ଇରାନ ନିଆଁ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଇରାନର ଏକ ସ୍କୁଲରେ ୮୫ ଛାତ୍ରୀଙ୍କ ସହ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ। ଇରାନକୁ ଦୃଢ଼ ହସ୍ତରେ ଦମନ କରି ଶାସନ ଚଳାଉଥିବା ଖାମେନେଇଙ୍କ ପରେ କିଏ ନେତୃତ୍ୱ ନେବେ ତାହା କହିବା କଷ୍ଟକର। ଶୁଣିବାକୁ ମିଳୁଥିଲା ତାଙ୍କ ପୁଅ ମୋଜତାବା ଖାମେନେଇ ଆଗକୁ ନେତୃତ୍ୱ ନେଇପାରନ୍ତି। କିନ୍ତୁ ଆୟାତୋଲ୍ଲା ଅଲୀରେଜା ଅରାଫି ଅନ୍ତରୀଣ ସର୍ବୋଚ୍ଚ ନେତା ହୋଇଥିବା ଶୁଣିବାକୁ ମିଳୁଛି। ୩ ଜଣିଆ ଟ୍ରାଞ୍ଜିଶନାଲ କାଉନ୍‌ସିଲର ସେ ଅନ୍ୟତମ ନେତା। ସେ ମଧ୍ୟ ଗାର୍ଡିଅନ କାଉନ୍‌ସିଲର ସଦସ୍ୟ ଅଛନ୍ତି।
ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଦୀର୍ଘବର୍ଷ ହେବ ଆମେରିକା ବିରୋଧ କରିଚାଲିଛି। ଇସ୍‌ଲାମିକ ସାଧାରଣତନ୍ତ୍ର ଇରାନର କାର୍ଯ୍ୟକଳାପ ପାଶ୍ଚାତ୍ୟ ଦୁନିଆ ପାଇଁ ବିପଦ ବୋଲି ଆମେରିକା କହି ଆସୁଥିବା ବେଳେ ଇସ୍ରାଏଲ ସହ ମିଳିତ ଆକ୍ରମଣ ଇରାନକୁ ଡରେଇ ଦେଇଛି ବୋଲି ଆଲୋଚନା ହେଉଛି। ଅନ୍ୟ ଏକ ଘଟଣା ହେଲା ଇରାନ ଉପରେ ଆକ୍ରମଣ ବିଶେଷକରି ଖାମେନେଇଙ୍କ ମୃତ୍ୟୁକୁ ଅନ୍ୟ ଇସ୍‌ଲାମିକ୍‌ ରାଷ୍ଟ୍ର ନିନ୍ଦା କରୁ ନ ଥିବା ଦେଖିବାକୁ ମିଳିଛି। ସାଉଦି ଆରବ ଇସ୍‌ଲାମିକ୍‌ ବିଶ୍ୱର ନେତୃତ୍ୱ ନେବାକୁ ଚାହୁଁଥିବା ବେଳେ ଖାମେନେଇ ନିଜର ପତିଆରା ବଢ଼ାଇବାକୁ ଚାହୁଁଥିଲେ। ତେଣୁ ଖାମେନେଇଙ୍କ ଯୁଗ ଶେଷ କରିବାକୁ କିଛି ଇସ୍‌ଲାମିକ ଦେଶ ଆମେରିକାକୁ ସମର୍ଥନ କରୁଥିଲେ। ପୁଣି ଦେଖିଲେ ଇରାନ ଏକ ଶିୟାବହୁଳ ରାଷ୍ଟ୍ର। ଇସ୍‌ଲାମିକ୍‌ ବିଶ୍ୱରେ ସୁନ୍ନିଙ୍କ ପ୍ରଭାବ ଥିବାରୁ ଇରାନ ନେତୃତ୍ୱ ନେଉ ବୋଲି ଅନେକ ଦେଶ ଚାହୁଁନାହାନ୍ତି। ଏଥିସହିତ କୁହାଯାଇପାରେ ଯେ, ଖାମେନେଇଙ୍କୁ ବିରୋଧ କରୁଥିବା ଇରାନୀୟ ଗୋଷ୍ଠୀ ଏହି ଆକ୍ରମଣରେ ଖୁସିବ୍ୟକ୍ତ କରିଛନ୍ତି। ସେମାନେ ଶାସନ ପରିବର୍ତ୍ତନ ପାଇଁ ଯେଉଁ ଆନ୍ଦୋଳନ କରୁଥିଲେ ତାହା ଏହି ଘଟଣାକ୍ରମ ଦ୍ୱାରା ଫଳପ୍ରସୂ ହେବାର ସମ୍ଭାବନା ବଢ଼ିଛି। ଅନ୍ୟପକ୍ଷରେ ଖାମେନେଇଙ୍କ ସମର୍ଥକମାନେ ଅତ୍ୟନ୍ତ କଠୋରପନ୍ଥୀ ହୋଇଥିବାରୁ ସେମାନେ ଆମେରିକା ଓ ଇସ୍ରାଏଲ ଉପରେ ପ୍ରତିହିଂସାପରାୟଣ ହୋଇଯାଇଥିବାରୁ ଯୁଦ୍ଧ ବଢ଼ିବା ବିଷୟକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ।
ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ତାହାର ଜବାବ ଦେବାକୁ ଯାଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବାହାରିନ୍‌, ଜୋର୍ଡାନ ଓ କୁଏଟ୍‌ ସମେତ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟି ଉପରେ ଇରାନ୍‌ ମିଶାଇଲ ଓ ଡ୍ରୋନ୍‌ ଆକ୍ରମଣ କରିଛି। ଏଥିସହିତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଇରାନ ବନ୍ଦ କରିଦେବା ପରେ ବିଶ୍ୱବ୍ୟାପୀ ଅନ୍ୟ ଏକ ସଙ୍କଟ ଦେଖାଦେଲାଣି। ପ୍ରାୟ ୨୦ ନିୟୁତ ବ୍ୟାରେଲ ଆଶୋଧିତ ତୈଳ ଏବଂ ଶୋଧିତ ଉତ୍ପାଦ ଇରାନ ଓ ଓମାନ ମଧ୍ୟରେ ଥିବା ସଂକୀର୍ଣ୍ଣ ଜଳପଥ ମାଧ୍ୟମରେ ପରିବହନ ହୋଇଥାଏ। ଏକ ହିସାବରୁ ଜଣାପଡ଼ିଛି ଯେ, ବିଶ୍ୱବ୍ୟାପୀ ତେଲ ବ୍ୟବହାରର ପ୍ରାୟ ଏକ ପଞ୍ଚମାଂଶ ଏହି ପଥ ଦ୍ୱାରା ହୋଇଥାଏ। ତେଣୁ ଏହି ଆକ୍ରମଣ ବିଶ୍ୱ ଶକ୍ତି ବଜାରରେ ନୂତନ ଅନିଶ୍ଚିତତା ସୃଷ୍ଟି କରିପାରେ, ଯାହା ଆମେରିକା ଚାହୁଁଥାଇପାରେ। ଏଥିଯୋଗୁ ଅନ୍ତର୍ଜାତୀୟ ଅର୍ଥନୀତି ଘୋର ପ୍ରଭାବିତ ହେବା ଥୟ। କୋଭିଡ୍‌ ୧୯ ମହାମାରୀ ପରେ ବିଶ୍ୱ ଅର୍ଥନୀତି ମାନ୍ଦା ହୋଇଯାଇଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ଏହି ସଙ୍କଟକୁ ବଢ଼ାଇ ଦେଇଥିଲା। ଏଭଳି ଅସ୍ଥିରତା ଭିତରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ସ୍ଥିତିକୁ ଅଧିକ ସଙ୍ଗିନ କରିଦେବା ଦେଖାଯାଉଛି। ଖାମେନେଇଙ୍କ ମୃତ୍ୟୁ ପରେ ଯଦି ଇରାନ ଆଲୋଚନା ଟେବୁଲକୁ ଆସେ ତାହା ହେଲେ ଯୁଦ୍ଧ ସ୍ଥିତି ଥମିପାରେ। ତାହା ନ ହୋଇ ଯଦି ଯୁଦ୍ଧର ପରିସର ବ୍ୟାପକ ହୁଏ, ତେବେ ଭୂରାଜନୈତିକ ପ୍ରେକ୍ଷାପଟରେ ଏକ ବିଭୀଷିକା ସୃଷ୍ଟି ହେବ। ଏପରି ମଧ୍ୟ ହୋଇପାରେ ଯେ ଆହୁରି ଘୋର କଠୋରପନ୍ଥୀଙ୍କ ହାତକୁ ଇରାନର ଭାଗ୍ୟ ଟେକି ହୋଇଯିବ। ଇରାନକୁ ରୁଷିଆ ସମର୍ଥନ କରି ତାହାକୁ ଟିହାଇଲେ ଅସମ୍ଭାଳ ପରିସ୍ଥିତି ଉପୁଜିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କଲେଣି। ଇରାନର ଦୀର୍ଘ ଦିନର ବାଣିଜ୍ୟ ସହଯୋଗୀ ଚାଇନା ଏବର ଆମେରିକା-ଇସ୍ରାଏଲର ଆକ୍ରମଣକୁ ବିରୋଧ କରିଛି। ମନେରଖିବାକୁ ହେବ ଯେ, ଇରାନ ତୈଳର ସିଂହଭାଗ ଚାଇନା ଶସ୍ତାରେ କିଣିଥାଏ। ୨୦୨୫ରେ ଇରାନର ୮୦ ପ୍ରତିଶତ ତୈଳ ଚାଇନା କିଣିଥିଲା। ଚାଇନାର ଦୈନିକ ମୋଟ ତୈଳ ଆମଦାନୀର ୧୩ ପ୍ରତିଶତରୁ ଅଧିକ ଥିଲା ଇରାନୀୟ ତେଲ। ଏଥିସହିତ ୨୦୨୧ରେ ଚାଇନା ଓ ଇରାନ ଏକ ୨୫ ବର୍ଷିଆ ରଣନୀତିକ ସହଭାଗିତା ବୁଝାମଣା ସ୍ବାକ୍ଷର କରିଥିଲେ। ଏପରିକି ବ୍ରିକ୍ସ ପ୍ଲସ୍‌ରେ ଇରାନକୁ ଚାଇନା ସଦସ୍ୟ ଭାବେ ଆମନ୍ତ୍ରିତ କରି ସ୍ଥାନ ଦେଇଛି। ଏସବୁକୁ ଦେଖିଲେ ଆମେରିକାର ଇରାନ ଉପରେ ଆକ୍ରମଣର ମୁଖ୍ୟ କାରଣ ଜଳଜଳ ଦିଶୁଛି। ଭେନେଜୁଏଲା ନେତା ନିକୋଲାସ ମାଦୁରୋଙ୍କୁ ଆମେରିକା ଉଠାଇନେଇ ସେହି ଦେଶ ଉପରେ ଅକ୍ତିଆର ଜମାଇବାର ମୁଖ୍ୟ କାରଣ ତୈଳ ବୋଲି କୁହାଯାଉଛି। ଏବର ଯୁଦ୍ଧ ଆରମ୍ଭ ହେବା ପରଠୁ ତୈଳ ଦରରେ ନିଆଁ ଲାଗିଲାଣି।
ଖାମେନେଇଙ୍କୁ ହତ୍ୟା କରିବା ପରେ ଇରାନ ଉପରେ ଆମେରିକାର ଆଧିପତ୍ୟ କେତେ ବଢ଼ିବ ତାହାକୁ ନେଇ ଚର୍ଚ୍ଚା ହେଲାଣି। ଇତିହାସ ଦେଖିଛି, ଆମେରିକା ସବୁବେଳେ ଇସ୍‌ଲାମିକ୍‌ ବିଶ୍ୱକୁ ଟାର୍ଗେଟ୍‌ କରିଆସିଛି। ଫଳରେ ମଧ୍ୟପ୍ରାଚ୍ୟରେ ସ୍ଥିତି ସ୍ବାଭାବିକ ହୋଇପାରୁ ନାହିଁ। ଗୋଟେ ପଟେ ଅନେକ ଯୁଦ୍ଧ ବନ୍ଦ କରି ନୋବେଲ ଶାନ୍ତି ଚାହୁଁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିଜର ଲାଭକୁ ଦେଖି ବିଶ୍ୱବ୍ୟାପୀ ଅରାଜକତା ସୃଷ୍ଟି କରୁଛନ୍ତି। ତାଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଯୋଗଦାନ ଆଉ ଏକ ବିଶ୍ୱ ବିଶୃଙ୍ଖଳାର ବୀଜ ବପନ କଲା ବୋଲି ଧରାଯିବ। ତୈଳ ପାଇଁ ଆମେରିକା ଲଗାଉଥିବା ନିଆଁ କେବେ ଥମିବ ଆକଳନ କରିବା କଷ୍ଟକର।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ଉପରେ ଭୟଙ୍କର ଆକ୍ରମଣ, ହର୍ମୁଜରେ ୨ଟା ଜାହାଜକୁ ହାଇଜ୍ୟାକ୍‌ କଲେ…

ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ବୁଧବାର ଦୁଇଟି ଜାହାଜ…

ପରମାଣୁର କୋଡ ମାଗିଲେ ଟ୍ରମ୍ପ, ଯୁଦ୍ଧ ବିରତି ଭିତରେ ଭୟଙ୍କର ଖବର…

ତେହରାନ,୨୨।୪: ଇରାନ ସହିତ ବିବାଦ ମଧ୍ୟରେ, ପୂର୍ୱତନ CIA ଅଧିକାରୀ ଲାରି ଜନସନ ଏକ ପ୍ରମୁଖ ଦାବି କରିଛନ୍ତି। ଜନସନଙ୍କ ଅନୁସାରେ, ହୱାଇଟ ହାଉସ ସିଚୁଏସନ ରୁମରେ…

ତେଲେଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସ୍ତ୍ରୀ

ଭବାନୀପାଟଣା,୨୨।୪(ଉତ୍ତମ କୁମାର ଦାଶ): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ନିଖୋଜ ହୋଇଗଲେ ଶ୍ରମିକ । ନିଖୋଜ ଶ୍ରମିକ ଜଣକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମର…

ଛାତ୍ରୀଙ୍କୁ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଅଭିଯୋଗକୁ ୫ ଦିନ ବିତିଲା, ହାତବାନ୍ଧି ବସିଛି ପୋଲିସ

ଦେବଗଡ଼,୨୨ା୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାରେ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁଗୃହ ସପୋର୍ଟର ଜଣେ ଅନାଥ ନାବାଳିକା ଆଇଟିଆଇର ପ୍ରିନ୍ସିପାଲଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାର…

ଶିଳ୍ପ ସ୍ଥାପନ ପାଇଁ ଚାଲିଛି ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଅଞ୍ଚଳବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଏକ ୯ ହେକ୍ଟର ଜମିରେ ଶିଳ୍ପ ସ୍ଥାପନ ହେବ। ଏଥିପାଇଁ ଇଡ୍‌କୋ ଏବଂ ରାଜ୍ୟ ପର୍ଯ୍ୟଟନ…

ମମତାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା, ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ

କୋଲକାତା,୨୨ା୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଏପ୍ରିଲ୍ ୨୩ ତାରିଖରେ ହେବାକୁ ଯାଉଛି । ଶାସକ ତୃଣମୂଳ କଂଗ୍ରେସ ଏବଂ ମୁଖ୍ୟମନ୍ତ୍ରୀ ମମତା…

ଅସ୍ତ୍ରବିରତି ବୃଦ୍ଧି ପରେ ହର୍ମୁଜ୍ ପ୍ରଣାଳୀରେ ଗୁଳିମାଡ଼, ୩ଜାହାଜ…

ନୂଆଦିଲ୍ଲୀ,୨୨ା୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ପରେ, ହର୍ମୁଜ୍ ପ୍ରଣାଳୀରେ ତିନୋଟି ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି। ବର୍ତ୍ତମାନ,…

କୋରାପୁଟରେ ସ୍କୁଲ ଛୁଟି ଘୋଷଣା: କାଲିଠୁ ଏତିକି ଦିନ ପର୍ଯ୍ୟନ୍ତ…

କୋରାପୁଟ,୨୨ା୪(ଅମିତାଭ ବେହେରା): ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri