ଅବିଦ୍ୟାର ଅନ୍ଧାରରେ ବିଦ୍ୟାର ଆରାଧନା

ଡ. ପ୍ରଫୁଲ୍ଲ କୁମାର ସାହୁ

ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରେ ଶିକ୍ଷା ହେଉଛି ମଣିଷର ଚତୁର୍ଥ ଆବଶ୍ୟକତା। ଶିକ୍ଷାର ବିକାଶ ଉପରେ ନିର୍ଭର କରେ ଦେଶର ସର୍ବାଙ୍ଗୀଣ ଉନ୍ନତି। ମାର୍ଟିନ୍‌ ଲୁଥର କହିଥିଲେ, କୌଣସି ରାଷ୍ଟ୍ରର ଉନ୍ନତି ତା’ର ଜଳ, ଜମି, ଜଙ୍ଗଲ, ପାହାଡ଼, ପର୍ବତ ଓ ଖଣିଜ ପଦାର୍ଥ ଉପରେ ନିର୍ଭର କରେନାହିଁ, ବରଂ ନିର୍ଭର କରେ ରାଷ୍ଟ୍ରର ଚରିତ୍ର ଉପରେ। ରାଷ୍ଟ୍ରର ଚରିତ୍ର କହିଲେ ବୁଝାଯାଏ ତା’ର ଅଧିବାସୀମାନଙ୍କ ଚରିତ୍ର। ଅଧିବାସୀମାନଙ୍କ ଚରିତ୍ର ନିର୍ମାଣ କରିବାର ଦାୟିତ୍ୱ ବହନ କରେ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା। ଇତିହାସ କହେ ଏକଦା ଭାରତୀୟ ସମାଜ ଜୀବନ ଥିଲା ଖୁବ୍‌ ଶୃଙ୍ଖଳିତ ଓ ସଂସ୍କାରିତ। ନୈତିକତାକୁ ଅଗ୍ରାଧିକାର ଦେଇ ଭାରତୀୟମାନେ ବଞ୍ଚୁଥିଲେ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ। ଏହି ନୈତିକ ମୂଲ୍ୟବୋଧର ମେରୁଦଣ୍ଡ ଥିଲା ଆମ ବିକଶିତ ଶିକ୍ଷା ବ୍ୟବସ୍ଥା। ଇଂରେଜମାନେ ଏ ଦେଶକୁ ଶାସନ କରିବା ପରେ ବିପର୍ଯ୍ୟସ୍ତ ହେଲା ଆମ ବିକଶିତ ଶିକ୍ଷା ବ୍ୟବସ୍ଥା। କାରଣ ସେମାନେ ଜାଣିଥିଲେ ଭାରତୀୟମାନଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ପରାଧୀନ କରି ରଖିବାକୁ ହେଲେ ସେମାନଙ୍କ ରାଷ୍ଟ୍ରୀୟ ଅସ୍ମିତାର ମୂଳୋପତ୍ାଟନ ଆବଶ୍ୟକ, ଯାହା ନିର୍ଭର କରେ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ। ତେଣୁ ଶ୍ରେଣୀଗୃହ ପାଠ୍ୟକ୍ରମରେ ନୈତିକ ଶିକ୍ଷାକୁ ଗୌଣ କରିଦିଆଗଲା ଅତି ଚତୁରତାର ସହିତ। ଉପନିବେଶକାଳୀନ ଶିକ୍ଷା ବ୍ୟବସ୍ଥାରେ ଆଉ ପ୍ରତିଫଳିତ ହେଲା ନାହିଁ ଭାରତୀୟ ସଂସ୍କୃତି, ପରମ୍ପରା, ଦର୍ଶନ ଓ ଇତିହାସର ଝଲକ। ଇଂରେଜମାନଙ୍କ ସଫଳ ପ୍ରୟାସ ସତ୍ତ୍ୱେ ରାଷ୍ଟ୍ରୀୟ ଅସ୍ମିତାଠାରୁ ଆଦୌ ଦୂରେଇ ଯାଇ ନ ଥିଲା ଭାରତୀୟ ସମାଜ ଜୀବନ। କାରଣ ଆମ ଉଚ୍ଚକୋଟୀର ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ଥିଲା ଖୁବ୍‌ ଦମ୍ଭ। ସାଧାରଣତଃ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ କହିଲେ ବୁଝାଯାଏ ପ୍ରାଥମିକ ବିଦ୍ୟାଳୟସ୍ତରୀୟ ଶିକ୍ଷା।
ପ୍ରତିବାଦର ଆଶଙ୍କା ନ ରଖି ଏକଥା କୁହାଯାଇପାରେ ଯେ, ଏବେ ପରିଣତ ବୟସରେ ପହଞ୍ଚତ୍ଥିବା ପ୍ରତ୍ୟେକ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କର ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା କେଉଁଠି ନା କେଉଁଠି ଏକ ଚାଟଶାଳୀରେ। ଚାଟଶାଳୀ ଏକ ନଡ଼ାଛପର ଘର। ସେଠାରେ ଶିକ୍ଷାଦାନ କରୁଥିଲେ ଜଣେ ଅଣତାଲିମପ୍ରାପ୍ତ ଅବଧାନ। ସରକାରଙ୍କ କର୍ତ୍ତୃତ୍ୱବାହାରେ ଗଢିଉଠିଥିବା ଏହି ଚାଟଶାଳୀରେ ଶ୍ରେଣୀଗୃହ ଶିକ୍ଷା ସହିତ ଯୋଡ଼ିହୋଇ ରହିଥିଲା ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠା। ଅତି ନିଷ୍ଠାର ସହ ଶିକ୍ଷାଦାନ କରୁଥିବା ଅବଧାନ ବିଦ୍ୟାର୍ଥୀଙ୍କ ପାଇଁ ଖଞ୍ଜିଥିଲେ ଗୁରୁକୁଳ ଆଶ୍ରମର ଶୈକ୍ଷିକ ଶୃଙ୍ଖଳା। ଅବଧାନ ବିଦ୍ୟା ବିତରଣରେ ମଜ୍ଜିରହି ଅନୁଭବ କରୁଥିଲେ ପ୍ରଚୁର ଆନନ୍ଦ। ଶ୍ରେଣୀଗୃହ ଶିକ୍ଷାଦାନକୁ କେବେ ମାପୁ ନ ଥିଲେ ଗ୍ରାମବାସୀଙ୍କ ପାଖରୁ ପାଉଥିବା ପାଉଣା ତରାଜୁରେ। ଅବଧାନଙ୍କ ଅନୁଶାସନ ଖୁବ୍‌ କଠୋର ହେଲେ ବି ସେଥିରେ ଥିଲା ଏକ ଶ୍ରଦ୍ଧାଶୀଳ ଅନୁରାଗ, ଏକ କଲ୍ୟାଣକାରୀ ଭାବନା। ସେଥିପାଇଁ ସେତେବେଳେ ଏକ ଅନାବିଳ ଆମତ୍ୀୟତା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇପଡ଼ିଥିଲା ଗୁରୁ-ଶିଷ୍ୟ ସମ୍ପର୍କ, ଯାହା ବିଦ୍ୟାର୍ଥୀର ସ୍ମୃତିପଟରେ ସାଇତା ହୋଇ ରହୁଥିଲା ସାରା ଜୀବନ। ସେତେବେଳେ ‘ଭାଗବତ’ ଥିଲା ଚାହାଳିର ପ୍ରଧାନ ପାଠ୍ୟପୁସ୍ତକ। ଭାରତୀୟ ସଂସ୍କୃତିରେ ଯାହା ମୂଳ ବା ମୂଲ୍ୟବାନ ତାହା ହିଁ ଭାଗବତର ସାରସଂଗ୍ରହ। ତା’ର ପ୍ରତ୍ୟେକଟି ପଦ ଓ ପାଦ ଶୁଦ୍ଧ ଜୀବନବୋଧର ଏକ ଏକ ମନ୍ତ୍ର।
ଏବେ ଆଉ ସେ ଚାହାଳି ନାହିଁ କି ବିଦ୍ୟାର୍ଥୀମାନେ ଆହରଣ କରୁନାହାନ୍ତି ଭାଗବତର ଦିବ୍ୟ ଜ୍ଞାନ। ଏବେ ଚାଟଶାଳୀ ବଦଳରେ ପ୍ରାୟ ସବୁ ଗାଁରେ ଗଢିଉଠିଛି ପ୍ରାଥମିକ ବିଦ୍ୟାଳୟ। ସର୍ବଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ବଦଳିଯାଇଛି ସବୁ ବିଦ୍ୟାଳୟର ଚେହେରା। ନଡ଼ାଛପର ଘର ପରିବର୍ତ୍ତେ ତିଆରି ହୋଇଛି କଂକ୍ରିଟ୍‌ ଛାତ ଥିବା ସୁଦୃଶ୍ୟ କୋଠାଘର। ମାତ୍ର ବିଦ୍ୟାଳୟ ପାଇଁ କୋଠାଘର ଅସଲ ସମ୍ବଳ ନୁହେଁ, ସମ୍ବଳ ହେଉଛି ଉତ୍ସର୍ଗୀକୃତ ଶିକ୍ଷକ। ବିଦ୍ୟାଳୟ ଧନରେ ଗଢାଯାଏନି, ସେଥିପାଇଁ ମନଟିଏ ଲୋଡ଼ା। ଯେଉଁ ବିଦ୍ୟାଳୟ ପାଇଁ ଶିକ୍ଷକ ମନପ୍ରାଣ ଢାଳିଦିଏ, ତାହା ପାଲଟିଯାଏ ନାଳନ୍ଦା, ତକ୍ଷଶିଳା ଓ ସତ୍ୟବାଦୀ ବନ ବିଦ୍ୟାଳୟ। ସେଠାରୁ ସୃଷ୍ଟି ହୁଅନ୍ତି ଆରୁଣି ଓ ଉପମନ୍ୟୁ ପରି ଅନେକ ଆଦର୍ଶ ଶିଷ୍ୟ। ସେଥିପାଇଁ କୁହାଯାଏ ଭଲ ମଣିଷଟିଏ ଗଢିବା ପାଇଁ ଭଲ ଶିକ୍ଷକଟିଏ ଲୋଡ଼ା। ଶିକ୍ଷାବ୍ୟବସ୍ଥା ପ୍ରତି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆଭିମୁଖ୍ୟ ଯୋଗୁ ଶିକ୍ଷାକ୍ଷେତ୍ରରୁ ଧୀରେ ଧୀରେ ଅପସରି ଗଲେଣି ଉତ୍ସର୍ଗୀକୃତ ଶିକ୍ଷକ। କୌଣସି ମତେ କାମ ଚଳାଇନେବାର ପ୍ରବଣତା ଭିତରେ ହଜି ଯାଉଛି ଶିକ୍ଷାରେ ଗୁଣାତ୍ମକ ମାନବୃଦ୍ଧିର ଲକ୍ଷ୍ୟ। ସଚେତନତା ଦ୍ୱାରା ଶିକ୍ଷାମନସ୍କତା ସୃଷ୍ଟି କରିବା ପରିବର୍ତ୍ତେ ଖୋଜାଯାଉଛି ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ ବଢାଇବାର ଉପାୟ। ନୈତିକତାକୁ ଅଗ୍ରାଧିକାର ଦେଇ ପାଠ୍ୟକ୍ରମ ପ୍ରସ୍ତୁତ ହେଉ ନ ଥିବାରୁ ଜ୍ଞାନ ଲାଭ କ୍ଷେତ୍ରରେ ଗୁଣାମତ୍କ ଅଭିବୃଦ୍ଧିଜନିତ ସମସ୍ୟା କେବେ ବି ଖୋଜିପାଉନି ସମାଧାନର ପନ୍ଥା।
ଶିକ୍ଷା ଏକ ପଣ୍ୟ ନୁହେଁ, ମୌଳିକ ଅଧିକାର। ଆମ ସମ୍ବିଧାନ କହେ ଧନୀ-ଦରିଦ୍ର ନିର୍ବିଶେଷରେ ଏହା ସମସ୍ତଙ୍କ ପାଖରେ ପହଞ୍ଚତ୍ବା ଦରକାର। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ଦେଶରେ ଥିଲାବାଲା ଓ ନ ଥିଲାବାଲା ପିଲାଙ୍କୁ ଅଲଗା ଅଲଗା ଶ୍ରେଣୀଭୁକ୍ତ କରିବା ପାଇଁ ଶିକ୍ଷାକୁ ମିଳିଛି ବ୍ୟବସାୟର ଦର୍ଜା। ଶିକ୍ଷାବେପାରୀଙ୍କ ଦ୍ୱାରା ଚାରିଆଡ଼େ ଛତୁଫୁଟିଲା ଭଳି ଖୋଲୁଛି ଇଂଲିଶ ମାଧ୍ୟମ ବିଦ୍ୟାଳୟ, ଯେଉଁଠି ଶିକ୍ଷା ଏକ କିଣାବିକା ସାମଗ୍ରୀ। ଶିକ୍ଷାକ୍ଷେତ୍ରରେ ବ୍ୟୟଭାର ସଙ୍କୋଚନ ପାଇଁ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅବହେଳା କରି ଶିକ୍ଷା ବଜାରକୁ ପ୍ରୋତ୍ସାହନ ଯୋଗାଉଛନ୍ତି ଖୋଦ୍‌ ସରକାର। ତେଣୁ ଦିନକୁ ଦିନ ବଢୁଛି ବେସରକାରୀ ବିଦ୍ୟାଳୟର ଚାହିଦା। ପିଲାକୁ ତିନିବର୍ଷ ନ ପୂରୁଣୁ ତା’ ପାଇଁ ନାମୀଦାମୀ ସ୍କୁଲ ଖୋଜୁଛନ୍ତି ଆଧୁନିକ ପିତାମାତା, ଯେଉଁଠି ପାଠ ଅପେକ୍ଷା ଅଧିକ ଧ୍ୟାନ ଦିଆଯାଏ ପିଲାର ଆଡ଼ମ୍ବରପୂର୍ଣ୍ଣ ସାମାଜିକ ଚଳଣି ଉପରେ। ପିଲା ଏଠି ଆପଣା ଭାଷା-ସାହିତ୍ୟ, ସଂସ୍କୃତି ଓ ପରମ୍ପରା ସହିତ ଯୋଡ଼ିହେବା ପରିବର୍ତ୍ତେ ପାରଙ୍ଗମ ହୁଏ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ। ଏଭଳି ଶିକ୍ଷା ଦ୍ୱାରା ଜ୍ଞାନ, ବୁଦ୍ଧି ଓ କୌଶଳର ବିକାଶ ଘଟେ ସତ, କିନ୍ତୁ ଶୈଶବରୁ କକ୍ଷଚ୍ୟୁତ ହୁଏ ଚରିତ୍ର ଗଠନର ସମ୍ଭାବନା। ଏହି କାରଣରୁ ଆମ ଦେଶରେ ଯେଉଁ ପରିମାଣରେ ଶିକ୍ଷାର ପ୍ରସାର ଘଟୁଛି, ସେହି ମାତ୍ରାରେ ପ୍ରତୀୟମାନ ହେଉଛି ମୂଲ୍ୟବୋଧର ଅବକ୍ଷୟ।
ଏ ହେଉଛି ଆମର ସେହି ଅତୀତର ଆର୍ଯ୍ୟାବର୍ତ୍ତ, ଯେଉଁଠି ପିତାମାତାଙ୍କୁ କୁହାଯାଏ ଜୀବନ୍ତ ଦେବତା। ଏଠାରେ ପିତୃସତ୍ୟ ପାଳନ କରି ୧୪ବର୍ଷ ବନବାସ କରିଥିଲେ ପ୍ରଭୁ ରାମଚନ୍ଦ୍ର। ଏହି ପବିତ୍ର ମାଟିରେ ଜନ୍ମ ନେଇଥିଲେ ଶ୍ରବଣକୁମାର, ଯିଏ କାନ୍ଧରେ ବୋହୁଥିଲେ ଅନ୍ଧ ପିତାମାତାଙ୍କୁ। ଅଥଚ ସେହି ସଂସ୍କୃତିସମ୍ପନ୍ନ ମାଟିରେ ଏବେ ବଢିଚାଲିଛି ଜରାନିବାସ ସଂଖ୍ୟା। କାରଣ ଏବେ ଏଠି ଶ୍ରବଣକୁମାର ପରିବର୍ତ୍ତେ ସୃଷ୍ଟି ହେଉଛନ୍ତି ଫକୀରମୋହନଙ୍କ ଡାକମୁନ୍‌ସୀ ପରି ବାପକୁ ଇଂରେଜୀ ଭୁସି ମାରୁଥିବା ଉଚ୍ଚଶିକ୍ଷିତ ପୁଅ। ଆଜକୁ ୧୧୧ବର୍ଷ ତଳେ କାଳଜୟୀ ସ୍ରଷ୍ଟା ଫକୀରମୋହନ ସାହିତ୍ୟ ମାଧ୍ୟମରେ ଏହି ଘୋଡ଼ାମୁହାଁ ପୁଅମାନଙ୍କୁ ଯେଉଁ ତେରଛା ବାଣ ମାରିଥିଲେ, ସମାଜ ଏବେ ଅନୁଭବ କରୁଛି ତାହାର ପ୍ରାସଙ୍ଗିକତା। ସ୍ବାମୀ ବିବେକାନନ୍ଦ କହିଥିଲେ, ଯେଉଁ ଶିକ୍ଷା ଚରିତ୍ର ସୁଦୃଢ କରିପାରେ ନାହିଁ, ମାନବପ୍ରେମରେ ଯାହା ଉଚ୍ଛଳ ନୁହେଁ, ତାହାକୁ ଶିକ୍ଷା କହିବାର ଯଥାର୍ଥତା ନାହିଁ। ଏହି ଦୃଷ୍ଟିରୁ ବିଚାର କଲେ ଆମ ବିଦ୍ୟାଳୟ ସବୁ ପାଲଟି ଗଲାଣି ଆଡ଼ମ୍ବର ଓ ଆଟୋପର ନନ୍ଦନବନ। ଉପରେ ସବୁ ଠିକ୍‌ଠାକ୍‌ ଚାଲିଛି, କିନ୍ତୁ ଭିତରଟା ଶୂନ୍ୟ। ଅର୍ଥାତ୍‌ ଏବେ ଅବିଦ୍ୟାର ଅନ୍ଧାର ଭିତରେ ଚାଲିଛି ବିଦ୍ୟାଦେବୀଙ୍କ ଆରାଧନା।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ,
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri