶିକୁଳିକୁ ମାନି ନ ଥାଏ ଅର୍ଥନୀତି।
ଜରୁରୀ ପଦକ୍ଷେପ
ସାମଗ୍ରୀ ବର୍ଜନ ପାଇଁ ଆହ୍ବାନ ଆମକୁ ଆମତ୍ନିର୍ଭରଶୀଳ କରିବ ନାହିଁ କି ଆମତ୍ନିର୍ଭର ଭାରତ ଗଠନରେ ସହାୟକ ହେବ ନାହିଁ। ଏକ ବାସ୍ତବବାଦୀ ବ୍ୟବହାରିକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଆମଦାନୀ ବିକଳ୍ପର ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଜରୁରୀ, ଯେଉଁଠି ସାମଗ୍ରୀଗୁଡ଼ିକର ଗୁଣବତ୍ତା ବି ରହିବ ଓ ଚାଇନା ସାମଗ୍ରୀ ତୁଳନାରେ ସେଗୁଡ଼ିକର ମୂଲ୍ୟ ମଧ୍ୟ କମ୍‌ ହେବ। ଦ୍ୱିତୀୟରେ ଭାରତ ସରକାରଙ୍କୁ ମଧ୍ୟ ଚାଇନା ଭଳି ନିଜ ଦେଶର କମ୍ପାନୀଗୁଡ଼ିକୁ ଦେଇଥିବା ଋଣ ଉପରେ ସୁଧହାର ହ୍ରାସ କରିବାକୁ ପଡ଼ିବ। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବିଭିନ୍ନ ସେକ୍ଟର ପାଇଁ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଥିଲେ। ବିଶେଷକରି ନିଜ ସ୍ଥିତି ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବା ସଂସ୍ଥାଗୁଡ଼ିକ ଏଥିରୁ ଉପକୃତ ହେବେ ବୋଲି କୁହାଯାଇଥିଲା। ଏବେ ଉକ୍ତ ଘୋଷଣା ଅନୁସାରେ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ। ଚାଇନା ସହ ପ୍ରତିଦ୍ୱନ୍ଦ୍ୱିତା ଲାଗି ପ୍ରସ୍ତୁତ ହେବା ପାଇଁ ସରକାର ଭାରତୀୟ କମ୍ପାନୀଗୁଡ଼ିକୁ ଭିତ୍ତିଭୂମି, ସେବା ଆଦି ଯୋଗାଇଦେବା ଜରୁରୀ। ତୃତୀୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ବ୍ୟବସ୍ଥାକୁ ମଧ୍ୟ ଆହୁରି ସରଳ ଓ ସହଜ କରିବାକୁ ପଡ଼ିବ। ଆମେରିକାକୁ ମିଳୁଥିବା ଏଫ୍‌ଡିଆଇର ମାତ୍ର ୧୦% ଏବଂ ଚାଇନାକୁ ମିଳୁଥିବା ଏଫ୍‌ଡିଆଇର ମାତ୍ର ୨୫% ଭାରତ ପାଇଥାଏ। ଏଫ୍‌ଡିଆଇ ସ୍ତର ବୃଦ୍ଧି ହେଲେ ଭାରତୀୟ ଶିଳ୍ପ କ୍ଷେତ୍ରରେ ଉତ୍ପାଦନଶୀଳତା ଓ ଦକ୍ଷତା ବଢ଼ିପାରେ। ସେହିପରି ଆମେ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକୁ ଭାଗବଣ୍ଟା କରି ଅନ୍ୟ କେତେକ ରାଷ୍ଟ୍ରରୁ ଆଣିଲେ ଚାଇନା ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। ଏହିସବୁ ପଦକ୍ଷେପ ଆମକୁ ଆମତ୍ନିର୍ଭରଶୀଳତା ଆଡ଼କୁ ନିକଟତର କରିବ।
ଆଗକୁ କ’ଣ
ଅନ୍ଧ ଦେଶଭକ୍ତି ଓ ଅତି ଜାତୀୟତାବାଦ କେବେହେଲେ ସମାଧାନର ବାଟ ବତାଇପାରିବ ନାହିଁ। ତେଣୁ ଆଲୋଚନା ଓ ବିଚାରବିମର୍ଶ ଜରିଆରେ କ୍ଷେତ୍ରୀୟ ବିବାଦର ସମାଧାନ ପାଇଁ ଉଦ୍ୟମ ହେବା ଆବଶ୍ୟକ। ଭାରତ ଓ ଚାଇନା ମଧ୍ୟ ମତଭେଦ ଦୂର କରିବା ପାଇଁ ଉଚ୍ଚସ୍ତରୀୟ ଭାବ ବିନିମୟ ଦରକାର। ପାରସ୍ପରିକ ନିବେଶ ବୃଦ୍ଧି ସହ ଭାରତୀୟ କମ୍ପାନୀଗୁଡ଼ିକୁ ଚାଇନାର ଇଣ୍ଟରନ୍ୟାଶନାଲ୍‌ ଇମ୍ପୋର୍ଟ ଏକ୍ସପୋରେ ଯୋଗଦାନ ପାଇଁ ଉତ୍ସାହିତ କଲେ ଦୁଇ ବୃହତ୍‌ ଅର୍ଥନୀତି ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଭାରତର ଅଭିବୃଦ୍ଧି କ୍ଷେତ୍ରରେ ଚାଇନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ, ଏକଥା ଆମକୁ ସ୍ବୀକାର କରିବାକୁ ପଡ଼ିବ। ଜଗତୀକରଣ ଯୁଗରେ ଏକ ବିଧ୍ୱସ୍ତ ଅର୍ଥନୀତି ଆମ ସମସ୍ତଙ୍କୁ ସାମଗ୍ରିକ ଭାବେ ପ୍ରଭାବିତ କରିଛି ବୋଲି କୋଭିଡ୍‌-୧୯ ଆମକୁ ଶିକ୍ଷା ଦିଏ। ତେଣୁ ଭାରତ-ଚାଇନା ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ ଦୁଇ ଦେଶର ଜନତା, ସମ୍ପୃକ୍ତ କ୍ଷେତ୍ର ଏବଂ ସର୍ବୋପରି ସାରା ବିଶ୍ୱର ହିତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri