ଅସୁରକ୍ଷିତ ମାନବାଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ
ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜାତୀୟତା ଏପରି କି ରାଜନୈତିକ ବିଚାର ନିର୍ବିଶେଷରେ ବିଶ୍ୱର ସବୁ ମଣିଷଙ୍କର ଜଣେ ମଣିଷ ଭାବେ ରହିଥିବା ମୌଳିକ ଅଧିକାରକୁ ମାନବିକ ଅଧିକାର ବୋଲି କୁହାଯାଇପାରେ। ସ୍ବାଧୀନତା, ଆତ୍ମସମ୍ମାନ, ସମାନତା, ସ୍ବାଧୀନ ଚିନ୍ତା ପରି ମୂଲ୍ୟବୋଧ ଉପରେ ଆଧାରିତ ଏହି ଅଧିକାରଟି ଜଣେ ମଣିଷର ଜନ୍ମସିଦ୍ଧ ଅଧିକାର, ଯାହାକୁ ତା’ଠାରୁ କଦାପି ବିଚ୍ଛିନ୍ନ କରାଯାଇ ନ ପାରେ। କିନ୍ତୁ ଅନେକ କ୍ଷେତ୍ରରେ ମଣିଷକୁ ତା’ର ଏହି ଅଧିକାରରୁ ବଞ୍ଚିତ କରାଯାଉଛି।
ଶାସକ ଶ୍ରେଣୀର ଶୋଷଣ ଓ ନିର୍ଯାତନାରୁ ମୁକ୍ତ ହୋଇ ଏକ ସ୍ବାଧୀନ ତଥା ସମ୍ମାନଜନକ ଜୀବନ ଯାପନ ପାଇଁ ମଣିଷର ଆକାଂକ୍ଷା ଓ ସଂଗ୍ରାମ ହିଁ ବିଶ୍ୱରେ ମାନବିକ ଅଧିକାରର ଧାରଣାଟିକୁ ଜନ୍ମ ଦେଇଛି। ବିଶେଷ କରି ୟୁରୋପରେ ଶିଳ୍ପବିପ୍ଳବ ସମୟରେ ସମାଜରେ ସାମନ୍ତବାଦୀ ଶାସନ ବିରୋଧରେ ଯେଉଁ ବିଦ୍ରୋହ ସୃଷ୍ଟି ହୋଇଥିଲା ତା’ର ଅନ୍ତରାଳରେ ଥିଲା ମାନବିକ ଅଧିକାରର ଧାରଣା। କିନ୍ତୁ ସେମାନଙ୍କ ସେହି ଅଧିକାର ମଧ୍ୟରେ ଲୋକଙ୍କର ଅର୍ଥନୈତିକ ଅଧିକାରଟି ସ୍ଥାନ ପାଇପାରି ନ ଥିଲା। ବିଶ୍ୱରେ ଶ୍ରମିକ ଶ୍ରେଣୀର ଆନ୍ଦୋଳନ ଗତିଶୀଳ ହେବା ପରେ ବିଶେଷ କରି ରୁଷର ସମାଜବାଦୀ ବିପ୍ଳବ ପରେ ହିଁ ଅର୍ଥନୈତିକ ଅଧିକାର ବି ମାନବିକ ଅଧିକାର ଭାବେ ସ୍ବୀକୃତି ଲାଭ କଲା।
ବିଶ୍ୱରେ ମାନବିକ ଅଧିକାରର ଧାରଣାଟି ପୁରୁଣା ହେଲେ ବି ତା’ ଉପରେ ଆନୁଷ୍ଠାନିକ ଆଲୋଚନା ବେଶି ପୁରୁଣା ନୁହେଁ। ବିଶେଷ କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କୋଟି କୋଟି ସାଧାରଣ ମଣିଷଙ୍କ ଉପରେ ହୋଇଥିବା ଅତ୍ୟାଚାର, ହତ୍ୟାର ଲୋମହର୍ଷଣକାରୀ ଘଟଣା ବିଶ୍ୱରେ ପ୍ରଥମ ଥର ପାଇଁ ମାନବିକ ଅଧିକାର ନେଇ ଆଲୋଚନାକୁ ବ୍ୟାପକ କରିବା ସହିତ ଏ ଦିଗରେ ହସ୍ତକ୍ଷେପ କରିବାକୁ ଦେଶଗୁଡ଼ିକୁ ବାଧ୍ୟ କରିଥିଲା। ଏହି କ୍ରମରେ ୧୯୪୮ ମସିହାରେ ମିଳିତ ଜାତିସଂଘ ଦ୍ୱାରା ଆହୂତ ବୈଠକରେ ବିଶ୍ୱର ଅନେକ ଦେଶର ମୁଖ୍ୟ ଅଂଶଗ୍ରହଣ କରି ମାନବିକ ଅଧିକାରର ସୁରକ୍ଷା ପାଇଁ ଏକ ସାର୍ବଜନୀନ ଘୋଷଣା ପତ୍ରରେ ସ୍ବାକ୍ଷର କରିବା ସହିତ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖକୁ ମାନବ ଅଧିକାର ଦିବସ ରୂପେ ପାଳନ କରିବାକୁ ସହମତି ହୋଇଥିଲେ।
ଆମଦେଶରେ ମଧ୍ୟ ମାନବିକ ଅଧିକାରର ଧାରଣାଟି ସର୍ବପ୍ରଥମେ ଉପନିବେଶ ବିରୋଧୀ ସଂଘର୍ଷ ମଧ୍ୟରୁ ଜନ୍ମ ନେଇଥିଲା। ବ୍ରିଟିଶ ଶାସନ ଦ୍ୱାରା ସ୍ବାଧୀନତା ଆନ୍ଦୋଳନ ଉପରେ ବ୍ୟାପକ ଦମନ, ରାଓଲଟ୍‌ ଆଇନ, ଧାରା ୧୪୪, ଦେଶଦ୍ରୋହ ପରି କଳା ଆଇନର ପ୍ରଣୟନ ଜନଗଣ ବିଶେଷ କରି ଶିକ୍ଷିତ ଭାରତୀୟଙ୍କ ମଧ୍ୟରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଥିଲା।
୧୯୪୭ରେ ବ୍ରିଟିଶମାନେ ଯିବା ପରେ ଦେଶରେ କ୍ଷମତାସୀନ ଶାସକମାନେ କେବଳ ବ୍ରିଟିଶ ସରକାରର ପୋଲିସ, ସେନା ଓ ପ୍ରଶାସନ ପରି ଦମନକାରୀ ରାଷ୍ଟ୍ରଯନ୍ତ୍ରକୁ ଅବ୍ୟାହତ ରଖିଲେନି ବରଂ ସେମାନଙ୍କ କଳା ଆଇନ ଓ ଦମନ ନୀତିକୁ ଗୋଟାପଣେ ଆପଣେଇବା ଦେଖିବାକୁ ମିଳିଲା। ପୂର୍ବଭଳି ଦେଶଦ୍ରୋହ ଆଇନ ପରି ସବୁ କଳା ଆଇନକୁ ଅବ୍ୟାହତ ରଖିବା ସହ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ ବା ଆଫ୍‌ସ୍ପା, ଜାତୀୟ ନିରାପତ୍ତା ଆଇନ, ପବ୍ଳିକ୍‌ ସେଫ୍ଟି ଆଇନ, ପ୍ରତିଷେଧକମୂଳକ ଅଟକ ଆଇନ, ପୋଟା ବା ସେପରି ଭଳିକି ଭଳି କଳା ଆଇନ ତିଆରି କରି ତା’ ଜରିଆରେ ଜନଗଣଙ୍କ ଉପରେ ଦମନକୁ ବଢ଼ାଇବା ସହ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରର କଣ୍ଠରୋଧ କଲେ। ନିକଟରେ ଏନ୍‌ଆଇଏ ଆଇନ ଓ ୟୁଏପିଏ ଆଇନରେ ସଂଶୋଧନ କରି ତାକୁ ଅଧିକ କଠୋର କରି ପୋଲିସର କ୍ଷମତାକୁ ବଢ଼ାଇବା ଏହି ପ୍ରକ୍ରିୟାର ହିଁ ଅଂଶ ବିଶେଷ ବୋଲି କୁହାଯାଇପାରେ। ଅତୀତରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜରୁରୀ ପରିସ୍ଥିତିର ଘୋଷଣା ଏବଂ ବିରୋଧୀ ରାଜନୈତିକ କର୍ମୀ ଓ ଗଣମାଧ୍ୟମ ଉପରେ ରାଷ୍ଟ୍ର ପ୍ରାୟୋଜିତ ଦମନ ଏକ ଦେଶରେ ମାନବିକ ବା ନାଗରିକ ଅଧିକାର ଉପରେ ଆକ୍ରମଣର ଏକ ବଡ଼ ଘଟଣା ଥିଲା। ସେତେବେଳେ ରାଷ୍ଟ୍ର ସନ୍ତ୍ରାସ ବିରୋଧରେ ମାନବିକ ଅଧିକାରର ସୁରକ୍ଷା ପାଇଁ ଆନ୍ଦୋଳନ ବ୍ୟାପକ ହେବା ସହ ପ୍ରଥମ ଥର ପାଇଁ ଦେଶରେ ଏକ ମାନବିକ ଅଧିକାର ସଂଗଠନ ପିୟୁସିଏଲ୍‌ ଗଠିତ ହୋଇଥିଲା।
ଦିନଥିଲା ମାନବିକ ଅଧିକାର କହିଲେ କେବଳ ରାଷ୍ଟ୍ର ଦ୍ୱାରା ନିର୍ଦ୍ଧାରିତ ରାଜନୈତିକ ବା ଗଣତାନ୍ତ୍ରିକ ଅଧିକାରକୁ ହିଁ ବୁଝାଯାଉ ଥିଲା। କିନ୍ତୁ ସମାଜର ବିକାଶ ସହିତ ମାନବିକ ଅଧିକାରର ଏହି ପରିଭାଷା ଓ ପରିସୀମା ମଧ୍ୟ ବଦଳି ଅଧିକ ବ୍ୟାପକ ହୋଇଛି। ବର୍ତ୍ତମାନ ଖାଦ୍ୟ ଅଧିକାର, ବାସଗୃହ ଅଧିକାର, ପ୍ରଦୂଷଣମୁକ୍ତ ପରିବେଶର ଅଧିକାର, ଲିଙ୍ଗଗତ ବିଭେଦରୁ ମୁକ୍ତିର ଅଧିକାର, ଜାତିଗତ ନିର୍ଯାତନାରୁ ମୁକ୍ତିର ଅଧିକାର, ଜାତୀୟତାର ଅଧିକାର, ଶିଶୁ ଅଧିକାର ଏପରି କି ସମଲିଙ୍ଗୀମାନଙ୍କ ଅଧିକାର ବି ମାନବିକ ଅଧିକାରର ପରିଭାଷାରେ ସାମିଲ ହୋଇ ଏହାର ସୀମାକୁ ପ୍ରସାରିତ କରିପାରିଛି।
ତେବେ ଆଜି ଆମ ଦେଶରେ ମାନବିକ ଅଧିକାରର ସ୍ଥିତି ଉଦ୍‌ବେଗଜନକ। ଖାଦ୍ୟ, ଶିକ୍ଷା, ସ୍ବାସ୍ଥ୍ୟସେବା ପରି ମାନବିକ ଅଧିକାର କ୍ଷେତ୍ରରେ ଆମେ ବିଶ୍ୱର ଅନେକ ପଛୁଆ ଦେଶଠାରୁ ବି ପଛରେ ରହିଛୁ। ନିକଟରେ ଆନ୍ତର୍ଜାତିକ ମାନବିକ ଅଧିକାର ସଂସ୍ଥା ‘ହ୍ୟୁମାନ ରାଇଟସ୍‌ ୱାଚ୍‌’ର ରିପୋର୍ଟ ଅନୁସାରେ ଭାରତରେ ମାନବିକ ଅଧିକାର ଅତି ଭୟଙ୍କର ସ୍ଥିତିରେ ରହିଛି। ଦେଶରେ ଅନେକ କଳା ଆଇନ ଅବ୍ୟାହତ ଥିବା ବେଳେ ପୋଲିସ ଏବଂ ସାମରିକ ବାହିନୀ ଦ୍ୱାରା ମାନବିକ ଅଧିକାର ଉଲ୍ଲଂଘନର ହଜାର ହଜାର ଘଟଣା ସାମନାକୁ ଆସୁଛି। ଅନ୍ୟପଟେ ଦେଶରେ ପୋଲିସ ଓ ସେନା ହାଜତରେ ହତ୍ୟା ଘଟଣା ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ ମାଓବାଦୀ ଓ ଉଗ୍ରବାଦୀ ନାଁରେ ଅବିଚାରିତ ଗିରଫଦାରି ଏବଂ ଏନ୍‌କାଉଣ୍ଟରରେ ହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ନିକଟରେ ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ଘଟଣାରେ ପୋଲିସ ହେପାଜତରେ ଥିବା ଚାରିଜଣ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ନାଁରେ ହତ୍ୟା କରିବା ପୋଲିସ ଦ୍ୱାରା ମାନବିକ ଅଧିକାର ଉଲ୍ଲଂଘନର ସଦ୍ୟତମ ଉଦାହରଣ।
(ବିଶ୍ୱ ମାନବାଧିକାର ଦିବସ ଉପଲକ୍ଷେ)
ମୋ- ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri