ବଡ଼ ଘୋଷଣା: ଗୋଟିଏ ଟିମରେ ଖେଳିବେ ପୁରୁଷ-ମହିଳା କ୍ରିକେଟର! ଆରମ୍ଭ ହେବ ନୂଆ ଟି-୨୦ ଟୁର୍ନାମେଣ୍ଟ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ,୨୬।୧୧: ଏଣିକି କ୍ରିକେଟ ପଡ଼ିଆରେ ପୁରୁଷ ଓ ମହିଳା କ୍ରିକେଟର ଗୋଟିଏ ଟିମରେ ଖେଳୁଥିବା ଦେଖିବାକୁ ମିଳିବେ। ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନଙ୍କ ସହ-ମାଲିକାନାରେ ଥିବା କମ୍ପାନୀ ଆଙ୍କର ସ୍ପୋର୍ଟସ ଏବି (Anchor Sports AB) ଜର୍ମାନ କ୍ରିକେଟ ଫେଡେରେଶନ (Deutscher Cricket Bund) ସହ ମିଶି ‘ଇକ୍ୱାଲ’ (Equal) ନାମକ ଏକ ମିକ୍ସଡ ଜେଣ୍ଡର ଟି-୨୦ ଲିଗ ଆରମ୍ଭ କରିବାକୁ ଘୋଷଣା କରିଛି। ଆସନ୍ତା ବର୍ଷ ଅଗଷ୍ଟ ମାସରେ ଜର୍ମାନୀରେ ଏହି ଟୁର୍ନାମେଣ୍ଟ ଆୟୋଜନ ହେବ। ଏଥିରେ ମୋଟ ୫ଟି ଟିମ ଭାଗ ନେବେ। ଏହି ଲିଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳା ଓ ପୁରୁଷ କ୍ରିକେଟରଙ୍କୁ ଗୋଟିଏ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇ ଏକାଠି ଖେଳିବାର ସୁଯୋଗ ପ୍ରଦାନ କରିବା।

ରିପୋର୍ଟ ଅନୁସାରେ, ଆଙ୍କର ସ୍ପୋର୍ଟସ ଏବିର ସହ-ମାଲିକ ଜାହିର ଖାନ ଏହି ମିକ୍ସଡ ଜେଣ୍ଡର ଟି-୨୦ ଲଗକୁ କ୍ରିକେଟର ବିକାଶ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି।

ଜାହିର କହିଛନ୍ତି, କ୍ରିକେଟରେ ଲୋକଙ୍କୁ ଏକାଠି ଯୋଡ଼ିବାର ଶକ୍ତି ରହିଛି। ବିଶେଷ କରି ୟୁରୋପ ଭଳି ଉଦୀୟମାନ ବଜାରରେ ଏହି ଖେଳର ଲୋକପ୍ରିୟତା ଏହା ଉପରେ ନିର୍ଭର କରିବ ଯେ କେତେ ସହଜରେ ଏହାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଯାଇପାରୁଛି। ‘ଇକ୍ୱାଲ’ ଭଳି ପଦକ୍ଷେପ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।

ସେ ଆହୁରି କହିଛନ୍ତି, ଏହି ଲିଗ ମାଧ୍ୟମରେ ଭିନ୍ନ ଲିଙ୍ଗର ଖେଳାଳିମାନେ କ୍ରିକେଟରେ ଭାଗ ନେବା, ନିଜର ଯୋଗଦାନ ଦେବା ଏବଂ ଏହି ଖେଳର ବିକାଶର ଅଂଶୀଦାର ହେବାର ସୁଯୋଗ ପାଇବେ। ୨୦୨୮ରେ କ୍ରିକେଟ ଅଲିମ୍ପିକ୍ସକୁ ଫେରିବାକୁ ଯାଉଛି। ଏଭଳି ସମୟରେ ନୂଆ ସମୁଦାୟଙ୍କ ପାଖରେ ଏହି ଖେଳକୁ ପହଞ୍ଚାଇବା ଏବଂ ବିଶ୍ୱସ୍ତରରେ ଏହାର ପରିସର ବଢ଼ାଇବା ପାଇଁ ଏହା ଏକ ଭଲ ସୁଯୋଗ। ‘ଇକ୍ୱାଲ’କୁ ସ୍ବତନ୍ତ୍ର କରୁଥିବା କଥା ହେଉଛି, ଏଥିରେ ଜଣେ ପୁରୁଷ ଓ ଜଣେ ମହିଳା କ୍ରିକେଟର ଗୋଟିଏ ପଡ଼ିଆରେ ପରସ୍ପର ବିପକ୍ଷରେ ଖେଳିବେ।

‘ଇକ୍ୱାଲ’ ଟି-୨୦ ଲିଗ୍ର ପ୍ରାରମ୍ଭିକ ଫର୍ମାଟରେ ୫ଟି ଟିମ ଭାଗ ନେବେ ଏବଂ ମୋଟ ୧୨ଟି ମ୍ୟାଚ ଖେଳାଯିବ। ପ୍ରତ୍ୟେକ ଟିମରେ ୧୮ ଜଣ ଖେଳାଳି ରହିବେ। ତେବେ ପ୍ଲେଇଂ ଇଲେଭେନ୍‌କୁ ନେଇ ସ୍ବତନ୍ତ୍ର ନିୟମ ରଖାଯାଇଛି।

ପ୍ରତ୍ୟେକ ଟିମର ପ୍ଲେଇଂ ଇଲେଭେନରେ ୬ ଜଣ ମହିଳା ଓ ୫ ଜଣ ପୁରୁଷ ଖେଳାଳି ସାମିଲ ହେବେ। ଅର୍ଥାତ୍‌ ଲିଗ୍‌ର ପ୍ରତ୍ୟେକ ମ୍ୟାଚରେ ମହିଳା ଓ ପୁରୁଷ କ୍ରିକେଟର ଏକାଠି ଖେଳୁଥିବା ଦେଖିବାକୁ ମିଳିବେ।

ଏହା ପ୍ରଥମ ଥର ହେବ, ଯେତେବେଳେ ପୁରୁଷ ଓ ମହିଳା କ୍ରିକେଟର ଗୋଟିଏ ଟିମ ପକ୍ଷରୁ ଏକାଠି ପଡ଼ିଆକୁ ଓହ୍ଲାଇବେ। କ୍ରିକେଟ ଦୁନିଆରେ ଏହି ନୂଆ ପରୀକ୍ଷଣ ଖେଳକୁ ଏକ ନୂଆ ରୂପରେ ଉପସ୍ଥାପନ କରିବା ସହ ମହିଳା ଓ ପୁରୁଷ ଖେଳାଳିଙ୍କୁ ସମାନ ମଞ୍ଚ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇପାରେ।

 

Dharitri – Odisha’s No.1 Odia Daily

Share