ଆଜିର ଅର୍ଥନୀତି/ ମିଛ ମାନ୍ୟତା

ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍ସେସ୍‌ (ଜିଏସ୍‌ପି) ଯୋଜନାରୁ ବାଦ୍‌ ଦେବାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବା ପାଇଁ ଆମେରିକା ଭାରତକୁ ଏକ ‘ବିକଶିତ ଅର୍ଥନୀତି’ର ଦେଶ ଭାବେ ବର୍ଗୀକୃତ କରିଛି। ଉକ୍ତ ଯୋଜନା ଅନୁସାରେ ବିକାଶଶୀଳ ଦେଶଗୁଡ଼ିକୁ ଆମେରିକା ଶୁଳ୍କମୁକ୍ତ ପ୍ରବେଶ (ଆକ୍ସେସ୍‌) ସୁବିଧା ପ୍ରଦାନ କରିଥାଏ। ଏମିତି ଉପରୁ ଦେଖିଲେ ବିକଶିତ ଦେଶର ମାନ୍ୟତା ପ୍ରତ୍ୟେକ ଭାରତୀୟଙ୍କୁ ଉଲ୍ଲସିତ କରିବା ସ୍ବାଭାବିକ। ଯେମିତି ଗୋଟାଏ ବହୁବର୍ଷର ସ୍ବପ୍ନ ସତ ହେଲା! ତେବେ ଏପରି ମାନ୍ୟତା ବା ବିଶେଷଣଟିଏ ପାଇବା ପାଇଁ ଭାରତରେ କେହି କେବେ ଆଶା କରୁ ନ ଥିଲେ, ଅନ୍ତତଃ ଆଜିଠାରୁ ବିଗତ ଦୁଇ ଦଶନ୍ଧି ଭିତରେ। ପୁଣି ପୃଥିବୀର ସବୁଠାରୁ ଶକ୍ତିଶାଳୀ ଓ ବିକଶିତ ଦେଶ ପକ୍ଷରୁ ଏପରି ମାନ୍ୟତା ମିଳିବା ଦ୍ୱାରା ତା’ର ମୂଲ୍ୟ ଆହୁରି ବଢ଼ିଯାଇଛି। ତେବେ ଏହି ମାନ୍ୟତା ଏପରି ସମୟରେ ମିଳିଛି, ଯେତେବେଳେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ରେକର୍ଡ ନିମ୍ନରେ ରହିଛି ଏବଂ ଦେଶ ମୁଖ୍ୟତଃ ନିଯୁକ୍ତିହୀନତା ସମେତ ଅସୁମାରି ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି। ପ୍ରତ୍ୟେକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି। ମୁଦ୍ରାସ୍ଫୀତି ଛଅବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶିଳ୍ପ ଉତ୍ପାଦନ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ତେଣୁ ଏପରି ସମୟରେ ମିଳିଥିବା ସ୍ବୀକୃତି ସ୍ବତଃ ଏକ ବିରୋଧାଭାସ ସୃଷ୍ଟି କରିଛି।
ବର୍ତ୍ତମାନ ପ୍ରକୃତ ସତ୍ୟତା କ’ଣ ଜାଣିବା ଦରକାର। ଭାରତ ଏକ ‘ବିକଶିତ ଅର୍ଥବ୍ୟବସ୍ଥା’ ବୋଲି ଆମେରିକାର ଘୋଷଣା ହେଉଛି ଭାରତକୁ ଜିଏସ୍‌ପି ସୁବିଧାରୁ ବଞ୍ଚିତ କରିବା ଏବଂ ଭାରତ ପରେ ଏଥିପାଇଁ ଦାବି କରିବାର ସମସ୍ତ ରାସ୍ତା ବନ୍ଦ କରିବାର ଏକ ଚାଲ। ଜିଏସ୍‌ପି ହେଉଛି ଆମେରିକାର ସର୍ବପୁରାତନ ଅଗ୍ରାଧିକାରମୂଳକ ବାଣିଜି୍ୟକ ଯୋଜନା, ଯାହାଦ୍ୱାରା ଭାରତର ରପ୍ତାନିକାରୀମାନଙ୍କୁ ଆମେରିକା ବଜାରରେ ଶୁଳ୍କମୁକ୍ତ ପ୍ରବେଶ ଅଧିକାର ପ୍ରଦାନ କରାଯାଇଥିଲା। ୨୦୧୮ରେ ଆମେରିକା ଭାରତର ଏହି ସୁବିଧା ପାଇବାର ଯୋଗ୍ୟତା ବିଷୟରେ ସମୀକ୍ଷା କରିଥିଲା। ଏହି ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଭାରତ କେତେକ ବାଣିଜି୍ୟକ ବାଧା ସୃଷ୍ଟି କରୁଛି, ଯାହାଦ୍ୱାରା ଅନ୍ୟ ଦେଶଗୁଡ଼ିକ ଆମେରିକା ବଜାରରେ ପ୍ରବେଶ କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ରାଷ୍ଟ୍ରପତି ଟ୍ରମ୍ପ ଏକ ଆଦେଶନାମାରେ ସ୍ବାକ୍ଷର କଲେ, ଯାହାଦ୍ୱାରା ୫୦ଟି ଉତ୍ପାଦ ଉପରେ ଭାରତର ଶୁଳ୍କମୁକ୍ତ କାରବାର ବନ୍ଦ ହୋଇଗଲା।
ଭାରତ ହେଉଛି ସବୁଠାରୁ ବଡ଼ ଜିଏସ୍‌ପି ହିତାଧିକାରୀ ଦେଶ ଏବଂ ଶୁଳ୍କ ଛାଡ଼ ବାବଦକୁ ଭାରତ ୨୬୦ ନିୟୁତ ଡଲାରର ଲାଭ ପାଉଥିଲା, ଯାହା ଖୁବ୍‌ ଏକ ବଡ଼ ସଂଖ୍ୟା ନୁହେଁ। ତେବେ ଯେଉଁ ମାନକ ବ୍ୟବହାର କରି ୟୁଏସ୍‌ଟିଆର୍‌ ଭାରତକୁ ଏକ ବିକଶିତ ଅର୍ଥବ୍ୟବସ୍ଥା ବୋଲି ଅଭିହିତ କରିଛି, ତାହା ଆତ୍ମବିରୋଧାତ୍ମକ ଏବଂ ହାସ୍ୟକର। ୟୁଏସ୍‌ଟିଆର୍‌ ଗୋଟିଏ ଦେଶର ମୁଣ୍ଡପିଛା ମୋଟ ଜାତୀୟ ଆୟ (ଜିଏନ୍‌ଆଇ) ଏବଂ ବିଶ୍ୱ ବାଣିଜ୍ୟରେ ଏହାର ଅଂଶକୁ ଅର୍ଥନୈତିକ ବିକାଶର ମାପକାଠି ଭାବେ ନିର୍ଦ୍ଧାରଣ କରିଛି। ବିଶ୍ୱ ବାଣିଜ୍ୟରେ ୦.୫ ପ୍ରତିଶତ ଅଂଶର ମାନଦଣ୍ଡ ହିସାବରେ ଭାରତର ରପ୍ତାନିରେ ୨.୧ ପ୍ରତିଶତ ଓ ଆମଦାନିରେ ୨.୬ ପ୍ରତିଶତ ଅଂଶ ରହିଛି। ପୁଣି ଆମେରିକା ବିଶ୍ୱାସ କରୁଛି ଯେ, ଭାରତ ଆର୍ଜେଣ୍ଟିନା, ବ୍ରାଜିଲ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକା ପରି ଦେଶ ସମେତ ଜି୨୦ର ଅଂଶ ହୋଇଥିବାରୁ ଏହାକୁ ବିକଶିତ ଦେଶ ଭାବେ ବର୍ଗୀକରଣ କରାଯାଇପାରିବ। ଏହିସବୁ ଦେଶ ହେଉଛନ୍ତି ବିକାଶଶୀଳ ଦେଶ। ଭାରତକୁ ବର୍ଗୀକରଣ କଲାବେଳେ ୟୁଏସ୍‌ଟିଆର୍‌ ମୁଣ୍ଡିପିଛା ମୋଟ ଜାତୀୟ ଆୟ (ଜିଏନ୍‌ଆଇ)କୁ ମାନଦଣ୍ଡ ଭାବେ ଗ୍ରହଣ କରିଛି। ଆମର ଜିଏନ୍‌ଆଇ ବିଶ୍ୱବ୍ୟାଙ୍କର ମାନଦଣ୍ଡ ୧୨,୩୭୫ ଡଲାରଠାରୁ କମ୍‌। ଭାରତର ଜିଏସ୍‌ପି ସହାୟତା ଦରକାର ନାହିଁ ବୋଲି ଆମର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ କହୁଥିଲେ ମଧ୍ୟ ଆମେରିକାରେ ଶସ୍ତାରେ ଜିନିଷ ବିକୁଥିବା ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ କଠିନତାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଭାରତୀୟ ରପ୍ତାନିକାରୀମାନେ ଦାବି କରିଛନ୍ତି। ତେଣୁ ଜିଏସ୍‌ପି ସୁବିଧା ହରାଇବା ମାନେ ବଜାର ଅଂଶ ମଧ୍ୟ ହରାଇବା। ଭାରତରୁ ରପ୍ତାନି କରାଯାଉଥିବା ଗହଣା, ଚମଡ଼ା, ଔଷଧ, ରାସାୟନିକ ଓ କୃଷି ଉତ୍ପାଦ ପ୍ରଭୃତିକୁ ଆମେରିକାରେ ଶସ୍ତାରେ ବିକ୍ରି ହେଉଥିବା ଅନ୍ୟ ଦେଶର ଉତ୍ପାଦଗୁଡ଼ିକ ସହ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜିଏସ୍‌ପି ସୁବିଧା ଏକତରଫା ଏବଂ ଅଣପାରସ୍ପରିକ ବୋଲି ଭାରତର ଦାବି ପ୍ରତି ଆମେରିକା କର୍ଣ୍ଣପାତ କରିନାହିଁ କିମ୍ବା ନିଜ ନିଷ୍ପତ୍ତି ବଦଳାଇ ନାହିଁ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତର ଅବ୍ୟବହିତ ପୂର୍ବରୁ ଏପରି ଘୋଷଣା କୌତୂହଳଜନକ। କେତେକେ ଭାବୁଛନ୍ତି ଯେ ଏହା ମୋଦି ସରକାରଙ୍କର ଏକ ପ୍ରାୟୋଜିତ କାର୍ଯ୍ୟ। ଏହି ସରକାରଙ୍କ ପ୍ରତୀକାତ୍ମକତା ବା ଅବାସ୍ତବ ଚିନ୍ତାଧାରା ଓ ଦେଖାଣିଆ ସ୍ବଭାବକୁ ଦେଖିଲେ ଉକ୍ତ ମତକୁ ଏକବାରେ ଭୁଲ୍‌ ବୋଲି କହିହେବ ନାହିଁ। ଭାରତର ଜିଡିପି ୩ ଟ୍ରିଲିୟନ ଡଲାରୁ କମ୍‌ ହେଉ ପଛେ ବିକଶିତ ଦେଶଗୁଡ଼ିକର ତାଲିକାରେ ସାମିଲ ହେବା ଯୋଗୁ ଦେଶ ଭିତରେ ଏହା ଭଲ ଅନୁଭବର ପ୍ରଭାବ (ଫିଲ୍‌ ଗୁଡ୍‌ ଇଫେକ୍ଟ)କୁ ପ୍ରଚୋଦିତ କରିପାରେ। ୨୦୨୨ ସୁଦ୍ଧା ୫ ଟ୍ରିଲିୟନ ଡଲାରର ଅର୍ଥନୀତି କରିବା ଲାଗି ମୋଦି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ହାସଲ କରିବା ଅତ୍ୟନ୍ତ କଷ୍ଟକର ହୋଇଥିବା ବେଳେ ବିକଶିତ ଅର୍ଥନୀତିର ମାନ୍ୟତା ପାଇବା ଦ୍ୱାରା ସେହି ଗୌରବବୋଧରେ ତାହା ଢାଙ୍କି ହୋଇଯାଇପାରେ। କିନ୍ତୁ ବାସ୍ତବ ଆର୍ଥିକ ବିକାଶ ବିନା ଏପରି ମାନ୍ୟତା ଆତ୍ମପରାଜୟକୁ ପ୍ରମାଣିତ କରିପାରେ ଏବଂ ଏଥିରୁ ଦେଶକୁ କିଛି ବି ସୁଫଳ ମିଳିବ ନାହିଁ। ଏହାଦ୍ୱାରା ଆମ ରପ୍ତାନିକାରୀମାନେ ବାହାର ଦେଶରେ ଯେଉଁ ସୁବିଧା ପାଉଥିଲେ ସେଥିରୁ ବଞ୍ଚିତ ହେବେ। ଆମେ ଆଶା କରୁଛୁ ମୋଦି ଟ୍ରମ୍ପଙ୍କ ଆଗରେ ଏକଥା ଉଠାଇବେ ଏବଂ ଏପରି ଦେଖାଣିଆ ମାନ୍ୟତା ଫେରାଇ ନେବା ପାଇଁ ଅନୁରୋଧ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri