କନକ ଉପତ୍ୟକାରେ ବିକାଶ

ଦିଲୀପ କୁମାର ଦାଶ
ମନକୁ ପ୍ରଥମ ପ୍ରଶ୍ନ ଆସେ – ‘କନକ’ ଉପତ୍ୟକା କେଉଁଠି? ଉତ୍ତର ଭାରି ସହଜ। ସେଇଟା ଏବେ ବିକାଶର ନୂଆ ଠିକଣା। ଚାରିପଟେ ପାହାଡ଼ ଘେରା, ମଝିରେ ଏକ ସମତଳ ଭୂଇଁ। ସେଠାରେ ଅନେକ ପାହାଡ଼, ଅନେକ ଜଙ୍ଗଲ, କେତେ ଫୁଲ ଆଉ ଫଳ। ପାହାଡ଼ ପାଖେ ପାଖେ ବୋହି ଯାଉଥିବା ଝେଲମ୍‌ର କୁଳୁ କୁଳୁ ନାଦ ସତରେ ମନଜିଣା। ପାଇନ ଆଉ ଋତୁ ଅନୁଯାୟୀ ରଙ୍ଗ ବଦଳାଉଥିବା ଚିନାର ଜଙ୍ଗଲ ଅତି ସୁନ୍ଦର। ସେଠାର ସେଓ, ନାସପାତି, ଚେରିକୋଳିର ସ୍ବାଦ ନିଆରା। ଉପତ୍ୟକା ମଝିରେ ଏକ ବିଶାଳ ହ୍ରଦ। ହ୍ରଦର ପଦ୍ମଫୁଲ, ପତ୍ର ଆଉ କଢ଼ି ଭିତର ଦେଇ ଭାସି ଯାଉଥିବା ଶିକାରାର ଦୃଶ୍ୟ ମନୋମୋହକର। ନଦୀ ବା ହ୍ରଦର ପାଣି ଉପରେ ଭାସୁଥିବା ନୌକାଘର ପରିରାଇଜର କାହାଣୀ ଭଳି। ନଭେମ୍ବର-ଡିସେମ୍ବରରେ ଯେତେବେଳେ ଶୀତ ମାଡିଆସେ ଆଉ ତୁଷାରପାତ ହୁଏ, ଲାଗେ ଯେମିତି କିଏ ଗୋଟିଏ ଧଳା ଚଦରରେ ଘୋଡାଇ ଦେଇଛି ପୂରା ଉପତ୍ୟକାକୁ। ସ୍ନିଗ୍ଧ ହିମାଳୟ ଉପରୁ ଉଦିତ ସୂର୍ଯ୍ୟର ସୁନେଲି କିରଣ ବରଫ ଉପରେ ଯେଉଁ ସ୍ବର୍ଣ୍ଣିମ ଝଲକ ସୃଷ୍ଟି କରେ ସେ ଦୃଶ୍ୟ ସ୍ବପ୍ନାତୀତ। ଇଏ କନକ ଉପତ୍ୟକା ନୁହେଁ ତ ଆଉ କ’ଣ! ‘ଭୂସ୍ବର୍ଗ’ କହିବା ଅତ୍ୟୁକ୍ତି ନୁହେଁ। ଏମିତି ଜାଗାକୁ ‘ବିକାଶ’ ବା ନ ଯିବ କେମିତି!
କନକ ଉପତ୍ୟକାରେ ଲୋକ ବି ରହନ୍ତି – ନାନା ଜାତି, ଧର୍ମ ତଥା ସଂସ୍କୃତିର ଲୋକ। କିଏ ହିନ୍ଦୁ, କିଏ ମୁସଲମାନ ତ କିଏ ବୌଦ୍ଧ, ଖ୍ରୀଷ୍ଟିଆନ, ଶିଖ୍‌, ପହାରୀ, ଗୁଜ୍ଜର, ଡୋଗ୍ରା ଇତ୍ୟାଦି। ସବୁରି ଭାଷା ଆଉ ଚଳଣି ଅଲଗା। ସେଓ, ନାସ୍‌ପାତି, ବାଦାମ, କେଶର ଆଦି ଚାଷ କରିବା ସହ, ହସ୍ତ ଶିଳ୍ପ ଏବଂ କୁଟୀର ଶିଳ୍ପ ସେଠାର ଜୀବନଯାପନର ମାଧ୍ୟମ। ତା’ ପଶମ ଲୁଗାର ଅନେକ ଚାହିଦା। ତା’ଛଡା ବୁଲି ଆସୁଥିବା ପରଦେଶୀର ଆତିଥ୍ୟ ମଧ୍ୟ ଏକ ପେସା। ପାହାଡ଼ି ମୁଲକର ସୌନ୍ଦର୍ଯ୍ୟ, ସମ୍ପଦ ଆଉ ଆତିଥ୍ୟ ସବୁବେଳେ ଆକର୍ଷଣ କରିଛି ସମସ୍ତଙ୍କୁ। ଏଥିରେ ନୂଆ କ’ଣ! ଏହି ଆକର୍ଷଣ ହେଉଛି ତା’ ଇତିହାସର ଆଧାର। ଆକର୍ଷିତ କେତେବେଳେ ବିମୁଗ୍ଧ ହୋଇ ସ୍ଥାନୀୟ ସ୍ରୋତରେ ସାମିଲ ହୋଇଛି ତ କେତେବେଳେ ପ୍ରଲୋଭନ ଦେଖାଇଛି ବା ବଳ ପ୍ରୟୋଗ କରିଛି। ତା’ପରେ ନାନା କନ୍ଦଳ। ମାଟି ତା’ ମଣିଷର। ମାଟି ପ୍ରତି ମମତାରୁ ସ୍ଥାନୀୟ ଜାତୀୟତାବାଦର ଆରମ୍ଭ ଏବଂ ପରେ କେତେ ଲଢ଼େଇ ଆଉ ଉଗ୍ରବାଦୀ ହିଂସାର ପ୍ରତିଯୋଗିତା। ଲହୁଲୁହାଣ ସେ ଇତିହାସ। ଆଉ ଆଜି ବିକାଶ ଆକର୍ଷିତ ହୋଇଛି।
ପାହାଡ଼ଜଙ୍ଗଲ ଭରା ସବୁଜ ଇଲାକା ଦ୍ୱାରା ବିକାଶ ଆକର୍ଷିତ ହୁଏ। ନଦୀ ଆଉ ତା’ର ପଠା ଦ୍ୱାରା ବିକାଶ ଆକର୍ଷିତ ହୁଏ। ଭରା ସବୁଜ କ୍ଷେତ, ଗାଁ-ଗଣ୍ଡା, ହ୍ରଦ, ତୋଟା ଇତ୍ୟାଦି ସମସ୍ତଙ୍କ ଦ୍ୱାରା ବିକାଶ ଆକର୍ଷିତ ହୁଏ। ନର୍ମଦା ଉପତ୍ୟକାରୁ ନିୟମଗିରି-ଆକର୍ଷିତ ବିକାଶର ଯାତ୍ରା ଜାରି ରହିଛି। ଏବେ କନକ ଉପତ୍ୟକାର ବାରି।
କିଏ ଏହି ବିକାଶ? ବିକାଶ ଆଧୁନିକ ସଭ୍ୟତାର ଆଗୁଆ ସିପାହୀ। ସେ ଭବିଷ୍ୟତରୁ ଆସିଛି। ସେ ସୁନ୍ଦର ସମୟର ପ୍ରତିଶ୍ରୁତି- ଭଲ ଦିନର ଠିକାଦାର। ବିକାଶକୁ ଚିହ୍ନିବାକୁ ହେଲେ ତା’ ସମୟକୁ ଚିହ୍ନିବାକୁ ହେବ। ସେ ସମୟ କଦାପି ଅତୀତ ବା ବର୍ତ୍ତମାନର ଆକଳନ ନୁହେଁ, ତାହା ଭବିଷ୍ୟତ। ବିକାଶ ପାଇଁ ସ୍ଥାନୀୟତାରେ ସ୍ଥାନୀୟ ଇତିହାସର ଆକଳନ ନ ଥାଏ। ସେଥିରେ କେବଳ ମାଟି, ପାଣି, ପଥର ଆଉ ଜଙ୍ଗଲ ଥାଏ, ଯାହା ଭବିଷ୍ୟତ ଗଢ଼ିବାର ଆଧାର। କିନ୍ତୁ ଇତିହାସର ଆକଳନ ଅନେକ ଜଟିଳତାର ପୋଥି ଖୋଲିଦିଏ। ଜଟିଳତା ଆଲୋଚନା ଦାବି କରେ। ସେ ଆଲୋଚନାରେ ଅନେକ ଲୋକ, ଅନେକ ସଂସ୍କୃତି, କିମ୍ବଦନ୍ତୀ ତଥା କେତେ ଝଡ଼ ଆଉ ଉତ୍ଥାନ-ପତନର କାହାଣୀମାନେ ଥାଆନ୍ତି। ଅନେକ ପକ୍ଷ ଓ ପ୍ରତିପକ୍ଷ ଥାଆନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟେକଙ୍କୁ ଉତ୍ତରଦାୟୀ ହେବାକୁ ହୁଏ। ତେଣୁ ପ୍ରତ୍ୟେକ ଇତିହାସ ଆଗରେ ବିକାଶ ବିଚଳିତ ହୁଏ। କାରଣ ପ୍ରାଚୁର୍ଯ୍ୟ ଓ ଉପଭୋଗର ଉଦ୍ଦାମତ୍ତାରେ ମସ୍‌ଗୁଲ ଭବିଷ୍ୟତର ରୂପକାର ଛୋଟ ଦେଖାଯିବାର ବା ଦୁର୍ବଳ ହୋଇଯିବାର ଭୟ ଥାଏ। ବିକାଶ କେବେ ଛୋଟ ହୋଇ ନପାରେ। ସେଇଟା ତା’ର ଦମ୍ଭ, ସେଇଟା ତା’ର ଏକମାତ୍ର ପରିଚୟ ମଧ୍ୟ। ତା’ ବିନା ତା’ର ଇୟତ୍ତା ନାହିଁ। ଦୁର୍ବଳ ଭବିଷ୍ୟତର ମୂଲ୍ୟ ବା କ’ଣ! ତେଣୁ ବିକାଶ ଭଲ ସମୟର ସ୍ବପ୍ନ ଦେଖାଏ ଆଉ ଇତିହାସକୁ ନିୟନ୍ତ୍ରଣ କରିବାର ପ୍ରଚେଷ୍ଟା ଜାରି ରଖେ।
ସ୍ବପ୍ନର ବିପଣି ନେଇ ବିକାଶ ଯାଇଛି। ଠିକ୍‌ ସେମିତି, ଯେମିତି ଏହା ଯାଇଛି ତା’ର ସବୁ ପୁରୁଣା ଗନ୍ତବ୍ୟସ୍ଥଳକୁ- କିଛି ପ୍ରଲୋଭନ ତଥା କିଛି ଦମନ ନେଇ। ଦମନ ଅତୀତ ପ୍ରତି ଉଦାସୀନତା ଏବଂ ବର୍ତ୍ତମାନକୁ ନିୟନ୍ତ୍ରଣ କରିବାର ପ୍ରୟାସ ମାତ୍ର। ତା’ ହିସାବରେ ଭଲ ସମୟ ତ ଆସୁଛି। ଦମନ ସାମୟିକ ମାତ୍ର। ସେଠି ପାହାଡ଼ ଚିରି ପ୍ରଶସ୍ତ ରାସ୍ତା ତିଆରି ହେବ; ରେଳପଥ ବିଛାଯିବ; ସୁଉଚ୍ଚ ଅଟ୍ଟାଳିକା ହେବ; ମଲ୍‌ ଆଉ ମଲ୍ଟିପ୍ଲେକ୍ସ ଗଢ଼ିଉଠିବ; ନୂଆ ନୂଆ କମ୍ପାନୀ ଯିବେ; ପୁଞ୍ଜି ବିନିଯୋଗ ହେବ; ନଦୀ ବନ୍ଧ, କାରଖାନା ଏମିତି ଅନେକ କିଛି ଗଢ଼ିଉଠିବ। ଚାକିରି ମିଳିବ। ଉପତ୍ୟକାର ବେକାର ଆଉ ପରଦେଶ ଯିବନି। ଏମିତି ଅନେକ ସ୍ବପ୍ନ। ହଁ, କିଛି ପାହାଡ଼, କିଛି ଜଙ୍ଗଲ, କିଛି ନଦୀ, ହ୍ରଦ, କିଛି ଫୁଲ, କିଛି ପ୍ରଜାପତି, ଚଢ଼େଇ ଆଦି ବଳି ପଡ଼ିବେ। କିଛି ପାଉଣା ତ ଦେବାକୁ ହେବ। ଧୂଆଁ, ଧୂଳି ଆଉ ସିମେଣ୍ଟର ଜଙ୍ଗଲ ଭିତରେ ବିକାଶର ଦୁନ୍ଦୁଭି ବାଜିଉଠିବ। ଭଲ ସମୟ ପରା ଆସୁଛି!
ଭଲ ସମୟର ଉଗ୍ର ପ୍ରଲୋଭନ ବିକାଶର ଏକମାତ୍ର ଚରିତ୍ର-ପ୍ରମାଣପତ୍ର। କନକ ଉପତ୍ୟକା ପ୍ରଲୋଭିତ ହେବ ତ? ନା ତା’ର ଇତିହାସ ବାଟ ଓଗାଳିବ? ନା ତା’ର ଇତିହାସ ଆଲୋଚନାକୁ ଆହ୍ବାନ କରିବ? ଯେଉଁ ଆଲୋଚନାରେ ଥିବ ସବୁ କନ୍ଦଳର ଭାଗବତ, ପୁଞ୍ଜିଭୂତ ବେଦନାର ବିଶ୍ଳେଷଣ, ମୃତ ବା ନିଖୋଜ ମଣିଷ ପାଇଁ ସାମୂହିକ ଶୋକ, ଉତ୍ପୀଡ଼ନର ହିସାବ, ତଥା ଅତୀତ-ବର୍ତ୍ତମାନ-ଭବିଷ୍ୟତର ସମନ୍ବୟରେ ସମୟର ଠିକ୍‌ ସମୀକରଣ! କେଉଁ ଅତୀତ ପ୍ରତି ଉଦାସୀନ ହେବ? ବୀଭତ୍ସ ଅତୀତ ପରା ପ୍ରତି ମୁହୂର୍ତ୍ତରେ ଗଢ଼ା ହେଉଛି ବର୍ତ୍ତମାନର ଦମନ ଭିତରୁ! ତା’ର ପ୍ରତିଫଳନ ବିନା ବାକିସବୁ ଔପଚାରିକତା ଅନେକ ଉପତ୍ୟକାର କାହାଣୀ। ବିକାଶର ରଥଚକ ତଳେ ହଜିଯିବ ଭଲ ସମୟର ପ୍ରତିଶ୍ରୁତି। ବିସ୍ଥାପିତ ହେବ ପ୍ରକୃତି, ମଣିଷ, ସମାଜ, ସଂସ୍କୃତି ଏବଂ ଶେଷରେ ସ୍ମୃତି। ଆଉ ଭବିଷ୍ୟତର ନିର୍ମାଣ-କ୍ଷେତ୍ରରେ ଠିକା-ଶ୍ରମିକମାନଙ୍କ ଆଡକୁ ଅନେଇ ହସୁଥିବ ବିକାଶ।
ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, dilliphcu@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri