ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭ ନଂ ଜିଲା ପରିଷଦ ସଭ୍ୟ ପ୍ରଦୀପ୍ତ ଛୋଟରାୟ ବୈଠକ ମଝିରେ ପେଟ୍ରୋଲ ଢାଳିହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏନେଇ ପାଖରେ ବସିଥିବା ଅନ୍ୟ ସଦସ୍ୟମାନେ ତାଙ୍କୁ କାବୁ କରିଥିଲେ। ଏହାକୁ ନେଇ ପ୍ରବଳ ହୋ-ହଲ୍ଲା ହୋଇଥିଲା। ସେଠାରେ ଉପସ୍ଥିତ ଥିବା ବୋଲଗଡ଼ ବ୍ଲକ ଅଞ୍ଚଳର ଅନ୍ୟ ଜନ ପ୍ରତିନିଧିମାନେ ମଧ୍ୟ ବିଡିଓଙ୍କ ବିରୋଧରେ ସୋଗ୍ଲାନ ଦେବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଜନପ୍ରତିନିଧିଙ୍କ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଅବହେଳା ନେଇ ଅନ୍ୟ ସଦସ୍ୟମାନେ ପ୍ରତିବାଦ କରିଥିଲେ। ଖୋର୍ଦ୍ଧା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ସଭାପତି ପ୍ରଶାନ୍ତ ଜଗଦ୍ଦେବ, ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ପ୍ରକାଶ ଯେ, ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ସାଢ଼େ ୧୧ ଟାବେଳେ ବୈଠକ ଆରମ୍ଭ ହୋଇଥିଲା। ଜଣକ ପରେ ଜଣେ ପ୍ରତିନିଧି, ବିଧାୟକ, ଜିଲାପାଳ, ଜିଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ବୈଠକରେ ପହଞ୍ଚିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ ବୈଠକରେ ସଭାପତିତ୍ୱ କରିଥିଲେ। ଉନ୍ନୟନ ଅଧିକାରୀ ସାହୁଙ୍କ ସ୍ବାଗତ ଭାଷଣ ପରେ ବୈଠକ ଆରମ୍ଭ ହୋଇଥିଲା। ଏହାର ୩୦ ମିନିଟ୍‌ ପରେ ହଠାତ ଜିଲା ପରିଷଦ ସଭ୍ୟ ଛୋଟରାୟ ମୋର କିଛି କହିବାର ଅଛି ଉଠିଥିଲେ। ହଠାତ କେହି କିଛି ଭାବିବା ପୂର୍ବରୁ ପାଖରେ ରଖିଥିବା ଏକବ ବ୍ୟାଗରୁ ପେଟ୍ରୋଲ ଥିବା ବୋତଲ ବାହାର କରି ନିଜ ଦେହରେ ଢାଳିହୋଇ ଦିଆସିଲ ଲଗାଇବା ବେଳେ ପାଖରେ ଥିବା ଅନ୍ୟ ସଭ୍ୟମାନେ ତାଙ୍କୁ କାବୁ କରି ନେଇଥିଲେ।

ଏନେଇ ଛୋଟରାୟ କୁହନ୍ତି, ଏହି ଘଟଣା ସମ୍ପର୍କରେ ପୂର୍ବରୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ସତ୍ତ୍ବେ କୌଣସି ପଦକ୍ଷେପ ନିଆଗଲା ନାହଁି। ବାରମ୍ବାର ନିରାଶ ହେବା ପରେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି। ବିଡିଓଙ୍କ ମୁଷ୍ଟିମେୟ ନେତା, ଲୋକଙ୍କ ପ୍ରରୋଚନାରେ ବୋଲଗଡ଼ ବ୍ଲକରେ ଅଶାନ୍ତି ସୃଷ୍ଟି କରୁଛନ୍ତି।

ସେହିପରି ବେଗୁନିଆ ବିଧାୟକ ପ୍ରଦୀପ ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ସମୟରେ
ବିଡିଓଙ୍କ ପ୍ରସଙ୍ଗ ରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ସର୍ବ ସମ୍ମୁଖରେ ଜଣାଇବା ପରେ ମଧ୍ୟ ସରକାର ନୀରବ। ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି କହିଛନ୍ତି।

ଜିଲାପାଳ କହିଛନ୍ତି, ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ ସମାଧାନ କରାଯିବ।

Dharitri – Odisha’s No.1 Odia Daily

Share