ଚବାହାର ଚୁକ୍ତିନାମା-କୂଟନୈତିକ ବିଜୟ

ପ୍ରକାଶ ତ୍ରିପାଠୀ

ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଇରାନର ପାରସ୍ପରିକ ସମ୍ପର୍କ ନିରନ୍ତର ଖରାପ ଥିବାବେଳେ ଭାରତ ସହ ସମ୍ପର୍କ ସର୍ବଦା ଭଲ ରହିଆସିଛି। ବିଭିନ୍ନ ସମୟରେ ଇରାନ ଉପରେ ପାଶ୍ଚାତ୍ୟ ରାଷ୍ଟ୍ର ବିଶେଷକରି ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇ ଅସୁଥିଲାବେଳେ ଭାରତ ସହିତ ଇରାନର ବନ୍ଧୁତ୍ୱପୂର୍ଣ୍ଣ ଦିପାକ୍ଷିକ ସମ୍ପର୍କ ଅତୁଟ ରହିଛି । କେବେବି କୌଣସି ପ୍ରସଙ୍ଗରେ ଇରାନ ବିରୋଧରେ ଭାରତ ଯାଇନାହିଁ। ଏହି ଦୀର୍ଘକାଳୀନ ସୁସମ୍ପର୍କର ଆଉ ଏକ ମୂକସାକ୍ଷୀ ପାଲଟିଛି ଗତ ମେ ୧୩ ରେ ସ୍ବାକ୍ଷରିତ ହୋଇଥିବା ଏକ ଐତିହାସିକ ଚୁକ୍ତିନାମା। ଏହି ଚୁକ୍ତିନାମା ଅନୁଯାୟୀ ଆଗାମୀ ୧୦ ବର୍ଷ ପାଇଁ ଦକ୍ଷିଣ -ପୂର୍ବ ଇରାନସ୍ଥିତ ଚବାହାର ବନ୍ଦରକୁ ଭାରତ ପରିଚାଳନା କରିବ। ଏଥିସହିତ ବିଦେଶରେ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ହେବାକୁ ଯାଉଥିବା ପ୍ରଥମ ବନ୍ଦର ହେବାକୁ ଯାଉଛି ଇରାନର ଏହି ଗୁରୁତ୍ୱପୂର୍ଣ୍ଣ ବନ୍ଦର ଚବାହାର। ଏହାଦ୍ବାରା ଅଫଗାନିସ୍ତାନ ଓ ମଧ୍ୟଏସିଆରେ ବ୍ୟାପାର କରିବା ନିମନ୍ତେ ଭାରତକୁ ଏକ ଅପୂର୍ବ ସୁଯୋଗ ମିଳିଗଲା। ଏହି ଚୁକ୍ତିନାମା ଅନୁଯାୟୀ ଭାରତୀୟ କମ୍ପାନୀ ଇଣ୍ଡିଆ ପୋଟର୍‌ସ ଗ୍ଲୋବାଲ ଲିମିଟେଡ ଚବାହାର ବନ୍ଦରରେ ୧୨୦ ନିୟୁତ ଟଙ୍କା ନିବେଶ କରିବ। ପ୍ରକାଶଯୋଗ୍ୟ ଯେ, ଚବାହାର ବନ୍ଦରର ବିକାଶ ନିମନ୍ତେ ବିଗତ ଦୁଇ ଦଶନ୍ଧି ଧରି ଉଭୟ ଦେଶ କାର୍ଯ୍ୟ କରିଆସୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ବିରୋଧ ସତ୍ତ୍ୱେ ଭାରତର ଏପରି ଚୁକ୍ତିନାମା ଓ ପଦକ୍ଷେପକୁ ଏକ କୂଟନୈତିକ ବିଜୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ତର୍ଜାତୀୟ ସ୍ତରରେ ଭାରତ ନିଜର ବାଣିଜ୍ୟ ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛି ଓ ଏହା ହେଉଛି ପ୍ରଥମ ସଫଳତା। ଫଳରେ ଇରାନ ସମେତ ଆଫଗାନିସ୍ତାନ, ଆର୍ମେନିଆ, ଆଜାରବୈଜାନ, ରୁଷିଆ, ମଧ୍ୟଏସିଆ ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ଭାରତ ସିଧାସଳଖ ଯୋଡ଼ିହୋଇ ପାରିବ। ପାକିସ୍ତାନର ଗାଦର ବନ୍ଦର ଓ ଚାଇନାର ବିଆର୍‌ଆଇ ବନ୍ଦରକୁ ଏହାଦ୍ବାରା ସିଧା ଟକ୍କର ଦେଇପାରିବ ଭାରତ। ୨୦୧୮ରେ ଚବାହାର ବନ୍ଦର ନିର୍ମାଣ ପାଇଁ ଇରାନ ସହ ଭାରତ ଚୁକ୍ତିନାମା ସ୍ବାକ୍ଷର କରିଥିଲା। ପାକିସ୍ତାନ ସହ ଦିପାକ୍ଷିକ ସମ୍ପର୍କ ବିଗିଡ଼ିବା ପରେ ଭାରତ ମଧ୍ୟଏସିଆରେ ବ୍ୟାପାର ବିକାଶ ପାଇଁ ଏକ ବିକଳ୍ପ ରାସ୍ତା ଖୋଜୁଥିଲା ଓ ଚବାହାର ବନ୍ଦର ବିକାଶ ଆରମ୍ଭ ପରେ ଭାରତ ଏକ ସୁନ୍ଦର ବିକଳ୍ପ ପାଇଯାଇଥିଲା। ସେବେଠାରୁ ଭାରତ ଉପରେ ଆମେରିକା ନଜର ରଖିଥିଲା। ତେବେ ଚୁକ୍ତିନାମା ସ୍ବାକ୍ଷରିତ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକା ନିଜର ଅସନ୍ତୋଷ ବ୍ୟକ୍ତକରି ପରୋକ୍ଷ ଧମକ ଦେଇଛି। ଆମେରିକା କହିଛି ଯେ, ଯଦି କୌଣସି ସଂସ୍ଥା ଇରାନ ସହ ବ୍ୟବସାୟିକ ଚୁକ୍ତି କରିବାକୁ ବିଚାର କରୁଛନ୍ତି, ତେବେ ଉକ୍ତ ସଂସ୍ଥା ସମ୍ଭାବ୍ୟ ପ୍ରତିବନ୍ଧକ ଉପରେ ଅବଗତ ରହିବା ଆବଶ୍ୟକ। ଆମେରିକାର ଚାପ ସତ୍ତ୍ୱେ ଇରାନ ସହ ସମ୍ପର୍କ ଅତୁଟ ରଖିବା ନିମନ୍ତେ ଭାରତର ନିଷ୍ପତ୍ତିକୁ ଏକ ଐତିହାସିକ ବିଜୟ ବୋଲି କୁହାଯାଉଛି। ଏହାଦ୍ବାରା ଭାରତ ମହାସାଗରରେ ଭାରତ ନିଜର ସ୍ଥିତି ମଜଭୁତ କରିପାରିବ। ଭାରତ ସରକାରଙ୍କ ଲୁକ୍‌ ଇଷ୍ଟ୍‌ ଯୋଜନା ପରିପ୍ରେକ୍ଷୀରେ ଏସୀୟ ଦେଶଗୁଡ଼ିକ ସହ ସମ୍ପର୍କ ମଜଭୁତ କରିବା ଓ ସାମୁଦ୍ରିକ କ୍ଷେତ୍ରରେ ଚାଇନାର ଦବଦବାକୁ ପ୍ରତିହତ କରିବା ନିମନ୍ତେ ଇରାନର ଏହି ବନ୍ଦର ପରିଚାଳନା ଚୁକ୍ତି ନିଶ୍ଚିତ ମହତ୍ତ୍ୱପୂର୍ଣ୍ଣ । କାରଣ ପୂର୍ବରୁ ପାକିସ୍ତାନର ଗାଦର ବନ୍ଦର ଓ ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରର ପରିଚାଳନା ଦାୟିତ୍ୱ ନେଇ ଚାଇନା ଭାରତ ମହାସାଗରରେ ନିଜର ସ୍ଥିତିକୁ ମଜଭୁତ କରୁଥିଲା। ୨୦୧୮ରେ ଇରାନର ତତ୍କାଳୀନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଚବାହାର ବନ୍ଦର ବିକାଶ ସମ୍ବନ୍ଧରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଭାରତ ଯାହା ଚାହୁଁଥିଲା ତାହା ଆପେ ଆପେ ମିଳିଗଲା। ଏପରି ସୁଯୋଗକୁ ହାତଛଡ଼ା ନ କରି ପରବର୍ତ୍ତୀ ସମୟରେ ଭାରତର ବିଦେଶ ମନ୍ତ୍ରୀଙ୍କ ଇରାନ ଗସ୍ତ ସମୟରେ ଏହାକୁ ଚୂଡ଼ାନ୍ତ ରୂପରେଖ ଦେଇଥିଲା।
ସୂଚନାଯୋଗ୍ୟ ଯେ, ୨୦୧୬ରେ ଚବାହାର ବନ୍ଦରକୁ ଭାରତ ନିଜ ପାଇଁ ବ୍ୟବହାର କରିବା ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ଯାହାର ପ୍ରାରମ୍ଭିକ ପଦକ୍ଷେପ ସରୂପ ସେଠାରେ ଏକ ଟର୍ମିନାଲ ନିର୍ମାଣ ନିମନ୍ତେ ଇରାନ, ଅଫଗାନିସ୍ତାନ ସହ ଭାରତ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର କରିଥିଲା । ଭାରତ ମହାସାଗରରେ ନିଜର ଆଧିପତ୍ୟ ବିସ୍ତାର ପାଇଁ ପାକିସ୍ତାନ ନିଜର କରାଚି ବନ୍ଦରକୁ ବ୍ୟବହାର କରିବାକୁ ଚାହୁଁଥିଲା। କେନ୍ଦ୍ରୀୟ ଏସୀୟରାଷ୍ଟ୍ରଗୁଡ଼ିକ ଭାରତ ମହାସାଗରରେ ପହଞ୍ଚିବାକୁ ହେଲେ କରାଚି ବନ୍ଦର ସର୍ବୋତ୍କୃଷ୍ଟ ବନ୍ଦର ବୋଲି ପାକିସ୍ତାନ ପକ୍ଷରୁ ପ୍ରଲୋଭନ ଦେଖାଯାଉଥିଲା । ହେଲେ ଇରାନର ଚବାହାର ବନ୍ଦର କରାଚି ବନ୍ଦର ଅପେକ୍ଷା ଅଧିକ ଗ୍ରହଣୀୟ ବୋଲି ସେହି ଦେଶଗୁଡ଼ିକୁ ଭାରତ ସଙ୍କେତ ଦେଇ ଆସୁଥିଲା। କାଜିକିସ୍ତାନ ଓ ଉଜବେକିସ୍ତାନ ଆଦି ଦେଶଗୁଡ଼ିକ ପ୍ରଚୁର ସଂସାଧନ ସମ୍ପନ୍ନ ଦେଶ ହେଲେ ମଧ୍ୟ ସାମୁଦ୍ରିକ ମାର୍ଗ ଅଭାବ ଯୋଗୁ ସେମାନେ ଭାରତ ମହାସାଗରୀୟ କ୍ଷେତ୍ର ଓ ଭାରତୀୟ ବଜାର କ୍ଷେତ୍ରକୁ ପ୍ରବେଶ କରିପାରୁ ନ ଥିଲେ। ସେଥିପାଇଁ ସେମାନେ ଚବାହାର ବନ୍ଦର ଉପଯୋଗ ପାଇଁ ପ୍ରବଳ ଉତ୍ସାହୀ ଥିଲେ। ଭାରତ ଦ୍ବାରା ଏହି ବନ୍ଦରର ବିକାଶ ହେଲେ ତଥା ଏଠାରେ ଭାରତର ପ୍ରଭାବ ରହିବା ଦ୍ବାରା ସେମାନେ ଭାରତ ସହ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା କରିପାରିବେ। କେନ୍ଦ୍ରୀୟ ଏସିଆରେ ବାଣିଜ୍ୟ ରୁଚି ରଖୁଥିବା ଭାରତୀୟ ବ୍ୟାପାରୀ ଓ ନିବେଶକମାନଙ୍କ ପାଇଁ ଏହି ବନ୍ଦର ଖୁବ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଚବାହାରକୁ ଇଣ୍ଟରନ୍ୟାଶନାଲ ନର୍ଥ ସାଉଥ ଟ୍ରାନ୍ସପୋର୍ଟ କରିଡର ସହ ଯୋଡ଼ିବା ମଧ୍ୟ ଯୋଜନା ରହିଛି, ଯାହାଦ୍ବାରା ଇରାନ ଦେଇ ରୁଷ୍‌ ସହ ଯୋଗାଯୋଗ କରିବାର ରାସ୍ତା ସଫା ହୋଇଯିବ। ଇରାନର ସିସ୍ତାନ ଓ ବେଲୁଚିସ୍ତାନ ପ୍ରାନ୍ତରେ ଗଭୀର ସମୁଦ୍ରରେ ଅବସ୍ଥିତ ଏହି ଚବାହାର ବନ୍ଦରରେ ବହୁ ଓଜନପୂର୍ଣ୍ଣ ଜାହାଜ ସହଜ ଓ ସରଳ ଭାବେ ପହଞ୍ଚିପାରିବ ଓ ଏହାର ସୁଫଳ ଭବିଷ୍ୟତରେ ଭାରତ ନିଶ୍ଚିତ ପାଇବ।
ବିଗତ ଦୁଇ ଦଶନ୍ଧି ହେବ ଚାଇନା ଓ ଭାରତ କ୍ରମଶଃ ଯଥାକ୍ରମେ ବିଶ୍ବର ଦ୍ୱିତୀୟ ଓ ପଞ୍ଚମ ବୃହତ ଆର୍ଥିକସମ୍ପନ୍ନ ଦେଶ ଭାବେ ଉଭା ହୋଇଛନ୍ତି। ବ୍ୟାପାର ଓ ସୁରକ୍ଷା କ୍ଷେତ୍ରରେ ନିଜର ପ୍ରଭାବ ବୃଦ୍ଧି ପାଇଁ ଏହି ଦୁଇ ବୃହତ ଏସୀୟ ଦେଶ ଭାରତ ମହାସାଗର ଉପରେ ନିଜର ଦୃଷ୍ଟି କେନ୍ଦ୍ରିତ କରିଆସୁଛନ୍ତି। ଭାରତ ମହାସାଗର ଅଞ୍ଚଳରେ ୨୮ ରାଷ୍ଟ୍ର ଆସୁଛନ୍ତି, ଯେଉଁମାନେ କି ନିଜ ନିଜର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରୟାସ କରୁଛନ୍ତି। ଏହି କ୍ଷେତ୍ରରେ ବିଶ୍ବର ଅତ୍ୟଧିକ ମୂଲ୍ୟବାନ ପ୍ରାକୃତିକ ସଂସାଧନ ଯେପରିକି ବିଶ୍ବର ୧୬.୮ ପ୍ରତିଶତ ତୈଳଭଣ୍ଡାର ଓ ପ୍ରାକୃତିକ ଗ୍ୟାସର ୨୭.୯ ପ୍ରତିଶତ ମହଜୁଦ ରହିଛି। ଭାରତ ମହାସାଗରରେ ନିଜର ଆଧିପତ୍ୟ ବୃଦ୍ଧି ପାଇଁ ଚାଇନା ସ୍ବତନ୍ତ୍ର ସାମୁଦ୍ରିକ ରଣନୀତି ଷ୍ଟିଂଗ ଅଫ୍‌ ପର୍ଲସକୁ କାର୍ଯ୍ୟକାରୀ କରୁଛି। ଏହାରି ଅଧୀନରେ ବାଂଲାଦେଶ, ମ୍ୟାନମାର, ପାକିସ୍ତାନ, ମାଳଦ୍ୱୀପ ଓ ତାଞ୍ଜାନିଆ ପରି ତଟୀୟ ଦକ୍ଷିଣ ଏସୀୟ ଓ ଆଫ୍ରିକୀୟ ଦେଶରେ ଥିବା ପୁରାତନ ବନ୍ଦରର ବିକାଶ ଓ ନୂତନ ବନ୍ଦର ପ୍ରତିଷ୍ଠା ନିମନ୍ତେ ବ୍ୟାପକ ଅର୍ଥ ବିନିଯୋଗ କରୁଛି। ଏହାକୁ ପ୍ରତିହତ କରିବା ପାଇଁ ଭାରତ ଅନୁରୂପ ପଦକ୍ଷେପ ନେବାକୁ ନିଜର ରଣନୀତି ପ୍ରସ୍ତୁତ କରୁଛି, ଯାହାର ସଦ୍ୟତମ ଉଦାହରଣ ହେଉଛି ଚବାହାର ବନ୍ଦରର ପରିଚାଳନା ଦାୟିତ୍ୱ ନେବା।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri