ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର ସୁପରିଚାଳନା ଓ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ତାଙ୍କ ସହଯୋଗୀଙ୍କୁ ପରାମର୍ଶ ଦେଇଥାଆନ୍ତି। ବର୍ତ୍ତମାନର ସିଜେଆଇ ରଞ୍ଜନ ଗୋଗୋଇ ଆସନ୍ତା ୧୭ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ଯିବା ପୂର୍ବରୁ ସେ ତାଙ୍କ ଉତ୍ତରାଧିକାରୀ ଭାବେ ଏସ୍‌. ଏ. ବୋବ୍‌ଡେଙ୍କ ନାମ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ପତ୍ରଲେଖି ସୁପାରିସ କରିଛନ୍ତି। ବୋବ୍‌ଡେ ଶୀର୍ଷ ଅଦାଲତର ଦ୍ୱିତୀୟ ସର୍ବବରିଷ୍ଠ ବିଚାରପତି ହୋଇଥିବାରୁ ସେ ସିଜେଆଇ ହେବା ନିଶ୍ଚିତ ହୋଇଯାଇଛି। ସବୁକିଛି ଠିକ୍‌ ରହିଲେ ୧୮ ନଭେମ୍ବରରେ ବୋବ୍‌ଡେ ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ନୂଆ ପ୍ରଧାନ ବିଚାରପତିଙ୍କ ନାମକୁ ଗୋଗୋଇ ସୁପାରିସ କରିବା ପରେ ବୋବ୍‌ଡେଙ୍କ ବିଷୟରେ ଅଧିକ ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ବୋବ୍‌ଡେ ୨୪ ଏପ୍ରିଲ ୧୯୫୬ରେ ମହାରାଷ୍ଟ୍ର ନାଗପୁରର ଏକ ଆଇନଜୀବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ଥିଲେ ଓକିଲ। ପିତା ଅରବିନ୍ଦ ବୋବ୍‌ଡେ ୧୯୮୦ରେ ମହାରାଷ୍ଟ୍ରର ଆଡଭୋକେଟ ଜେନେରାଲ ଥିଲେ। ବଡ଼ ଭାଇ ବିନୋଦ ଅରବିନ୍ଦ ବୋବ୍‌ଡେ ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ ତଥା ସମ୍ବିଧାନ ବିଶେଷଜ୍ଞ ରହିଥିଲେ। ପିଲାଟି ବେଳୁ ସେ ଆଇନ ପୁସ୍ତକ ସହ ମହକିଲମାନଙ୍କୁ ଦେଖି ଏହି ବୃତ୍ତି ପ୍ରତି ଆକୃଷ୍ଟ ହୋଇଥିଲେ। ନାଗପୁରର ଏସ୍‌ଏଫ୍‌ଏସ୍‌ କଲେଜରୁ ଡିଗ୍ରୀ ଅର୍ଜନ କରିବା ପରେ ୧୯୭୮ରେ ନାଗପୁର ବିଶ୍ୱବିଦ୍ୟାଳୟରେ ଆଇନ ବିଦ୍ୟା ପଢ଼ିଥିଲେ। ୧୩ ସେପ୍ଟେମ୍ବର ୧୯୭୮ରେ ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ଓକିଲାତି ଆରମ୍ଭ କରିଥିଲେ। ୧୯୯୮ରେ ବୋବ୍‌ଡେ ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ ହୋଇଥିଲେ। ଆଇନ ବିଦ୍ୟାରେ ପାରଙ୍ଗମ ହେବା ପରେ ସେ ୨୯ ମାର୍ଚ୍ଚ ୨୦୦୦ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ଜଜ୍‌ ଭାବେ ନିଯୁକ୍ତ ହୋଇଥିଲେ। ୧୬ ଅକ୍ଟୋବର ୨୦୧୨ରେ ବୋବ୍‌ଡେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀକୁ ଉନ୍ନୀତ ହୋଇଥିଲେ। ୧୨ ଏପ୍ରିଲ ୨୦୧୩ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଶୀର୍ଷ ଅଦାଲତରେ ଦୀର୍ଘ ବର୍ଷ ଧରି ବିଚାର କଲା ବେଳେ ସେ ଅନେକ ଐତିହାସିକ ରାୟ ଦେଇଛନ୍ତି। ସେଥିମଧ୍ୟରୁ ଆଧାର ସଂକ୍ରାନ୍ତ ରାୟ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ଆଧାର ନ ଥିଲେ ନାଗରିକମାନେ ସରକାରୀ ଯୋଜନାର ସୁଫଳ ପାଇପାରିବେ ନାହିଁ ବୋଲି ଯେତେବେଳେ ସମଗ୍ର ଦେଶରେ ହୁରି ପଡ଼ିଥିଲା, ସେତେବେଳେ ବୋବ୍‌ଡେଙ୍କ ରାୟ ଆଧାରହୀନଙ୍କୁ ବଳ ଦେଇଥିଲା। ଆଧାର କାର୍ଡ଼ ନ ଥିଲେ ମଧ୍ୟ ସରକାରୀ ଯୋଜନା କିମ୍ବା ସବ୍‌ସିଡିରୁ କାହାରିକୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସେ ରାୟ ଶୁଣାଇଥିଲେ। ରାମଜନ୍ମଭୂମି-ବାବ୍ରି ମସ୍‌ଜିଦ ମାମଲାର ବିଚାର ପାଇଁ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ମଧ୍ୟ ସେ ସଦସ୍ୟ ଥିଲେ। ଉଲ୍ଲେଖଯୋଗ୍ୟ, ଏହା ଉପରେ ବିଚାର ଶେଷ ହୋଇଥିଲେ ହେଁ ଆସନ୍ତା ମାସରେ ଏହାର ରାୟ ପ୍ରକାଶ ପାଇବ। ୨୦୧୬ରେ ସେ ଏକ ରାୟରେ ଜାତୀୟ ରାଜଧାନୀ ଅଞ୍ଚଳରେ ଅତ୍ୟଧିକ ପ୍ରଦୂଷଣ ହେଉଥିବାରୁ ସେଠାରେ ଆତସବାଜି ବିକ୍ରିକୁ ବନ୍ଦ କରି ଦେଇଥିଲେ। ତେବେ ନିକଟ ଅତୀତରେ ସୁପ୍ରିମକୋର୍ଟ ଇତିହାସରେ ସବୁଠାରୁ ବିବାଦୀୟ ଘଟଣା ଭାବେ ବିବେଚିତ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଅଣାଯାଇଥିବା ଯୌନ ବ୍ୟଭିଚାର ମାମଲାରେ ବୋବ୍‌ଡେ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଏହାକୁ ବିଚାରପତି ବନ୍ଧୁମାନେ ସ୍ବାଗତ କରିଥିଲେ ହେଁ କୋର୍ଟ ବାହାରେ ଏହି ଘଟଣାକୁ ନେଇ ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଦିନକୁ ଦିନ ନ୍ୟାୟପାଳିକାର ଗୁରୁତ୍ୱ ବୃଦ୍ଧି ପାଉଥିବାରୁ ବୋବ୍‌ଡେଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କ ନେତୃତ୍ୱ ଶୀର୍ଷ ଅଦାଲତର ବିଚାରପତିଙ୍କୁ ନୂଆ ଦିଶା ଦେଖାଇବ ବୋଲି ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri