Posted inଫୁରସତ

କଣ୍ଠେ ତୁଳସୀ ମୁଖେ ରାମ

ଲୋକକଳାର ଆରମ୍ଭ କାହିଁ କେଉଁ କାଳରୁ । ବିଶେଷକରି ସାଧାରଣ ନିରକ୍ଷରଙ୍କଠାରୁ ଆରମ୍ଭ କରି ଶିକ୍ଷିତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯେତେବେଳେ ଟିକେ ଅବସର ମିଳେ ସେତେବେଳେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଚିତ୍ତ ବିନୋଦନ କରିଥାନ୍ତି। ଏହା ସାମାଜିକ ଜୀବନରେ ପ୍ରଭାବ ପକାଇଥାଏ। ଗାଁ ଦାଣ୍ଡରେ ବିଭିନ୍ନ ସମୟରେ ପାରମ୍ପରିକ ଲୋକକଳା ଦେଖିବାକୁ ମିଳେ। ମାତ୍ର ଏମିତି କିଛି ଲୋକକଳାକୁ ବଞ୍ଚାଇ ରଖିଛନ୍ତି ହାତଗଣତି କେତେକ ଗୋଷ୍ଠୀ। ଯେମିତି ପୌରାଣିକ ବିଷୟ ଉପରେ ଆଧାରିତ ଜାନୁଘଣ୍ଟିଆ ପରମ୍ପରା। ଆମ ଐତିହ୍ୟ ଓ ଲୋକକଳାର ଏକ ନିଆରା ପରିଚୟ, ଯାହା ଏବେ ବିଲୁପ୍ତପ୍ରାୟ। ଏହି କଳାର ଲୋକକଥାରେ ରହିଛି ଧର୍ମବିଶ୍ୱାସ। ଏଥିରେ ମୁଖ୍ୟତଃ ଜାନୁଘଣ୍ଟ ପର୍ଶୁରାମଙ୍କ ବୀରଠାଣି , ବୀରକୁହାଟ ଓ ବଚନିକାରେ ଶୁଣିବାକୁ ମିଳିଥାଏ ପୁରାଣ ଗ୍ରନ୍ଥର ବାଣୀ । ଏପରି ପରମ୍ପରା ଓ ପ୍ରଥାରେ ଚଳିଆସୁଥିବା ଗୋଷ୍ଠୀଙ୍କ ପରିଚୟ ସ୍ବତନ୍ତ୍ର। ଏମାନେ ଧର୍ମ ପ୍ରଚାରକ, ସମାଜ ମଙ୍ଗଳ ନିମନ୍ତେ କେତେକ ଧର୍ମବାଣୀକୁ ପ୍ରଚାର କରିଥାନ୍ତି। ତେବେ ଏପରି ସଂସ୍କୃତିକୁ ବଞ୍ଚାଇ ରଖିଥିବା ଗୋଷ୍ଠୀଙ୍କୁ ବିଶେଷକରି ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳେ।

ପୌରାଣିକ ବିଷୟ- ସତ୍ୟଯୁଗରେ ଜଣେ ରାଜା ନିଜ ଦେଶରେ ସୁଶାସନ କରି ସୁକୀର୍ତ୍ତି ଅର୍ଜନ କରିଥିଲେ। ଋଷି ପ୍ରତିମ ଏହି ରାଜା ଲୋକ କଲ୍ୟାଣକୁ ଆପଣେଇ ଭୋଗ ଅପେକ୍ଷା ତ୍ୟାଗରେ ବିଶ୍ୱାସ କରୁଥିବାର ଆଦର୍ଶ ଅତ୍ୟନ୍ତ ମହନୀୟ। ପ୍ରଜାମାନଙ୍କ ପାଇଁ ଆଡ଼ମ୍ବରଶୂନ୍ୟ ଭିକ୍ଷୁ ବେଶରେ ଜାନୁରେ ଘଣ୍ଟି ବାନ୍ଧି ଇଷ୍ଟଦେବ ସୂର୍ଯ୍ୟଙ୍କ ସ୍ମରଣକରି ରାଜା ଥାଳ ଧରି ଭିକ୍ଷାଂ ଦେହି କରୁଥିଲେ। ଜାନୁରେ ଘଣ୍ଟି ବାନ୍ଧି ଭିକ୍ଷା କରିଥିବାରୁ ସାଧାରଣରେ ସେ ଜାନୁଘଣ୍ଟିଆ ନାମରେ ପରିଚିତ ହେଲେ। ଗବେଷକ ଅନନ୍ତରାମ କର କୁହନ୍ତି, ପୁରାଣ ପୃଷ୍ଠାରେ ଉଲ୍ଲେଖ ଅଛି ଯେ, ଏକଦା ତ୍ରିପୁର ବିଜୟୀ ପର୍ଶୁରାମ କ୍ଷତ୍ରିୟ ବଂଶ ନିପାତ କରି ଫେରୁଥିବାବେଳେ ଶ୍ରୀରାମଚନ୍ଦ୍ରଙ୍କ ସହିତ ମୁହାଁମୁହିଁ ହୋଇଥିଲା। ଠିକ୍‌ ସେତିକି ବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ଶିବ ଧନୁଭାଙ୍ଗି ମା’ସୀତାଙ୍କୁ ଧରି ଫେରୁଥିଲେ। ସେହି ସମୟର ରାମ ଓ ପର୍ଶୁରାମଙ୍କ ମଧ୍ୟରେ ବାକ୍ୟ ବିନିମୟର ଶବ୍ଦାବଳୀକୁ ନେଇ ଜାନୁଘଣ୍ଟିଆ ପରମ୍ପରା ରହିଛି। ଏହି ପରମ୍ପରାରେ ପ୍ରଭୁ ଶ୍ରୀରାମ ଓ ପର୍ଶୁରାମଙ୍କ ମଧ୍ୟରେ ବାର୍ତ୍ତଳାପ ବା ବଚନିକାଗୁଡ଼ିକୁ ବୀର ରସ, ଛାନ୍ଦ, ଚୌପଦୀ ମାଧ୍ୟମରେ ଆବୃତ୍ତି କରି ସାମରିକ ଠାଣିରେ ସମରକଳା ପ୍ରଦର୍ଶନପୂର୍ବକ ଉଚ୍ଚସ୍ବରରେ ବାରମ୍ବାର ଗାନ କରାଯାଏ। ଦୁଇଜଣ ଯଥା-ରାମ ଓ ପର୍ଶୁରାମଙ୍କ ଭୂମିକାରେ ଫାର୍ଶାଧରି ବାକ୍ୟାଳାପ କରିଥାନ୍ତି। ଗଞ୍ଜାମର ଘୁମୁସର ଅଞ୍ଚଳର ବାଲିପଦର ଗ୍ରାମରେ କଳ୍ପତରୁ ଦାସଙ୍କର ରାମାୟଣ ରଚନାରୁ କିଛି ପଂକ୍ତି ଏମାନେ ବୋଲିଥାନ୍ତି। ଏହି ସବୁ କଥୋପକଥନ ରାମାୟଣରେ ବର୍ଣ୍ଣିତ ରାମ-ପର୍ଶୁରାମଙ୍କ ଭେଟ ସମୟର ବୋଲି ସେ କୁହନ୍ତି। । ଏଥିରେ ରାମାୟଣ କଥା ଯୋଡ଼ିହୋଇଥିବା ବେଳେ ଶିବଙ୍କ କୃପାଲାଭ କଥା ରହିଛି। ଜାନୁଘଣ୍ଟିଆ ଜାନୁରେ ଘଣ୍ଟି ବାନ୍ଧି ଦେଶ ଦେଶ ବୁଲି ରାମ ନାମ ପ୍ରଚାର କରି ଧର୍ମଦାଣ୍ଡରେ ତିନି ଦ୍ୱାରରୁ ଭିକ୍ଷା ଗ୍ରହଣ କରୁଥିଲେ। ଶାରଳା ମହାଭାରତରେ ଜାନୁଘଣ୍ଟ ସମ୍ପର୍କରେ ଉଲ୍ଲେଖ ଅଛି। ସତ୍ୟଯୁଗରେ ଜଣେ ଚକ୍ରବର୍ତ୍ତୀ ମହାରାଜା ଜାନୁଘଣ୍ଟ ନାଁରେ ମଧ୍ୟ ପରିଚିତ ଥିଲେ।

ପାରମ୍ପରିକ ପ୍ରଥା-: ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଗୋବରା ଗ୍ରାମପଞ୍ଚାୟତ ଷଡ଼ଙ୍ଗୀପଲ୍ଲୀ ଗାଁର ଗୋଲକ ଦାସ (୭୫) କୁହନ୍ତି, ବାପ ଗୋସାପ ଅମଳରୁ ଆମର ଏହି ପରମ୍ପରା ଚଳିଆସୁଛି। ପୁରୁଷମାନେ ଜାନୁରେ ଘଣ୍ଟି ବାନ୍ଧିବା ତାଙ୍କର କୌଳିକ ପରମ୍ପରା । ଉତ୍ତରାଧିକାରୀଙ୍କ ମଧ୍ୟରୁ କେହି ଜଣେ ଯଦି ଜାନୁରେ ଘଣ୍ଟି ନ ବାନ୍ଧେ, ତା’ହେଲେ ବଂଶରେ ବିପଦ ପଡ଼ିବାର ଏକ ଅହେତୁକ ଭୟର ଆଶଙ୍କା ରହିଥାଏ। ତେଣୁ ବଂଶାନୁକ୍ରମିକ ଭାବେ ସମସ୍ତଙ୍କ ମଙ୍ଗଳ ପାଇଁ ପରମ୍ପରାରେ ପରିଚାଳିତ ହୋଇଥାଉ। ଆମର ଗାର୍ହସ୍ଥ୍ୟ ଧର୍ମ ରହିଛି। ଗୁରୁଶିଷ୍ୟ ପରମ୍ପରା ମଧ୍ୟ ରହିଛି। ଯଦି କୌଣସି ଜାନୁଘଣ୍ଟିଆ ପରିବାର ଅପୁତ୍ରକ ହୁଏ ସେ କୌଣସି ଜାତିରୁ ଶିଷ୍ୟ ନିର୍ବାଚନ କରି ଆଣି ତାକୁ ଜାନୁଘଣ୍ଟିଆ ଦୀକ୍ଷାରେ ଦୀକ୍ଷିତ କରିଥାଏ। କୌଣସି ଗୃହସ୍ଥ ତା’ର ପୁତ୍ର ସନ୍ତାନକୁ ଜାନୁଘଣ୍ଟିଆ କରିବା ପାଇଁ ମାନସିକ କରିଥାନ୍ତି ତେବେ ଉକ୍ତ ସନ୍ତାନକୁ ଜାନୁଘଣ୍ଟ ଦୀକ୍ଷା ଦେଇଥାନ୍ତି। ଗୃହକର୍ତ୍ତା ଗୁରୁ ଶିଷ୍ୟ ଉଭୟଙ୍କୁ ନୂଆ ଲୁଗା, ଅରୁଆ ଚାଉଳ,ଦକ୍ଷିଣା, ଘଣ୍ଟ, ଥାଳ ଇତ୍ୟାଦି ଯୋଗାଇଥାନ୍ତି। ଜାନୁଘଣ୍ଟିଆ ପରମ୍ପରାରେ ପ୍ରଥମ ଶିଷ୍ୟର ଆତ୍ମଶୋଧନ ପାଇଁ ବୈଷ୍ଣବ ଗୁରୁମନ୍ତ୍ର ଦେବା ପରେ ଗାଦିପୀଠରେ ଦଶାବତାର ଥାଳରେ ନୂଆଘଣ୍ଟିକୁ ଛୁଆଁଇ ଶ୍ଳୋକ ଉଚ୍ଚାରଣ ପୂର୍ବକ ଗୁରୁ ତାଙ୍କ ଶିଷ୍ୟଙ୍କ ଜାନୁରେ ବାନ୍ଧିଥାଆନ୍ତି। ତା’ପରେ ଜାନୁଘଣ୍ଟ ଦୀକ୍ଷାରେ ଦୀକ୍ଷିତ ଶିଷ୍ୟ ସେହି ଗୁରୁଙ୍କ ସହ ତିନି ଘର ବା ତିନି ସାହି କିମ୍ବା ତିନି ଗାଁ ବୁଲି ମୁକ୍ତ ଭିକ୍ଷା ମାଗିବା ପରେ ସେହି ଭିକ୍ଷାକୁ ଗୁରୁଦକ୍ଷିଣା ଭାବେ ପ୍ରଦାନ କରିଥାଏ। ଜାନୁଘଣ୍ଟ ଦୀକ୍ଷାରେ ଦୀକ୍ଷିତ ଶିଷ୍ୟଟି କୋଦଣ୍ଡଧାରୀ ରାମଙ୍କ ବେଶରେ ସଜେଇ ହୋଇ ଗାଁ ପରିକ୍ରମା କରେ। ଯଦି ଶିଷ୍ୟ ଜଣକ ପ୍ରତିଦିନ ଏ ବୃତ୍ତି କରି ନ ପାରିବ ତେବେ ନିଜର ଥାଳ ଓ ଘଣ୍ଟି ଗୁରୁଙ୍କୁ ପ୍ରଦାନ କରି ଋଣମୁକ୍ତ ହୁଏ।

ରୀତିନୀତିିି-: କଳା ,ସଂସ୍କୃତି ଓ ପରମ୍ପରା ଗୋଟିଏ ଜାତିର ଜୀବନସତ୍ତାର ପ୍ରତୀକ ତଥା ସଭ୍ୟତା ଓ ବିକାଶର ପରିଚୟ ଦେଇଥାଏ। ଐତିହାସିକ ପ୍ରଫେସର ଅଶୋକ କୁମାର ରଥ କୁହନ୍ତି, ଜୈନଧର୍ମ ସହିତ ଏମାନଙ୍କ ଜୀବନଶୈଳୀରେ ଅନେକ ସାମଞ୍ଜସ୍ୟ ରହିଛି। ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କ ପକ୍ଷରୁ ଜାନୁଘଣ୍ଟିଆ ପର୍ଶୁରାମ ନୃତ୍ୟ ଦେଖିବାକୁ ମିଳେ । ଏମାନେ ଛୋଟବଡ଼ ସହର ବଜାର ସମେତ ଗାଁ ଗାଁରେ ଧାର୍ମିକ ମନୋରଞ୍ଜନକୁ ପୁରୁଷାନୁକ୍ରମେ ଦେଖାଇଥାନ୍ତି। ଜାନୁଘଣ୍ଟିଆମାନେ ଗାଁ ପରିକ୍ରମା କଲେ ଗାଁର ମଙ୍ଗଳ ହୁଏ ବୋଲି ଲୋକକଥା ରହିଛି। ଜାନୁଘଣ୍ଟିଆ ପରିବାରର ସଦସ୍ୟ ଏହି କୌଳିକ ପ୍ରଥାକୁ ପାଳନ ବେଳେ ନିଜର ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି। ବିଶେଷକରି ଅମାବାସ୍ୟା, ଏକାଦଶୀ, ସଂକ୍ରାନ୍ତି, ପୂର୍ଣ୍ଣିମାରେ ଏମାନେ ଘରୁ ବାହାରିଥାନ୍ତି। ଜାନୁଘଣ୍ଟିଆ ଯଦି ଘରୁ ଗୋଡ଼ କାଢ଼ନ୍ତି, ତେବେ ୯, ୧୭ କିମ୍ବା ୨୧ଦିନ ପରେ ଘରକୁ ଫେରିଥାନ୍ତି। ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାବେଳେ ସ୍ବାଭିମାନୀ ଜାନୁଘଣ୍ଟିଆ ଗଁା ଦାଣ୍ଡେ ଦାଣ୍ଡେ ଯାଆନ୍ତି । କିନ୍ତୁ ଭିକ୍ଷା ପାଇଁ କାହାର ଦ୍ୱାରସ୍ଥ ହୁଅନ୍ତି ନାହିଁ । ଘଣ୍ଟିବାଦ୍ୟ ଶୁଣି ଦାତାମାନେ ଧର୍ମଦାଣ୍ଡରେ ଦାନ କରିଥାନ୍ତି। ଦିନସାରା ଭିକ୍ଷା କରିଥାନ୍ତି, ମାତ୍ର ସୂର୍ଯ୍ୟାସ୍ତ ପରେ ଭିକ୍ଷା ଗ୍ରହଣ କରନ୍ତି ନାହିଁ। କେତେକେ ମଧ୍ୟ ଅନ୍ୟ ଦିନମାନଙ୍କରେ ଝଡ଼ାଫୁଙ୍କା ଓ ଚେରମୂଳି ଔଷଧ ତଥା ପଞ୍ଚାମୃତ, ଚରୁ ଆଦି ଆୟୁର୍ବେଦିକ ଦ୍ରବ୍ୟ ଲୋକଙ୍କୁ ପ୍ରଦାନ କରିଥାନ୍ତି। ଏହାଦ୍ୱାରା ସେମାନେ ସେହି ଦିନଗୁଡ଼ିକରେ ଜୀବିକା ଅର୍ଜନ କରିଥାନ୍ତି। ଏମାନେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ପରମ ଆରାଧ୍ୟ ଦେବତା ରୂପେ ପୂଜା କରିଥାନ୍ତି।

ବେଶଭୂଷା-: ବୈଷ୍ଣବ ବେଶରେ ଜାନୁଘଣ୍ଟିଆମାନେ ବିଚରଣ କରନ୍ତି । ବେଲଗୁଣ୍ଠା ଷଡ଼ଙ୍ଗୀପଲ୍ଲୀ ଗାଁର ସନ୍ତୋଷ ଦାସ କୁହନ୍ତି, ଜାନୁଘଣ୍ଟିଆଙ୍କ କପାଳରେ ଚନ୍ଦନ କିମ୍ବା ଶୁଭ୍ରରଙ୍ଗର ରାମାନନ୍ଦୀ ଚିତା, ଚିତା ମଧ୍ୟରେ ବୀରତ୍ୱଭାବର ପ୍ରତୀକ ସିନ୍ଦୂର ଟିକା। ବାହୁ ତଥା ଛାତିରେ ରାମାନନ୍ଦୀ ଚିତା, ଶିରରେ ଶିରିପା, ବେକରେ ତୁଳସୀ ଓ ରୁଦ୍ରାକ୍ଷ ମାଳା। କାନରେ ତୁଳସୀକାଠି, ଦକ୍ଷିଣ ହସ୍ତରେ ଫାର୍ଶା ବା ଟାଙ୍ଗିଆ। ବାମ ସ୍କନ୍ଧରେ ଝୁଲାମୁଣି, ବାମହସ୍ତରେ ଚିତ୍ରିତ ଦଶାବତାର ହାଣ୍ଡି। ଆବଶ୍ୟକସସ୍ଥଳେ ଦକ୍ଷିଣ ହସ୍ତରେ ପଞ୍ଚମୁଖୀ ଶଙ୍ଖ, ଦକ୍ଷିଣ ଜଙ୍ଘରେ ବନ୍ଧାଯାଇଥିବା କଂସା କିମ୍ବା ପିତ୍ତଳ ଘଣ୍ଟିକୁ ଦେଖିଲେ ଜାନୁଘଣ୍ଟିଆଙ୍କୁ ଚିହ୍ନିବାରେ କୌଣସି ଅସୁବିଧା ନାହିଁ। ଜାନୁଘଣ୍ଟିଆ ଗାଁ ମୁଣ୍ଡରେ ପହଞ୍ଚିଲା ମାତ୍ରେ ପ୍ରଥମେ ଶଙ୍ଖଧ୍ୱନି କରି ନିଜର ପ୍ରବେଶକୁ ସୂଚାଇ ଦିଅନ୍ତି। କେହି କେହି ଝୁଲାମୁଣିକୁ କୌଣସି ଗୃହସ୍ଥଙ୍କ ବାରଣ୍ଡାରେ ରଖିଦେଇ ଗାଁ ଦାଣ୍ଡରେ ଉଚ୍ଚସ୍ବରରେ ପର୍ଶୁରାମଙ୍କ ବଚନିକାକୁ ଗାୟନ କରିଥାନ୍ତି – ତମ୍ବା ତୁଳସୀ, ଶାଳଗ୍ରାମ, ଯଜ୍ଞ ହିଁ ବିରାଜେ ତହିଁ ରାମ। କଣ୍ଠେ ତୁଳସୀ ମୁଖେ ରାମ, ଜାନୁଘଣ୍ଟ ପର୍ଶୁରାମ । ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ପର୍ଶୁରାମ ଏହିପରି ଗାୟନ କରି ଜାନୁଘଣ୍ଟିଆ ଦ୍ୱୟ ଫାର୍ଶା ଧରି ରାମ, ପର୍ଶୁରାମ ବେଶରେ ଗ୍ରାମରେ ପ୍ରବେଶ କରନ୍ତି। ପରେ ବିପରୀତମୁଖୀ ହୋଇ ସାହି ପରିକ୍ରମା କରନ୍ତି। ସାହିର ମଧ୍ୟଭାଗରେ ଦୁଇଜଣ ପରସ୍ପର ସମ୍ମୁଖୀନ ହେବା ପରେ ପର୍ଶୁରାମ ଅଟ୍ଟହାସ୍ୟ କରି ଖୁବ୍‌ ଉଚ୍ଚସ୍ବରରେ ବଚନିକା କହେ -: ଯମଦଗ୍ନି ସୁତ ମୁହିଁ ନାମ ପର୍ଶୁରାମ। ଏ ତିନି ଭୁବନେ ମୁଁ ଯେ କ୍ଷତ୍ରିୟଙ୍କ ଯମ । ନ ଚିହ୍ନୁ ମୋତେ। ରହ ରହ ଦାଶରଥି ପଳାଉଛୁ କାହିଁ। ଯେଣେଗଲେ ତେଣେ ତୋତେ ମାରିବି ଗୋଡ଼ାଇରେ ଦାଶରଥି । ହୋଇଛୁ କେଡ଼େ ବଳବନ୍ତ। ଜାଣୁନାହୁଁ କି କ୍ଷତ୍ରିୟ ଶଲ୍ୟବାନା ମୋର । ମୋ ବନରେ ବଜାଇ ଯାଉଛୁ ବୀରତ୍ୱର । ନ ଜାଣୁ ମୋତେ, ଶିର ଚ୍ଛେଦିବି ପରଶୁ ଘାତେ। ନ ଜାଣୁ ମୋତେ । ପର୍ଶୁରାମ ରାମଙ୍କ ଉଦ୍ଦେଶ୍ୟରେ କହିଥିଲେ -: ତୋ ପୂର୍ବ ପୁରୁଷ ଥିଲେ -ନହୁଷ ରାଜନ। ମୋତେ ଦେଖି ପଳାଇଲେ , ସେହୁ ଘୋର ବନ- ନଚିହ୍ନୁ ମୋତେ । ଶୀର ଚ୍ଛେଦିବି ଏହି ପର୍ଶୁଘାତେ। ଇତ୍ୟାଦି ଗୀତିକୁ ବଚନିକାରେ ବୋଲିଥାନ୍ତି। ରାମନାମ ପ୍ରଚାର ସହ ବଚନିକାର ସମତାଳରେ ଘଣ୍ଟିର ଠନ୍‌ ଠନ୍‌ ଶବ୍ଦ ହୋଇଥାଏ। ବୀରଦର୍ପରେ ଫାର୍ଶାକୁ ଘୂରାଇ ବା ଶୂନ୍ୟକୁ ଫିଙ୍ଗି ଧରିବା ଏବଂ ବଚନିକାର ଶବ୍ଦରେ ବୀରନୃତ୍ୟ କରି ଜାନୁଘଣ୍ଟିକୁ ବଜାଇଥାନ୍ତି। ଗାଁ ଦାଣ୍ଡରେ ଭକ୍ତିଭାବର ପ୍ରତୀକ ସତେଯେମିତି ବୀର ପର୍ଶୁରାମ ଉଭା ହୋଇଛନ୍ତି। ଏମାନଙ୍କ ତୁଣ୍ଡରୁ ରାମନାମ ଶୁଣି ଗୃହିଣୀମାନେ କିମ୍ବା ଗୃହକର୍ତ୍ତା ଜାନୁଘଣ୍ଟିଆଙ୍କ ହାଣ୍ଡିରେ ସ୍ବତଃଭାବରେ ଦାନ ଦେଇଥାନ୍ତି।

ମାଟିହାଣ୍ଡିରେ ଦଶ ଅବତାର ଚିତ୍ର:- ଜାନୁଘଣ୍ଟି ପର୍ଶୁରାମଙ୍କ ଭିକ୍ଷାପାତ୍ର ଏକ ଚିତ୍ରିତ ହାଣ୍ଡି। ମାଟିହାଣ୍ଡି ଉପରେ ପଟ୍ଟଚିତ୍ର ଶୈଳୀରେ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, କୃଷ୍ଣ, କଳ୍‌କୀ ରୂପ ଆଦି ଦଶାବତାର ଚିତ୍ରକୁ ଚିତ୍ରିତ କରାଯାଇଥାଏ। ବୈଷ୍ଣବ ଧର୍ମର ପ୍ରଚାର ପ୍ରସାର କରାଯିବା ଏହି ଭକ୍ତିବାଦର ମୂଳ ଉଦ୍ଦେଶ୍ୟ। ପୋଡ଼ା ମାଟିର ହାଣ୍ଡି ଉପରେ ତେନ୍ତୁଳି ମଞ୍ଜିର ଅଠାରେ କନା ପରସ୍ତ କରି ପକାଇଥାନ୍ତି। ପରେ ହାଣ୍ଡି ଉପରେ ଖଡ଼ିଗୁଣ୍ଡର ପ୍ରଲେପ ଦେଇ ଶୁଖାଗଲା ପରେ ଗିରିଡ଼ି ପଥରରେ ହାଣ୍ଡିକୁ ଘଷି ଘଷି ଚିକ୍କଣ କରାଯାଇଥାଏ। ପରେ ପଟ୍ଟଚିତ୍ର କରାଯାଇଥାଏ। କଳାରଙ୍ଗରେ ରେଖାଚିତ୍ର ମଧ୍ୟ କରାଯାଇଥାଏ। କୃଷ୍ଣନୀଳ, ଦୀପକଳା, ପିତୁଲା, ହରିତାଳ, ଶଙ୍ଖଧୋବକୁ କଇଥ ଅଠାରେ ମିଶାଇ ଚିତ୍ରକରମାନେ ରଙ୍ଗ ବା ବନକ କରିଥାନ୍ତି। ରଙ୍ଗ ଶୁଖିଗଲା ପରେ ଜଉଶାଳ କରାଯାଏ। ଚିତ୍ରିତ ଦଶାବତାର, ପର୍ଶୁରାମ ଅବତାର ଚିତ୍ରରେ ତରଳ ପ୍ରଲେପ ବୋଳାଯାଇଥାଏ। ଶିବଙ୍କ ଠାରୁ ଫାର୍ଶା ଓ ଘଣ୍ଟି, ଅନ୍ନପୂର୍ଣ୍ଣାଙ୍କଠାରୁ ହାଣ୍ଡି, ବିଷ୍ଣୁଙ୍କଠାରୁ ମାଳି, ଶ୍ରୀରାମଙ୍କଠାରୁ ତିଳକ, ନାରଦଙ୍କଠାରୁ ଝୁଲା ମିଳିଥିବା ପୌରାଣିକ ଲୋକକଥା ରହିଛି।

ଜାନୁଘଣ୍ଟିଆଙ୍କ ବସତି-: ବିଶେଷକରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଚିକିଟି, ଦିଗପହଣ୍ଡି, କବିସୂର୍ଯ୍ୟନଗର, ଆସ୍କା, ଭଞ୍ଜନଗର, ଧରାକୋଟ, ସିଙ୍ଗପୁର, ନୂଆପଡ଼ା, ଅଲାଇଗଡ଼, ବାକିଲିକଢା, ମୁଣ୍ଡରଇ, ତନରଡ଼ା, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, କୁମାରପାଣି, ଚିକିଲି, ସୋମନାଥପଲ୍ଲୀ, ଚଷାଖଣ୍ଡି, ଭ୍ରମରପୁର, ତୁରୁବୁଡ଼ି, ନେଟେଙ୍ଗା, କରାତଳି, ରମ୍ଭା, ଶରଧାପୁର, ପାରଳାଖେମୁଣ୍ଡି ପ୍ରଭୃତି ଅଞ୍ଚଳରେ ଜାନୁଘଣ୍ଟିଆ ପରିବାର ବସବାସ କରୁଥିବା ଦେଖିବାକୁ ମିଳେ ଓ ପୋଲସରା, ଖଲ୍ଲିକୋଟ ଅଞ୍ଚଳରେ ଜାନୁଘଣ୍ଟିଆମାନଙ୍କୁ ଜନକଧାରୀ ବୋଲି କୁହନ୍ତି । ଏହା ବ୍ୟତୀତ ବଡ଼ମ୍ବା ନରସିଂହପୁର, ନୟାଗଡ଼ ଓ ଖଣ୍ଡପଡ଼ାରେ ଏମାନଙ୍କୁ ମଧ୍ୟ ଦେଖିବାକୁ ମିଳେ। ଗଞ୍ଜାମ ଜିଲା ଭଞ୍ଜନଗର ପୁରୁଣାସାହିର ରଙ୍କନିଧି ସାହୁ କୁହନ୍ତି, ବିଭିନ୍ନ ପର୍ବପର୍ବାଣି ସମୟରେ ପର୍ଶୁରାମ, ନାଗାର୍ଜୁନ ଆଦି ଚରିତ୍ରର ବେଶ ଧାରଣକରି ଆମ ଗାଁର କଳାକାରମାନେ ନାଟକୀୟ ଭଙ୍ଗୀରେ ରାସ୍ତାରେ ସମରକଳା ପ୍ରଦର୍ଶନ କରିଥାନ୍ତି। ଏହି ଜାନୁଘଣ୍ଟିଆ ଲୋକକଳା ଆମ ସଂସ୍କୃତିକୁ ସମୃଦ୍ଧ କରିପାରିଛି। ଜାନୁଘଣ୍ଟିଆ ନୃତ୍ୟ ଓଡ଼ିଶାର ଏକ ପରମ୍ପରା। ମାତ୍ର ସମୟକ୍ରମେ ପ୍ରୋତ୍ସାହନ ଓ ପ୍ରଚାର ପ୍ରସାର ଅଭାବରୁ ଅନେକ ଲୋକକଳା ଆଉ ଦେଖିବାକୁ ମିଳୁନାହିଁ। ମାତ୍ର କେତେକ ଲୋକକଳା ଆଜି ବିଲୁପ୍ତପ୍ରାୟ।

-ବନବିହାରୀ ବେହେରା
ତଥ୍ୟ ସହାୟତା-: ଅଶେଷନାଥ ମିଶ୍ର,
ଫଟୋ-ବାବୁଲା ପ୍ରଧାନ, ଅଜୟ ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri