କୋଲକାତାରୁ ଜେଟେକ୍ସ ଓସିଏନ୍‌ଏୟାର୍‌ ଏମ୍‌ଡି ଗିରଫ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ଓଡ଼ିଶାରେ ବହୁଗୁଣ ସୁଧ ଦେବାର ପ୍ରତିଶ୍ରୁତି ଦେଇ ୨.୬୨ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଚିଟ୍‌ଫଣ୍ଡ ସଂସ୍ଥା ‘ଏମ୍‌/ଏସ୍‌ ଜେଟେକ୍ସ ଓସିଏନ୍‌ଏୟାର ପ୍ରାଇଭେଟ ଲିଃ’ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ କୋଲକାତାରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଜୟଦୀପ ରାଣା। ସୋମବାର ଜୟଦୀପଙ୍କୁ ଗିରଫ କରାଯିବା ପରେ ସାଉଥ ଚବିଶ ପ୍ରାଗଣାସ୍ଥିତ ଅତିରିକ୍ତ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇ ତାଙ୍କୁ ମଙ୍ଗଳବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ଜୟଦୀପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ମାମଲାରେ ଚିଟ୍‌ଫଣ୍ଡ ସଂସ୍ଥା ‘ଓଏକେ ଇଣ୍ଡିଆ ମଲଟିଷ୍ଟେଟ୍‌ କ୍ରେଡିଟ କୋ-ଅପରେଟିଭ୍‌ ସୋସାଇଟି’ର ଏମ୍‌ଡି ଓମ୍‌କାର ସିଂ ଏବଂ ଏହାର ୩ ନିର୍ଦ୍ଦେଶକ କୁନାଲ ତିୱାରୀ, ଅର୍ସଦ ହୁସେନ୍‌ ଏବଂ ମ୍ରିଙ୍ଗଙ୍କା ଶେଖର ଚକ୍ରବର୍ତ୍ତୀଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି।
ଇଓଡବ୍ଲ୍ୟୁ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚିଟ୍‌ଫଣ୍ଡ ସଂସ୍ଥା ‘ଏମ୍‌/ଏସ୍‌ ଆମ୍ବିସିୟସ୍‌ ଡାଇଭର୍ସିଫାଏଡ୍‌ ପ୍ରୋଜେକ୍ଟସ ମ୍ୟାନେଜମେଣ୍ଟ ଲିଃ’ ଏବଂ ‘ଓଏକେ ଇଣ୍ଡିଆ ମଲଟିଷ୍ଟେଟ୍‌ କ୍ରେଡିଟ କୋ-ଅପରେଟିଭ୍‌ ସୋସାଇଟି’ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଫିସ ଖୋଲିଥିଲା। ଏହାର ନିର୍ଦ୍ଦେଶକ ଓ ସଦସ୍ୟଙ୍କ ମାଧ୍ୟମରେ ସଂସ୍ଥା ୨୦୧୦ରୁ ୨୦୧୪ ମଧ୍ୟରେ ବହୁଗୁଣ ସୁଧ ଦେବାର ପ୍ରତିଶ୍ରୁତି ଦେଇ ୧୯୬୮ ଜଣ ଜମାକାରୀଙ୍କଠୁ ୨ କୋଟି ୬୨ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ଠକି ନେବା ପରେ ସ୍ଥାନୀୟ ଅଞ୍ଚଳରେ ସଂସ୍ଥାର ଅଫିସ ବନ୍ଦ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏନେଇ ଠକେଇର ଶିକାର ହୋଇଥିବା ପୁରୀ ଜିଲା ବଳଙ୍ଗା ଥାନା ଅଧୀନ ବାଣପୁର ଅଞ୍ଚଳର ସୁବାସ ଚନ୍ଦ୍ର ପ୍ରଧାନ ନାମକ ଜମାକାରୀଙ୍କ ଅଭିଯୋଗକ୍ରମେ ୨୦୧୫ ମେ’ ୮ରେ ଇଓଡବ୍ଲ୍ୟୁ ଏକ ମାମଲା (ନଂ. ୧୩/୨୦୧୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ୨୦୧୧-୨୦୧୨ରେ ଠକେଇ ଟଙ୍କାରୁ ୧ କୋଟି ୮୩ ଲକ୍ଷ ‘ଏମ୍‌/ଏସ୍‌ ଜେଟେକ୍ସ ଓସିଏନଏୟାର ପ୍ରାଇଭେଟ ଲିଃ’କୁ ଯାଇଥିବା ଜଣାପଡ଼ିଥିଲା। ତେଣୁ ଏହି କମ୍ପାନୀର ଏମ୍‌ଡି ଜୟଦୀପଙ୍କୁ ଇଓଡବ୍ଲ୍ୟୁ ଧରିବାକୁ ପ୍ରୟାସ ଆରମ୍ଭ କରିଥିଲା। ତାଙ୍କୁ ଗିରଫ କରାଯିବା ପରେ ବିପୁଳ ପରିମାଣର ଅର୍ଥ କାରବାର ନେଇ ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ତେବେ ଜେଟେକ୍ସ ଓସିଏନ୍‌ଏୟାର ଚିଟଫଣ୍ଡ ସଂସ୍ଥା ନାମରେ ପଶ୍ଚିମବଙ୍ଗରେ ୩ଟି ମାମଲା ରହିଛି। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ କରାଯାଉଥିବା ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି।