ଆଜିର ଅର୍ଥନୀତି/ ଅଭିବୃଦ୍ଧି ବଢ଼ାଅ

ଚଳିତ ମାସର ଅଧିକାଂଶ ସମୟ ଅର୍ଥନୈତିକ ଆଲୋଚନା ଦେଶର ଲୋକମାନଙ୍କ ବୈଠକଖାନାରୁ ନେପଥ୍ୟକୁ ଚାଲିଯାଇଛି। ସମ୍ବିଧାନରୁ ୩୭୦ ଧାରା ଉଚ୍ଛେଦ, ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଲାଗି କେନ୍ଦ୍ର ସରକାରଙ୍କ ଆକସ୍ମିକ ନିଷ୍ପତ୍ତିକୁ ନେଇ ଚାଲିଥିବା ହାଇ ଭୋଲ୍‌ଟେଜ୍‌ ରାଜନୀତି ଦେଶବାସୀଙ୍କ ପାଇଁ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ତେବେ ଯେତେ ଦ୍ରୁତଗତିରେ ଭୂ-ରାଜନୈତିକ ଘଟଣାଗୁଡ଼ିକ ଘଟିଯାଉ ନା କାହିଁକି ଦେଶର ସଙ୍ଗିନ ଅର୍ଥନୈତିକ ପରିସ୍ଥିତିକୁ ତାହା କେବେହେଲେ ଚାପିଦେଇ ପାରିନାହିଁ। ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ତୀବ୍ରତର ହେଉଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ସଂକଟ ଦେଖାଦେଇଛି। କମ୍ପାନୀଗୁଡ଼ିକରେ କର୍ମଚାରୀମାନଙ୍କ ଛଟେଇ ସଂଖ୍ୟା ବୃଦ୍ଧି ପାଉଛି। ଅଟୋମୋବାଇଲ କମ୍ପାନୀ ଏବଂ ନିର୍ମାଣ ଶିଳ୍ପଠାରୁ ଆରମ୍ଭକରି ସେବା ଶିଳ୍ପ ପର୍ଯ୍ୟନ୍ତ ସବୁଠି ମାନ୍ଦାବସ୍ଥା ଓ ଛଟେଇ ଦେଖିବାକୁ ମିଳୁଛି। ଏସିଆ ମହାଦେଶର ତୃତୀୟ ବୃହତ୍ତମ ଅର୍ଥନୀତିର ଏପରି ନିମ୍ନଗତି ଫଳରେ କାର୍‌ଠାରୁ ଆରମ୍ଭ କରି ବସ୍ତ୍ର ପର୍ଯ୍ୟନ୍ତ ସବୁ ଜିନିଷର ବିକ୍ରିବଟା ହ୍ରାସ ପାଇଛି, ଯାହାଫଳରେ କମ୍ପାନୀଗୁଡ଼ିକ ସେମାନଙ୍କର ଦ୍ରବ୍ୟସୂଚୀ କମେଇ ଦେବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ କ୍ଷେତ୍ରର କମ୍ପାନୀ ସେମାନଙ୍କ ଉତ୍ପାଦନ ହ୍ରାସ କରିବା ଆରମ୍ଭ କରିଛନ୍ତି। ଅଭିବୃଦ୍ଧି ତଳକୁ ଖସିଯାଇଛି।
ଅଭିବୃଦ୍ଧିକୁ ପୁନରୁଜ୍ଜୀବିତ କରିବା ପାଇଁ ସମସ୍ତେ ଚାହୁଁଛନ୍ତି ସରକାର ଏକ ଆର୍ଥିକ ପ୍ୟାକେଜ୍‌ ପ୍ରଦାନ କରନ୍ତୁ। ଅଭିବୃଦ୍ଧିକୁ ଉଦ୍ଦୀପିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ତାଙ୍କ ପକ୍ଷେ ଯେତିକି ସମ୍ଭବ ତା’ଠୁ ଅଧିକ କରିଛନ୍ତି। ଗତ ଜାନୁୟାରୀଠାରୁ ଏ ପର୍ଯ୍ୟନ୍ତ ସେ ମୋଟ ୧୧୦ ବେସିସ୍‌ ପଏଣ୍ଟ ରେପୋ ରେଟ୍‌ ହ୍ରାସ କରିସାରିଲେଣି। ତେବେ ବ୍ୟାଙ୍କଗୁଡ଼ିକ ଏହାର ସମାନୁପାତିକ ଲାଭ ଗ୍ରାହକମାନଙ୍କୁ ନ ଦେବା ଏକ ଭିନ୍ନ ପ୍ରସଙ୍ଗ। ତଥାପି କେତେକ ବ୍ୟାଙ୍କ ସମାନୁପାତିକ ନ ହେଲେ ବି କିଛି ଋଣ ସୁଧହାର ହ୍ରାସ କରିଛନ୍ତି ଓ ଆଉ କେତେକ ବ୍ୟାଙ୍କ ତାହା ହ୍ରାସ କରିବା ଆରମ୍ଭ କରିଛନ୍ତି। ଆଗାମୀ ପାର୍ବଣ ଋତୁ ଅବସରରେ ଖାଉଟିମାନଙ୍କୁ ବିଭିନ୍ନ ଖାଉଟି ସାମଗ୍ରୀ କିଣିବା ଲାଗି ଉତ୍ସାହିତ କରିବା ନିମନ୍ତେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଋଣ ସୁଧହାର କମାଇବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ପ୍ରମୁଖ ବ୍ୟାଙ୍କ ଏସ୍‌ବିଆଇ ମଙ୍ଗଳବାର ଏକ ପାର୍ବଣ ଉପହାର ଘୋଷଣା କରିବା ସହ ବ୍ୟାଙ୍କରୁ ଋଣ ନେଉଥିବା ଖାଉଟିମାନଙ୍କ ପାଇଁ ବିଭିନ୍ନ ଅଫର ଘୋଷଣା କରିଛି। ପାର୍ବଣ ପୂର୍ବରୁ ବିଭିନ୍ନ ଋଣ ଉପରେ ଏହା ପ୍ରସେସିଂ ଫି ଛାଡ଼ କରିଛି। ସ୍ବଳ୍ପ ଓ ନଗଣ୍ୟ ହେଲେ ମଧ୍ୟ ଏସ୍‌ବିଆଇର ଏହି ପଦକ୍ଷେପ ଖାଉଟିମାନଙ୍କୁ ଉତ୍ସାହିତ କରିଛି। ଆମେ ଆଶା କରୁଛୁ ଅନ୍ୟ ପ୍ରମୁଖ ରାଷ୍ଟ୍ରାୟତ୍ତ ତଥା ଘରୋଇ ବ୍ୟାଙ୍କଗୁଡ଼ିକ ଅନୁରୂପ ପଦକ୍ଷେପ ଗ୍ରହଣ କରିବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏକ ଉଦ୍ଦୀପନୀ ପ୍ୟାକେଜ୍‌ ମାଧ୍ୟମରେ ସରକାର ନିମ୍ନଗାମୀ ଅର୍ଥନୀତିକୁ ଊର୍ଦ୍ଧ୍ୱକୁ ନେବା ପାଇଁ ଚେଷ୍ଟା କରିବେ ବୋଲି ସାଧାରଣରେ ଆଶା କରାଯାଉଛି। ଚଳିତମାସ ପ୍ରାରମ୍ଭରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବ୍ୟାଙ୍କିଙ୍ଗ୍‌, ଅଟୋମାବାଇଲ, ବିଦେଶୀ ନିବେଶକ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପସଂଘ ଓ ରିୟଲ ଇଷ୍ଟେଟ୍‌ ମାଲିକଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଅର୍ଥନୀତିକୁ ସୁଧାରିବା ପାଇଁ ସରକାର କ’ଣ କରିବାକୁ ଚାହୁଁଛନ୍ତି, ତା’ ଉପରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଆଶା କରାଯାଉଛି ଏହା ଟିକସ ହ୍ରାସ କରିବା ସହ ରିହାତି ପ୍ରଦାନ ଭଳି ପଦକ୍ଷେପ ନେବେ। ଭିତ୍ତିଭୂମିରେ ନିବେଶ ଲାଗି ପ୍ରୋତ୍ସାହନ ପ୍ରଦାନ, ଅଟୋମୋବାଇଲ କ୍ଷେତ୍ର ସମେତ କେତେକ ଶିଳ୍ପ ପାଇଁ ଦ୍ରବ୍ୟ ଓ ସେବା କର ଛାଡ଼ ବା ହ୍ରାସ, ସୀମାପାର ବ୍ୟବସାୟକୁ ପ୍ରୋତ୍ସାହନ ପ୍ରଦାନ ଏବଂ ବ୍ୟବସାୟିକ କାରବାର ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି (ease of doing business) ଆଦି ନିମନ୍ତେ ସରକାର ପଦକ୍ଷେପ ନେଇପାରନ୍ତି। ଅଟୋମୋବାଇଲ ଶିଳ୍ପର ଅଭିବୃଦ୍ଧି ଲାଗି ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ ବା ଗାଡ଼ିଗୁଡ଼ିକ ଉପରୁ ଅତିରିକ୍ତ ସେସ୍‌ ଉଠାଇଦେବାର ଆବଶ୍ୟକତା ରହିଛି। ବୈଦ୍ୟୁତିକ ଯାନର ପ୍ରବର୍ତ୍ତନ ଧୀର ଗତିରେ କରିବା ଲାଗି ମଧ୍ୟ ଗାଡ଼ିନିର୍ମାତାମାନଙ୍କ ଚାପ ଆଗରେ ସରକାର ମୁଣ୍ଡ ନୁଆଇଁଛନ୍ତି।
ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‌ ଟିକସ ଆଦାୟ ହେବା ଏବଂ ବିତ୍ତୀୟ ଦାୟିତ୍ୱ ଓ ବଜେଟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ଅଧିନିୟମ ମଧ୍ୟ ଗତ ବଜେଟରେ ସରକାରଙ୍କୁ ବିଭିନ୍ନ କ୍ଷେତ୍ରକୁ ଆର୍ଥିକ ସହଯୋଗ ପ୍ରଦାନ ପାଇଁ ବାଧା ସୃଷ୍ଟି କରିଥିବା ବେଳେ ସରକାର ଏବେ ଏଫ୍‌ଆର୍‌ବିଏମ୍‌ ଅଧିନିୟମରୁ ବିଚ୍ୟୁତ ହେବା ଲାଗି ନିଷ୍ପତ୍ତି ନେବେ ବୋଲି ମନେ ହେଉଛି। ବର୍ତ୍ତମାନ ଘରୋଇ ନିବେଶ ସଂକୁଚିତ ହୋଇଯାଇଥିବା ବେଳେ ସାମ୍ପ୍ରତିକ ଅର୍ଥନୈତିକ ଦୃଶ୍ୟପଟରୁ ସରକାର ଏପରି ପଦକ୍ଷେପ ନେବାର ସୂଚନା ମିଳୁଛି। ଯଦି ଅର୍ଥ ମନ୍ତ୍ରଣାଳୟ ଏହି ବିକଳ୍ପ ଆପଣାନ୍ତି, ତେବେ ଏହା ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଅତିରିକ୍ତ ୧.୧୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ରପ୍ତାନି କ୍ଷେତ୍ରକୁ ଦେଖିଲେ ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଉତ୍ତେଜନା ପରିପ୍ରେକ୍ଷୀରେ ସରକାର ରପ୍ତାନିକାରୀମାନଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରିବା ଉଚିତ। ଗତ ଜୁନ୍‌ ମାସରେ ପ୍ରଥମ ଥର ପାଇଁ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ସଂକୁଚିତ ହୋଇଛି। ମୋଟ ଉପରେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ତୁରନ୍ତ କିଛି ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri