କରୋନା ଓ ଅସ୍ପୃଶ୍ୟ ମଣିଷ

ଗଣେଶ୍ୱର ନାୟକ

ଭାରତରେ ଇଂରେଜମାନଙ୍କୁ ତଡ଼ିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ବିଶାଳ ଆନ୍ଦୋଳନ ଚଳାଇଥିଲେ, ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ବି ଏହି ଆନ୍ଦୋଳନର ଏକ ଅଂଶ ଥିଲା। ସେ ସମସ୍ତଙ୍କୁ ବୁଝାଇବାକୁ ଲାଗିଥିଲେ, ସବୁ ମଣିଷ ହରିଙ୍କ ସନ୍ତାନ, ସଭିଏ ଅମୃତର ସନ୍ତାନ, କାହାକୁ ଛୁଆଁ ଅଛୁଆଁ ଭେଦଭାବ କରିବାର ଅଧିକାର ମଣିଷର ନାହିଁ। ସର୍ବ ଧର୍ମର ସାର ହେଉଛି ମାନବତାବାଦ। ସେହି ମାନବତାବାଦ ଆଧାରରେ କିପରି କିଛି ମଣିଷକୁ ଅସ୍ପୃଶ୍ୟ କରି ଅଣଦେଖା କରି ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ଦେବା?
ଏହି ଆନ୍ଦୋଳନ କେତେବେଳେ ଅଠର ଖିଅ ପଇତାର ଦାୟରେ ତ, କେତେବେଳେ ବାରହାତ ଖଣ୍ଡାର ଦାୟରେ ବାଁ ଡାଁ ହୋଇଯାଉଥିଲେ ମଧ୍ୟ ଗୀତା, ଭାଗବତର ସାର ମର୍ମକୁ ତୋଳିଧରିଥିଲା, ଯାହା କି ‘ମଣିଷ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ’। ସମାଜ ଚଳାଇବାରେ ସବୁ କର୍ମର ଆବଶ୍ୟକ।  ସେହି କାର୍ଯ୍ୟର ଆଧାର ମଣିଷ, ମଣିଷ ମଧ୍ୟରେ ବିଭେଦ ନୁହେଁ। ସେ ବୁଝାଉ ଥିଲେ ମା’ଟିଏ ମଧ୍ୟ ତାହାର ସନ୍ତାନର ମଇଳାକୁ ହାତରେ ସଫା କରେ। ଏହି ଆନ୍ଦୋଳନକୁ ଓଡ଼ିଶାରେ ମା’ ରମାଦେବୀ, ସରଳା ଦେବୀ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ ଆଦି ଅନେକ ଆଗକୁ ନେଇଯାଇଥିଲେ। ଉତ୍କଳମଣି ଗୋପବନ୍ଧୁ ତ ମଣିଷ, ମଣିଷ ମଧ୍ୟରେ ବିଭେଦକୁ ତ୍ୟାଗ କରିବାକୁ ଯାଇ ନିଜର ପଇତାକୁ ମଧ୍ୟ ତ୍ୟାଗ କରି ଦେଇଥିଲେ। ପରୋପକାରରେ ହିଁ ଉତ୍ତମ ମଣିଷର ସଂଜ୍ଞା ନିହିତ। ଧର୍ମ ଆଧାରରେ, ଜାତି ଆଧାରରେ, ବର୍ଣ୍ଣ ଆଧାରରେ ମଣିଷ, ମଣିଷ ମଧ୍ୟରେ ବିଭେଦ ସୃଷ୍ଟି ହେଲେ ସମାଜର ଉନ୍ନତି କିପରି ସମ୍ଭବ?
କରୋନା ଭୂତାଣୁ ଆଜି ବିଶ୍ୱ ମାନବକୁ ଅସ୍ପୃଶ୍ୟତା ଭିତରକୁ ଠେଲି ଦେଇଛି, ମହତ ଆଦର୍ଶକୁ ପାଥେୟ କରି ନୁହେଁ, ସ୍ବଜୀବନକୁ ଭଲ ପାଇବାରେ, ସମସ୍ତେ, ସମସ୍ତଙ୍କ ପାଇଁ ଅସ୍ପୃଶ୍ୟ।  ପଣ୍ଡିତ ହୁଅନ୍ତୁ, ମୂର୍ଖ ହୁଅନ୍ତୁ, ଜ୍ଞାନୀ ହୁଅନ୍ତୁ, ମାନୀ ହୁଅନ୍ତୁ, ଶିକ୍ଷିତ ହୁଅନ୍ତୁ ବା ଅନ୍ୟ କିଛି, କହିଲେ ଏକ ଭୂତାଣୁ ସମସ୍ତଙ୍କୁ ଜଣାଇଦେଲା ତୁ କେବଳ ନିରୁତା ମଣିଷଟାଏ। ସମାଜରେ ସମସ୍ତଙ୍କର ସମାନ ଅଧିକାର, ଆଉ ମୋତେ ପ୍ରତିହତ କରିବା ପାଇଁ ସବୁ ମଣିଷ ପାଇଁ ସମାନ ପ୍ରକ୍ରିୟା ଆପଣେଇବାକୁ ପଡ଼ିବ। ଭୋଗୀ ସିନା ଆପଣାଏ ବହୁ ବାଛ ବିଚାର, ଆଉ କରୋନା ପାଖରେ ସଭିଏ ସମାନ, କି ମାନୀ, କି ଧନୀ, କି ଆସ୍ତିକ, କି ନାସ୍ତିକ। ନିଜକୁ ସମ୍ମାନ ଦେଉଥିବା ମଣିଷ ହିଁ ଅନ୍ୟକୁ ସମ୍ମାନ ଦେଇପାରେ। ସ୍ବ ସାମର୍ଥ୍ୟକୁ କଳି ପାରୁଥିବା ମଣିଷ ହିଁ, ଅନ୍ୟର ସାମର୍ଥ୍ୟକୁ ସମ୍ମାନ ଦେବାରେ ସମର୍ଥ ହୁଏ। ସକାରାତ୍ମକ ଭିତିରେ ବିଚାର କଲେ, ସବୁ ମଣିଷ ସମାନ ପ୍ରକ୍ରିୟାରେ ଏ ଧରାକୁ ଆସିଥାନ୍ତି, ସମାନ ପ୍ରକ୍ରିୟାରେ ମଧ୍ୟ ଏ ଧରାରୁ ବିଦାୟ ନେଇଥାନ୍ତି।
ଆଜି ଖୁସି ଲାଗେ ଏ କରୋନା ଯୁଦ୍ଧର ଯୋଦ୍ଧା ତଳ ସ୍ତରର କର୍ମଚାରୀଙ୍କୁ ଯେପରି ସମ୍ବର୍ଦ୍ଧିତ କରାଯାଉଛି।
ସେମାନେ ସାରା ସଂସାରକୁ ସ୍ବଚ୍ଛତାରେ ଭରି ଦିଅନ୍ତି।
ସେମାନଙ୍କ ଅନୁପସ୍ଥିତିରେ ଆମେ ଘରୁ ବାହାରିବା, ରାସ୍ତାରେ ଚାଲିବା ଅସମ୍ଭବ ହୋଇ ଉଠନ୍ତା। କିନ୍ତୁ ସମାଜ ଅନେକ ଯୁଗ ହେଲା ସେମାନଙ୍କୁ ଆର୍ଥିକ, ସାମାଜିକ ସ୍ତରରେ ବହୁ ଅବହେଳା କରି ଆସିଛି। ସବୁ ମଣିଷ ଆତ୍ମ ସମ୍ମାନର ସହିତ ବଞ୍ଚତ୍ବାକୁ ଚାହେଁ। ଆମର ଆତ୍ମ ସମ୍ମାନ କ୍ଷୁଣ୍ଣ ହେଲେ, ଆମ ମନରେ ଅନେକ ଆଘାତ ସୃଷ୍ଟି ହୁଏ। ଆମେ ଯେପରି ସମାଜଠାରୁ ସମ୍ମାନ ଆଶା କରୁ, ଅନ୍ୟମାନେ ସେପରି ସମାଜଠାରୁ ସମାନ ସମ୍ମାନ ଆଶା କରନ୍ତି। ଆମର କେଉଁ ଅଧିକାର ଅଛି କାହାକୁ ଅଛୁଆଁ ବୋଲାଇବାରେ। ଅନେକ ବର୍ଷ ଧରି, ଆମର କେଉଁ ଅଧିକାର ଅଛି କାହାକୁ ଠାକୁର ଦର୍ଶନ କରିବାରେ, ମନ୍ଦିରକୁ ଯିବାରେ ବାଧା ଦେବାକୁ ? ସତରେ କ’ଣ ଆମେ, ଜନ୍ମ ହେଲା ବେଳେ ସୁନା ଚାମଚ ପାଟିରେ ଧରି ଆସିଥିଲେ ନା ସୌଭାଗ୍ୟବଶତଃ ସମାଜ ବୋଲାଉଥିବା ଏକ ଉଚ୍ଚ ଜାତିରେ ଜନ୍ମ ହୋଇଯାଇଛେ?
ଉପଯୁକ୍ତ ଶିକ୍ଷା ଓ ଆର୍ଥିକ ଦିଗରେ ସ୍ବଚ୍ଛଳତା ହିଁ ସବୁ ମଣିଷର ସ୍ବାଭିମାନକୁ କିଛି ମାତ୍ରାରେ ଊର୍ଦ୍ଧ୍ୱକୁ ତୋଳିଧରେ। ସୁକର୍ମ ହିଁ ମଣିଷର ପରିଚୟ ସୃଷ୍ଟିକରେ, ଜାତି ନୁହେଁ, ବର୍ଣ୍ଣ ନୁହେଁ। ବିଜ୍ଞଜନଙ୍କ ସେଦିନର ଆହ୍ବାନ, ମଣିଷ ପରସ୍ପରକୁ ଛୁଇଁବାକୁ, ଆଜି କରୋନାର ତାଡ଼ନାରେ ସମୟର ଆହ୍ବାନ ମଣିଷ ପରସ୍ପର ନ ଛୁଇଁବାକୁ। ସେଦିନର ଅଛୁଆଁ ମନର ଭାବନା ମାତ୍ର, ଆଜିର ପରସ୍ପରକୁ ଅଛୁଆଁ ବିଜ୍ଞାନ ସମ୍ମତ..।

ସିଷ୍ଟମ୍‌ ଆଡ୍‌ମିନ,
ଜୀବନ ବୀମା କାର୍ଯ୍ୟାଳୟ, ଯାଜପୁର
ମୋ-୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri