‘ଶୂନ’ ମୃତ୍ୟୁ, ପ୍ଲାଜ୍‌ମା ଦାନ ପ୍ରାଥମିକତା

କଟକ ଅଫିସ,୮।୮: କଟକ ଜିଲାରେ ପ୍ଲାଜ୍‌ମା ସଂଗ୍ରହ ବ୍ୟାପକ କରାଯିବ। ଏନେଇ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବୈଠକ ବସିଥିଲା। ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ‘ଶୂନ’ ମୃତ୍ୟୁ ସମସ୍ତଙ୍କ ଲକ୍ଷ୍ୟ ହେଉ ବୋଲି କହିଛନ୍ତି। ପ୍ଲାଜମା ଥେରାପିର ନୋଡାଲ ଅଧିକାରୀ ତଥା ଏସ୍‌ସିବି ମେଡିକାଲ ଆସୋସିଏଟ୍‌ ପ୍ରଫେସର ଡା. ସ୍ମିତା ମହାପାତ୍ର ପ୍ଲାଜ୍‌ମା ସଂଗ୍ରହ ସ୍ଥିତି ଉପରେ ସୂଚନା ଦେଇଥିଲେ। କଟକ ଜିଲାର ଗ୍ରାମାଞ୍ଚଳରେ ୫୨୯ ଓ ସହରାଞ୍ଚଳର ୩୨ ଜଣ ପ୍ଲାଜ୍‌ମା ଦେବା ପାଇଁ ଯୋଗ୍ୟ ହୋଇଛନ୍ତି। ସେଥିରୁ ଗ୍ରାମାଞ୍ଚଳର ୯୭ ଓ ସହରାଞ୍ଚଳର ୮ ଜଣ ପ୍ଲାଜ୍‌ମା ଦେବାକୁ ଆଗ୍ରହୀ। ଏଯାବତ୍‌ ଏସ୍‌ସିବି ପ୍ଲାଜ୍‌ମା ବ୍ୟାଙ୍କ୍‌ରେ ୫୮ ଜଣଙ୍କଠାରୁ ୧୧୬ ୟୁନିଟ୍‌ ପ୍ଲାଜ୍‌ମା ସଂଗ୍ରହ କରାଯାଇଛି। ସେଥିରୁ ୯୦ ୟୁନିଟ୍‌ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲକୁ ଦିଆଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟ୍ରେସିଂ, ଟେଷ୍ଟିଂ ଓ ଚିକିତ୍ସାର ବ୍ୟାପକ ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ଲାଜ୍‌ମା ଦାନ ପାଇଁ ସୁସ୍ଥ ବ୍ୟକ୍ତିଙ୍କ ତାଲିକା ଓ ସବିଶେଷ ବିବରଣୀ ଉପଲବ୍ଧ କରାଇବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତରାୟଙ୍କୁ ଏହାର ସଂଯୋଜକ ଦାୟିତ୍ୱ ମିଳିଛି। ବୈଠକରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନିଜର ମତ ରଖିଥିଲେ। ରାଜ୍ୟ ସରକାରଙ୍କ ବୈଷୟିକ ମୁଖପାତ୍ର ଡା. ଜୟନ୍ତ ପଣ୍ଡା, ସିଏମ୍‌ସି କମିଶନର ଅନନ୍ୟା ଦାସ, ଡିଆର୍‌ଡିଏ ପିଡି ଅବଦଲ ଅଖତରଏସ୍‌ସିବି ମେଡିକାଲ ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।