ଗୀତଗୋବିନ୍ଦ ଓ ଜୟଦେବ

ଡ. ପ୍ରଫୁଲ୍ଲ କୁମାର ସାହୁ

ପ୍ରାଚୀନ କାଳରେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ଯେଉଁ ଉକତ୍ର୍ଷ ସାଧିତ ହୋଇଥିଲା, ତା’ର ମୂଳରେ ଥିଲା ସଂସ୍କୃତ ସାହିତ୍ୟ। ସେହି ସଂସ୍କୃତ ସାହିତ୍ୟକୁ ଉକତ୍ଳୀୟ ସଂସ୍କୃତ କବିର ସର୍ବଶ୍ରେଷ୍ଠ ଅବଦମନ ହେଉଛି ଶ୍ରୀ ଜୟଦେବଙ୍କ ‘ଗୀତଗୋବିନ୍ଦ’। ଦ୍ୱାଦଶ ଶତାବ୍ଦୀର କବି ଶ୍ରୀଜୟଦେବ। ଉତ୍କଳ ଭୂପତିଙ୍କ ସଭା ମଣ୍ଡନ କରୁଥିବା ସର୍ବଶ୍ରେଷ୍ଠ ପଣ୍ଡିତ। ସେ କେବଳ ବେଦଜ୍ଞ ପଣ୍ଡିତ ନୁହନ୍ତି, ଅଧିକନ୍ତୁ ଜଣେ ସଙ୍ଗୀତ ଓ ବାଦ୍ୟ ବିଶାରଦ। ଜୟଦେବଙ୍କ ‘ଗୀତଗୋବିନ୍ଦ’ ଭାରତୀୟ କାବ୍ୟ ପରମ୍ପରାର ଏକ ବିରାଟ ବିସ୍ମୟ। ଗୀତ, ନାଟ୍ୟ, ଭକ୍ତି, ପ୍ରେମ ଓ ଶୃଙ୍ଗାରର ଏକ ଅପୂର୍ବ ସମନ୍ବୟ। ବୈଷ୍ଣବୀୟ ଭାବ ସମ୍ବଳିତ ଏହି ଗୀତିକାବ୍ୟ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପ୍ରତି କବି ଜୟଦେବଙ୍କ ଭକ୍ତିପୂତ ପୁଷ୍ପାଞ୍ଜଳି। ରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମଲୀଳା ଭାବରେ ପର୍ଯ୍ୟବସିତ ଏହି କାବ୍ୟର କଳେବର ଅତ୍ୟନ୍ତ କ୍ଷୀଣ ହେଲେ ବି ଏହା ସଂସ୍କୃତ ସାହିତ୍ୟର ସର୍ବଶ୍ରେଷ୍ଠ ଗୀତିକାବ୍ୟ ରୂପେ ଗୃହୀତ, ପରିଚିତ ଓ ପ୍ରତିଷ୍ଠିତ। ୧୨ଟି ସର୍ଗ, ୨୪ଟି ଗୀତି ଓ ୭୨ଟି ଶ୍ଳୋକ ମଧ୍ୟରେ ସୀମିତ ଗୀତଗୋବିନ୍ଦର କାନ୍ତକୋମଳ ପଦାବଳୀ ତଥା ସୁଲଳିତ ଯମକପୂର୍ଣ୍ଣ ଭାଷା ଚାତୁର୍ଯ୍ୟରେ ଅଭିଭୂତ ହୁଅନ୍ତି ସଂସ୍କୃତ ସାହିତ୍ୟର ପଣ୍ଡିତମାନେ। ବିଶେଷକରି ବିଦଗ୍ଧଙ୍କୁ ମୁଗ୍ଧ କରେ ତା’ର ରାସକେଳି ଓ ଦଶାବତାର ପ୍ରସଙ୍ଗ ବର୍ଣ୍ଣନା।
ଭକ୍ତ ଓ ଭଗବାନ୍‌ଙ୍କ ସମ୍ପର୍କର ସବୁଠାରୁ ଶୀର୍ଷ ରୂପକୁ ବୈଷ୍ଣବ ତତ୍ତ୍ୱବିତ୍‌ମାନେ ଆବିଷ୍କାର କରିଥିଲେ ପରକୀୟା ପ୍ରୀତିରେ। ସ୍ବାମୀ, ଶାଶୁ, ନଣନ୍ଦ ଆଦି ପରିବାରର ସମସ୍ତେ ଥାଇ ବି କୁଳବଧୂ ପଡ଼ୁଛି ପରପୁରୁଷ ପ୍ରେମରେ। ଜଣେ ନୁହେଁ, ଜଣେ ପୁରୁଷ ପ୍ରେମରେ ପଡ଼ିଛନ୍ତି ଅନେକ କୁଳବଧୂ। ଏକଥା ଜାଣି ସୁଦ୍ଧା କୁଳବଧୂଙ୍କ ଭିତରେ ପ୍ରତିଯୋଗିତା। ଈପ୍ସିତ ପୁରୁଷକୁ ପାଇବା ପାଇଁ ସମସ୍ତେ ବ୍ୟାକୁଳ। ଏମନ୍ତ ପ୍ରୀତିକୁ କୁହାଯାଏ ଭକ୍ତି-ପ୍ରେମଭକ୍ତି। ଏହି ପ୍ରେମଭକ୍ତିର ପ୍ରଚାର ପାଇଁ ସର୍ବଶ୍ରେଷ୍ଠ ମାଧ୍ୟମ ହେଉଛି ପ୍ରେମ ଭକ୍ତି ରସାଣିତ କାବ୍ୟ। ବିଶେଷକରି ରାଧାକୃଷ୍ଣଙ୍କ ପ୍ରେମକୁ- ଧର୍ମଶାସ୍ତ୍ରର ଆବେଷ୍ଟନିରୁ ମୁକ୍ତ କରି ଲୌକିକ, ପ୍ରାକୃତ, ସଂସ୍କୃତ ରସ ସାହିତ୍ୟର ଶୃଙ୍ଗାର ରସାମତ୍କ କାବ୍ୟଧାରା ସହିତ ଯୋଡ଼ିଦେଲେ କବିରାଜ ଜୟଦେବ। ଫଳରେ ପ୍ରଶସ୍ତ ହୋଇଗଲା ତା’ର ଭବିଷ୍ୟତ ପ୍ରସାର ଓ ପରିଣତିର ପଥ। ଗୀତଗୋବିନ୍ଦର ଏହି ମାଧୁର୍ଯ୍ୟକୁ ଦୃଷ୍ଟିରେ ରଖି ଆଲୋଚକମାନେ କୁହନ୍ତି- ରାଧାକୃଷ୍ଣ ପ୍ରେମଭକ୍ତି ମାର୍ଗ ସମ୍ପର୍କରେ ଏକ ସର୍ବକାଳୀନ ପ୍ରେରଣାର ଉତ୍ସ ହେଉଛି ଜୟଦେବଙ୍କ ‘ଗୀତଗୋବିନ୍ଦ’। ଓଡ଼ିଆ ସାହିତ୍ୟରେ ରାଧାକୃଷ୍ଣଙ୍କୁ ନେଇ ଯେତେସବୁ କାବ୍ୟ ଲେଖାଯାଇଛି, ଗୀତଗୋବିନ୍ଦରେ ରହିଛି ତା’ର ମୂଳ ଉପାଦାନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରକୀୟା ପ୍ରୀତିରେ ମାତିଥିବା ଅନ୍ୟ ଅନେକ କାବ୍ୟ ନାୟକ ନାୟିକା ପଛରେ ରହିିଯାଇଥିବା ବେଳେ କେବଳ ରାଧା କୃଷ୍ଣଙ୍କ ନାମରେ ପଡୁଛି ଜୟ ଜୟ କାର।
ଗୀତଗୋବିନ୍ଦରେ ରାଧାକୃଷ୍ଣଙ୍କ ପ୍ରେମଲୀଳାକୁ ନେଇ ଯେଉଁ ଶାଶ୍ୱତ ବର୍ଣ୍ଣନା ଦିଆଯାଇଛି, ଆଧ୍ୟାମତ୍ିକ ଦୃଷ୍ଟିକୋଣରୁ ଯେତେ ତାତ୍ତ୍ୱିକ ହେଲେ ବି ଏହା ଏକ ପ୍ରେମକୈନ୍ଦ୍ରିକ କାବ୍ୟ ଏବଂ ପ୍ରେମଲୀଳା ହିଁ ତା’ର ଉପଜୀବ୍ୟ ବିଷୟ। ସେଥିପାଇଁ ବୈଷ୍ଣବୀୟ ଧର୍ମର ଅଲୌକିକ କୃଷ୍ଣ ଗାଥାରେ ପରିଣତ ହୋଇପାରିଛି ଯମୁନା ତଟର ଗୋଟେ ଗାଅଁାର ପ୍ରେମ କାହାଣୀ। କୋଣାର୍କର କାରୁକାର୍ଯ୍ୟ ପରି ଚମକତ୍ାର ତା’ର ଶିଳ୍ପସୌନ୍ଦର୍ଯ୍ୟ। ଭଗବାନ୍‌ଙ୍କ ମର୍ତ୍ତ୍ୟଲୀଳାକୁ ମାନବିକ (ଦୈହିକ) ଲୀଳାରେ ପରିଣତ କରିବା ପାଇଁ ଅନତିକ୍ରମଣୀୟ ତା’ର ପରିବେଶ ପରିକଳ୍ପନା ଓ ନାଟକୀୟ ସଂଳାପ ସଂଯୋଜନା।
ସାଧାରଣତଃ ପ୍ରତ୍ୟେକ ବୈଷ୍ଣବ କାବ୍ୟର ଉପଜୀବ୍ୟ ବିଷୟ ହେଉଛି ରାଧାକୃଷ୍ଣଙ୍କ ଅପ୍ରାକୃତ ପ୍ରେମଲୀଳା। ରାଧାଙ୍କ ଅପେକ୍ଷା କୃଷ୍ଣଙ୍କୁ ଅଧିକ ପ୍ରାଧାନ୍ୟ ଦେବା ମଧ୍ୟ ପ୍ରତ୍ୟେକ କବି ପାଇଁ ଅନୁସୃତ ଧାରା। ମାତ୍ର ସେହି କ୍ରମରେ ଏକ ବ୍ୟତିକ୍ରମ ହେଉଛି ଶ୍ରୀଗୀତଗୋବିନ୍ଦ। ଏଥିରେ ଶ୍ରୀକୃଷ୍ଣଙ୍କୁ ନୁହେଁ, ଶ୍ରୀରାଧାଙ୍କୁ ମିଳିଛି ଅଧିକ ମାନ୍ୟତା। ତାହା ପ୍ରତିପାଦିତ ହୋଇଛି ଦଶମ ସର୍ଗର ଅଷ୍ଟମ ପାଦ, ଅର୍ଥାତ୍‌ ଶ୍ରୀରାଧାଙ୍କ ମାନଭଞ୍ଜନ ପ୍ରସଙ୍ଗରେ। ‘ସ୍ମର ଗରଲଂ ମଣ୍ଡନଂ ମମ ଶିରସି ମଣ୍ଡନଂ ଦେହି ପଦପଲ୍ଲଭ ମୁଦାରମ୍‌’।
‘ଗୀତଗୋବିନ୍ଦ’ କେବଳ ମିଳନ, ବିରହ ଓ ବିଚ୍ଛେଦ ବା ଶୃଙ୍ଗାରିକତାର ସୁଲଳିତ ପଦବିନ୍ୟାସ ଓ ଅନୁପମ ଛନ୍ଦ ମାଧୁରୀ ନୁହେଁ, ଏହା ଆହ୍ଲାଦିନୀ ଶକ୍ତି ଶ୍ରୀରାଧା ଓ ଭଗବାନ୍‌ ସଚ୍ଚିଦାନନ୍ଦ ପୁରୁଷ ଶ୍ରୀକୃଷ୍ଣଙ୍କ ପ୍ରେମ ଓ ପ୍ରଜ୍ଞାର ବାର୍ତ୍ତା। ଭକ୍ତର ହୃଦୟକୁ ଆଲୋଡ଼ିତ କରେ ତା’ର ଦଶାବତାର ବର୍ଣ୍ଣନା। ଶ୍ରୀଜଗନ୍ନାଥ ପରମ୍ପରାରେ ଗୀତଗୋବିନ୍ଦର ସ୍ଥାନ ସ୍ବତନ୍ତ୍ର। ଗଙ୍ଗବଂଶୀ ରାଜା ନରସିଂହ ଦେବଙ୍କ ସମୟର ଗୀତଗୋବିନ୍ଦ ଗାୟନ ଜଗନ୍ନାଥ ସଂସ୍କୃତିରେ ଯୋଡ଼ିହେଲା ଏବଂ ଏହାକୁ ବାଧ୍ୟତାମୂଳକ କରାଗଲା ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ। ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟର ମୂଳ ଆଧାର ହେଉଛି ଗୀତଗୋବିନ୍ଦ। ଦଶାବତାର ନୃତ୍ୟ କହିଲେ କେବଳ ଓଡ଼ିଶୀ ନୃତ୍ୟକୁ ବୁଝାଏ ଏବଂ ଓଡ଼ିଶୀ ସଙ୍ଗୀତ ପଦ୍ଧତିରେ ଶ୍ରୀଗୀତଗୋବିନ୍ଦ ଅଷ୍ଟପଦୀ ନାମରେ ପରିଚିତ। ସଙ୍ଗୀତ ବିଶାରଦ ଜୟଦେବ ନିଜ କାବ୍ୟରେ ବସନ୍ତ, ଭୈରବୀ ବିଭାସ ଆଦି ଏଗାରଟି ରାଗ ଓ ପାଞ୍ଚଟି ଲୋକପ୍ରିୟ ତାଳ ସଂଯୋଗ କରିଛନ୍ତି ଏବଂ ଗୀତଗୋବିନ୍ଦର ସମସ୍ତ ସର୍ଗ ରାଗ ଦ୍ୱାରା ପ୍ରତିବନ୍ଦିତ। ଉଭୟ ଶୈଳୀ ଓ ବିଷୟବସ୍ତୁ ଦୃଷ୍ଟିରୁ ଏହା ସଂସ୍କୃତ ସାହିତ୍ୟର ସର୍ବୋତ୍ତମ ରଚନା। ଗୀତ ଗୋବିନ୍ଦର କାନ୍ତ କୋମଳ ଓ ମଧୁର ପଦାବଳୀ ଦ୍ୱାରା ପ୍ରଭାବିତ ସମଗ୍ର ଭାରତୀୟ କାବ୍ୟ ବାଙ୍‌ମୟ। ଗାନ୍ଧର୍ବ କଳାକୌଶଳ ସୁଲଳିତ ପଦବିନ୍ୟାସ ଓ ଅନୁପମ ଛନ୍ଦ ମାଧୁରୀ ସଙ୍ଗୀତ ଶିଳ୍ପୀଙ୍କ କଣ୍ଠରେ ଯେମିତି ମୂର୍ଚ୍ଛନା ତୋଳେ, ସେମିତି ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁରରେ ଭରିଦିଏ ଅପୂର୍ବ ଝଙ୍କାର। ଅର୍ଥ ବୁଝି ହେଉ କି ନ ହେଉ, ଗୀତଗୋବିନ୍ଦର ଗୀତ ଓଡ଼ିଶାରେ ଏକ ପ୍ରାର୍ଥନା ଭାବେ ପରିଗଣିତ। ଓଡ଼ିଶାର ତାଳପତ୍ର, କାଗଜ ଏବଂ ରେଶମ କନା ଉପରେ ଅଙ୍କିତ ଚିତ୍ରକଳା ଗୀତଗୋବିନ୍ଦ ଦ୍ୱାରା ବହୁଳ ଭାବେ ପ୍ରଭାବିତ। ଓଡ଼ିଶାର ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ବୟନଶିଳ୍ପ ଓ ନୃତ୍ୟ ଆଦିକୁ ଗୀତଗୋବିନ୍ଦ ଏତେ ପ୍ରଭାବିତ କରିଛି ଯେ ତାହା ପାଲଟି ଯାଇଛି ଆମ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାମତ୍ିକ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ। ସାରା ଭାରତରେ ଏବେ ମଧ୍ୟ ଗୀତଗୋବିନ୍ଦରେ ବର୍ଣ୍ଣିତ ଅନେକ ଦୃଶ୍ୟ ଏହି ପଟଚିତ୍ରର ବିଷୟବସ୍ତୁ। ସଚ୍ଚିତ୍ର ତାଳପତ୍ରର ଗୀତଗୋବିନ୍ଦ କେବଳ ରାଧାକୃଷ୍ଣଙ୍କ ପ୍ରେମଲୀଳା ନୁହେଁ, ଏଥିରେ ଚିତ୍ରିତ ବୃକ୍ଷଲତା, ପୁଷ୍ପରାଜି ଓ ପଶୁପକ୍ଷୀ ସାଙ୍ଗକୁ ବେଶ ପରିପାଟୀ, କେଶବିନ୍ୟାସ ଓ ରଙ୍ଗ ବିନ୍ୟାସ ଆଦି ଓଡ଼ିଶାର ଚିତ୍ରକଳା ଶୈଳୀକୁ ନେଇ ପହଞ୍ଚେଇ ଦେଇଛି ବିଶ୍ୱ ଦରବାରରେ।
ଗୀତଗୋବିନ୍ଦର କାନ୍ତକୋମଳ ପଦାବଳୀ କେବଳ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତର ଆଧାର ନୁହେଁ, ପୃଥିବୀର ଏହା ବହୁ ଭାଷାରେ ଅନୁବାଦିତ ଓ ଆଦୃତ। ସମଗ୍ର ବିଶ୍ୱରେ ଏହା ଏକ ଅନନ୍ୟ, ଅନୁପମ ଓ ଅମଳିନ କୃତି। ଗୀତଗୋବିନ୍ଦ ଭଳି ଏହା କ୍ଷୁଦ୍ର ଗୀତିକାବ୍ୟ ରଚନା କରି ଜୟଦେବ ଯେଭଳି ଖ୍ୟାତି ଓ ଅମରତ୍ୱ ଲାଭ କରିଛନ୍ତି, ତାହା ସମ୍ଭବ ହୋଇପାରିନି ପୃଥିବୀର ଅନ୍ୟ କୌଣସି କବିଙ୍କ ଭାଗ୍ୟରେ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri