Categories: ଖେଳ

କ୍ୱାର୍ଟରରେ ଝେଙ୍ଗ, ଅଲକାରାଜ

ନ୍ୟୁୟର୍କ, ୬ା୯ (ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ। ଅନ୍ୟ ପୁରୁଷ ଖେଳାଳିଙ୍କ ମଧ୍ୟରେ ଆଣ୍ଡି ରୁବଲେଭ୍‌, ଆଲେକ୍‌ଜାଣ୍ଡର ଜେରେଭ୍‌ ଓ ଡାନିଲ୍‌ ମେଡ୍‌ଭେଡେଭ୍‌ ମଧ୍ୟ ଟପ୍‌୮ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ମହିଳା ସିଙ୍ଗଲ୍ସରେ ଚାଇନାର କ୍ୱେନିନ୍‌ ଝେଙ୍ଗ ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡସ୍ଲ୍‌ାମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଆରିନା ସାବାଲେଙ୍କା, ମାଡିସନ୍‌ କିସ୍‌ ଓ ମାର୍କେଟା ଭୋନ୍ଦ୍ରୋସୋଭା ମଧ୍ୟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି।
ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ୨୦ ବର୍ଷୀୟ ଅଲକାରାଜ ୬-୩, ୬-୩ ଓ ୬-୪ ସେଟ୍‌ରେ ଇଟାଲୀର ମାଟ୍ଟେଓ ଅରଲାଣ୍ଡିଙ୍କୁ ପରାସ୍ତ କରିଛନ୍ତି। ୧୯୬୮ ମସିହା ପରେ ସର୍ବକନିଷ୍ଠ ଖେଳାଳି ଭାବରେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଅଲକାରାଜ। ଚାଇନାର ଝେଙ୍ଗ କ୍ୱିନେନ୍‌ ଗତବର୍ଷର ରନର ଅପ୍‌ ଓନ୍ସ ଜାବେରଙ୍କୁ ସିଧାସଳଖ ୬-୨ ଓ ୬-୪ ସେଟ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ମାନ୍ୟତାର ୨୩ ନମ୍ବର ସ୍ଥାନରେ ଥିବା ଝେଙ୍ଗ ୨୧ଟି ଓ୍ବିନର ଶଟ୍‌ ଖେଳିଥିଲେ।ଜାବେର୍‌ ଏହି ମ୍ୟାଚ୍‌ରେ ୩୩ଟି ଅନଫୋର୍ସଡ ଏରର କରିଥିଲେ। ଝେଙ୍ଗ ନିଜର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆରିନା ସାବାଲେଙ୍କାଙ୍କ ସହିତ ଖେଳିବେ। ସାବାଲେଙ୍କା ୬-୧, ୬-୩ରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଦାରିଆ କାସାଟକିନାଙ୍କୁ ପରାସ୍ତ କରିଥିଲେ। ଆମେରିକୀୟ ଖେଳାଳି ମାଡିସନ୍‌ କିସ୍‌ ନିଜ ଦେଶର ଜେସିକା ପେଗୁଲାଙ୍କୁ ୬-୧, ୬-୩ରେ ପରାସ୍ତ କରିଛନ୍ତି। ସେହିପରି ଓ୍ବିମ୍ବେଲଡନ୍‌ ଚାମ୍ପିୟନ ଚେକ୍‌ ରିପବ୍ଲିକ୍‌ର ମାର୍କେଟା ଭୋନ୍ଦ୍ରୋସୋଭା ୭-୬(୭-୩), ୩-୬, ୨-୬ ସେଟ୍‌ରେ ଆମେରିକୀୟ ପେଟନ୍‌ ଷ୍ଟର୍ନସଙ୍କୁ ପରାସ୍ତ କରିଛନ୍ତି।
ଅଷ୍ଟମ ସିଡେଡ୍‌ ଆଣ୍ଡି ରୁବଲେଭ୍‌ ୬-୩, ୩-୬, ୬-୩ ଓ ୬-୪ ସେଟ୍‌ରେ ବ୍ରିଟେନ୍‌ର ଜ୍ୟାକ୍‌ ଡ୍ରେପରଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଇଟାଲୀର ଜାନିକ୍‌ ସିନ୍ନରଙ୍କୁ ୫ ସେଟ୍‌ର ମାରାଥନ୍‌ ମୁକାବିଲାରେ ପରାସ୍ତ କରିଛନ୍ତି ଜର୍ମାନୀର ଆଲେକଜାଣ୍ଡାର ଜେରେଭ୍‌। ୪ ଘଣ୍ଟା ୪୧ ମିନିଟ ଧରି ଚାଲିଥିବା ମ୍ୟାଚ୍‌କୁ ଜେରେଭ୍‌ ୬-୪, ୩-୬, ୬-୨, ୪-୬ ଓ ୬-୩ ରେ ଜିତି ନେଇଥିଲେ। ରୁଷିଆର ଡାନିଲ ମେଡଭେଡେଭ ୨-୬, ୬-୪, ୬-୧ ଓ ୬-୨ରେ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନାଉରଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

Share