ଈଶ୍ୱର ଭରସା

ପ୍ରକାଶ ତ୍ରିପାଠୀ
”ଆମ ଝିଅମାନେ ଆଉ ଅଧିକ ପାଠପଢ଼ିବା ଦରକାର ନାହିଁ କି ପୁରୁଷଙ୍କ ସହ ସମାସ୍କନ୍ଦ ହେବାର ଆବଶ୍ୟକତା ନାହିଁ। ଚାକିରି ବାକିରି କରି ସ୍ବାବଲମ୍ବୀ ହେବା ପରକଥା, ପ୍ରଥମେ ସେମାନେ ବଞ୍ଚିକି ରୁହନ୍ତୁ, ଭଲରେ ରୁହନ୍ତୁ“- କ୍ଷୋଭଭରା କଣ୍ଠରେ ମୋର ଜଣେ ବାନ୍ଧବୀ କହୁଥିଲା ବେଳେ ମୁଁ ଦେଖିପାରୁଥିଲି ତାଙ୍କ ଆଖିରେ ଛଳ ଛଳ ହେଉଥିବା ଲୁହସବୁ। ନିଜ ସନ୍ତାନମାନଙ୍କର ପୀଡାକୁ ସହଜରେ ଗ୍ରହଣ କରିପାରୁ ନ ଥିବା ଜଣେ ମା’ର ଅନ୍ତର୍ବେଦନାକୁ। ତାଙ୍କ ପ୍ରତିକ୍ରିୟାରୁ ଅନୁଭବ କରିହେଉଥିଲା ନିର୍ଭୟା, ପ୍ରିୟଙ୍କା ଆଦି କନ୍ୟାମାନଙ୍କ ମା’ଙ୍କ ହୃଦୟପୀଡାକୁ। କେବଳ ମୋ ବାନ୍ଧବୀ ନୁହନ୍ତି ଏ ଦେଶର ପ୍ରତ୍ୟେକ ବଢ଼ିଲା ଝିଅଙ୍କ ମା’ମାନଙ୍କୁ ପଚାରନ୍ତୁ। ସେମାନେ ବି କ୍ଷେଦୋକ୍ତି ପ୍ରକାଶ କରିବେ ସାମ୍ପ୍ରତିକ ଅବକ୍ଷୟିଷ୍ଣୁ ସାମାଜିକ ବ୍ୟବସ୍ଥାକୁ ନେଇ। ବେଶି ପଛକୁ ଯିବାନି, ଗତ ସାତବର୍ଷ ଭିତରେ ଦିଲ୍ଲୀର ନିର୍ଭୟା ଘଟଣାଠାରୁ ଆରମ୍ଭ କରି ହାଇଦ୍ରାବାଦର ପ୍ରିୟଙ୍କା ଓ ଉତ୍ତରପ୍ରଦେଶର ଉନ୍ନାଓ ଆଦି ଘଟଣାକୁ ତର୍ଜମା କରାଯାଉ। ଲାଗେ ସତେ ଯେମିତି ବଳାତ୍କାର ଏ ଦେଶର ଏକ ଫେଶନ ପାଲଟିଯାଇଛି।
ମୋର ନୀରବତାକୁ ଲକ୍ଷ୍ୟକରି ବାନ୍ଧବୀ ପୁଣି ପ୍ରଶ୍ନ କଲେ- ଆମେ ଆମ ଝିଅମାନଙ୍କୁ ସେମାନଙ୍କର ପୂର୍ଣ୍ଣ ଆୟୁଷ ବଞ୍ଚିବାକୁ ଦେବା ନା ନାହିଁ? ଝିଅଟିଏ ଘରୁ ଗୋଡ଼ କାଢ଼ିବା ମାତ୍ରେ ତା’ର ପିଛା କରୁଛି ଭୟ ଓ ଆତଙ୍କ। ଯଦି ଆମ ଝିଅମାନଙ୍କୁ ଉଚ୍ଚଶିକ୍ଷିତା, ସ୍ବାବଲମ୍ବୀ ଓ ଆଧୁନିକା କରିବା, ତେବେ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାକୁ ଉପଯୁକ୍ତ କ୍ଷେତ୍ର ବା ପରିବେଶ ପ୍ରସ୍ତୁତ କରିବା ଆବଶ୍ୟକ। ନଚେତ୍‌ ଆମ ପୂର୍ବପୁରୁଷଙ୍କ ମଧ୍ୟଯୁଗୀୟ ମତକୁ ଗ୍ରହଣ କରିନେବା ଠିକ୍‌। ମାନିନେବା ଯେ ଅବଳା ଦୁର୍ବଳା। ବିନାଶ୍ରୟରେ ସେମାନେ ବଢିପାରିବେ ନାହିଁ। ଛୋଟବେଳେ ମା’-ବାପା, ବିବାହ ପରେ ପତି ଓ ବାର୍ଦ୍ଧକ୍ୟରେ ପୁତ୍ରମାନଙ୍କ ତତ୍ତ୍ୱାବଧାନରେ ସେମାନେ ରହିବା ଉଚିତ। କାରଣ ସେମାନେ କୋମଳ, ସରଳ ଓ କଷ୍ଟସହିଷ୍ଣୁ। ମାନିନେବା ଯେ ଏ ସଂସାରଟା ପୁରୁଷଙ୍କର। ଦିନ ହେଉ କି ରାତି, ଆମ କନ୍ୟାମାନେ ବାହାରକୁ ବାହାରିପାରିବେ ନାହିଁ, ହସିପାରିବେ ନାହିଁ, ସ୍ବପ୍ନ ଦେଖିପାରିବେ ନାହିଁ, ସ୍ବାଧୀନ ଭାବେ ବଞ୍ଚିପାରିବେ ନାହିଁ। ‘ବେଟୀ ବଚାଓ, ବେଟୀ ପଢାଓ’ ଆଦି ସ୍ଲୋଗାନ ଦେଇଦେଲେ ହେବନି। ଏଥିପାଇଁ ଆମେ କେମିତି ଅନୁକୂଳ ପରିବେଶ ସୃଷ୍ଟି କରିପାରୁଛେ ତାହା ବଡ଼ କଥା।
ଭ୍ରୂଣ ସ୍ଥିତିଠାରୁ ପରିଣତ ବୟସ ପର୍ଯ୍ୟନ୍ତ ନାରୀ ହିଁ ନିର୍ଯାତିତା। ବାନ୍ଧବୀ ସେଦିନ ମୋତେ କିଛି କହିବାକୁ ସୁଯୋଗ ଦେଇ ନ ଥିଲେ। କହିଥିଲେ- ତୁମ କାମ ଲେଖିବା। ଆଜି ମୋ କାମ କହିବା। ମୁଁ ଯାହା କହୁଛି ଶୁଣ। ଦେଶରେ ଯେତେବେଳେ ବି ପୋଲିସ ଏନକାଉଣ୍ଟର ହୋଇଛି, ସେଥିରେ ସାଧାରଣ ଲୋକେ କେବେ ବି ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ। ପୋଲିସ ଏନକାଉଣ୍ଟରରେ କୌଣସି ଭଦ୍ର ବା ସଭ୍ୟ ମଣିଷ ଶିକାର ହୁଅନ୍ତି ନାହିଁ। ପୋଲିସ କାମ ପୋଲିସ କରୁଛି କହି କେବଳ ଖବରଟିକୁ ଟିଭି ବା ଖବରକାଗଜରୁ ପଢି ଚୁପ୍‌ ରହିଯାଆନ୍ତି। କିନ୍ତୁ ପ୍ରିୟଙ୍କା ବଳାତ୍କାର ଘଟଣାରେ ଅଭିଯୁକ୍ତମାନଙ୍କୁ ପୋଲିସର ଏନକାଉଣ୍ଟର ପରେ ସାଧାରଣ ଜନତାଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା ମିଳିଲା। ଜନସାଧାରଣ ଚାହୁଁଥିଲେ ତତ୍‌କ୍ଷଣାତ୍‌ ଦଣ୍ଡ, ସେ ଯେଉଁ ଉପାୟରେ ହେଉନା କାହିଁକି। ପୋଲିସ ସେ କାମ କରିଦେଲା। ଭାରତରେ ପୋଲିସକୁ ପ୍ରଶଂସା, ସେମାନଙ୍କ ଉପରେ ଫୁଲ ବର୍ଷା, ସେମାନଙ୍କୁ କାନ୍ଧରେ ବସାଇବା ଘଟଣା ବୋଧହୁଏ ଏ ଦେଶରେ ପ୍ରଥମ। ସାଉଥ୍‌ ସିନେମା ଭଳି ସାଉଥ୍‌ ପୋଲିସର ବି ଦମ୍‌ଦାର ମନ୍ତବ୍ୟ ସୋସିଆଲ ମିଡିଆରେ ଚହଳ ପକାଇଲା। ଅନ୍ୟାନ୍ୟ ରାଜ୍ୟର ପୋଲିସ ହାଇଦ୍ରାବାଦ ପୋଲିସଠାରୁ ଶିକ୍ଷାଲାଭ କରନ୍ତୁ ବୋଲି ଅଯୌକ୍ତିକ ମନ୍ତବ୍ୟ ମୋବାଇଲରୁ ମୋବାଇଲକୁ ଘୂରିବୁଲିଲା। ଏହା ହିଁ ପ୍ରମାଣ ଦିଏ ବଳାତ୍କାର ଭଳି ପୈଶାଚିକ ଘଟଣାରେ ସାଧାରଣ ଜନତା କେତେ କ୍ରୋଧାନ୍ବିତ। ପଲ୍ଲୀଠାରୁ ଦିଲ୍ଲୀ ଯାଏ ବଳାତ୍କାର ବିରୋଧରେ ସ୍ବର ଶାଣିତ ହେଲା। ଖବରକାଗଜରେ ପ୍ରକାଶିତ ତଥ୍ୟ କୁହେ ଯେ, ଭାରତରେ ପ୍ରତି ଘଣ୍ଟାରେ ତିନୋଟି ବଳାତ୍କାର ମାମଲା ରେକର୍ଡ ହେଉଥିଲା ବେଳେ ଅନେକ ମାମଲା ରେକର୍ଡଭୁକ୍ତ ହୋଇପାରେ ନାହିଁ। ପ୍ରତି ଚାରିଟି ବଳାତ୍କାର ମାମଲାରେ ମାତ୍ର ଜଣେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ ହୁଏ। ଆବଶ୍ୟକ ସଂଖ୍ୟକ କୋର୍ଟ ନାହିଁ, ବିଚାରପତି ନାହାନ୍ତି। ଯେଉଁ ଦେଶର କାର୍ଯ୍ୟରତ ପ୍ରଧାନମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିଥିବା ଅପରାଧୀକୁ ଦଣ୍ଡ ଦେବା ପାଇଁ ପାଞ୍ଚବର୍ଷ ସମୟ ଲାଗିଯାଏ, ସେଠି ନିର୍ଭୟା ଘଟଣାରେ ବଳାତ୍କାରୀକୁ ଦଣ୍ଡ ଦେବାରେ ସାତବର୍ଷ ଲାଗିଯିବାରେ କିଛି ଅସ୍ବାଭାବିକତା ନାହିଁ। ନିର୍ଭୟା ବଳାତ୍କାର ଘଟଣା ପରେ ଦେଶରେ କଠୋର ଆଇନ ଅଣାଗଲା, ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ କରାଗଲା। ନିର୍ଭୟା ପାଣ୍ଠି ଗଠନ ହେଲା। ମହିଳଙ୍କ ପାଇଁ ହେଲ୍ପଲାଇନ କାର୍ଯ୍ୟକାରୀ ହେଲା। ମାତ୍ର ଫଳ ଶୂନ। ବଳାତ୍କାର ବଢ଼ିଚାଲିଛି। ମହମବତି ଶୋଭାଯାତ୍ରା, ସୋସିଆଲ ମିଡିଆରେ ନିନ୍ଦା ପ୍ରଚାର, ଟିଭିରେ ବଳାତ୍କାରକୁ ନେଇ ଚର୍ଚ୍ଚାରେ ଏ ଦେଶରେ ବଳାତ୍କାର ଥମିବନି। ବାନ୍ଧବୀ ସେଠାରୁ ବିଦାୟ ନେବା ବେଳେ ଶେଷ ପଦଟି କହିଗଲେ ଯେ ଏ ଦେଶରେ ଆମ ଝିଅମାନଙ୍କୁ କେବଳ ଈଶ୍ୱର ଭରସା।
ଆମ ଦେଶରେ ବଳାତ୍କାର କାହିଁକି ବଢୁଛି। କ’ଣ ହୋଇପାରେ ଏହାର କାରଣ। ଦିଲ୍ଲୀର ନିର୍ଭୟା ବଳାତ୍କାର ମାମଲାରେ ନାବାଳକ କୁହାଯାଉଥିବା ପିଲାଟି ସର୍ବାଧିକ ବର୍ବର କାଣ୍ଡ କରିଥିଲା। ହାଇଦ୍ରାବାଦର ପ୍ରିୟଙ୍କା ମାମଲାରେ ଚାରି ଅଭିଯୁକ୍ତଙ୍କ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେଥିରୁ ତିନିଜଣ ଅଭିଯୁକ୍ତଙ୍କ ବୟସ ୧୮ରୁ ୨୦ ଭିତରେ ଅନୁମାନ କରିହୁଏ। ଏତେ ଅଳ୍ପ ବୟସରେ ଏଭଳି ପୈଶାଚିକ କାର୍ଯ୍ୟ କରିବାକୁ ସେମାନେ କିଭଳି ମନ ବଳାଇପାରିଲେ। ସମସ୍ୟା କେଉଁଠି ରହୁଛି। ଜଣେ ଆଠବର୍ଷର ପିଲା ହରିଶ୍ଚନ୍ଦ୍ର ନାଟକ ଦେଖେ। ଏହି ନାଟକରେ ସେ ଏପରି ପ୍ରଭାବିତ ହୁଏ ଯେ ସତ୍ୟପଥରେ ଚାଲିବାର ବ୍ରତ କରି ସେ ମହାତ୍ମା ହୋଇଯାଏ। କିନ୍ତୁ ଆଜିର ସମୟରେ ଆଠବର୍ଷର ପିଲା ସିନେମାରେ, ଘରେ ଟିଭିରେ, ପତ୍ରପତ୍ରିକାରେ କ’ଣ ଦେଖୁଛି? ନଗ୍ନ ଫଟୋ, ଅଶ୍ଳୀଳ ଦୃଶ୍ୟର ପସରା ତ ସର୍ବତ୍ର। କ’ଣ ପ୍ରଭାବ ପଡୁଥିବ ଆମ ପିଲାମାନଙ୍କ ମନରେ। ଏବେ ତ ଆଉ ଯୌଥ ପରିବାର ନାହିଁ। ଅଧିକ ସ୍ବାଧୀନତା ଆଳରେ ଏକଲା ରହିବାକୁ ପସନ୍ଦ କରୁଛୁ। ଜଣଙ୍କ ରୋଜଗାରରେ ଛୋଟ ପରିବାର ଚଳିହେଉନି। କାରଣ ଆମର ଆବଶ୍ୟକତା ଅଧିକ। ଉଭୟ ସ୍ବାମୀ-ସ୍ତ୍ରୀ କର୍ମଜୀବୀ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବାହାରେ। ଘରେ ପିଲା ଏକୁଟିଆ। ପାଠପଢା ବାଦ୍‌ ନିଜର ଏକଲାପଣକୁ ଦୂରେଇବା ପାଇଁ ସାଥୀ କରିଥାଏ ଟିଭି, ମୋବାଇଲ ଫୋନ ଓ ଇଣ୍ଟରନେଟ୍‌କୁ। ଏଥିରେ ଦେଖୁଛି କ’ଣ? ଅଶ୍ଳୀଳ ଭିଡିଓ ଓ ଫଟୋ। ପାଖରେ ଜେଜେମା’-ଜେଜେବାପା ବା ଅନ୍ୟ କେହି ସମ୍ପର୍କୀୟ ଥିଲେ ସଂସ୍କାର ଶିଖିଥାନ୍ତା। ତାହା ବି ସମ୍ଭବ ନୁହେଁ। ଟିଭିରେ ଦେଖୁଛି କ’ଣ? ରାଜନୀତି ଚର୍ଚ୍ଚା, ତର୍କ ଦେଖୁଛି ନ୍ୟୁଜ୍‌ ଚ୍ୟାନେଲରୁ। ପରିବାରର ଅନ୍ତର୍ଦ୍ୱନ୍ଦ୍ୱ, ଶାଶୁ-ବୋହୂ କଳି ବା ଯୁବତୀ-ଯୁବକଙ୍କ ପ୍ରେମଲୀଳା ଟିଭି ସିରିଏଲରୁ। ଏହା ବାଦ୍‌ ଦ୍ୱିଅର୍ଥବୋଧକ ସଂଳାପ ସମ୍ବଳିତ କମେଡି ସିରିଏଲ, ଦଙ୍ଗା, ମାରପିଟ, ହିଂସାତ୍ମକ ଚଳଚ୍ଚିତ୍ର ଓ ସର୍ବୋପରି ଅଶ୍ଳୀଳତାପୂର୍ଣ୍ଣ ବିଜ୍ଞାପନ। ଶୀଲା କୀ ଯବାନୀ, ମୁନି ବଦ୍‌ନାମ ହୁଇ, ଅବ୍‌ କରେକି ତେରେ ସାଥ୍‌ ଗନ୍ଦିବାତ୍‌ ଭଳି ଶହ ଶହ ନଗ୍ନତାରେ ଭରପୂର ସିନେମା ଗୀତରେ କଟୁଛି ଆମ ପିଲାଙ୍କ କିଶୋରାବସ୍ଥା। ଟିଭିରେ ସୁହାଗ ରାତ୍‌, ଚୁମ୍ବନ, ଭାବିଜୀ ଘରପର ହୈ, ଜିଜାଜୀ ଛାତପର ହୈ ଭଳି ମନୋରଞ୍ଜନ କାର୍ଯ୍ୟକ୍ରମ ଓ ତା’ ସହ ଡିଓଡ୍ରାଣ୍ଟ, କଣ୍ଡୋମ୍‌, କୋଲ୍ଡ ଡ୍ରିଙ୍କ୍ସ, ବିଭିନ୍ନ ପ୍ରସାଧନ ସାମଗ୍ରୀର ବିଜ୍ଞାପନ ଆଳରେ ଅଶ୍ଳୀଳତା ପ୍ରଦର୍ଶନ ଆମ କୋମଳମତି ପିଲାଙ୍କୁ କେଉଁ ଆଡକୁ ନେଉଛି? କେବଳ ସରକାର, ପୋଲିସ, ଅଦାଲତ ସବୁ କରିବେ ବୋଲି ନିଶ୍ଚିନ୍ତ ହୋଇ ବସି ରହିବାର ସମୟ ଆଉ ନାହିଁ। ଆମ ସଂସ୍କାର ଓ ସଭ୍ୟତାକୁ ବଞ୍ଚାଇବା ପାଇଁ ପ୍ରତ୍ୟେକ ପରିବାରରୁ ଉଦ୍ୟମ ଆରମ୍ଭ ହେଉ। ନଚେତ୍‌ ମୋ ବାନ୍ଧବୀଙ୍କ ମନ୍ତବ୍ୟ ‘ଆମ ପିଲାମାନଙ୍କୁ କେବଳ ଈଶ୍ୱର ଭରସା’କୁ ମାନିନେବାକୁ ପଡିବ।
ମୋ-୯୪୩୭୨୩୨୪୬୩, ଇମେଲ-Prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri